ନ ଚେତିଲେ ରକ୍ଷା ନାହିଁ

ଜଳବାୟୁ ପରିବର୍ତ୍ତନ ସମ୍ବନ୍ଧରେ ଜାତିସଂଘର ‘ଆଇପିସିସି’ ଯେଉଁ ସତର୍କଘଣ୍ଟି ଶୁଣାଇଛି, ତାକୁ କୌଣସି ଦେଶ ହେୟଜ୍ଞାନ କରିବା ଅନୁଚିତ

ନିକଟରେ ପାରିବେଶିକ ଦୁଃସ୍ଥିତି ସମ୍ପର୍କରେ ଜାତିସଂଘର ଜଳବାୟୁ ପରିବର୍ତ୍ତନ ସମ୍ପର୍କିତ ଆନ୍ତଃ-ସରକାରୀ ଗୋଷ୍ଠୀ (ଆଇପିସିସି) ଯେଉଁ ସତର୍କଘଣ୍ଟି ଶୁଣାଇଛି, ତାହା ଖୁବ୍‌ ଗୁରୁତ୍ବପୂର୍ଣ୍ଣ। ଏହାକୁ ହେୟଜ୍ଞାନ କଲେ ବା କୌଣସି ଫଳଦାୟକ ପଦକ୍ଷେପ ନେଇ ନ ପାରିଲେ ଆଗାମୀ ଦିନରେ ମାଡ଼ିଆସୁଥିବା ମହାବିପତ୍ତିର ମୁକାବିଲା କରିବା ଯେ ଅସମ୍ଭବ ହୋଇପଡ଼ିବ, ତାହା ମନେ ରଖିବା ଆବଶ୍ୟକ। ଜଳବାୟୁ ପରିବର୍ତ୍ତନ ଏକ ବୈଶ୍ବିକ ସମସ୍ୟା; କିନ୍ତୁ ଏହାର ଆହ୍ବାନ ସ୍ଥାନୀୟ। ମଣିଷ ଏତେ ପରିମାଣର ସବୁଜ ଗୃହ ବାଷ୍ପ ବାୟୁମଣ୍ଡଳକୁ ନିର୍ଗତ କରିସାରିଛି ଯେ ତା’ର ତତ୍କାଳ ନିୟନ୍ତ୍ରଣ ସହଜ ନୁହେଁ; କିନ୍ତୁ ଆଗତ ବିପତ୍ତିକୁ ସାମାନ୍ୟ ଟାଳିଦେବାକୁ ହେଲେ ଏବେଠାରୁ ଠୋସ୍‌ ପଦକ୍ଷେପ ଗ୍ରହଣ କରିବାକୁ ହିଁ ପଡ଼ିବ।

ଗତ ସୋମବାର ଆଇପିସିସି ପ୍ରକାଶ କରିଥିବା ନିଜ ବିବରଣୀରେ ଉଲ୍ଲେଖ କରିଛି ଯେ ଦେଶଗୁଡ଼ିକ ଅଙ୍ଗାରକାମ୍ନ ନିର୍ଗମନକୁ ତୁରନ୍ତ ହ୍ରାସ କରିବା ଆରମ୍ଭ କଲେ ମଧ୍ୟ ଆଗାମୀ ଦୁଇ ଦଶନ୍ଧି ମଧ୍ୟରେ ଧରିତ୍ରୀ ୧.୫ ଡିଗ୍ରୀ ସେଲ୍‌ସିୟସ୍‌ରୁ ଅଧିକ ଉତ୍ତପ୍ତ ହୋଇପାରେ। ଜଳବାୟୁ ସଙ୍କଟ ନେଇ ପୂର୍ବରୁ ଅନେକ ବିବରଣୀ ପ୍ରକାଶ ପାଇଛି; କିନ୍ତୁ ଏଥରର ବିବରଣୀରେ ରହିଥିବା ଚେତାବନୀ କିଛିଟା କଠୋର। ଜାତିସଙ୍ଘ ମହାସଚିବ ଏହି ପରିପ୍ରେକ୍ଷୀରେ କହିଛନ୍ତି, ‘‘ଆମ ଗ୍ରହଟି ଧ୍ବଂସ ହୋଇଯିବା ପୂର୍ବରୁ କୋଇଲା ଓ ଜୈବାଶ୍ମ ଇନ୍ଧନ ବ୍ୟବହାରକୁ ବନ୍ଦ କରିବାକୁ ହେବ।’’ ବିଶ୍ବ ତାପମାତ୍ରା ବୃଦ୍ଧିର ମୁଖ୍ୟ କାରଣ ଅନିୟନ୍ତ୍ରିତ ଅଙ୍ଗାରକାମ୍ଳ ନିର୍ଗମନ; ତେଣୁ ଏହି କଥାଟି ସର୍ବାଧିକ ମହତ୍ତ୍ବପୂର୍ଣ୍ଣ। ଯଦି ଦେଶଗୁଡ଼ିକ ଏ କ୍ଷେତ୍ରରେ ଆବଶ୍ୟକ ପଦକ୍ଷେପ ନେବେ ନାହିଁ ଓ ସବୁଜ ଗୃହ ବାଷ୍ପ ନିର୍ଗମନକୁ ବନ୍ଦ ଚେତାବନୀକୁ ଉପେକ୍ଷା କରିବେ, ତେବେ ୨୦୩୦ ସୁଦ୍ଧା ଅବସ୍ଥା ଅସମ୍ଭାଳ ହେବା ନିଶ୍ଚିତ। ପ୍ରକୃତରେ ଏହା ଏବେ ମଧ୍ୟ ବିଶ୍ବର ବିଭିନ୍ନ ସ୍ଥାନରେ ଅନୁଭୂତ ହେଲାଣି। କେଉଁଠି ଅନିୟମିତ ବର୍ଷା ହେଉଛି ତ ଆଉ କେଉଁଠି ଅଭୂତପୂର୍ବ ଉତ୍ତାପ ବୃଦ୍ଧି ଘଟୁଛି। କେଉଁଠି ଅସମୟ ବନ୍ୟା ଆସୁଛି ତ ଆଉ କେଉଁଠି ମରୁଡ଼ି ଲାଗି ରହୁଛି।

prayash

ଭାରତ ଜଳବାୟୁ ପରିବର୍ତ୍ତନକୁ ନେଇ ସର୍ବଦା ନିଜର ସ୍ପଷ୍ଟ ମତ ରଖିଆସିଛି। ପ୍ରକୃତରେ ଏଥିପାଇଁ ଯେଉଁ ଦେଶଗୁଡ଼ିକ ବେଶି ଦାୟୀ, ବିଶେଷତଃ ଚୀନ ଓ ଆମେରିକା ପରି ବିକଶିତ ଦେଶ ସବୁଜ ଗୃହ ବାଷ୍ପ ହ୍ରାସ ଦିଗରେ ଉଲ୍ଲେଖନୀୟ ପଦକ୍ଷେପ ନେଉନାହାନ୍ତି। ସର୍ବୋପରି, ବିକଶିତ ଦେଶଗୁଡ଼ିକ ପ୍ରଯୁକ୍ତି ସ୍ଥାନାନ୍ତର ଏବଂ ଆର୍ଥିକ ସହାୟତା ପ୍ରଦାନ କରିବାକୁ ପ୍ରତିଶ୍ରୁତିବଦ୍ଧ ଥିଲେ ହେଁ ତାହା ପାଳନ କରୁନାହାନ୍ତି, ଯାହା ପ୍ୟାରିସ୍‌ ଚୁକ୍ତିର ଲକ୍ଷ୍ୟ ହାସଲ ଦିଗରେ ବଡ଼ ପ୍ରତିବନ୍ଧକ ସାଜିଛି। ଅନ୍ୟପକ୍ଷରେ, ଭାରତ ସବୁଜ ଗୃହ ବାଷ୍ପ ନିର୍ଗମନ କ୍ଷେତ୍ରରେ ବିଶ୍ବରେ ତୃତୀୟ ସ୍ଥାନରେ ରହିଛି। ଏଠାରେ ପ୍ରଦୂଷଣର ମୁଖ୍ୟ ଉତ୍ସ ହେଉଛି କୋଇଲା। ଏହାର ବ୍ୟବହାର ଯେତେ ହ୍ରାସ ପାଇବ, ପ୍ରଦୂଷଣ ମଧ୍ୟ ସେତିକି କମ୍‌ ହେବ। ଏହା ୨୦୨୦ରେ କୋଭିଡ ମହାମାରୀଜନିତ ତାଲାବନ୍ଦ ସମୟରେ ପ୍ରମାଣିତ ହୋଇସାରିଛି।

ଏବେ ଆମ ଦେଶରେ ତାଲାବନ୍ଦ କଟକଣାକୁ କୋହଳ କରିବା ପରେ କଳକାରଖାନାଗୁଡ଼ିକ ପୁଣି କାର୍ଯ୍ୟାରମ୍ଭ କରିଛନ୍ତି; ତେଣୁ କୋଇଲାଜନିତ ପ୍ରଦୂଷଣ ନିଶ୍ଚୟ କିଛିଟା ପୁଣି ବୃଦ୍ଧି ପାଇବ। ତେବେ ପ୍ୟାରିସ୍‌ ଜଳବାୟୁ ଚୁକ୍ତିର ଲକ୍ଷ୍ୟ ହାସଲ ପାଇଁ ଭାରତ ନିରନ୍ତର ଉଦ୍ୟମ କରିଆସୁଛି; ବିଶେଷତଃ ପୁନଃନବୀକରଣ ଶକ୍ତିଉତ୍ସଗୁଡ଼ିକରୁ ପ୍ରାୟ ୪୦ ଶତାଂଶ ବିଦ୍ୟୁତ୍‌ ଉତ୍ପାଦନ କରିବା ସ୍ଥିତିରେ ଦେଶ ପହଞ୍ଚିଲାଣି। ତେଣୁ ୨୦୩୦ ମସିହା ସୁଦ୍ଧା ଏକ-ତୃତୀୟାଂଶ ଅଙ୍ଗାରକାମ୍ଳ ନିର୍ଗମନ ହ୍ରାସ କରାଯାଇପାରିବ ବୋଲି ଆଶା ପ୍ରକାଶ ପାଇଛି। ଏହା ନିଶ୍ଚିତଭାବେ ଏକ ସକାରାତ୍ମକ ସଙ୍କେତ। ପରିବେଶ ମନ୍ତ୍ରଣାଳୟର କହିବା ଅନୁଯାୟୀ, ଯଦି ନିର୍ମାଣାଧୀନ ପୁନଃନବୀକରଣ ପ୍ରତିଷ୍ଠାନଗୁଡ଼ିକୁ ହିସାବକୁ ନିଆଯାଏ, ତେବେ ପୁନଃନବୀକୃତ ଶକ୍ତିର ପରିମାଣ ପ୍ରାୟ ୫୦ ଶତାଂଶ ପାଖାପାଖି ହୋଇଯିବ।

ଏହା ପ୍ୟାରିସ୍‌ ଚୁକ୍ତିର ଲକ୍ଷ୍ୟଠାରୁ ଅଧିକ। ଅପର ପକ୍ଷେ, ଯଦି ବର୍ତ୍ତମାନ ଗତିରେ ଅଙ୍ଗାରକାମ୍ଳ ନିର୍ଗମନ ବୃଦ୍ଧି ପାଏ, ତେବେ ଆଗାମୀ ଦୁଇ ଦଶନ୍ଧି ଭିତରେ ଏହାର ପରିମାଣ ଦୁଇଗୁଣ ହୋଇଯିବ ବୋଲି ଆଶଙ୍କା କରାଯାଉଛି। ତେଣୁ କୋଇଲା ଓ ଜୀବାଶ୍ମ ଇନ୍ଧନ ପରିବର୍ତ୍ତେ ପୁନଃନବୀକୃତ ଶକ୍ତିକୁ ଆମେ ଯେପରି ଅବିଳମ୍ବେ ଅଧିକ ଉପଯୋଗୀ କରିପାରିବା, ସେ ଦିଗରେ ଧ୍ୟାନ କେନ୍ଦ୍ରିତ କରିବାକୁ ହେବ। ଏହାର ଅର୍ଥ ଆମେ ସୌର ବା ପବନଶକ୍ତିକୁ ପ୍ରତ୍ୟେକ କାର୍ଯ୍ୟରେ ବ୍ୟବହାର କରିବା, ବୃହତ୍‌ ଶିଳ୍ପଗୁଡ଼ିକ ପାଇଁ ହାଇଡ୍ରୋଜେନ୍‌ ପ୍ରଯୁକ୍ତିର ଉପଯୋଗ ଏବଂ ଅଙ୍ଗାରକାମ୍ନ ନିର୍ଗମନ ହ୍ରାସ ପାଇଁ ବିସ୍ତୀର୍ଣ୍ଣ ବନୀକରଣ ଆଦିକୁ ସର୍ବାଧିକ ଗୁରୁତ୍ବ ଦେବା।

ଜଳବାୟୁ ପରିବର୍ତ୍ତନ ଓ ପାରିବେଶିକ ସଙ୍କଟ ନେଇ ଆୟୋଜିତ ଆନ୍ତର୍ଜାତିକ ସମ୍ମିଳନୀ ଓ ବୈଠକଗୁଡ଼ିକରେ ବିଶ୍ବ ନେତୃମଣ୍ଡଳୀ ଚିନ୍ତା ପ୍ରକଟ କରୁଥିଲେ ହେଁ ନିଜେ ପଦକ୍ଷେପ ନେଲାବେଳକୁ ପଛଘୁଞ୍ଚା ଦେଉଥିବା ଦେଖାଯାଉଛି। ଏପରି କି ଆମେରିକା ପରି ଦେଶ ପ୍ୟାରିସ୍‌ ଚୁକ୍ତିରୁ ଏକଦା ଓହରି ଯାଇଥିଲା। ଏଥିରୁ ସେସବୁ ଦେଶର ମତିଗତି କ’ଣ, ତାହା ସହଜେ ଅନୁମେୟ। ଦେଖାଯାଉ, ଆସନ୍ତା ନଭେମ୍ବରରେ ସ୍କଟ୍‌ଲାଣ୍ଡର ଗ୍ଲାସ୍‌ଗୋ ସହରରେ ଅନୁଷ୍ଠିତ ହେବାକୁ ଯାଉଥିବା ଜଳବାୟୁ ସମ୍ମିଳନୀର ନିଷ୍କର୍ଷ କ’ଣ ବାହାରୁଛି। ତେବେ ଏ ସୁନ୍ଦର ଧରିତ୍ରୀର ସୁରକ୍ଷା ଦାୟିତ୍ବ କେବଳ ଗୋଟିଏ ଦେଶ ବା କିଛି ଲୋକଙ୍କର ନୁହେଁ, ସମଗ୍ର ମଣିଷ ସମାଜର। ଏଥିପାଇଁ ପ୍ରତ୍ୟେକେ ଆନ୍ତରିକତାର ସହ କାର୍ଯ୍ୟ କରିବା ବିଧେୟ। ଆମେ ନ ଚେତିଲେ ଆଉ ରକ୍ଷା ନାହିଁ।

kalyan agarbati

Comments are closed.