ପୁଦୁଚେରୀ ସହରଟି ଶ୍ରୀମା, ଶ୍ରୀଅରବିନ୍ଦଙ୍କ ପାଇଁ ପୂରା ବବିଶ୍ବରେ ପରିଚିତ। ଫରାସୀ ଢ଼ାଞ୍ଚାରେ ନିର୍ମିତ ହୋଇଥିବା କୋଠାଘର, ଶିକ୍ଷାନୁଷ୍ଠାନ ଇତ୍ୟାଦି ହେଉଛି ସହରଟିର ଅନ୍ୟତମ ଆକର୍ଷଣ। ଏଇ ସହର ଭିଡ଼ରେ ଜଣେ ହେଉଛନ୍ତି ୫୩ ବର୍ଷୀୟା ଏଲିସ୍ ଥୋମାସ୍। ସମଗ୍ର ଅଞ୍ଚଳରେ ଏଲିସ୍ ଚିହ୍ନା ନାଁଟେ, ସ୍ଥାନୀୟ ଲୋକ ଓ ଗଣମାଧ୍ୟମ ତାଙ୍କୁ ପୁଦୁଚେରୀର ‘ମଦର ଟେରେସା’ ନାମରେ ଜାଣନ୍ତି। ଉଦାର ହୃଦୟର ମଣିଷଟେ ସେ। ଦରିଦ୍ର, ଅସହାୟଙ୍କୁ ସାହାଯ୍ୟ ସହଯୋଗ କରିବାରେ ସେ ଆଦୌ ମନ ଊଣା କରନ୍ତିନି। ସେବାର ଏଇ ଯାତ୍ରା ସେ ୨୧ ବର୍ଷର ହୋଇଥିବାବେଳେ ଆରମ୍ଭ ହୋଇଥିଲା।
ଦିନକର କଥା, ରାସ୍ତାକଡ଼ରେ ଚାଲିଚାଲି ସେ ଯାଉଥାନ୍ତି। କିଛି ଦୂରରେ ଛୋଟ ପିଲାଟେ ବେଶ୍ ଆକୁଳ ହୋଇ ଚାରିପାଖକୁ ଦେଖୁଥାଏ। ଅଳ୍ପ ସମୟରେ ପିଲାର କାନ୍ଦ ଆରମ୍ଭ ହେଲା। ଏଲିସ୍ ସଙ୍ଗେସଙ୍ଗେ ପାଖକୁ ଯାଇ ପିଲାଟିକୁ ଚୁପ୍ କରାଇବାକୁ ଚେଷ୍ଟା କଲେ। ଛୋଟ ପିଲାଟି ଦେହରେ କ୍ଷତ ହୋଇଥିବା ସେ ଦେଖିଲେ। ଭିକ ମାଗି ନ ଆଣିବାରୁ ମାଲିକ ରାଗରେ ପିଲାଟିକୁ ପିଟିଥିଲା। ଏହି ଗୋଟିଏ ଘଟଣା ଏଲିସ୍ଙ୍କ ମନରେ ଗଭୀର ରେଖାପାତ କଲା। ଅସହାୟ, ଦୁର୍ବଳ ପିଲାଙ୍କୁ ପାଠ ପଢ଼ାଇ ନିଜ ଗୋଡ଼େର ଆତ୍ମନିର୍ଭରଶୀଳ କରିବାକୁ ସେହିଦିନ ସେ ପ୍ରତିଶ୍ରୁତିବଦ୍ଧ ହେଲେ। ୧୯୯୧ରେ ସେ ‘ଉଦ୍ଧବୀ କରଙ୍ଗଲ୍’ ନାମରେ ଏନଜିଓର ଶୁଭାରମ୍ଭ କରିଲେ। ମାତ୍ର ୧୦ଜଣ ପିଲାଙ୍କୁ ନେଇ ଆଶ୍ରୟସ୍ଥଳଟି ଚାଲିଲା। ଦିନ କେଇଟାରେ ପାଖଆଖର ଅନ୍ୟ ଶୁଭେଚ୍ଛୁମାନେ ତାଙ୍କୁ ସହାୟତାର ହାତ ବଢ଼ାଇଲେ। ସହରରେ ଯେ କୌଣସି ପ୍ରାନ୍ତରେ ନିରାଶୟ ପିଲାଟେ ବିଷୟରେ ଖବର ପାଇଲେ, ଏଲିସ୍ ଯାଇ ପହଞ୍ଚିଯାନ୍ତି। ସବୁ ପିଲାଙ୍କୁ ସେ ଗୋଟିଏ ଗୁରୁମନ୍ତ୍ର ଦେଉଥିଲେ, ସଫଳତାର ଏକମାତ୍ର ଚାବି କାଠି ପରିଶ୍ରମ କରି ପାଠ ପଢ଼ିଚାଲ।
ଆଜି ତାଙ୍କ ଆଶ୍ରୟସ୍ଥଳର ପିଲାମାନେ କେଉଁ ବଡ଼ କମ୍ପାନୀରେ ଉଚ୍ଚ ପଦରେ କାମ କରୁଛନ୍ତି, ଅନ୍ୟ କିଏ ଡାକ୍ତର, ଇଂଜିନିୟର ହେଲେଣି। କିଛି ମାସ ତଳେ ପ୍ୟାରିସ୍ର ଜଣେ ସାମ୍ବାଦିକ ଏଲିସ୍ଙ୍କ ଜୀବନୀ ଉପରେ ଡକ୍ୟୁମେଣ୍ଟାରି କରିବାକୁ ଚାହିଁଲେ, ତାଙ୍କୁ ଏଲିସ୍ ଏକ ଚମତ୍କାର ପରାମର୍ଶ ଦେଇଥିଲେ। ମୋ ପାଖରେ ସେମିତି କିଛି ଯାଦୁ ନାହିଁ କି ମୁଁ କୌଣସି ଚମତ୍କାର କରିନି। ମୋ ପିଲାମାନେ ସମର୍ଥ ଥିବାରୁ ଯେଉଁ ବାଟରେ ଯିଏ ପାରିଯାଇଛନ୍ତି। ସେମାନଙ୍କ ଜୀବନୀ ଉପରେ ଡକ୍ୟୁମେଣ୍ଟାରି ତିଆରି ହେବା ଆବଶ୍ୟକ।
ପୁଦୁଚେରୀର ‘ମଦର ଟେରେସା’
Popular Categories



