ଅକ୍ଟୋବର ୬ ତାରିଖରେ ସୁପ୍ରିମକୋର୍ଟର ପ୍ରଧାନ ବିଚାରପତି ବି.ଆର.ଗବଇଙ୍କ ଉପରକୁ ଜଣେ ଓକିଲ ଜୋତା ଫିଙ୍ଗିବାକୁ ଉଦ୍ୟମ କରବା ଘଟଣାଟି ଆମ ଦେଶ ପାଇଁ ଅତ୍ୟନ୍ତ ଚିନ୍ତାଜନକ। ଏହା କେବଳ ଜଣେ ବିଚାରପତିଙ୍କ ପ୍ରତି ଅସମ୍ମାନ ନଥିଲା, ବରଂ ଆମ ସମ୍ବିଧାନରେ ଥିବା ସମାନତା ଓ ମର୍ଯ୍ୟାଦାର ଆଦର୍ଶ ଉପରେ ଏକ ପ୍ରତ୍ୟକ୍ଷ ଆକ୍ରମଣ ଥିଲା। ଏହି ଘଟଣା ଆମ ସମାଜରେ ଜାତି, ଧର୍ମ, ପରିଚୟ ଏବଂ କ୍ଷମତାକୁ ନେଇ ଥିବା ଗଭୀର ସମସ୍ୟାଗୁଡ଼ିକୁ ପଦାରେ ପକାଇଛି। ପ୍ରଧାନ ବିଚାରପତିଙ୍କ ମତାମତକୁ ଜଣେ ଆଇନଜୀବୀ ଗ୍ରହଣ କରି ନ ପାରନ୍ତି; ତାହାର ଅର୍ଥ ନୁହେଁ ତାଙ୍କ ପ୍ରତି ଅନୁଚିତ ଆଚରଣ ପ୍ରଦର୍ଶନ କରିବା। ପ୍ରତିବାଦର ମଧ୍ୟ ଏକ ସୀମା ରହିଛି। ଜୋତା ଫିଙ୍ଗିବା ଭଳି ଏକ ଘଟଣା ଆମ ସମ୍ବିଧାନର ମୂଲ୍ୟବୋଧକୁ କ୍ଷତି ପହଞ୍ଚାଇଛି।
ଆକ୍ରମଣକାରୀ ଓକିଲ ରାକେଶ କିଶୋର ନିଜ କାର୍ଯ୍ୟକୁ ‘ସନାତନ ଧର୍ମ’ ନାମରେ ଯଥାର୍ଥ ବୋଲି କହିଥିଲେ। ତାଙ୍କ ମନ୍ତବ୍ୟ ଥିଲା, ‘ଭାରତ ସନାତନ ଧର୍ମ ପ୍ରତି ଅପମାନକୁ ବରଦାସ୍ତ କରିବ ନାହିଁ।’ ଏହି ଘଟଣାଟି ମଧ୍ୟପ୍ରଦେଶର ଏକ ମନ୍ଦିରରେ ୭ଫୁଟ ଉଚ୍ଚ ବିଷ୍ଣୁମୂର୍ତ୍ତି ପୁନଃସ୍ଥାପନା ନିମନ୍ତେ ଦାଖଲ ହୋଇଥିବା ଏକ ଅର୍ଜିକୁ ଖାରଜ କରିବା ସମୟରେ ମୁଖ୍ୟ ବିଚାରପତି ବି.ଆର. ଗବଇ ଦେଇଥିବା ମନ୍ତବ୍ୟ ଆଧାରିତ ଥିଲା। ଜଷ୍ଟିସ ଗବଇ ମାମଲାଟିକୁ ‘ପ୍ରଚାର ପ୍ରେରିତ ଜନହିତ ମାମଲା’ ବୋଲି କହିଥିଲେ ଏବଂ ‘ଦେବତାଙ୍କୁ ନିଜେ କିଛି କରିବାକୁ କହନ୍ତୁ’ ବୋଲି ପରାମର୍ଶ ଦେଇଥିଲେ। ତେବେ ଏ କଥାଟିକୁ ସେ ଅନ୍ୟ ଭାବରେ କହିଥିଲେ ସୁନ୍ଦର ହୋଇଥାନ୍ତା। ତଥାପି ଘଟଣାକୁ ନେଇ ଜଷ୍ଟିସ ଗବଇ କୌଣସି ପ୍ରତିକ୍ରିୟା ପ୍ରକାଶ କରିନାହାନ୍ତି କିମ୍ବା ସଂପୃକ୍ତ ଓକିଲଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ ପାଇଁ ନିର୍ଦେଶ ଦେଇ ନାହାନ୍ତି। ଏହା ମଧ୍ୟ ତାଙ୍କର ଏକ ଭଲ ଗୁଣକୁ ଦର୍ଶାଉଛି। ତେବେ, ଏଠାରେ ଏକ ଗୁରୁତ୍ବପୂର୍ଣ୍ଣ କଥା ହେଉଛି ଯେ ସନାତନ ଧର୍ମର ଆଦର୍ଶ କେବେ ବି ନ୍ୟାୟ ବ୍ୟବସ୍ଥାର ଅପମାନକୁ ସମର୍ଥନ କରେ ନାହିଁ। ପ୍ରକୃତରେ ‘ଧର୍ମ’ ଶବ୍ଦର ମୂଳ ଅର୍ଥ ହେଉଛି ନ୍ୟାୟ, ନୀତି ଏବଂ ସତ୍ୟର ମାର୍ଗ। ନ୍ୟାୟର ପ୍ରତିଷ୍ଠା ହିଁ ସନାତନ ଧର୍ମର ଏକ ପ୍ରମୁଖ ସ୍ତମ୍ଭ। ତେଣୁ ଜଣେ ବିଚାରପତିଙ୍କ ପ୍ରତି ଏଭଳି ଅସମ୍ମାନଜନକ ଆଚରଣକୁ କୌଣସି ଧର୍ମ କିମ୍ବା ଆଦର୍ଶର ପ୍ରତିରକ୍ଷା ଭାବରେ ଦେଖାଯାଇପାରିବ ନାହିଁ ବରଂ ଏହା ବ୍ୟକ୍ତିଗତ ଭାବନା ଏବଂ ନ୍ୟାୟିକ ପ୍ରକ୍ରିୟାକୁ ଅବମାନନା କରିବା ଭଳି କାର୍ଯ୍ୟ।
ପ୍ରଧାନମନ୍ତ୍ରୀ ମୋଦୀ ଏବଂ ଆଇନ ମନ୍ତ୍ରୀ ଏହି ଘଟଣାକୁ ନିନ୍ଦା କରିଛନ୍ତି; କିନ୍ତୁ ଅନେକ ରାଜନୈତିକ ଦଳର ପ୍ରତିକ୍ରିୟା ଶିଥିଳ ରହିଛି, ଯାହା ଆମ ସମ୍ବିଧାନର ମୂଲ୍ୟବୋଧ ପ୍ରତି ସେମାନଙ୍କର ଅଙ୍ଗୀକାର ଉପରେ ପ୍ରଶ୍ନ ସୃଷ୍ଟି କରୁଛି। ବାର୍ କାଉନ୍ସିଲ୍ ଅଫ୍ ଇଣ୍ଡିଆ ଓକିଲ ରାକେଶ କିଶୋରଙ୍କୁ ନିଲମ୍ବନ କରି ତାଙ୍କ ଲାଇସେନ୍ସ ରଦ୍ଦ କରିିଛି, ଯାହା ଏକ ସ୍ବାଗତଯୋଗ୍ୟ ପଦକ୍ଷେପ। ଏଭଳି କାର୍ଯ୍ୟାନୁଷ୍ଠାନ ନ୍ୟାୟିକ ବ୍ୟବସ୍ଥାର ମର୍ଯ୍ୟାଦା ବଜାୟ ରଖିବା ପାଇଁ ଅତ୍ୟନ୍ତ ଜରୁରୀ। ଏହି ଘଟଣା ଆମ ସମାଜକୁ ଏକ ବଡ଼ ପ୍ରଶ୍ନ ପଚାରୁଛି: ଆମେ ସାମାଜିକ ନ୍ୟାୟ ଏବଂ ସମାନତା ପାଇଁ କେତେ ଅଙ୍ଗୀକୃତ? ଜାତିଭେଦ ଏବଂ କଟ୍ଟରବାଦୀ ଚିନ୍ତାଧାରା ଯେପରି ଆମ ସମାଜରେ ବଢ଼ିଚାଲିଛି, ତାହା ଭାରତର ଗଣତାନ୍ତ୍ରିକ ମୂଳଦୁଆକୁ ଦୁର୍ବଳ କରୁଛି। ଆମେ ସମସ୍ତେ ଏଭଳି ଚିନ୍ତାଧାରା ବିରୋଧରେ ସ୍ବରଉତ୍ତୋଳନ କରିବା ଏବଂ ସମ୍ବିଧାନର ମୂଲ୍ୟବୋଧକୁ ବଜାୟ ରଖିବା ନିତାନ୍ତ ଜରୁରୀ।



