www.samajalive.in
Sunday, December 7, 2025
23.1 C
Bhubaneswar

ନିରଙ୍କୁଶ ଖାକି : ପୁଲିସର ଅତ୍ୟାଚାରକୁ ରୋକିବା ପାଇଁ ସୁପ୍ରିମକୋର୍ଟ ନିର୍ଦେଶ ଓ ଆଇନ ଆୟୋଗ ପରାମର୍ଶ କାର୍ଯ୍ୟକାରୀ ହେଉ

ଶାସକ ଯେତେବେଳେ ଶାସିତକୁ ଭୟଭୀତ କରିବାକୁ ଚାହେଁ ବା ନିର୍ଯାତନା ଦିଏ, ସେ ସର୍ବପ୍ରଥମେ ନିଜର କର୍ତ୍ତବ୍ୟକୁ ପାସୋରିପକାଏ। ନିଜକୁ ଗୋଟାପଣେ ସର୍ବଶକ୍ତିମାନ ବୋଲି ଭାବିନିଏ। ସେ ଅମାନିଆ ହୁଏ; ହିଂସ୍ର ହୁଏ; ବର୍ବର ହୁଏ। ଶାସନକଳର ଏକ ମହତ୍ତ୍ବପୂର୍ଣ୍ଣ ଅଙ୍ଗ ତଥା ଆଇନର ରକ୍ଷକ ପୁଲିସ ବିଭାଗ ଯେତେବେଳେ ନିଜ କର୍ତ୍ତବ୍ୟ ଓ ଦାୟିତ୍ବକୁ ଭୁଲିଯାଏ, ତାହା ସମଗ୍ର ବ୍ୟବସ୍ଥାକୁ କ୍ଷତି ପହଞ୍ଚାଇଥାଏ। ପୁରୀ ଓ ବୀରମିତ୍ରପୁର ହାଜତ ମୃତ୍ୟୁ ଘଟନା ଏବଂ ପିପିଲି ପୁଲିସ ହାଜତରେ ନିର୍ଯାତନା ମାମଲାକୁ ଦେଖିଲେ ଏହା ପ୍ରମାଣିତ ହୋଇଯାଉଛି। କେବଳ ଏହି ଗୋଟିଏ ଘଟନା ନୁହେଁ, ନିକଟରେ ଏଭଳି ଅନେକ ଘଟନା ଆମ ରାଜ୍ୟରେ ଘଟିଲାଣି, ଯେଉଁଠି ପୁଲିସ ନିଜ କ୍ଷମତାର ଅପବ୍ୟବହାର କରି ସମସ୍ତ ମାନବିକ ଅଧିକାରକୁ କ୍ଷୁଣ୍ଣ କରିଦେଇଛି। ଓଡ଼ିଶାରେ ଗତ ଦଶବର୍ଷ ଭିତରେ ୪୦ରୁ ଅଧିକ ହାଜତ ମୃତ୍ୟୁ ହୋଇଥିବା ସରକାରୀ ତଥ୍ୟ କହୁଚି। ଏହା ନିଶ୍ଚିତଭାବେ ଚିନ୍ତାଜନକ। ଏ କ୍ଷେତ୍ରରେ ଉତ୍ତରପ୍ରଦେଶ, ତାମିଲନାଡୁ କି ପଞ୍ଜାବ ପୁଲିସ ପରି ଓଡ଼ିଶା ପୁଲିସର ବେଶି ଦୁର୍ନାମ ନାହିଁ ସତ, କିନ୍ତୁ ଏଭଳି କଳଙ୍କିତ ଅଧ୍ୟାୟ ସୂଚାଇ ଦେଉଛି ଯେ ପୁଲିସ ବିଭାଗ ଏଠାରେ ସଂସ୍କାର ନାମରେ ଯାହାକିଛି ଆପଣାଇଛି, ତାହା ଆପାତତଃ ବିଫଳ ହୋଇଛି।
ହାଜତ ମୃତ୍ୟୁ ସମ୍ପର୍କରେ ସାରା ପୃଥିବୀରେ ବହୁ ଆଲୋଚନା ପର୍ଯ୍ୟାଲୋଚନା ହୋଇଆସିଛି। ଆମ ଦେଶରେ ମଧ୍ୟ ଏ ନେଇ ଅନେକ ଚର୍ଚା ହୋଇଛି; କିନ୍ତୁ ଏହା ଏ ପର୍ଯ୍ୟନ୍ତ ହ୍ରାସ ପାଉନାହିଁ; ବରଂ ବଢ଼ିଚାଲିଛି। ସମସ୍ତ ଆଇନକାନୁନକୁ ଅଳିଆଗଦାରେ ଫିଙ୍ଗି ଖାକି ପୋଷାକପିନ୍ଧା ଅଧିକାରୀମାନେ ମଣିଷକୁ ହତ୍ୟା କରିବାକୁ ପଛାଉନାହାନ୍ତି। ଅଭିଯୁକ୍ତଠାରୁ ସତକଥା ବାହାର କରିବାବେଳେ ସେମାନଙ୍କୁ ମାଡ଼ଦେବା ବା ଥାର୍ଡଡିଗ୍ରୀ ପ୍ରୟୋଗ କରିବା ସାଧାରଣ କଥା ପାଲଟିଛି; କିନ୍ତୁ କ୍ରମଶଃ ଦେଖାଯାଉଛି ଯେ ପୁଲିସ କେବଳ ସତ୍ୟ ବାହାର କରିବାପାଇଁ ନୁହେଁ, ନିଜର ରାଗ ଶୁଝାଇବାକୁ ବା ଅନ୍ୟ କୌଣସି ପ୍ରରୋଚନାରେ ପଡ଼ି ସେମାନଙ୍କୁ ଅସହ୍ୟ ନିର୍ଯାତନା ଦେଉଛି; ଫଳରେ ଅଭିଯୁକ୍ତର ମୃତ୍ୟୁ ହେଉଛି। ପୁଲିସର ନିଜର ଏକ ଲକ୍ଷ୍ମଣରେଖା ରହିଥିବାବେଳେ ତାକୁ ସେ ସେତେବେଳେ ଡେଇଁଯିବାକୁ ବି ପଛାଉନାହିଁ, ଯେତେବେଳେ ତା’ ଉପରେ କ୍ଷମତାସୀନ ଶାସକଗୋଷ୍ଠୀର ଅଭୟ ହସ୍ତ ରହୁଛି। ଏହାର ପରିଣାମ ହେଉଛି କେବଳ ୨୦୧୯ରେ ୧୭୩୧ ଜଣଙ୍କର ହାଜତ(ପୁଲିସ୍‌ ଓ ନ୍ୟାୟିକ)ରେ ମୃତ୍ୟୁ ଘଟିଛି। ଜାତୀୟ ମାନବାଧିକାର ଆୟୋଗ(ଏନ୍‌ଏଚ୍‌ଆର୍‌ସି)ର ଏକ ରିପୋର୍ଟ ଅନୁସାରେ, ଗତ ଦଶବର୍ଷ (୨୦୧୦-୨୦୨୦) ଭିତରେ ହାରାହାରି ପ୍ରତିବର୍ଷ ୧୩୯ ଜଣଙ୍କର ପୁଲିସ ହାଜତରେ ଏବଂ ୧୫୭୬ ଜଣଙ୍କର ନ୍ୟାୟିକ ହାଜତରେ ମୃତ୍ୟୁ ହୋଇଛି। କେବଳ ସେତିକି ନୁହେଁ, ଅନେକ ହାଜତ ମୃତ୍ୟୁକୁ ଆତ୍ମହତ୍ୟା, ରୋଗଜନିତ ମୃତ୍ୟୁ ବା ସ୍ବାଭାବିକ ମୃତ୍ୟୁର ରୂପ ଦିଆଯାଉଛି। ହାଜତ ବାହାରେ ଯେଉଁମାନଙ୍କର ମୃତ୍ୟୁ ଘଟେ, ତାହା ଏନ୍‌ଏଚ୍‌ଆର୍‌ସି ନିକଟରେ ରିପୋର୍ଟ ହୁଏନାହିଁ; ତେଣୁ ଏଭଳି ମୃତ୍ୟୁସଂଖ୍ୟା ଆହୁରି ବଢ଼ିବା ନିଶ୍ଚିତ। ଆଉ ଏକ ଗୁରୁତ୍ବପୂର୍ଣ୍ଣ ତଥ୍ୟ ହେଲା ଉଚ୍ଚଶିକ୍ଷିତ ଓ ଧନିକ ବର୍ଗର ଲୋକଙ୍କର ସେଭଳି ହାଜତ ମୃତ୍ୟୁ ଘଟିବାର ଉଦାହରଣ ନଥିବାବେଳେ ପୁଲିସ ବର୍ବରତାର ଶିକାର ହେଉଥିବା ଲୋକେ ପ୍ରାୟତଃ ଗରିବ, ଦଳିତ ଓ ନିମ୍ନବର୍ଗର। ‘ନିର୍ଯାତନା ବିରୋଧରେ ଜାତୀୟ ଅଭିଯାନ’ (ଏନ୍‌ସିଏଟି) ନାମକ ସଂସ୍ଥାର ବିବରଣୀ ଅନୁଯାୟୀ ୨୦୧୯ରେ ତଥ୍ୟ ସଂଗ୍ରହ କରାଯାଇଥିବା ୧୨୫ଜଣ ହାଜତ ମୃତକଙ୍କ ଭିତରୁ ୬୦ ଶତାଂଶ ଗରିବ ଓ ନିମ୍ନବର୍ଗର, ଯାହାଙ୍କ ଭିତରେ ରହିଥିଲେ ୧୩ ଜଣ ଦଳିତ ଓ ଆଦିବାସୀ ଏବଂ ୧୫ ଜଣ ମୁସଲମାନ ସଂପ୍ରଦାୟର। ଏହି ରିପୋର୍ଟର ଅନ୍ୟ ଏକ ତଥ୍ୟ ବେଶ୍ ଚିନ୍ତାଜନକ। ୨୦୦୫ରୁ ୨୦୧୮, ୧୪ ବର୍ଷ ଭିତରେ ୫୦୦ ହାଜତ ମୃତ୍ୟୁ ବା ପୁଲିସ ହାଜତରୁ ଲାପତ୍ତା ହୋଇଯାଇଥିବା ମାମଲାରେ ମାତ୍ର ୫୪ ଜଣ ପୁଲିସ ଅଧିକାରୀଙ୍କ ବିରୋଧରେ ଚାର୍ଜସିଟ୍‌ ଦାଖଲ ହୋଇଥିଲା ଏବଂ ଜଣେ ମଧ୍ୟ ଅଧିକାରୀ ଦଣ୍ଡିତ ହୋଇନାହାନ୍ତି।
ଏଥିରୁ ଗୋଟିଏ କଥା ସ୍ପଷ୍ଟ ଯେ ଯେତେବଡ଼ ଅପରାଧ କଲେ ହେଁ ସରକାରୀ ବ୍ୟବସ୍ଥା ଦୋଷୀ ପୁଲିସ ଅଧିକାରୀକୁ ସୁରକ୍ଷା ଦେଉଛି ଓ ସେ ନ୍ୟାୟିକ ଭାବେ ଦଣ୍ଡିତ ହେବାରୁ ଖସିଯିବାକୁ ସମର୍ଥ ହେଉଛି। ଆଜିକାଲି ବଦଳି କି ନିଲମ୍ବନ ହେବା ଘଟନାକୁ କେହି ‘ଦଣ୍ଡ’ ବୋଲି ଭାବୁନାହାନ୍ତି। କହିବା ବାହୁଲ୍ୟ ଯେ ଏହା ତାକୁ ନିରଙ୍କୁଶ ହେବାକୁ ବଳ ଯୋଗାଉଛି। ଏହାକୁ ଲକ୍ଷ୍ୟକରି ଜାତୀୟ ପୁଲିସ କମିସନ ତାଙ୍କର ଅଷ୍ଟମ ରିପୋର୍ଟରେ ପୁଲିସକୁ ସୁରକ୍ଷା ଯୋଗାଉଥିବା ସିଆର୍‌ପିସିର ୧୩୨ ଓ ୧୯୭ ଭଳି ଧାରାକୁ ପ୍ରତ୍ୟାହାର କରିବାକୁ ପରାମର୍ଶ ଦେଇଥିଲେ, ଯେପରିକି ଯେକୌଣସି ବ୍ୟକ୍ତି କୌଣସି ଉପରିସ୍ଥ ଅଧିକାରୀଙ୍କ ଅନୁମତି ବିନା ନ୍ୟାୟିକ ବିଚାର ପାଇଁ ଜଣେ ପୁଲିସ ଅଧିକାରୀଙ୍କ ବିରୋଧରେ ଅଭିଯୋଗ କରିପାରିବ। ଆଇନ ଆୟୋଗ ତାଙ୍କର ୨୭୩ତମ ରିପୋର୍ଟରେ ଏହି ସମାନ ପରାମର୍ଶ ଦେଇଥିଲେ; କିନ୍ତୁ ଏ ପର୍ଯ୍ୟନ୍ତ ଏହା କାର୍ଯ୍ୟରେ ପରିଣତ ହୋଇପାରିନାହିଁ। ପ୍ରକାଶଯୋଗ୍ୟ, ୨୦୦୬ ମସିହାରେ ସୁପ୍ରିମକୋର୍ଟ ମଧ୍ୟ ନିର୍ଦେଶ ଦେଇଥିଲେ ଯେ ଏକ ପୁଲିସ ଅଭିଯୋଗ କର୍ତ୍ତୃପକ୍ଷ (ଅଥରିଟି) ଗଠନ କରାଯାଉ, ଯେଉଁଠି ପ୍ରତ୍ୟେକ ନାଗରିକଙ୍କୁ ପୁଲିସର ଅନ୍ୟାୟ ବିରୋଧରେ ଅଭିଯୋଗ କରିବାର ସୁଯୋଗ ମିଳିବ। ଅଳ୍ପ କେତୋଟି ରାଜ୍ୟକୁ ଛାଡ଼ିଦେଲେ କୌଣସି ରାଜ୍ୟରେ ଏହି ନିର୍ଦେଶ ପାଳନ ହେଉନାହିଁ। ନିରଙ୍କୁଶତା ଅନ୍ୟାୟ ଅତ୍ୟାଚାରର ଜନନୀ। ଅତଏବ ଏ ନେଇ ବର୍ତ୍ତମାନ ଚିନ୍ତା କରିବାର ସମୟ ଆସିଛି। ପୁଲିସର ମୌଳିକ ତାଲିମ କାର୍ଯ୍ୟକ୍ରମ, ମାନବାଧିକାରକୁ ପ୍ରାଧାନ୍ୟ, ପାତରଅନ୍ତର ମାନସିକତା ଦୂର କରାଯିବା ଭଳି ବ୍ୟବସ୍ଥାଗତ ସଂସ୍କାର ନିହାତି ଜରୁରୀ। ସର୍ବୋପରି ପ୍ରତ୍ୟେକ ନାଗରିକଙ୍କ ମାନବାଧିକାର ସାମ୍ବିଧାନିକ ଭାବେ ସୁରକ୍ଷିତ। ତାକୁ ସମ୍ମାନ ଦେଉଥିବା ସୁରକ୍ଷା ବଳ କେବଳ ଦେଶ ବା ରାଜ୍ୟର ନୁହେଁ, ନାଗରିକଙ୍କର ମଧ୍ୟ ଶକ୍ତି; କିନ୍ତୁ ପୁଲିସ ଯଦି ହିଂସ୍ର ହେବ, ଅତ୍ୟାଚାର କରିବ ଏବଂ ତା’ ପାଖରେ ଜନସାଧାରଣ ଯଦି ନିଜକୁ ନିରାପଦ ନମଣିବେ, ତେବେ ତାହା ପରିହାର୍ଯ୍ୟ। ଭାରତ ଭଳି ବିଶ୍ବର ବୃହତ୍ତମ ଗଣତନ୍ତ୍ରରେ ଯଦି ପୁଲିସ ହିଂସ୍ର ହେବ ଓ ନାଗରିକଙ୍କ ହତ୍ୟାକାରୀ ପାଲଟିବ, ତାହାଠାରୁ ବଳି ବଡ଼ ବିଡ଼ମ୍ବନା ଆଉକିଛି ନାହିଁ।

Hot this week

ଗୋଆ ଅଗ୍ନିକାଣ୍ଡ: ମୃତକଙ୍କ ପରିବାରକୁ ୨ଲକ୍ଷ ଟଙ୍କାର ଅନୁକମ୍ପା ଘୋଷଣା କଲେ ପ୍ରଧାନମନ୍ତ୍ରୀ

ସମାଜ ଲାଇଭ ଡ଼େସ୍କ : ଗୋଆ ନାଇଟ୍ କ୍ଲବ୍ ଅଗ୍ନିକାଣ୍ଡ ଘଟଣାରେ...

ଅଲାସ୍କା-କାନାଡାର ସୀମାବର୍ତ୍ତୀ ଅଞ୍ଚଳରେ ଭୂକମ୍ପ ଝଟ୍‌କା

ନୂଆଦିଲ୍ଲୀ: ଅଲାସ୍କା ଏବଂ କାନାଡିୟ ଅଞ୍ଚଳ ୟୁକୋନ ସୀମା ନିକଟବର୍ତ୍ତୀ ଅଞ୍ଚଳରେ...

ଘରର ଏହି ଦିଗରେ ରଖନ୍ତୁ ଏହି ଖାସ୍‌ ଜିନିଷ : ଜୀବନରେ ଆସିବ ଉନ୍ନତି , ହେବ ଧନ ବର୍ଷା

ନୂଆଦିଲ୍ଲୀ : ବାସ୍ତୁ ଶାସ୍ତ୍ର ଅନୁଯାୟୀ ଘରେ କିଛି ଖାସ୍ ବସ୍ତୁ...

ଅହୋରାତ୍ର ଧାରଣାରେ ପ୍ରାଥମିକ ଶିକ୍ଷକ ମହାସଂଘ

ଭୁବନେଶ୍ୱର,୬ା୧୨(ନି.ପ୍ର): ଗାନ୍ଧୀମାର୍ଗରେ ପ୍ରାଥମିକ ଶିକ୍ଷକ ମହାସଂଘର ଅହୋରାତ୍ର ଆନ୍ଦୋଳନ ଜାରି ରହିଛି।...

ବାଚସ୍ପତିଙ୍କ ରୁଲିଂ ଦାବି କଲେ ପ୍ରମିଳା

ଭୁବନେଶ୍ୱର : ରାଜ୍ୟରେ ମାନବ ଚାଲାଣ ଓ ଶିଶୁ ନିର୍ଯାତନା ଚିନ୍ତାଜନକ...

Related Articles

Popular Categories