ଦେବଗଡ: କରୋନା ସଂକ୍ରମଣ ରୋକିବାକୁ ସମଗ୍ର ଭାରତକୁ ଲକଡାଉନ ଘୋଷଣା କରାଯାଇଛି। ଏହା ଦ୍ୱାରା ମାନବ ସମାଜ ସମେତ ଗୋରୁ ଗାଈ ଓ ବୁଲା କୁକୁରମାନେ ଗୁରୁତର ଭାବେ ପ୍ରଭାବିତ ହେଉଛନ୍ତି। ଏଥିସହ ଖାଦ୍ୟପାଇଁ ସହର ଉପରେ ନିର୍ଭର କରୁଥିବା ମାଙ୍କଡମାନେ ମଧ୍ୟ ଖାଦ୍ୟ ଅଭାବରୁ ଡହଳ ବିକଳ ହେଉଥିବା ଦେଖିବାକୁ ମିଳୁଛି। ସହରର ବୁଲା ଗୋରୁଗାଈ ଓ କୁକୁରମାନଙ୍କ ନିମନ୍ତେ ଦେବଗଡ ପୌର ପରିଷଦ କର୍ତ୍ତୃପକ୍ଷ କାଁ ଭାଁ କେଉଁଠି ଖାଦ୍ୟର ବ୍ୟବସ୍ଥା କରିଥିବା ବେଳେ ମାଙ୍କଡମାନଙ୍କ ନିମନ୍ତେ କୌଣସି ବ୍ୟବସ୍ଥା କରାଯାଇନାହିଁ। ଫଳରେ ମାଙ୍କଡମାନେ ବିଚଳିତ ହୋଇପଡୁଛନ୍ତି।
ଏହାକୁ ଦୃଷ୍ଟିରେ ରଖି ସୋମବାର ଦେବଗଡ ସହରର ଜଣାଶୁଣା ସାପ ଧରାଳି ତଥା ଯୁବ ଯାଦୁକର ପୃଥ୍ୱୀରାଜ ମେହେର ଓ ତାଙ୍କର କେତେକ ସାଥୀ ପ୍ରଧାନପାଟ ଜଳ ପ୍ରପାତ ନିକଟକୁ ଯାଇ ସେଠାରେ ବିଚରଣ କରୁଥିବା ଶହଶହ ମାଙ୍କଡଙ୍କୁ ନିଜ ଖର୍ଚ୍ଚରୁ ବିସ୍କୁଟ, କଦଳୀ ଓ ଚିନାବାଦାମ ଆଦି ଖାଦ୍ୟଦ୍ରବ୍ୟ ବିତରଣ କରୁଥିବା ଦେଖିବାକୁ ମିଳିଥିଲା। ସେହିପରି ମାଙ୍କଡମାନେ ମଧ୍ୟ ଯାଦୁକର ପୃଥ୍ୱୀରାଜଙ୍କ ଚାରିପଟେ ବେଢିଯାଇ ତାଙ୍କ ହାତରୁ ଖୁସି ମନରେ ବିସ୍କୁଟ, କଦଳୀ ଓ ଚିନା ବାଦାମ ଖାଉଥିବା ଦେଖିବାକୁ ମିଳିଥିଲା। କୌଣସି ସ୍ୱେଚ୍ଛସେବୀ ଅନୁଷ୍ଠାନ କିମ୍ବା ସରକାରୀ ସହାୟତା ବିନା ମାଙ୍କଡମାନଙ୍କୁ ଖାଦ୍ୟ ବିତରଣ କରିଥିବା ଯୁବ ଯାଦୁକର ପୃଥ୍ୱୀରାଜଙ୍କର ଏଭଳି ଉଦ୍ୟମକୁ ବିଭିନ୍ନ ମହଲରେ ପ୍ରଶଂସା କରାଯାଇଛି।
ସୂଚନାଯୋଗ୍ୟ ଯେ, ଲକଡାଉନ ପରିପ୍ରେକ୍ଷୀରେ ମାଙ୍କଡମାନେ ଖାଇବାକୁ ପାଉନଥିବାରୁ ଗତ କିଛିଦିନ ପୂର୍ବେ ଦେବଗଡ ସହରର ସୁଧିର ବ୍ରହ୍ମା ନାମକ ଜଣେ ଯୁବକ ମଧ୍ୟ ଅନୁରୂପ ଭାବେ ପ୍ରଧାନପାଟ ଜଳ ପ୍ରପାତ ନିକଟକୁ ଯାଇ ନିଜ ଖର୍ଚ୍ଚରୁ ମାଙ୍କଡ ମାନଙ୍କୁ କଦଳୀ ଓ ବିସ୍କୁଟ ଆଦି ଖାଦ୍ୟଦ୍ରବ୍ୟ ବିତରଣ କରି ଜନସାଧାରଣଙ୍କର ପ୍ରଶଂସାର ପାତ୍ର ସାଜିଥିଲେ।



