ଧନେଶ୍ବର ମହାପାତ୍ର ପ୍ରୟାଣେ

0

ନୀଳକଂଠ ରଥ

ଧନେଶ୍ବରବାବୁ ଯିବା ଖବରଟା କିଛି ଅତିବେଶି ଆକସ୍ମିକ ନଥିଲା। ଦେଢ଼ମାସ ତଳେ ତାଙ୍କ ସହିତ ଟେଲିଫୋନ୍‌ରେ କଥାବେଳେ (ସେତେବେଳେ ​‌େ​‌ଶଷ କଥା ବୋଲି ଜାଣି ନଥିଲି) ସେ ତାଙ୍କର ଦେହର ଘୋର ଦୁର୍ବଳତା କଥା କହିଲେ। ମାତ୍ର, ଏଣେ ଶରୀର ସାଥ୍‌ ଦେଉନଥିବା ଅବସ୍ଥାରେ, ସେ ଓଡ଼ିଆ ଭାଷାର ସବୁ କ୍ଷେତ୍ରରେ ଅବହେଳନା ଲାଗି ​‌େ​‌ଘାର ବ୍ୟଥା ପ୍ରକାଶ କଲେ। ସେଇ ଭାବନା, ଚିନ୍ତାହିଁ ତାଙ୍କ ଦୀର୍ଘ କର୍ମମୟ ଜୀବନର ସବୁ ଅଭ୍ୟାସ, ଗବେଷଣା, ଲେଖାର ​‌େ​‌ଶଷ ସମୟରେ ପରିପାକ ବୋଲି ମୋର ମନେହେଲା। ତାହାହିଁ ଏ ମନିଷୀଙ୍କର ସାରସତ୍ବ।
ତାଙ୍କର ଓ ମୋର ପରିଚୟ ଆମ ଦିହିଙ୍କ ଜୀବନର ଅଧାବାଟରେ, ଏଇଭଳି ଏକ ବୈଚାରିକ ଆଲୋଚନାବେଳେ। ମୁଁ ଭାଷା ଶାସ୍ତ୍ରର ଛାତ୍ର ନୁହେଁ- କେବଳ ଭାଷା ବିଷୟରେ ରୁଚି ଥିବାଲୋକ। ପୁଣେରେ ରହି ମରାଠୀଭାଷା ଜାଣିବା ଫଳରେ ସ୍ବାଭାବିକ ଭାବରେ ଓଡ଼ିଆ ସହିତ ତାହାର ସମାନତା-ଅସମାନତା କଥା ମତେ ଦିଶେ। ତହିଁରୁ ଉଦ୍ଭବ କେତେକଥା ମୁଁ ଦିନେ ମୋର ଖୁବ୍‌ ପରିଚିତ ଉଦୟନାଥ ଷଡ଼ଙ୍ଗୀଙ୍କ ଆଗରେ କହୁକହୁ ସେ ମତେ ଉଠେଇନେଇ ତାଙ୍କଘର ପାଖରେ ରହୁଥିବା ସେତେବେଳର ଉତ୍କଳ ସାହିତ୍ୟ ସମାଜର ସଭାପତିଙ୍କ ପାଖରେ ପହଞ୍ଚିଲେ ଓ ତାଙ୍କ ଆଗରେ ସେସବୁର ପୁନରୁଚ୍ଚାର କରାଇଲେ। ସାହିତ୍ୟ ସମାଜ ସଭାପତି ମହାଶୟ ମୋ କଥା ଶୁଣି ମତେ ସେସବୁ ଏକ ପ୍ରବନ୍ଧ ଆକାରରେ ଲେଖିଦେବାକୁ ପ୍ରାୟ ଆଦେଶ ଦେଲେବୋଲି କୁହନ୍ତୁ ନାଁ! ମୁଁ ଭାଷା ଶାସ୍ତ୍ରର ଛାତ୍ର, ଜାଣକାର ନୁ​‌େ​‌ହଁ ବୋଲି କହି କୁଣ୍ଠାପ୍ରକାଶ କରିବାରୁ, ତାହା ବିଷୟର ଆଲୋଚନାର କାରଣ ହେବ କହି ମତେ ପଟେଇଲେ। ମୁଁ କୁଣ୍ଠିତହୋଇ ଶେଷରେ ତାଙ୍କୁ ଏକ ହାତଲେଖା ପ୍ରବନ୍ଧ ଦେଲି। ସଭାପତି ଏହାର ଆଲୋଚନା ପାଇଁ ଏକ ଦିନ ସ୍ଥିରକରି ସେଦିନ ସନ୍ଧ୍ୟାରେ ସାହିତ୍ୟସମାଜ ହଲ୍‌ରେ ଏକ ସଭା ଡକାଇଲେ। ସଭାରେ ପହଞ୍ଚି ମୁଁ ଦେଖିଲି ସଭାଗୃହ କଟକର ଅନେକ ସାହିତ୍ୟିକ, ପ୍ରକାଶକ, ଅଧ୍ୟାପକଙ୍କ ଦ୍ବାରା ପୂରିଯାଇଚି ଓ ଦୁଆର ପାଖରେ ଅନେକ କଲେଜପିଲା ଜାଗା ଅଭାବରୁ ଛିଡ଼ା ହୋଇଚନ୍ତି। ତେଣୁ ଆଶ୍ଚର୍ଯ୍ୟ ହେଲି। ପରେ ଉଦୟନାଥ ବାବୁ ମତେ କହିଲେ, ବୋଧହୁଏ ଏ ଅର୍ଥଶାସ୍ତ୍ରର ଛାତ୍ର ଓଡ଼ିଆଭାଷା ବାବଦରେ କଅଣ କିପରି କହିବ ଏ କୁତୁହଳରୁ ହାଜର ଥିଲେ। ମୁଁ ମୋ ପ୍ରବନ୍ଧ ପଢ଼ିବା ପରେ ସଭାପତି ପ୍ରଧାନ ଆଲୋଚକ ବୋଲି ଡାକିଲେ ଡ. ଧନେଶ୍ବର ମହାପାତ୍ରଙ୍କୁ। ତାହାହିଁ ମୋର ତାଙ୍କ ସହିତ ପ୍ରଥମ ପରିଚୟ। ଧନେଶ୍ବର ବାବୁ ବଡ଼ ସଭ୍ୟ ଭାବରେ ମୋ ଲେଖାର ଗୁଣଦୋଷ ଦର୍ଶାଇ ଏକ ଭାଷଣ ପଢ଼ିଲେ ଓ ତା’ପରେ ବହୁ ବକ୍ତାଙ୍କ ଦୀର୍ଘ ଆଲୋଚନା ହେଲା। ତାଙ୍କ ସହିତ ମୋର ପରିଚୟ ବନ୍ଧୁତାରେ ପରିଣତ ହେଲା।
ଧନେଶ୍ବର ବାବୁଙ୍କ ଜନ୍ମ କେନ୍ଦ୍ରାପଡ଼ା ଜିଲାର ରାଜକନିକା ଅଞ୍ଚଳର ଖରସୁଆ ନଈପାଖର ଏକ ଗାଁ ଆୟତନରେ ଏକ ରକ୍ଷଣଶୀଳ ବ୍ରାହ୍ମଣ କୁଟୁମ୍ବରେ। ପାରମ୍ପରିକ ଢଙ୍ଗରେ ପିଲାଙ୍କୁ ସଂସ୍କୃତ ଟୋଲ ଓ ପରକୁ ତା’ଉପର ଅନୁଷ୍ଠାନରେ ପଢ଼ିବାକୁ ପଠାଗଲା। ବହୁ ସଂସ୍କୃତ ପଢ଼ିବାପରେ ସେ ସେକାଳର ଇଂରାଜୀ ସ୍କୁଲ-କଲେଜ୍‌ରେ ପଢ଼ି ଶେଷରେ ଉତ୍ତମ ଗବେଷଣାଲବ୍ଧ ପିଏଚଡି ପଦବୀ ମିଳାଇଲେ ଓ ଆଗ ସ୍କୁଲ୍‌ ଓ ପରେ କଲେଜରେ ଅଧ୍ୟାପକ ହେଲେ। ସେ ସଂସ୍କୃତରେ ପଣ୍ଡିତ ଥିଲେ ବି ଓଡ଼ିଆ ଭାଷାଶାସ୍ତ୍ର ଉପରେ ଗବେଷଣା କରିଥିବାରୁ କଲେଜସ୍ତରରେ ଓଡ଼ିଆ ପଢ଼ାଉଥିଲେ। ଏ ସବୁର ଉପସ୍ଥାପନାର କାରଣ, ସେ କାଳର ଅଧିକାଂଶ ଅଧ୍ୟାପକ ପାଠଶାଳା-କଲେଜ-ବିଶ୍ବବିଦ୍ୟାଳୟରେ ସଂସ୍କୃତ ପଢ଼ିଥିଲେ। ଧନେଶ୍ବରବାବୁ ମାତ୍ର ପାରମ୍ପରିକ ସଂସ୍କୃତ ବିଦ୍ୟାଳୟରେ ସେ ଭାଷା-ସାହିତ୍ୟ ଆଗ ପଢ଼ିଲେ। ମାତ୍ର, ତାଙ୍କ ବିଚାର-ଲେଖନ-ଭାଷଣରେ ସେ ଜଣେ ତର୍କଶାସ୍ତ୍ରୀ, ଅପାରମ୍ପରିକ ବୁଦ୍ଧିଜୀବୀ, ବିବେକବାଦୀ, ହେତୁବାଦୀ ଥିଲେ। ଜୀବନର ସବୁ କ୍ଷେତ୍ରରେ ଏହା ତାଙ୍କର ସ୍ବାଭାବିକ ଚଳଣି ଥିଲା। ପିଲା ବୟସରେ ପିଲା ଝିଅ ସହିତ ବିବାହ; ଜୀବନଯାକ ସେ ପତ୍ନୀଙ୍କ ସହିତ ଖାଲି ଆଦର ନୁହେଁ, ସମ୍ମାନରସହ ବ୍ୟବହାର କରିଥିଲେ। ନିଜ ବୋହୂ ପ୍ରତି ବି ସେଇ ବ୍ୟବହାର। ବହୁ ବର୍ଷ ତଳେ ସେ ନିଜ ଗାଁରେ ଝିଅପିଲାଙ୍କଲାଗି ଏକ ବିଦ୍ୟାଳୟ ବସାଇ ​‌େ​‌ଶଷ ପର୍ଯ୍ୟନ୍ତ ତାହା କୌଣସି ପ୍ରକାରେ ଚଳାଇଥିଲେ।
ଓଡ଼ିଆ ଭାଷାର ସଂସ୍କାର ପାଇଁ ତାଙ୍କର ବିଭିନ୍ନ ପୁସ୍ତକ, ଲେଖା ଭିତରେ ତାଙ୍କ ପ୍ରସ୍ତୁତ ଭାଷାକୋଷ ଏକ ଖାସ୍‌ ପ୍ରଯତ୍ନ। ଭାଷାର ସଂସ୍କାର ସେ ଅଭିଧାନରେ କରି ତାହା ଯେ କେହି ତାହାର ବ୍ୟବହାର କରିବ ତାହାକୁ ବୈଚାରିକ ଦମ୍ଭ ଦେଇ ନୂଆବାଟରେ ଚାଲିବାକୁ ଶିଖାଇବ ବୋଲି ଭାବି କଲେ। ପଣ୍ଡିତ ନୀଳକଂଠ ଦାସ ଆମ ଭାଷାରେ ଅନୁସ୍ବାରର ବ୍ୟବହାର ଆଗ କଲେ ବୋଲି ଆମେ ପଢ଼ିଚେ। (ବାସ୍ତବିକ, ତାହା ଆଲୋଚନାରେ ନୁହେଁ, ବାସ୍ତବରେ ପ୍ରଥମ ଆରମ୍ଭ କରିଥିବା ବ୍ୟକ୍ତି ଥିଲେ ପଣ୍ଡିତ ଗୋପବନ୍ଧୁ। ମାତ୍ର, ତାହା ଏଠାର ବିଷୟ ନୁହେଁ)। ହେଲେ, ଅଭିଧାନରେ ତାକୁ ପ୍ରାଧାନ୍ୟ ଦେଇ ତାକୁ ଚଳନ୍ତି କରିବାର ଚେଷ୍ଟା କଲେ ଧନେଶ୍ବର ବାବୁ। ଆଉ ଅନେକ ସଂସ୍କାର ସେ ଅଭିଧାନରେ କରିଛନ୍ତି ଓ ତାହାର ଯଥାର୍ଥତା ମୁଖବନ୍ଧରେ ବୁଝାଇଛନ୍ତି।
ତାଙ୍କ ହେତୁବାଦର ଏକ ପ୍ରକଟ ପ୍ରଦର୍ଶନ ମତେ ମିଳିଥିଲା ପ୍ରାୟ ପନ୍ଦର ବର୍ଷ ତଳେ। ଜ​‌େ​‌ଣ ଓଡ଼ିଆ ପୂର୍ବାସ୍ପୃଶ୍ୟ ସମାଜର ବ୍ୟକ୍ତି ଓ ଜଣେ ଆଦିବାସୀ ମହିଳା ଲେଖିଥିବା ନିଜ ଜୀବନୀର ପ୍ରକାଶନ ପାଇଁ ମୁଁ ତାଙ୍କୁ ନିମନ୍ତ୍ରଣ କରିଥିଲି। ସେ ତାଙ୍କ ଭାଷଣରେ ଓଡ଼ିଆରେ ଏଭଳି ପ୍ରଥମ ପ୍ରକାଶନର ଭୂୟସୀ ପ୍ରଶଂସା କରି ଏହା ଆମ ସାହିତ୍ୟରେ ଏକ ନୂଆ ଭାଗର ଆରମ୍ଭ ହେଉ ବୋଲି ଦୃଢ଼ ଆଶା ବ୍ୟକ୍ତ କରି (ଯାହା ଏ ପର୍ଯ୍ୟନ୍ତ ହେଲାନି), ତା’ପରେ ଆମ ସମାଜର ପାରମ୍ପରିକ ଆଚାର-ବିଚାର ଉପରେ ଏକ ଆକ୍ରମକ ଭାଷଣ ଦେଲେ। ‘ସମାଜ’ ସେ ଭାଷଣକୁ ପୂର୍ଣ ଛାପିଲାରୁ ଅନେକ ଲୋକ ପଢ଼ି, ତା’ଉପରେ କାହାକାହାଙ୍କର କଟୁ ମନ୍ତବ୍ୟ ବି ପ୍ରକାଶ ପାଇଲା। ମାତ୍ର, ଧନେଶ୍ବରବାବୁ ତାଙ୍କ ହେତୁବାଦୀ ବିଚାରରୁ ଢଳିବାର ଲୋକ ନଥିଲେ। ଆଜି ଓଡ଼ିଆ ସମାଜରେ ପାରମ୍ପରିକତା, କର୍ମକାଣ୍ଡ, ଧର୍ମଭାବନାର ପୁନର୍ଜାଗରଣବେଳେ ତାଙ୍କ ଭଳି ସମାଜସଂସ୍କାରକ ବିଚାରବନ୍ତଙ୍କ ଅଭାବ ତୀବ୍ରଭାବରେ ଅନୁଭୂତ ହେବ। ଆମେ ସେ ଦିଗରେ ଅନ୍ତତଃ ଗୁଣ୍ଡୁଚି ମୂଷାର ଭାଗ ନେଇପାରିଲେ ତାଙ୍କ ବିଚାରକୁ ଆଗେଇନେବାର ଶ୍ରେୟରେ ଭାଗୀଦାରୀ ହୋଇ ତାଙ୍କପ୍ରତି ଆମର କୃତଜ୍ଞତା ପ୍ରକାଶ କରିପାରିବା। ତାଙ୍କୁ ​‌େ​‌ମାର ଶେଷ ପ୍ରଣାମ।
ପୁଣେ ୪୧୧୦୦୪

Leave A Reply