ବୁଦାପେଷ୍ଟ/ମ୍ୟୁନିକ୍/ଲଣ୍ଡନ: ୟୁରୋ କପ୍ ଫୁଟବଲ ଟୁର୍ଣ୍ଣାମେଣ୍ଟରେ ଶନିବାର ଗ୍ରୁପ୍ ଏଫ୍ର ପ୍ରଥମ ମ୍ୟାଚ୍ରେ ହଙ୍ଗେରୀ ଓ ଫ୍ରାନ୍ସ ମୁହାଁମୁହିଁ ହୋଇଥିଲେ। ଏହି ମ୍ୟାଚ୍ ୧-୧ ଗୋଲ୍ରେ ଡ୍ର ରହିଥିଲା। ପ୍ରଥମାର୍ଦ୍ଧର କିଛିକ୍ଷଣ ପୂର୍ବରୁ ହଙ୍ଗେରୀ ଦଳର ଫିଓଲା ଗୋଲ ସ୍କୋର୍ କରି ଦଳକୁ ୧-୦ରେ ଅଗ୍ରଣୀ କରାଇଥିଲେ। ୬୬ ମିନିଟ୍ରେ ଫ୍ରାନ୍ସ ଗୋଲ ସୁଝାଇ ଦେଇଥିଲା। ଫ୍ରାନ୍ସ ୨ଟି ମ୍ୟାଚ୍ ଖେଳି ଗୋଟିଏ ବିଜୟ ଓ ଗୋଟିଏ ଡ୍ର ସହ ୪ ପଏଣ୍ଟ ସହ ପଏଣ୍ଟ ଟେବୁଲର ଶୀର୍ଷ ସ୍ଥାନରେ ରହିଛି।
ଶନିବାର ଏକ ଗ୍ରୁପ୍ ‘ଏଫ୍’ ମ୍ୟାଚ୍ରେ ୪-୨ ଗୋଲ୍ରେ ପର୍ତ୍ତୁଗାଲ୍କୁ ଜର୍ମାନୀ ପରାସ୍ତ କରିଛି। ଜର୍ମାନୀ ଓ ପର୍ତ୍ତୁଗାଲ୍ ୨ଟି ଲେଖାଏଁ ଗୋଲ୍ ଦେଇଥିବା ବେଳେ ପର୍ତ୍ତୁଗାଲ୍ର ୨ଟି ଆତ୍ମଘାତୀ ଗୋଲ୍ ନିର୍ଣ୍ଣାୟକ ହୋଇଥିଲା। ୧୫ ମିନିଟରେ ପର୍ତ୍ତୁଗାଲ୍ ଆଗୁଆ ହୋଇଥିଲା। ଡିଓଗୋ ଜୋଟାଙ୍କ ପାସ୍ରୁ ତାରକା ଖେଳାଳି କ୍ରିଷ୍ଟିଆନୋ ରୋନାଲ୍ଡୋ ଗୋଲ୍ ଦେଇଥିଲେ। ପରେ ପର୍ତ୍ତୁଗାଲ୍ର କ୍ରମାଗତ ୨ଟି ଆତ୍ମଘାତୀ ଗୋଲ୍ରେ ଜର୍ମାନୀ ଆଗୁଆ ହୋଇଥିଲା। ୩୫ ମିନିଟରେ ପର୍ତ୍ତୁଗାଲ୍ର ରୁବେନ୍ ଡିଆସ୍ ଏକ ଆତ୍ମଘାତୀ ଗୋଲ୍ ଦେଇଥିଲେ। ୩୯ ମିନିଟରେ ପର୍ତ୍ତୁଗାଲ୍ର ରାଫେଲ ଗ୍ବିରେରୋ ବଲ୍କୁ ବାହାର କରିବା ପ୍ରୟାସରେ ନିଜ ଗୋଲ୍କୁ ପଠାଇ ଦେଇଥିଲେ। ପ୍ରଥାମାର୍ଦ୍ଧରେ ୨-୧ରେ ଜର୍ମାନୀ ଆଗୁଆ ଥିଲା। ୫୧ ମିନିଟରେ ଜର୍ମାନୀ ୩ୟ ଦେଇଥିଲା। ଗୋଜେନ୍ସଙ୍କ ପାସ୍ରୁ କାଇ ହାଭର୍ଜ ଏହି ଗୋଲ୍ ଦେଇଥିଲେ। ୬୦ ମିନିଟରେ ଜର୍ମାନୀ ୨ୟ ଗୋଲ୍ ଦେଇଥିଲା। ରବିନ୍ ଗୋଜେନ୍ସ ଏହି ଗୋଲ୍ ଦେଇଥିଲେ। ୬୭ ମିନିଟରେ କ୍ରିଷ୍ଟିଆନୋ ରୋନାଲ୍ଡୋଙ୍କ ପାସ୍ରୁ ଡିଓଗୋ ଜୋଟା ପର୍ତ୍ତୁଗାଲ୍ ପାଇଁ ୨ୟ ଗୋଲ୍ ଦେଇଥିଲେ।
ୟୁରୋକପ ଫୁଟବଲର ଅନ୍ୟ ଏକ ମ୍ୟାଚରେ ଗ୍ରୁପ୍ -ଡିର ଇଂଲଣ୍ଡ ଓ ସ୍କଟଲାଣ୍ଡ ମଧ୍ୟରେ ଖେଳାଯାଇଥିବା ମ୍ୟାଚ ଗୋଲଶୂନ୍ୟ ଭାବେ ଶେଷ ହୋଇଛି। ଖେଳ ଆରମ୍ଭରୁ ସ୍କଟଲାଣ୍ଡ ଗୋଲ ଦେବା ନେଇ ଇଂଲଣ୍ଡ ଗୋଲପୋଷ୍ଟକୁ ଆକ୍ରମଣ କରିଥିଲା। ପ୍ରଥମ ମ୍ୟାଚ ଜିତିଥିବା ଇଂଲଣ୍ଡ ଦ୍ବିତୀୟ ମ୍ୟାଚ ଜିତି ନକ୍ଆଉଟ୍କୁ ଉନ୍ନୀତ ହେବାର ଲକ୍ଷ୍ୟ ରଖିଥିଲେ ମଧ୍ୟ ଏଥିରେ ସ୍କଟଲାଣ୍ଡ ପ୍ରତିବନ୍ଧକ ସାଜିଥିଲା। ଇଂଲଣ୍ଡ ୨ଟି ମ୍ୟାଚରୁ ୪ ପଏଣ୍ଟ ପାଇ ଗ୍ରୁପ ଡି’ର ଦ୍ବିତୀୟ ସ୍ଥାନରେ ରହିଥିବାବେଳେ ଶେଷ ଲିଗ୍ ମ୍ୟାଚ ଚେକ୍ ଗଣରାଜ୍ୟ ସହିତ ଖେଳିବ।



