www.samajalive.in
Monday, December 8, 2025
14.1 C
Bhubaneswar

ଚାଷୀ ନେତା ଡା.ସୁଧୀର ପରିଚ୍ଛାଙ୍କ ନିଧନ

ବଲାଙ୍ଗିର : ଅକ୍ଷୟ ତୃତୀୟା। ଚାଷୀ ଅଖିମୁଠି ଅନୁକୁଳ କରେ। ପ୍ରତି ବର୍ଷ ସରକାରୀ ଭାବେ ଅକ୍ଷୟ ତୃତୀୟା ପାଳନ କରାଯାଏ। କିନ୍ତୁ ବ୍ୟକ୍ତିବିଶେଷ ଓ ଏକଲା ଏକ ସଂଗଠନ ଭାବେ ଜଣାଶୁଣା ଜିଲା କୃଷକ ମହାସଂଘର ସଭାପତି ଡା.ସୁଧୀର ପରିଚ୍ଛା(୬୨) ନିଜସ୍ୱ ଉଦ୍ୟମରେ ସବୁ ବର୍ଷ ଅକ୍ଷୟ ତୃତୀୟାରେ ଭୂମି ପୂଜା କରିବା ସହ ଅକ୍ଷିମୁଠି ଅନୁକୁଳ କରିଥାନ୍ତି। ଚଳିତ ବର୍ଷ ଅସୁସ୍ଥତା କାରଣରୁ ସେ ନିଜେ ଅକ୍ଷି ମୁଠି ଅନୁକୁଳ କରିପାରି ନଥିଲେ। ସାନ ଭାଇ ସୌମେନ୍ଦ୍ର(ଚଗଲା)ଙ୍କୁ ପରମ୍ପରା ବଜାୟ ରଖିବା ପାଇଁ କହିଥିଲେ। ସେହି ଅନୁସାରେ ଜନକପୁର ଗାଁରେ ଅକ୍ଷି ମୁଠି ଅନୁକୁଳ କରାଯାଇଥିଲା। ତେବେ ଚାଷୀଙ୍କ ସ୍ୱାର୍ଥ ପାଇଁ ସବୁବେଳେ ଆଗ ଧାଡିରେ ଛିଡ଼ା ହେଉଥିବା ଚାଷୀ ନେତା ଡା.ସୁଧୀର ପରିଚ୍ଛାଙ୍କର ମଙ୍ଗଳବାର ପରଲୋକ ଘଟିଛି। ହାଇଦ୍ରାବାଦରେ ଅସ୍ତ୍ରୋପଚାର ପରେ ସେ ସେଠାରେ ଅବସ୍ଥାନ କରୁଥିବା ବେଳେ ତାଙ୍କର ବିୟୋଗ ଅନେକଙ୍କୁ ମ୍ରିୟମାଣ କରିଛି।

ଚାଷୀର ହକ୍‍ ପାଇଁ ଲଢେଇ କରୁଥିବା ସ୍ୱର୍ଗତ ଡା.ପରିଚ୍ଛାଙ୍କ ଜନ୍ମ ବଲାଙ୍ଗିର ସଦର ବ୍ଲକ ଜନକପୁର ଗାଁରେ। ଆଖ ପାଖ ଅଞ୍ଚଳରେ ତାଙ୍କର ବେଶ ଦବଦବା ରହିଥିଲା। ବଲାଙ୍ଗିର ଆୟୁର୍ବେଦିକ କଲେଜରୁ ତାଙ୍କ ଡାକ୍ତରୀ ପାଠ ପଢିବା ପରେ ସେ ଡାକ୍ତରୀ ପେଶାକୁ ନ ଆପଣାଇ ବ୍ୟବସାୟରେ ମନ ଦେଇଥିଲେ। ବହୁ ଘରୋଇ ବସ୍‍ର ମାଲିକ ଭାବେ ଜଣାଶୁଣା ସ୍ୱର୍ଗତ ଡା.ପରିଚ୍ଛା ଚାଷୀ ପୁଅର ଜୀବନ ଜିଉଁଥିଲେ। ସେ ସାରର ଅଭାବ ହେଉ କି ବିହନ ସମସ୍ୟା, ଚାଷୀର ଧାନ କିଣା….ଏଭଳି ବିଭିନ୍ନ ପ୍ରସଙ୍ଗରେ ଜିଲା ପ୍ରଶାସନକୁ ଅଙ୍ଗୁଳି ନିର୍ଦ୍ଦେଶ କରୁଥିଲେ। ଚାଷୀଙ୍କ ସମସ୍ୟା ସବୁବେଳେ ଉପସ୍ଥାପନ କରୁଥିବା ସ୍ୱର୍ଗତ ଡା.ପରିଚ୍ଛା ରାଜନୀତିରେ ବି ଥିଲେ ସକ୍ରିୟ। ସେ ପ୍ରଥମେ କଂଗ୍ରେସ, କିଛି କାଳ ବିଜେପିରେ ରହିଥିଲେ। ପୁଣି ଘର ବାହୁଡା କରି ସେ କଂଗ୍ରେସ ଦଳରେ ଶେଷ ଯାଏ ରହିଥିଲେ। ଜିଲା କୃଷକ ମହାସଂଘ ଗଠନରେ ତାଙ୍କର ପ୍ରମୁଖ ଭୂମିକା ରହିଥିଲା। ସେ ମହାସଂଘର ସଭାପତି ଥିବା ବେଳେ ଜିଲା କିଷାନ କଂଗ୍ରେସର ସଭାପତି, ରାଜ୍ୟ କିଷାନ କଂଗ୍ରେସର ଉପାଧ୍ୟକ୍ଷ ବି ଥିଲେ।

- Advertisement -

ବର୍ଷେ ତଳେ ତାଙ୍କ ଦେହ ଅସୁସ୍ଥ ହୋଇଥିଲା। ଯକୃତ(ଲିଭର୍‍) ଜନିତ ସମସ୍ୟା ସହ ସେ ଲଢେଇ କରୁଥିଲେ। ଭୁବନେଶ୍ୱରର ଏକ ଘରୋଇ ହସ୍‍ପିଟାଲରେ ଚିକିତ୍ସିତ ହେବା ପରେ ପାଟଣାଗଡ ରୋଡ୍‍ ସ୍ଥିତ ମେଡିକାଲ କଲେଜ ନିକଟ ଘରକୁ ଫେରିଥିଲେ। ହେଲେ ଯକୃତ(ଲିଭର୍‍) ପ୍ରତିରୋପଣ ଆବଶ୍ୟକ ହେଉଥିବା ବେଳେ ଏକମାତ୍ର ପୁଅ ଅବିନାଶ ଯକୃତ ଦାନ କରିବାକୁ ଆଗେଇ ଆସିଥିଲେ। ଅବିନାଶଙ୍କ ଯକୃତର ୩୫ ପ୍ରତିଶତ ସ୍ୱର୍ଗତ ଡା.ପରିଚ୍ଛାଙ୍କ ଦେହରେ ପ୍ରତିରୋପଣ କରାଯାଇଥିଲା। ଏହାପରେ ସେ ସୁସ୍ଥ ଅନୁଭବ କରିବା ସହ ଡାକ୍ତରୀ ଦଳର ଅନୁଧ୍ୟାନରେ ରହିଥିଲେ। ଚଳିତ ଅକ୍ଷୟ ତୃତୀୟାରେ ତାଙ୍କ ଅନୁପସ୍ଥିତିକୁ ଅନେକେ ଅନୁଭବ କରିଥିଲେ। ଆଉ ତିନିଦିନ ପରେ ଅର୍ଥାତ ମଙ୍ଗଳବାର ହାଇଦ୍ରାବାଦରେ ଶେଷନିଶ୍ୱାସ ତ୍ୟାଗ କରିଛନ୍ତି। ତାଙ୍କ ବିୟୋଗରେ ବଲାଙ୍ଗିର ବିଧାୟକ ନରସିଂହ ମିଶ୍ର, ଜିଲା କଂଗ୍ରେସ ସଭାପତି ଦିଲୀପ ବେହେରା, ଜିଲା କିଷାନ କଂଗ୍ରେସ ସଭାପତି ସାନନ୍ଦ ମିଶ୍ରଙ୍କ ସହ କଂଗ୍ରେସ ଦଳ, ଜିଲା କୃଷକ ମହାସଂଘର ସଂପାଦକ ଜତି ପ୍ରଧାନ ଓ ଅନ୍ୟମାନେ, ଜିଲା ଘରୋଇ ବସ୍‍ ମାଲିକ ସଂଘର ସଭାପତି ହେମନ୍ତ ପଣ୍ଡା ଓ ସଂଘର ସଦସ୍ୟ ତଥା ଜନକପୁରବାସୀ ଶୋକ ପ୍ରକାଶ କରିବା ସହ ତାଙ୍କ ଆତ୍ମାର ସଦଗତି କାମନା କରିଛନ୍ତି। ସୂଚନାଯୋଗ୍ୟ ଯେ, ସ୍ୱର୍ଗତ ଡା.ପରିଚ୍ଛାଙ୍କ ଶବାକୁ ବଲାଙ୍ଗିର ଅଣାଯିବା ପରେ ଶେଷକୃତ୍ୟ କରାଯିବ।

Hot this week

ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ ।

ଭୁବନେଶ୍ୱର-ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ । ଦୁର୍ଘଟଣାରେ...

ଭୁବନେଶ୍ବରରେ ପହଞ୍ଚିଲେ ସୂର୍ଯ୍ୟକୁମାର, ସଞ୍ଜୁ ଏବଂ ଉପଅଧିନାୟକ ଗିଲ୍, କାଲି ନେଟ୍ ପ୍ରାକ୍ଟିସ୍

ସମାଜ ନ୍ୟୁଜ ଡେସ୍କ- ରାତି ପ୍ରାୟ ୯ଟା ସମୟରେ ଭୁବନେଶ୍ବର ବିମାନବନ୍ଦରରେ...

ଗହୀରମଥାରେ ବେଆଇନ ମାଛ ମାରି ୩୪ ମତ୍ସ୍ୟଜୀବୀ ଗିରଫ, ୨ ଟ୍ରଲର ଜବତ

ସମାଜଲାଇଭ ଡେସ୍କ: ଗହୀରମଥାରେ ବେଆଇନ ମାଛ ମାରୁଥିବା ୩୪ ମତ୍ସ୍ୟଜୀବୀଙ୍କୁ ଗିରଫ...

ହାତୀ ପେଟରେ ଚାଷୀଙ୍କ ଫସଲ, ବନଖଣ୍ଡ କାର୍ଯ୍ୟାଳୟ ଘେରିଲେ ଗ୍ରାମବାସୀ

ଆଠଗଡ: ଆଠଗଡ଼ ବ୍ଲକ ଅନ୍ତର୍ଗତ କନ୍ଦରପୁର ଗ୍ରାମରେ ହାତୀପଲଙ୍କ ଉପଦ୍ରବରେ ଚାଷୀକୂଳ...

୩ ଶିଶୁଙ୍କ ସହ ୭ ଦାଦନ ଶ୍ରମିକ ଉଦ୍ଧାର, ୨ ଗିରଫ

କଣ୍ଟାବାଞ୍ଜି: ତୁରେକେଲା ପୁଲିସ ଶନିବାର ମଧ୍ୟ ରାତ୍ରରେ ହଳନଭଟା ଛକ ନିକଟରୁ...

Related Articles

Popular Categories