ରସାତଳଗାମୀ ନୈତିକତା

ଏ ଦେଶ ସଂସ୍କୃତିରେ ସୃଷ୍ଟି ସହ ଲାଳନପାଳନ ଓ ସଂହାରର ବ୍ୟବସ୍ଥା ହୋଇଛି। ବ୍ରହ୍ମାଙ୍କୁ ସୃଷ୍ଟିକର୍ତ୍ତା, ବିଷ୍ଣୁଙ୍କୁ ପାଳନ କର୍ତ୍ତା ଓ ଶିବଙ୍କୁ ସଂହାର କର୍ତ୍ତା ଭାବେ ପୂଜା କରାଯାଏ। ତେଣୁ ସୃଷ୍ଟି ସହ ପାଳନ ଓ ସଂହାର ଯେ ଅପରିହାର୍ଯ୍ୟ ଏ କଥା କହି ସୃଷ୍ଟିପ୍ରବଣମାନଙ୍କୁ ସେମାନଙ୍କ ସୀମା ଓ ଦାୟିତ୍ବ କଥା ସୂଚେଇ ଦିଆଯାଇଥାଏ। କୁହା ବି ଯାଇଛି, ‘‘ବରମେକୋ ଗୁଣୀ ପୁତ୍ରଃ ନ ଚ ମୂର୍ଖଃ ଶତାନ୍ୟପି।’’ ଶହେ ମୂର୍ଖ ପିଲା ଅପେକ୍ଷା ଗୋଟିଏ ଗୁଣୀ ପୁତ୍ର ଶ୍ରେୟସ୍କର। ସେଥିପାଇଁ ଲାଳନପାଳନ ଓ ତାଡ଼ନା କଥା କୁହାଯାଇଛି, ‘‘ଲାଳନେ ବହବୋ ଦୋଷାସ୍ତାଡନେ ବହବୋ ଗୁଣାଃ ତସ୍ମାତ୍‌ ପୁତ୍ରଂ ଚ ଶିଷ୍ୟଂ ଚ ତାଡୟେନ୍ନ ତୁ ଲାଳୟେତ୍‌।’’ ‘‘ଅତି ଗେହ୍ଲା କୁତା ଉପରେ ଚଢ଼େ, ଅତି ଗେହ୍ଲା ଝିଅ ମୁଣ୍ଡରେ ବସେ।’’ ତେଣୁ ଶାସନ ଓ ତାଡ଼ନା ସୃଷ୍ଟିଚକ୍ରର ଅପରିହାର୍ଯ୍ୟ ବିଭାବ। ‘କାମଜ ସନ୍ତାନ’ ପ୍ରସ୍ତୁତକାରୀ ପିତାମାତା ଆକଟ ତତ୍ତ୍ବ ଜାଣନ୍ତି ନାହିଁ କି ବୁଝନ୍ତି ନାହିଁ। ଚୀନ ଦେଶରେ ଗୋଟେ କିଶୋରକୁ ଜଘନ୍ୟ ଅପରାଧରେ ମୃତ୍ୟୁଦଣ୍ଡ ଦିଆଗଲା। ମୃତ୍ୟୁ ପୂର୍ବରୁ ତା’ର ଶେଷ ଇଚ୍ଛା କ’ଣ ବୋଲି ବିଚାରପତି ପଚାରିବାରୁ କିଶୋର କହିଲା, ‘‘ମୋ ମା’ କାନରେ ଗୋଟେ କଥା କହିବି।’’ ବିଚାରପତି ବିଚରା ଅପରାଧୀକି ଏ ଶେଷ ଇଚ୍ଛା ପୂରଣର ସୁଯୋଗ ଦେଲେ। କ୍ରନ୍ଦନରତା ମା’ ତା’ ପୁଅକୁ କୁଣ୍ଢାଇ ପକାଇଲା, ମାତ୍ର ପୁଅ ତା’ କାନ ପାଖକୁ ମୁହଁ ନେଇ, କଥା କହିବ କ’ଣ ତା’ କାନକୁ ଛିଣ୍ଡାଇ ରକ୍ତାକ୍ତ କରିଦେଲା। ପୁଲିସବାଲା ତା’କୁ ତା’ ମା’ଠୁ ଛଡ଼ାଇ ଆଣିଲାବେଳେ ମା’ ବିକଳରେ, ଯନ୍ତ୍ରଣାରେ କାନ୍ଦୁଥାଏ। କଠୋର ସ୍ବରରେ ଜଜ୍‌ ପଚାରିଲେ, ‘‘ରେ ଘୃଣିତ ଅପରାଧୀ, ମୃତ୍ୟୁର ଏ ମୁହୂର୍ତ୍ତରେ ତମେ ପୁଣି ଏ ପାପ କାହିଁକି କଲ?’’ ଅପରାଧୀ ପୁତ୍ର କହିଲା, ‘‘ଆଜ୍ଞା ! ଦୋଷ ପାଇଁ ଦଣ୍ଡ ଅପରିହାର୍ଯ୍ୟ ବୋଲି ଆପଣ, ମତେ ଜନ୍ମ ବା ଜୀବନ ଦେଇ ନ ପାରିଲେ ବି ମୃତ୍ୟୁଦଣ୍ଡ ଦେଉଛନ୍ତି। ମତେ ଆଜି ଆପଣ ଡକାୟତି ଦୋଷରେ ଫାଶୀ ଦେଉଛନ୍ତି। ମାତ୍ର ଏ ଦୋଷ ପାଇଁ ମୁଁ ଆଦୌ ଦାୟୀ ନୁହେଁ। ପିଲାବେଳେ ଯେତେବେଳେ ଛୋଟ ଚୋରିଟିଏ କରି ଘରକୁ କିଛି ଆଣିଲି, ମୋର ଏଇ ମା’ ଢେର ଖୁସି ହୋଇଥିଲା ଓ ମୁଁ ଉତ୍ସାହିତ ହୋଇଥିଲି। ସେ ଚୋରି ପ୍ରବୃତ୍ତି ସେଇଦିନୁ ବଢ଼ି ଚାଲିଲା ଓ ଆଜି ମୁଁ ଫାଶୀ ଖୁଣ୍ଟ ଚଢ଼ା ଏକ ଡକାୟତ। ମାତ୍ର ପିଲାଦିନୁ ଏ ଛୋଟ ଚୋରିକୁ ମୋ ମା’ ଯେବେ ଆକଟି ଥାଆନ୍ତା ମୋ କାନମୋଡ଼ି ଥାନ୍ତା, ତେବେ ମୁଁ ଆଜି ଫାଶୀରେ ଚଢ଼ି ନ ଥାନ୍ତି। ସେଇଥିପାଇଁ ତା’ କାନକୁ ଆଜି ମୁଁ ଛିଣ୍ଡାଇ ଦେଇଛି। ଜଗତ ଜନତା ଦେଖୁ ଯେ ମୃତ୍ୟୁ ଦଣ୍ଡାଦିଷ୍ଟ ପୁଅ ମା’କୁ କି ପ୍ରକାରେ ମେଲାଣି ମାଗିଲା, ନେଲା।’’ ଆମ ଦେଶରେ ଗାନ୍ଧାରୀଙ୍କ କଥା କିନ୍ତୁ ଭିନ୍ନ। ତାଙ୍କର ଶହେ ପୁତ୍ର ଥିଲେ। କବି ଲେଖିଲେ, ‘‘ଶତେକ ପୁତ୍ର ଜନନୀ ତୁହି ମା’ ଶ୍ରେଷ୍ଠ ଏ ଧରାତଳେ, ତୋ ଅାଦେଶେ ମାତ ଏ ତିନିଭୁବନ ବାନ୍ଧିପାରିବୁ ବଳେ।’’ ସତରେ କୌରବ ଶହେ ପୁଅ ମା’ଙ୍କ ପାଖୁ ଆଶୀର୍ବାଦ ପାଇଁ ଗଲାବେଳେ ମା’ କ’ଣ ଅପତ୍ୟ ସ୍ନେହରେ ଅନ୍ଧ ହୋଇ ‘ତଥାସ୍ତୁ’ କହିଲେ? ‘‘ଶତେକ ପୁତ୍ର ଜନନୀ ଭାଷଇ କୋମଳ ମଧୁର ଗିର, ଅଭିଳାଷ ଯେବେ ରଣ-ପ୍ରାଙ୍ଗଣେ ଅବତର ଆରେ ବୀର, କୁରୁମଣି! ଘେନ ଆଶିଷ ତୋହର ଜନନୀର ବରାଭୟ, ଅକ୍ଷୟ ହେଉ ପୁଣ୍ୟ ଜଗତେ ଧର୍ମର ହେଉ ଜୟ।’’ ଇଏ ହେଲା ଭାରତବର୍ଷ। ଶହେପୁଅକୁ ଏଠି ପାଉଁଶ କରି ଦିଆଯାଏ; ମାତ୍ର ପାଞ୍ଚ ପୁଅଙ୍କ ମୁଣ୍ଡରେ ପାଟ ବନ୍ଧାଯାଏ। କଠୋର ଅନୁଶାସନରେ ଏ ଦେଶର ରାଜା ଓ ପ୍ରଜା ବନ୍ଧା ଥିଲେ। ରାଜାଗୁଡ଼ା ଭୋଗସର୍ବସ୍ବ ଆଦୌ ନଥିଲେ। ଯେଉଁମାନେ ଥିଲେ ସେମାନେ ବର୍ଣ୍ଣ ସଙ୍କରିଆ ଓ ଅକସ୍ମାତ୍‌ ଥିଲେ। ଦେଖୁନା କଥାଟିଏ, ସେ ଦେଶର ରାଜାଙ୍କର ଏକ ଅଜଣା ରୋଗ ହେଲା। ବହୁ ଚିକିତ୍ସା ବିଫଳ ହେବା ପରେ, ବୈଦ୍ୟସମୂହ କହିଲେ, ଏକମାତ୍ର ଚିକିତ୍ସା ହେଲା, ବାପମା’ ରାଜିଥିବା କୌଣସି ଏକ ବାଳକ ମୁଣ୍ଡର ପିତ୍ତ କଢ଼ାଯାଇ ଅଣାଗଲେ ସେଥିରୁ ପ୍ରସ୍ତୁତ ମହୌଷଧିରେ ମଣିମା ଭଲ ହୋଇଯିବେ। ଚିକିତ୍ସା ଜଗତର ଇଏ ଶେଷ ଔଷଧ। ଏକ ଗରିବ ପିତାମାତାଙ୍କୁ ପ୍ରଚୁର ଧନ ଲୋଭ ଦେଖାଇ ଗୋଟିଏ ପୁଅ ଦେବାକୁ ରାଜାଙ୍କ ଲୋକ ତାଙ୍କୁ କହିଲେ। ଏତେ ଗୁଡ଼ାଏ ଧନ, ରାତାରାତି ଜମିଦାରଠୁ ବଳି ପଡ଼ିବେ, ଲୋଭ ଆଉ ଚାପି ହେଲାନି। ବାପ କହିଲେ, ‘ବଡ଼ପୁଅ ମୁଖାଗ୍ନି ଓ ପିଣ୍ଡ ଦେବ ତା’କୁ ମୁଁ ଦେଇ ପାରିବିନି।’ ମା’ ବି ସକସକ ହୋଇ କହିଲା, ‘ସାନ ପୁଅ ମୋର କୋଡ଼ପୋଛା ପୁଅ, ତାକୁ ମୁଁ ଦେଇପାରିବିନି।’ ବାକି ରହିଗଲା ନିର୍ଦୋଷ ମଝିଆଁ ପୁଅ। ତାଙ୍କୁ ବିଧାନ ମତେ ଲଣ୍ଡାକରି ମନ୍ଦାରମାଳ ପିନ୍ଧାଇ ଘାତକ ପାଖେ ଠିଆ କରାଇ ଦିଆଗଲା। ରାଜା ଏ ଦୃଶ୍ୟ ଦେଖୁଥା’ନ୍ତି। ଘାତକ ମୁଣ୍ଡରେ ଚୋଟ ପକାଇବା ପୂର୍ବରୁ, ବାଳକଟି ସ୍ବର୍ଗକୁ ଚାହିଁ ମୁରୁକି ହସି ଦେଲା। ସ୍ତବ୍ଧ ହୋଇଗଲେ ରାଜା। ଭାବିଲେ ବାଳକଟା କ’ଣ ବାୟା, ବୁଝିପାରୁନି ସେ ହଣା ହେବାକୁ ଯାଉଛି? ରୋକିଦେଲେ ଘାତକକୁ, ପଚାରିଲେ, ‘‘ଆରେ ନିର୍ବୋଧ ବାଳକ ତୁ ଏ ବେଳରେ ହସୁଚୁ କ’ଣ?’’ ଦୀର୍ଘଶ୍ବାସ ପକାଇ, ଦୁଇହାତ ଓ ଗୋଡ଼ ବନ୍ଧା ଯାଇଥିବା ବାଳକଟି କହିଲା, ‘‘ଆଉ କ’ଣ କରନ୍ତି? ପ୍ରଭୁଙ୍କୁ ଚାହିଁ କହୁଥିଲି, ପିଲାର ରକ୍ଷକ ହେଉଛନ୍ତି ପିତାମାତା, ମାତ୍ର ଧନ ଲୋଭରେ ପିତା ବଡ଼ ପୁଅକୁ ଆବୋରିଲେ ଓ ମା’ କୋଳପୋଛା ପୁଅ କହି ସାନ ପୁଅକୁ ଆବୋରିଲେ, ମୁଁ ମଝିଆଁ ପୁଅ ବାପର କି ମା’ର ହେଲିନି। ନିର୍ଦୋଷରେ ମୃତ୍ୟୁଦଣ୍ଡ ପାଉଥିବା ଏ ବାଳକକୁ ପିତାମାତା ରକ୍ଷା କଲେନାହିଁ ଧନ ଲୋଭରେ। ରାଜାଙ୍କୁ ଏ ଅନ୍ୟାୟ ପାଇଁ ଆପତ୍ତି କରିଥାନ୍ତି; ମାତ୍ର ରାଜା ନିଜ ଜୀବନ ରକ୍ଷା ପାଇଁ ନିରୀହ ଶିଶୁର ହତ୍ୟା ପାଇଁ ସମ୍ମତି ଦେଇଛନ୍ତି। ତେଣୁ ତାଙ୍କୁ କ’ଣ କହିବି? ଯାହାକୁ ପିତାମାତା ଧନ ପାଇଁ ରକ୍ଷା କଲେ ନାହିଁ, ରାଜା ତାଙ୍କ ଜୀବନ ରକ୍ଷା ପାଇଁ ନିରୀହ ନିର୍ଦୋଷ ବାଳକକୁ ହତ୍ୟା ପାଇଁ ସମ୍ମତି ଦେଲେ, ସେଠି ତମେ ଆଉ ତା’କୁ କୁ ରକ୍ଷାକରି ପାରିବ? ଏଇ କଥା ପ୍ରଭୁଙ୍କୁ କହିଲାବେଳେ ତାଙ୍କ ବଡ଼ପଣିଆ ଦେଖି ହସ ଲାଗିଲା।’’ ଏତିକିରେ ଚୁପ୍‌ ହୋଇଗଲା ବାଳକ। ବାଳକର ଏଇ କଥାରେ ରାଜାଙ୍କର ବିବେକ ଉଦୟ ହେଲା। ନିଜକୁ ଧିକ୍‌କାର ଲାଗିଲା। ବିବେକର ତାଡ଼ନା ସେ ମର୍ମେ ମର୍ମେ ଅନୁଭବ କଲେ। ବାଳକକୁ ମୁକ୍ତ କରି ଦେଲେ। ଇଏ ହେଲା ଏ ଦେଶରେ ନ୍ୟାୟାନ୍ୟାୟ ବିଚାର। ଖଣ୍ଡାଧାରରେ ଏଠି ରାଜା ପ୍ରଜା ଚାଲନ୍ତି।

ମାତ୍ର ଏବେ ହଉଚି କ’ଣ? ଋଷିର ଏ ଦେଶରେ ରାକ୍ଷସଙ୍କ ତାଣ୍ଡବଲୀଳା ଚାଲିଛି। ମଦ, ଅଫିମ, ଚରସ ଆଦି ଭୟଙ୍କର ନିଶା ଏ ଯୁବ ସମାଜକୁ ଧ୍ବଂସ କରି ସାରିଲାଣି। ସବୁଠୁ ଉଦ୍‌ବେଗର କଥା ନିର୍ବାଚିତ ସରକାର ଗାଁ ଗାଁରେ ମଦ ଲାଇସେନ୍‌ସ ଦେଇଚନ୍ତି। ସ୍କୁଲ ପିଲା ବି ଗାଁମୁଣ୍ଡରେ ମଦ ପିଇଲେଣି। ଏବେ ଗୋଟେ ଖବର ମିଳିଛି, ସିଙ୍ଗାପୁରରେ ମାଦକ ଦ୍ରବ୍ୟ ବିକ୍ରି ପାଇଁ ଆଇନକୁ କେତେ କଠୋର କରାଯାଇପାରେ ତା’ ଏଥିରୁ ଜଣାପଡ଼େ। ଏକ ମାଦକ ଦ୍ରବ୍ୟ କାରବାରରେ ଜଣେ ୩୬ବର୍ଷର ଯୁବକକୁ ଫାଶୀରେ ଝୁଲାଇ ଦିଆଯାଇଛି। ଗତ ତିନିସପ୍ତାହ ଭିତରେ ଇୟେ ଦ୍ବିତୀୟ ଫାଶୀ ଦଣ୍ଡାଦେଶ। ମଦ ଆଦି ନିଶାରେ ଚୁର୍‌ ବିଶ୍ବ ସମୁଦାୟର ଏକ ଗୋଷ୍ଠୀ ସିଙ୍ଗାପୁର ସରକାରଙ୍କୁ ଏ ଆଇନ ଉଠାଇ ନେବାକୁ ଅନୁରୋଧ କରିଥିଲେ ମଧ୍ୟ ସରକାର ନଛୋଡବନ୍ଧା। ମୃତ୍ୟୁଦଣ୍ଡକୁ ଖାତିର ନଥାଇ ଯେ ଏ ନିଶା ବ୍ୟବସାୟ କରୁଛି, ସେଠି ଏ ଦଣ୍ଡ ଉଠାଇ ଦେଲେ ଦେଶର ନୈତିକତା ଓ ମାନବ ସମ୍ବଳ କେତେ ରସାତଳଗାମୀ ହୋଇଯିବ ତା ଜଣାପଡ଼େ। ମାତ୍ର ଆମ ଦେଶ ଏବେ ମୋହାନ୍ଧତାରେ ବିବେକର ଆକଟ-ଶକ୍ତି ହରାଇ ବସିଛି। ସ୍ତ୍ରୀର ମୃତ୍ୟୁରେ ସ୍ବାମୀ ଦ୍ବିତୀୟ ବିବାହ କରେ, ଜଣେ ପ୍ରତିବେଶୀ ପୁଅକୁ ପଚାରିଲେ, ‘‘ହଇରେ ତୋ ପୁରୁଣା ମା’ ଓ ନୂଆ ମା’ ଭିତରେ କିଏ ଭଲ।’’ ପିଲାଟି କହିଲା, ‘‘ମୋ ପୁରୁଣା ମା’ଟା ମିଛେଈ, ତୁ ଆଜି ପାଠ ପଢ଼ିନୁ ତତେ ଖାଇବାକୁ ଦେବିନି ବୋଲି ମୋ ପୁରୁଣା ମା’ କହୁଥିଲା ଓ ନୂଆମା’ ବି କହୁଛି। ମାତ୍ର ନୂଆ ମା’ ସତରେ ଖାଇବାକୁ ଦିଏନି। ପୁରୁଣା ମା’ଟା ମୁଁ ଭୋକରେ କାନ୍ଦିକାନ୍ଦି ଶୋଇପଡ଼ିଲା ପରେ ମତେ ଉଠେଇ ଖାଇବାକୁ ଦିଏ ଓ କାନ୍ଦୁଥାଏ।’’ ଆକଟ ପ୍ରାଣମୟ କି ନିଷ୍ପ୍ରାଣ ହେଉ, ଏଠି ଆଉ ଆକଟ ନାହିଁ।

Comments are closed.