ସରକାର ‘ସୁଭଦ୍ରା ଯୋଜନା’ ଭଳି ମହିଳା କଲ୍ୟାଣ ଯୋଜନା ଉପରେ ଗୁରୁତ୍ବ ଦେଇ କାର୍ଯ୍ୟ କରୁଥିବା ବେଳେ ରାଜ୍ୟରେ ବୃଦ୍ଧ, ବୃଦ୍ଧା, ଭିନ୍ନକ୍ଷମ, ଅସହାୟମାନଙ୍କ ଲାଗି ଥିବା ସାମାଜିକ ସୁରକ୍ଷା ବାଟବଣା ହେଲାଭଳି ଲାଗୁଛି। ‘ମଧୁବାବୁ ପେନ୍ସନ୍ ଯୋଜନା’ ଏବଂ ଅନ୍ୟାନ୍ୟ ସମ୍ପର୍କିତ ଯୋଜନାଗୁଡ଼ିକ କେବଳ କିଛି ଟଙ୍କାର ଆର୍ଥିକ ସହାୟତା ନୁହେଁ; ଏହା ସମାଜର ଅସହାୟ, ବୃଦ୍ଧବୃଦ୍ଧା, ବିଧବା ଓ ଭିନ୍ନକ୍ଷମମାନଙ୍କ ପାଇଁ ବଞ୍ଚିବାର ଏକ ବଡ଼ ସାହାରା। ପରିଣତ ବୟସରେ ଯେତେବେଳେ ରୋଜଗାର କ୍ଷମତା ନଥାଏ, ଶରୀର ରୋଗାକ୍ରାନ୍ତ ହୋଇଯାଏ ଏବଂ ପିଲାମାନଙ୍କ ଦ୍ବାରା ଅବେହଳା ହେଉଥାଏ, ସେତେବେଳେ ଏହି ସହାୟତା ବୃଦ୍ଧବୃଦ୍ଧା ଓ ଅସହାୟମାନଙ୍କୁ ଔଷଧ କିଣିବାକୁ ଏବଂ ମୁଠାଏ ଖାଇବାକୁ ବଳ ଯୋଗାଇଥାଏ। ଏହି ଭତ୍ତା ସେମାନଙ୍କ ପାଇଁ କେବଳ ଅର୍ଥ ନୁହେଁ, ବରଂ ଆତ୍ମସମ୍ମାନର ସହ ବଞ୍ଚିବାର ଏକ ମାଧ୍ୟମ; କିନ୍ତୁ ଦୁଃଖର ବିଷୟ, ବର୍ତ୍ତମାନ ରାଜ୍ୟରେ ୭ ଲକ୍ଷରୁ ଅଧିକ ଭତ୍ତା ଆବେଦନ ପତ୍ର ସରକାରୀ ଫାଇଲ୍ ତଳେ ଚାପି ହୋଇ ରହିଛି। ଏହା ପଛରେ ରହିଛି ଲକ୍ଷ ଲକ୍ଷ ଅସହାୟ ମଣିଷଙ୍କ ଦୀର୍ଘଶ୍ୱାସ ଓ ଅପେକ୍ଷା।
ସରକାର ଗୋଟିଏ ପଟେ ଭତ୍ତା ରାଶି ବୃଦ୍ଧିର ଡିଣ୍ଡିମ ପିଟି ବାହାବା ନେଉଛନ୍ତି; କିନ୍ତୁ ବାସ୍ତବ ଚିତ୍ର ସମ୍ପୂର୍ଣ୍ଣ ଭିନ୍ନ। ବିଶେଷକରି, ୩୫୦୦ ଟଙ୍କା ପର୍ଯ୍ୟନ୍ତ ଭତ୍ତା ବୃଦ୍ଧିର ଯେଉଁ ପ୍ରତିଶ୍ରୁତି ଦିଆଯାଇଥିଲା, ତାହା ଆଜି ଯାଏ ସମସ୍ତଙ୍କ ପାଇଁ କାର୍ଯ୍ୟକାରୀ ହୋଇପାରିନାହିଁ। ଫଳରେ, ଅଶୀ ବର୍ଷରୁ ଊର୍ଦ୍ଧ୍ବ ଅତି ବୟସ୍କ ଅନେକ ବୃଦ୍ଧବୃଦ୍ଧା ଏବେ ବି ସେହି ପୁରୁଣା ୧୨୦୦ ଟଙ୍କାର ଭତ୍ତା ପାଇ ସନ୍ତୁଷ୍ଟ ରହିବାକୁ ବାଧ୍ୟ ହେଉଛନ୍ତି।
ନୂଆ ଆବେଦନକାରୀମାନେ ଯେତେବେଳେ ବ୍ଲକ୍ କିମ୍ବା ଜିଲା କାର୍ଯ୍ୟାଳୟରେ ପଚାରୁଛନ୍ତି, ସେମାନଙ୍କୁ କେବଳ ଗୋଟିଏ ଉତ୍ତର ମିଳୁଛି- ‘ଉପରୁ ମଞ୍ଜୁରୀ ଆସିନାହିଁ’ ; କିନ୍ତୁ ଏହି ମଞ୍ଜୁରୀ କେବେ ଆସିବ, କିଏ ଦେବ କିମ୍ବା ଏଥିରେ ବିଳମ୍ବ ପାଇଁ ଦାୟୀ କିଏ, ସେ ନେଇ ପ୍ରଶାସନ ପାଖରେ କୌଣସି ସ୍ପଷ୍ଟ ଉତ୍ତର ନାହିଁ। ରାଜ୍ୟ ସରକାର ଯେତେବେଳେ ବଡ଼ ବଡ଼ ଭିତ୍ତିଭୂମି ପ୍ରକଳ୍ପ ଓ ନିଜର ପ୍ରଚାର ପ୍ରସାର ପାଇଁ କୋଟି କୋଟି ଟଙ୍କା ଖର୍ଚ୍ଚ କରିବାରେ କୌଣସି ଅସୁବିଧା ଅନୁଭବ କରୁନାହାନ୍ତି, ସେତେବେଳେ ସମାଜର ସବୁଠାରୁ ଦୁର୍ବଳ ବର୍ଗ ପାଇଁ ଅର୍ଥ ବା ବ୍ୟବସ୍ଥାର ଅଭାବ ରହିବା ଏକ ସଭ୍ୟ ସମାଜ ପାଇଁ ଆଦୌ ଶୁଭଙ୍କର ନୁହେଁ।
ଏହି ସମସ୍ୟାର ସମାଧାନ ପାଇଁ ସରକାରଙ୍କୁ ତୁରନ୍ତ ଏକ ସ୍ୱଚ୍ଛ ଓ ସମ୍ବେଦନଶୀଳ ପନ୍ଥା ଆପଣାଇବାକୁ ହେବ। ନୂଆ ଆବେଦନକାରୀମାନଙ୍କ ଲାଗି ଅର୍ଥବ୍ୟବସ୍ଥା କରିବା ଦରକାର। କେବଳ କାଗଜପତ୍ର ଯାଞ୍ଚ ନାଁରେ ବିଳମ୍ବ ନକରି, ଏକ ନିର୍ଦ୍ଦିଷ୍ଟ ସମୟସୀମା ମଧ୍ୟରେ ବକେୟା ଆବେଦନଗୁଡ଼ିକର ଫଇସଲା କରାଯିବା ଉଚିତ। ଯଦି କାହାର ଆବେଦନ ଖାରଜ ହେଉଛି, ତେବେ ତାହାର କାରଣ ସ୍ପଷ୍ଟ ଭାବେ ଜଣାଇବା ସହ ନିବେଦନ କରିବାର ସୁଯୋଗ ଦିଆଯିବା ଆବଶ୍ୟକ। ମନେରଖିବାକୁ ହେବ ଯେ ଭତ୍ତା ପ୍ରଦାନ କୌଣସି ଦାନ ନୁହେଁ, ଏହା ନାଗରିକମାନଙ୍କ ସାମାଜିକ ଅଧିକାର। ଓଡ଼ିଶା ଯଦି ନିଜକୁ ଏକ ଜନ କଲ୍ୟାଣକାରୀ ରାଜ୍ୟ ବୋଲି ଦାବି କରୁଛି, ତେବେ ଏହି ବୟସ୍କ ନାଗରିକମାନଙ୍କ ଆଖିରୁ ଲୁହ ପୋଛିବା ସରକାରଙ୍କ ପ୍ରଥମ କର୍ତ୍ତବ୍ୟ ହେବା ଉଚିତ।



