ଆଜି ୫ଟି ରାଜ୍ୟର ବିଧାନସଭା ପାଇଁ ଭୋଟ ଗଣତି ଚାଲିଥିବା ବେଳେ ଚଳିତ ଥର ପଞ୍ଜାବରେ ଇତିହାସ ସୃଷ୍ଟି କରିବାକୁ ଯାଉଛି ଆମ ଆଦମୀ ପାର୍ଟି। ୫ଟି ରାଜ୍ୟ ମଧ୍ୟରୁ ଗୋଆ, ମଣିପୁର, ଉତ୍ତରପ୍ରଦେଶ ଓ ଉତ୍ତରାଖଣ୍ଡରେ ବିଜେପି ଲକ୍ଷ୍ୟସ୍ଥଳ ଆଡକୁ ଅଗ୍ରସର ହେଉଥିବା ବେଳେ ପଞ୍ଜାବରେ ଆପ ୯୦ଟି ଆସନରେ ଆଗୁଆ ରହିଛି।
ଉତ୍ତର ପ୍ରଦେଶ
ଯୋଗୀ ଆଦିତ୍ୟନାଥ ଉତ୍ତରପ୍ରଦେଶରେ ରେକର୍ଡ ସୃଷ୍ଟି କରିବାକୁ ଯାଉଛନ୍ତି। ୩୭ ବର୍ଷ ପରେ ପ୍ରଥମ ଥର ପାଇଁ ଶାସକ ଦଳ ବିଜେପି ପୁଣିଥରେ ସରକାର ଗଠନ କରିବାର ସମ୍ଭାବନା ଦେଖାଦେଇଛି। ସର୍ବଶେଷ ଧାରା ଅନୁଯାୟୀ ବିଜେପି ୨୫୦ଟି ଆସନରେ ଆଗୁଆ ରହିଛି ଯାହା ସଂଖ୍ୟା ଗରିଷ୍ଠତାଠାରୁ ବହୁତ ଆଗରେ। ସମାଜବାଦୀ ପାର୍ଟି ୧୦୫ ଟି ଆସନରେ ଆଗୁଆ ଥିବାବେଳେ କଂଗ୍ରେସ ଓ ବିଏସପିର ସ୍ଥିତି ଖରାପ ରହିଛି।
ଉତ୍ତରାଖଣ୍ଡ
ଉତ୍ତରାଖଣ୍ଡରେ ମଧ୍ୟ ବିଜେପି ଆଗରେ ରହିଛି। ବିଜେପି ୪୪ଟି ଆସନରେ ଆଗୁଆ ରହିଥିବା ବେଳେ କଂଗ୍ରେସ ୨୨ଟି ଆସନରେ ଆଗରେ ରହିଛି।
ପଞ୍ଜାବ
ଆମ୍ ଆଦମୀ ପାର୍ଟି କଂଗ୍ରେସକୁ ପଛରେ ପକାଇ ସଫଳତା ଆଡକୁ ଅଗ୍ରସର ହେଉଛି। ଆପ୍ ଏପର୍ଯ୍ୟନ୍ତ ୮୯ଟି ଆସନରେ ଆଗୁଆ ଥିବା ବେଳେ କଂଗ୍ରେସ ମାତ୍ର ୧୫ଟି ଆସନରେ ଆଗୁଆ ରହିଛି।
ଗୋଆ
ଗୋଆରେ ପାଖାପାଖି ରହିଛନ୍ତି ବିଜେପି ଓ କଂଗ୍ରେସ। ବିଜେପି ୧୭ଟି ଆସନରେ ଆଗୁଆ ରହିଥିବା ବେଳେ କଂଗ୍ରେସ ୧୨ଟି ଆସନରେ ଆଗୁଆ ରହିଛି।
ମଣିପୁର
ମଣିପୁରରେ ମଧ୍ୟ ୨୦ଟି ଆସନ ସହ ବିଜେପି ଆଗରେ ରହିଥିବା ବେଳେ ଏନପିଇପି ୮ଟିରେ ଆଗୁଆ ରହିଛି।



