
ନକଲି ସମ୍ବାଦ ଓ ଗଣତନ୍ତ୍ର

ଭୁବନେଶ୍ଵର: ଭାରତ ସଦୃଶ ଗଣତାନ୍ତ୍ରିକ ଦେଶ ଓ ସମାଜରେ ଉପଯୁକ୍ତ ସମୟରେ ଓ ଠିକ୍ ଭାବରେ ସମ୍ବାଦ ପରିବେଷଣର ବିଶେଷ ଗୁରୁତ୍ବ ରହିଛି। ଏହାଦ୍ବାରା ଗଣତାନ୍ତ୍ରିକ ମୂଲ୍ୟବୋଧର ବିକାଶ ସାଙ୍ଗକୁ ଲୋକଙ୍କ ପାଖରେ ବିଶ୍ବାସଯୋଗ୍ୟ ଓ ନିରପେକ୍ଷ ଖବର ପହଞ୍ଚି ପାରିବ ଓ ସେମାନେ ତାଙ୍କର ଗଣତାନ୍ତ୍ରିକ ଅଧିକାରଗୁଡ଼ିକୁ କାର୍ଯ୍ୟକାରୀ କରିବାରେ ସଫଳ ହୋଇପାରିବେ; ଫଳରେ ସମଗ୍ର ସମାଜ ଉପକୃତ ହେବ ଓ ସାମାଜିକ କଥୋପକଥନର ମାନ ଉଚ୍ଚ ସ୍ତରରେ ରହି ପାରିବ।
ଗଣତନ୍ତ୍ରରେ ସମ୍ବାଦ ପରିବେଷଣର ଦୁଇଟି ମୁଖ୍ୟ ସାଧନ ବା ଉପକରଣ ହେଲା ଦୈନିକ ଖବରକାଗଜ ଓ ଟିଭି ତଥା ରେଡ଼ିଓରେ ପ୍ରସାରିତ ଦୈନିକ ଖବର। ତା’ ଛଡ଼ା ସାପ୍ତାହିକ, ଅର୍ଦ୍ଧମାସିକ ଓ ମାସିକ ପତ୍ରପତ୍ରିକା ମଧ୍ୟ ସମ୍ବାଦ ପରିବେଷଣ ଓ ବିଶ୍ଳେଷଣ ଦ୍ବାରା ସାମ୍ପ୍ରତିକ ଘଟଣାଗୁଡ଼ିକ ସମ୍ବନ୍ଧରେ ବିଭିନ୍ନ ମତାମତର ପ୍ରସାର କରିଥାଆନ୍ତି ଓ ଜନମତକୁ ପ୍ରଭାବିତ କରିଥାଆନ୍ତି।
ଗଣତାନ୍ତ୍ରିକ ରାଜନୀତିରେ ସତ୍ୟତା, ସଭ୍ୟତା ଓ ସୁଲଭତା ପାଇଁ ସମାଜରେ ଥିବା ସମ୍ବାଦ ପ୍ରସାରଣର ବିଭିନ୍ନ ଅଭିକର୍ତ୍ତା ବା ପ୍ରତିନିଧି ଓ ପ୍ରଣାଳୀମାନ କେତେକ ନିମ୍ନତମ ମାନ ଅବଲମ୍ବନ କରିବା ନିହାତି ଦରକାର। ସତ୍ୟତା ବା ସତ୍ୟ ସମ୍ବାଦ ପରିବେଷଣ ଯେ ଏହି ମାନଗୁଡ଼ିକ ମଧ୍ୟରେ ସର୍ବୋଚ୍ଚ ସ୍ଥାନ ଅଧିକାର କରେ, ଏଥିରେ ସନ୍ଦେହ ନାହିଁ। ଏହି ଗୁଣଟି ନ ଥିଲେ ସମ୍ବାଦ ଭିତ୍ତିହୀନ ହେବା ସାଙ୍ଗକୁ ଲୋକଙ୍କ ପ୍ରତି ଏକ ପ୍ରତାରଣା ହେବ ବୋଲି କହିଲେ ଅତ୍ୟୁକ୍ତି ହେବନାହିଁ।
ଏହି ପରିପ୍ରେକ୍ଷୀରେ ବିଭିନ୍ନ ସମୟରେ ପ୍ରସାର ହେଉଥିବା ନକଲି ବା ଅସତ୍ୟ ଖବରର ଫଳାଫଳ ବିଷୟରେ ଆଲୋଚନା କରିବା ସମୀଚୀନ ହେବ। ନିକଟ ଅତୀତରେ (୨୦୨୫ ମସିହା ମେ ମାସରେ) ହୋଇଥିବା ଭାରତ ଓ ପାକିସ୍ତାନ ମଧ୍ୟରେ ସଂଘର୍ଷ ସମୟରେ ନକଲି ବା ଅସତ୍ୟ ଖବରର ପ୍ରସାର ଉଭୟ ଦେଶରେ ଦେଖିବାକୁ ମିଳିଥିଲା, ଯଦିଚ ଉଭୟ ଦେଶର ସୈନିକ ବଳ ନିଜ ନିଜ ଦେଶର ସୀମାରେଖା ମଧ୍ୟରେ ରହି ଭିନ୍ନଭିନ୍ନ ସାମରିକ କାର୍ଯ୍ୟମାନ କରୁଥିଲେ ଓ ପରସ୍ପରକୁ ଆକ୍ରମଣ ମଧ୍ୟ କରୁଥିଲେ। ଆମ ଦେଶର କେତେକ ଟିଭି ଚାନେଲ ପ୍ରସାର କରିବାରେ ବ୍ୟସ୍ତ ଥିଲେ ଯେ ଭାରତର ସେନା ଭାରତ ଓ ପାକିସ୍ତାନ ମଧ୍ୟରେ ଥିବା ଆନ୍ତର୍ଜାତିକ ସୀମାରେଖା ଅତିକ୍ରମ କରି ଲାହୋର, କରାଚି, ରାଓଲପିଣ୍ଡି ଆଦି ପାକିସ୍ତାନର ସହରଗୁଡ଼ିକୁ ଦଖଲ କରିନେଇଛନ୍ତି। ଏହି ସମ୍ବାଦର ତିଳେମାତ୍ର ସତ୍ୟତା ନଥିଲା; ତଥାପି କେତେକ ଟିଭି ଚାନେଲର ଆଙ୍କରମାନେ ଉଚ୍ଚ ସ୍ବରରେ ଚିତ୍କାର କରି ଲୋକଙ୍କୁ ଉନ୍ମତ୍ତ କରିବାରେ ବ୍ୟସ୍ତ ଥିଲେ। ସେମାନଙ୍କର ଆଦୌ ଚିନ୍ତା ନଥିଲା ଯେ ଗର୍ଜନତର୍ଜନ କରୁଥିବା ଦେଶଭକ୍ତ ସାଜି ସେମାନେ ସାମ୍ବାଦିକତାର ମୂଳମନ୍ତ୍ର ସତ୍ୟତା, ନିରପେକ୍ଷତା ଓ ଔଚିତ୍ୟ ଉପରେ କୁଠାରାଘାତ କରୁଛନ୍ତି। ପାକିସ୍ତାନରେ ମଧ୍ୟ ଏହି ପ୍ରକାରର ସାମ୍ବାଦିକତା ଦେଖାଯାଇ ଥିବାର ଖବର ମିଳେ। ଏହାଦ୍ବାରା ଆନ୍ତର୍ଜାତିକ ସ୍ତରର ଉଭୟ ଦେଶର ସମ୍ବାଦ ପରିବେଷଣ ସଂସ୍ଥାଗୁଡ଼ିକର ଖ୍ୟାତି ଯେ କ୍ଷୁଣ୍ଣ ହେଲା ଓ ସେମାନେ ହାସ୍ୟାସ୍ପଦ ହେଲେ, ଏଥିରେ ସନ୍ଦେହ ନାହିଁ। ଦେଖିବାକୁ ଗଲେ ସାମାଜିକ ଗଣମାଧ୍ୟମର ଆବିର୍ଭାବ ଓ ପ୍ରସାର ପରେ ନକଲି ସମ୍ବାଦ ପ୍ରସାର ମଧ୍ୟ ବଢ଼ିବାରେ ଲାଗିଛି। ସାଧାରଣତଃ ‘ଏକ୍ସ’(ଆଗର ଟୁଇଟର)ରେ ଲୋକେ ପ୍ରଥେମ ନିଜ ଇଚ୍ଛା ଅନୁସାରେ ଖବର ସୃଷ୍ଟି କରନ୍ତି, ତା’ପରେ ଏହା ଫେସ୍ବୁକ, ହ୍ବାଟ୍ସଆପ୍, ଇନ୍ଷ୍ଟାଗ୍ରାମ ଓ ଏପରି କି ଟିଭି ଚାନେଲରେ ପ୍ରସାରିତ ହୁଏ। ସାମାଜିକ ଗଣମାଧ୍ୟମର ଆବିର୍ଭାବ ପୂର୍ବରୁ, ଟିଭି ଚାନେଲଗୁଡ଼ିକରେ ଖବର ପଢ଼ାଯିବା ଆଗରୁ ଏହାର ସତ୍ୟତା ଅନୁସନ୍ଧାନ କରାଯାଉଥିଲା ଓ ସମ୍ପାଦକମାନଙ୍କର ସ୍ବୀକୃତି ପରେ ଏହାର ପ୍ରସାର କରାଯାଉଥିଲା। ବୋଧହୁଏ ଏହିସବୁ ନୀତିନିୟମ କଡ଼ାକଡ଼ି ଭାବରେ ପାଳନ କରାଯାଉନାହିଁ। ହ୍ବାଟସ୍ଆପରେ ମିଳୁଥିବା ସମ୍ବାଦର ସତ୍ୟତା ବା ସଠିକତା ଯାଞ୍ଚ ନକରି ପ୍ରସାର କରାଯାଉଥିବାର ସମ୍ଭାବନା ଥିବା ଅନୁମାନ କରାଯାଇପାରେ। ଏହାଦ୍ବାରା ସମୟ ସମୟରେ ଅତିରଞ୍ଜିତ ବା ସତ୍ୟ ବିହୀନ ସମ୍ବାଦର ପ୍ରସାର ହେବା ସ୍ବାଭାବିକ।
କେତେକ ସମୟରେ ସରକାରୀ କଟକଣା ଯୋଗୁଁ ବା ସରକାରଙ୍କର ନିର୍ଦିଷ୍ଟ କାର୍ଯ୍ୟକଳାପକୁ ସମାଲୋଚନା କରିବା ଯୋଗୁଁ ହେଉ, ବିଶ୍ବସନୀୟ ଚ୍ୟାନେଲଗୁଡ଼ିକୁ ହଠାତ୍ ବନ୍ଦ କରି ଦିଆଯାଇଥାଏ। ସେହି ସମୟରେ ବିଭିନ୍ନ ଅନ୍ୟ ଚ୍ୟାନେଲ, ବିେଶଷ କରି ଯେଉଁମାନେ ସରକାରଙ୍କ ସମର୍ଥନରେ ଖବର ପ୍ରସାର କରୁଥାନ୍ତି (ଗୋଦି ମିଡ଼ିଆ), ବେଳେବେଳେ ନକଲି ଅବା ଅର୍ଦ୍ଧସତ୍ୟ ଖବରଗୁଡ଼ିକ ପ୍ରସାର କରିବାରେ ବ୍ୟସ୍ତ ଥାଆନ୍ତି। ଏହି ସବୁ ନମନୀୟ ବାର୍ତ୍ତାବହ ସଂସ୍ଥାଙ୍କ ବିରୋଧରେ କୌଣସି ସରକାରୀ କାର୍ଯ୍ୟାନୁଷ୍ଠାନ ହୋଇ ନଥାଏ।
ସମ୍ବାଦ ପରିବେଷଣରେ ନିରପେକ୍ଷତା ବା ବାସ୍ତବିକତାର ବିଶେଷ ମହତ୍ତ୍ବ ଅଛି, ବିଶେଷକରି ଏକ ଗଣତାନ୍ତ୍ରିକ ରାଜ୍ୟରେ। ଏହାଦ୍ବାରା ସାମ୍ବାଦିକ ଓ ସମ୍ବାଦ ପ୍ରସାର କରୁଥିବା ସଂସ୍ଥା ସମୂହ ଅପକ୍ଷପାତୀ ଓ ନ୍ୟାୟୋଚିତ ଭାବରେ ଖବର ପ୍ରସାରଣ କରିପାରନ୍ତି। ଏହା ଲୋକମାନଙ୍କୁ ତଥ୍ୟଭିତ୍ତିକ ନିର୍ଣ୍ଣୟମାନ କରିବାକୁ ଅବସର ଦେଇଥାଏ। ଏହାର ଅର୍ଥ ହେଲା ଯେ ସାମ୍ବାଦିକ ଓ ସମ୍ବାଦ ପ୍ରସାରଣ ସଂସ୍ଥାଗୁଡ଼ିକ ବ୍ୟକ୍ତିଗତ ବା ରାଜନୈତିକ ଚାପ ଓ ପକ୍ଷପାତ ଏଡ଼ାଇ ନିର୍ଦିଷ୍ଟ ବିଷୟ ବା ସମସ୍ୟାର ସମସ୍ତ ଦିଗ ଆଲୋଚନା କରି ଭାରସାମ୍ୟ ରଖି ବର୍ଣ୍ଣନା କରିବେ ବୋଲି ଲୋକଙ୍କର ଆଶା। ଏହା ହେଉଛି ସେମାନଙ୍କର ବୃତ୍ତିଗତ ଓ ନୈତିକ ଦାୟିତ୍ବ। ଏହାଦ୍ବାରା ଦେଶର ଜନସାଧାରଣ ବିଭିନ୍ନ ବିଷୟ ବା ସମସ୍ୟାଗୁଡ଼ିକ ଉପରେ ଉପଯୁକ୍ତ ସିଦ୍ଧାନ୍ତ ନେଇ ପାରିବେ। ଏହା କହିବା ବାହୁଲ୍ୟ ଯେ ବିଜ୍ଞ ବା ପରିଜ୍ଞାତ ଜନସାଧାରଣଙ୍କ ଦ୍ବାରା ହିଁ ଦେଶରେ ଏକ ସୁସ୍ଥ ଗଣତନ୍ତ୍ର ସୁନିଶ୍ଚିତ କରାଯାଇପାରିବ।
Comments are closed.