-ଚୀନରେ ଛାଡ଼ପତ୍ର ଓ ଘରୋଇ ହିଂସା ମାମଲା ବୃଦ୍ଧି
-ଭାରତରେ ମଧ୍ୟ ବଢ଼ୁଛି : ମହିଳା ଆୟୋଗ
-ମାଲେସିଆ ସରକାର ଜାରିକଲେ ଉପଦେଶାବଳୀ
ବେଜିଂ/ନୂଆଦିଲ୍ଲୀ/କୁଆଲାଲମ୍ପୁର : କରୋନା ପାଇଁ ତାଲାବନ୍ଦ ସମୟରେ ବାହାରେ ସିନା ହିଂସାକାଣ୍ଡ ଓ ଅସାମାଜିକ କାର୍ଯ୍ୟକଳାପ ହ୍ରାସ ପାଇଛି; କିନ୍ତୁ ଘରୋଇ ହିଂସା ବୃଦ୍ଧି ପାଇଥିବା ଲକ୍ଷ୍ୟ କରାଯାଇଛି। ଚୀନର ବିଭିନ୍ନ ସହରରେ ତାଲାବନ୍ଦ ପରିପ୍ରେକ୍ଷୀରେ ଛାଡପତ୍ର ଓ ଘରୋଇ ହିଂସା ଭଳି ମାମଲା ସଂଖ୍ୟା ବଢିବାରେ ଲାଗିଛି । କରୋନା ଭୂତାଣୁ ପାଇଁ ଜାରି ତାଲାବନ୍ଦକୁ ଉଠାଇ ଦିଆଯିବା ପରେ ଏହିସବୁ ମାମଲା ବଢିବାରେ ଲାଗିଛି । କେନ୍ଦ୍ରୀୟ ଚୀନର ସିଆନ ଓ ସିଚୁଆନ ପ୍ରଦେଶର ଡାଜହୌ ସହରରେ ଏହିସବୁ ମାମଲା ସଂଖ୍ୟା ସର୍ବାଧିକ ରହିଛି। ହୁନାନ ପ୍ରଦେଶର ମିଲୁଓରେ ଛାଡପତ୍ର ମାମଲା ରୁଜୁ କରିବାକୁ ଲୋକମାନେ ଏତେସଂଖ୍ୟାରେ ଭିଡ ଜମାଇଛନ୍ତି ଯେ ଏହାର କର୍ମଚାରୀମାନଙ୍କୁ ଖାଇବାକୁ ସମୟ ମିଳୁ ନାହିଁ। ସାଙ୍ଘାଇସ୍ଥିତ ଜଣେ ଓକିଲ ଷ୍ଟିଭ ଲି କହିଛନ୍ତି ଯେ ତାଙ୍କ ପାଖରେ ମାମଲା ସଂଖ୍ୟା ୨୫% ବଢିଛି। ୨୦୦୩ରୁ ଚୀନ ସରକାର ଆଇନରେ ସରଳତା ଆଣିବା ପରଠାରୁ ଦେଶରେ ଛାଡପତ୍ର ମାମଲା ବଢିବାରେ ଲାଗିଛି। ଗତବର୍ଷ ୧୫ ହେଲା ଏ ପ୍ରକାର ମାମଲା ବଢି ଚାଲିଛି। ଗତବର୍ଷ ୪୧ଲକ୍ଷ ଛାଡପତ୍ର ମାମଲା ରୁଜୁ ହୋଇଥିଲା।
ଚୀନରେ ଛାଡପତ୍ର ଓ ଘରୋଇ ହିଂସା ମାମଲା ବୃଦ୍ଧି ପାଇବା ଅନ୍ୟ ଦେଶ; ବିଶେଷ କରି ଆମେରିକା ଓ ଭାରତ ଭଳି ଦେଶ ପାଇଁ ଚିନ୍ତାର କାରଣ ହୋଇଛି। ଏହିସବୁ ଦେଶରେ ଏବେ କରୋନା ପାଇଁ ତାଲାବନ୍ଦ ଜାରି ହୋଇଛି। ଏଥିଯୋଗୁଁ ପତି-ପତ୍ନୀ ଦିନସାରା ଘରେ ରହୁଥିବାରୁ ସେମାନଙ୍କ ମଧ୍ୟରେ ମତପାର୍ଥକ୍ୟ ସ୍ୱରୂପ ହିଂସା ଓ ଛାଡପତ୍ର ପରିସ୍ଥିତି ସୃଷ୍ଟି ହେଉଛି। ଭାରତରେ ଏଭଳି ମାମଲାର ନିର୍ଦ୍ଦିଷ୍ଟ ହିସାବ ମିଳି ନ ଥିଲେ ମଧ୍ୟ ଏ ନେଇ ବହୁ ରିପୋର୍ଟ ଗଣମାଧ୍ୟମ ତଥା ପ୍ରଶାସନର ନଜରକୁ ଆସୁଛି। ପୁରୁଷମାନେ ଘରେ ରହିବା ଫଳରେ ସେମାନଙ୍କ ମାନସିକ ବୀତସ୍ପୃହତାର ପ୍ରଭାବ ମହିଳାଙ୍କ ଉପରେ ପଡ଼ୁଛି। ମହିଳାମାନେ ସ୍ବାମୀଙ୍କ ଗାଳିଫଜିତ୍ରୁ ନିସ୍ତାର ପାଉ ନାହାନ୍ତି। ଜାତୀୟ ମହିଳା ଆୟୋଗଙ୍କ ନଜରକୁ ମଧ୍ୟ ଏସବୁ ଆସୁଛି। ଜାନୁଆରୀରେ ୨୭୦ ଓ ଫେବୃଆରୀରେ ୩୦୨ ଅଭିଯୋଗ ମିଳିଥିବାବେଳେ ମାର୍ଚ୍ଚ ୨୩ ପୂର୍ବରୁ ମୋଟ ୨୯୧ ଅଭିଯୋଗ ମିଳିଥିଲା; କିନ୍ତୁ ମାର୍ଚ୍ଚ ୨୩ରୁ ୩୦ ମଧ୍ୟରେ ଆୟୋଗଙ୍କ ନିକଟରେ ଏଭଳି ୫୮ଟି ଅଭିଯୋଗ ପହଞ୍ଚିଛି। ସେଥିମଧ୍ୟରୁ ଅଧିକାଂଶ ଉତ୍ତର ଭାରତ; ବିଶେଷକରି ପଞ୍ଜାବରୁ ବୋଲି କହିଛନ୍ତି ଆୟୋଗ ଅଧ୍ୟକ୍ଷା ରେଖା ଶର୍ମା। ଅନ୍ୟ ରାଜ୍ୟରେ ଏହି ସଂଖ୍ୟା ବଢ଼ୁଥିବା ନେଇ ସେ ଚିନ୍ତା ପ୍ରକଟ କରିଛନ୍ତି। ତାଲାବନ୍ଦ ଯୋଗୁଁ ଅନ୍-ଲାଇନ୍ ଓ ଡାକ ଯୋଗେ ଅଧିକ ଅଭିଯୋଗ ଆସୁଥିବା ସେ କହିଛନ୍ତି।
ଅପରପକ୍ଷରେ ତାଲାବନ୍ଦ ସମୟରେ ଘରୋଇ ହିଂସା ରୋକିବା ପାଇଁ ମାଲେସିଆ ସରକାର ଅଭିନବ ପଦକ୍ଷେପ ନେଇଛନ୍ତି। ସ୍ବାମୀ ଘରେ ରହୁଥିବାରୁ ସ୍ତ୍ରୀମାନେ ନିଜକୁ ଅଧିକ ସଜେଇବା, ଭଲ ପୋଷାକ ପିନ୍ଧିବା, ସ୍ବାମୀଙ୍କ ସହିତ ମଧୁର ଆଳାପ କରିବା ଆଦି ଭଳି କେତୋଟି ପରାମର୍ଶ ମହିଳାମାନଙ୍କୁ ଦେଇଛନ୍ତି। ଏହାଦ୍ବାରା ସ୍ବାମୀ-ସ୍ତ୍ରୀ ଝଗଡ଼ା ହେବ ନାହିଁ କିମ୍ବା ସ୍ବାମୀ ଚିଡ୍ଚିଡ୍ ହେବେ ନାହିଁ ବୋଲି ସରକାରଙ୍କ ପକ୍ଷରୁ ଜାରି ଉପଦେଶାବଳୀରେ କୁହାଯାଇଛି। ଏ ସମ୍ପର୍କିତ ଏକ ପୋଷ୍ଟର ମଧ୍ୟ ଦେଶର ମହିଳା ଓ ଶିଶୁ କଲ୍ୟୃାଣ ବିଭାଗ ପକ୍ଷରୁ ଜାରି କରାଯାଇଛି। ଘରର ଚାରି କାନ୍ଥ ମଧ୍ୟରେ ବାନ୍ଧି ହୋଇ ରହିବା ଜନିତ ଯୁକ୍ତିତର୍କ ଓ ଥଟ୍ଟା ପରିହାସରୁ ଦୂରେଇ ରହିବା ପାଇଁ ଏଥିରେ ପରାମର୍ଶ ଦିଆଯାଇଛି। ତେବେ ବିଭିନ୍ନ ମହଲରୁ ଏହି ପୋଷ୍ଟରକୁ ନେଇ ପ୍ରତିକ୍ରିୟା ପ୍ରକାଶ ପାଇବା ପରେ ଏହାକୁ ପ୍ରତ୍ୟାହାର କରି ନିଆଯାଇଥିବା ସୂଚନା ମିଳିଛି।



