www.samajalive.in
Sunday, December 7, 2025
14.1 C
Bhubaneswar

ଅଦାଲତିଆ ପ୍ରବଣତା

ଇତର ଜୀବ ଅବୋଧ୍ୟ ‘ତ୍ୟାଗ’ ଓ ‘ଭୋଗ’, ମଣିଷ ଓ ମଣିଷପଣିଆର ବୋଧଗମ୍ୟ। ଦୁହିଁଙ୍କ ଭିତରେ କେତେ ଫାଙ୍କ, କେତେ ଫରକ ତା’ ତ ବିବେକ ଅଧିକାରୀ ମଣିଷର ସମୀକ୍ଷା ଓ ଅନୁଭବର ବିଷୟ। ସବୁ ମଣିଷ କ’ଣ ସମାନ? ଆଦୌ ନୁହଁ। ତେବେ ଏହି ଅସମାନତା ଓ କିସମର ଭିନ୍ନାଭିନ୍ନ ବାଛିବା ବେଳେ, ‘ଭୋଗ’ ଓ ‘ତ୍ୟାଗ’ର ବିଚାର ହୁଏ। ବିବେକାନୁଗତ ମଣିଷ, ତା’ର ଭୋଗେନ୍ଦ୍ରିୟମାନଙ୍କୁ ଅଙ୍କୁଶିତ କରି ତା’ ପାଇଁ ଏକ ବାଟଚଲା ରାସ୍ତା ତିଆରି କରିଛି। ମହାଜନ, ଗୁରୁଜନମାନଙ୍କ ନିର୍ଦେଶିତ, ପରୀକ୍ଷିତ ଏ ବାଟ ବା ରାସ୍ତା। କୁହାଗଲା, ‘‘ମହାଜନଃ ଯେନ ଗତଃ ସ ପନ୍ଥାଃ।’’ ଏ ବାଟ ଯେ ହୁଡ଼ିଲା, ଏଡ଼ିଲା ତା’ ଭବିଷ୍ୟତ ଯେ ‘ବାରଣ୍ଡା ଛ’ କଡ଼ା’ର ହେବ ଏଥିରେ ସନ୍ଦେହ ନାହିଁ। ନିଜ ବାଟ, ନିଜ ନୀତି, ନିଜ ଧର୍ମରେ ଲାଭ ବା ପ୍ରାଚୁର୍ଯ୍ୟ ଯଥେଷ୍ଟ ନ ହେଲା ବୋଲି ଅନ୍ୟ ଅନିର୍ଦିଷ୍ଟ ବାଟ ବା ଧର୍ମାନୁଗତ ହେବା ବରଂ ଅବାଞ୍ଛିତ ଓ ଭୟାବହ ହୋଇଥାଏ। କୁହା ବି ତ ଗଲା, ‘‘ସ୍ବଧର୍ମେ ନିଧନଂ ଶ୍ରେୟଃ, ପରଧର୍ମୋ ଭୟାବହଃ।’’ ଏ ସବୁ ସତ୍ତ୍ବେ ନୀତି ତେଢ଼ା, ଆଦର୍ଶ ତେଢ଼ା ଲୋକ ବି ଅଛନ୍ତି, ଥିଲେ, ରହିବେ ବି। ତେବେ ହୀନ ସ୍ବାର୍ଥ ପାଇଁ ନୀତି ଆଦର୍ଶ ତେଢ଼ିବା ଓ ବୃହତ୍ତର ସ୍ବାର୍ଥ ପାଇଁ ନୀତି ଛାଡ଼ିବା ଦୁଇ ଭିନ୍ନ କିସମର କଥା।

ଜୀବନ ସାରା ସତ କହୁଥିବା ସତ୍ୟନିଷ୍ଠ ଧର୍ମରାଜ ଯୁଧିଷ୍ଠିର ଏ ସତ ପଥରୁ ଟିକିଏ ହୁଡ଼ିଲେ କି ନାହିଁ ମ? ଅନ୍ୟାୟ, ଅନୀତିର ସମାଧିରଚକ ମହାଭାରତ ଯୁଦ୍ଧର ସଫଳତା ପାଇଁ, ଦ୍ରୋଣାଚାର୍ଯ୍ୟଙ୍କୁ କୌରବପକ୍ଷ ଯୁଦ୍ଧରୁ ନିବୃତ୍ତ ଜରୁରୀ ହୋଇପଡ଼ିଲା। ତାଙ୍କ ପୁଅ ମରିଚି ଶୁଣିଲେ, ସେ ଯୁଦ୍ଧ ଛାଡ଼ିଦେବେ ବୋଲି ଶ୍ରୀକୃଷ୍ଣ ଜାଣିଥିଲେ। ଅଶ୍ବତ୍ଥାମା ହାତୀଟେ ମରିଗଲା। ମାତ୍ର ପ୍ରଚାର ହୋଇଗଲା ଦ୍ରୋଣ ପୁତ୍ର ଅଶ୍ବତ୍ଥାମା ମରିଗଲେ। ଦୋହଲିଗଲେ ଦ୍ରୋଣାଚାର୍ଯ୍ୟ ପୁତ୍ରର ଏ ନିଧନ ସମ୍ବାଦରେ। ତେବେ ଏ ସମ୍ବାଦର ସତ୍ୟତା ଜାଣିବାକୁ ସର୍ବଦା ସତ୍ୟାନୁରାଗୀ ଯୁଧିଷ୍ଠିରଙ୍କୁ ସେ ପଚାରିଲେ। ମାତ୍ର କୃଷ୍ଣ ଯୁଧିଷ୍ଠିରଙ୍କୁ ସତ କଥାଟା ନ କହିବାକୁ ପ୍ରବର୍ତ୍ତେଇଲେ। କହିଲେ, ‘‘ଚୋରଗୁଡ଼ା, ଅନ୍ୟାୟୀଗୁଡ଼ା ନ୍ୟାୟାନ୍ୟାୟ କଥା କ’ଣ ଗପିବେ? ୟେ ଧର୍ମଯୁଦ୍ଧ। ଧର୍ମରକ୍ଷା ପାଇଁ ଯା’ ଇଚ୍ଛା ତା’ କରାଯାଇପାରେ।’’ ସେଇଠୁ ବହୁ କୁନ୍ଥୁକୁନ୍ଥୁରେ ଯୁଧିଷ୍ଠିର କହିଲେ, ‘‘ନରେ ବା ଗୁଞ୍ଜରେ ଅଶ୍ବତ୍ଥାମା ହତଃ।’’ ‘‘ମଣିଷ ହେଉ କି ପଶୁ ହେଉ ଅଶ୍ବତ୍ଥାମା ମରିଛି।’’ ଏଇଥିରୁ ଦ୍ରୋଣ ବୁଝିଲେ ତାଙ୍କ ପୁଅ ମରିଯାଇଛି ଓ ଅସ୍ତ୍ରତ୍ୟାଗ ପ୍ରତିଜ୍ଞା କଲେ। ମାତ୍ର ଭୀଷ୍ମ ଓ କର୍ଣ୍ଣଙ୍କୁ ଦେଖୁନା। ନଛୋଡ଼ବନ୍ଦା ସେମାନେ। ନିଜ ନିଷ୍ପତ୍ତି, ପ୍ରତିଜ୍ଞାରୁ କୋଉ ହଟିଲେ, କୋଉ ସାଲିସ କଲେ?

- Advertisement -

ନାରୀ ହତ୍ୟା କରିବେନି ଭୀଷ୍ମ। ଯୁଦ୍ଧ ପଡ଼ିଆରେ ତାଙ୍କ ଆଗରେ ଶିଖଣ୍ଡୀଙ୍କୁ ଠିଆ କରେଇ ଦିଆଗଲା। ତା’କୁ ଅର୍ଜୁନ ଶର ମାରିବେନି। ଠିଆ ହୋଇ ରହିଲେ ସେମିତି। ମାୟାବୀ କୃଷ୍ଣଙ୍କ ଇସାରାରେ ଏଇ ମଉକାରେ ସେ ପିତାମହ ଭୀଷ୍ମଙ୍କୁ, ରଣର ସମସ୍ତ ନିୟମ ଭଙ୍ଗକରି ଶର ବିନ୍ଧି ବିନ୍ଧି, ଶରଶଯ୍ୟାରେ ଶୁଆଇ ଦେଇ, ଭୀଷ୍ମ-ରିଷ୍ଟ ଖଣ୍ଡିତ ହୋଇଗଲେ। ନ ହେଲେ ତ ସେଇ ଦିନ ହିଁ ମହାଭାରତ ଯୁଦ୍ଧ ଖତମ ହୋଇଥା’ନ୍ତା। ମହାଦାନୀ କର୍ଣ୍ଣଙ୍କ କଥା ବି ସେଇଆ। ‘ବଚନବଦ୍ଧତା’ର ସାଲିସ କାଇଁ? ‘‘ହାତୀକା ଦାନ୍ତ୍, ମରଦ କା ବାତ୍।’’ ଏମାନେ ବାଟ ଓ ନୀତି ଭାଙ୍ଗି ନାହାନ୍ତି। ‘‘ଶିର୍ ଦେଙ୍ଗେ ସାର ନେହିଁ ଦେଙ୍ଗେ। ମରନ୍ତୁ ଦି’ ପୁଅ’’, ଜାତି ଓ ଧର୍ମ ରକ୍ଷା ପାଇଁ ସାଲିସ କାଇଁ? ଏମାନେ ସବୁ ଗୋଟେ କିସମର। ମାତ୍ର ସ୍ବାର୍ଥ ପାଇଁ, ଅବାଟ ବରିନେବା, ନୀତିରୁ ଓହରିବା ଲୋକେ ଆଉ ଗୋଟେ କିସମର। ବାଟ ହଗା, ବାଟଭଙ୍ଗା ସ୍ବାର୍ଥାନ୍ଧଙ୍କ କଥା ଏ ପ୍ରସଙ୍ଗ ଅନ୍ତର୍ଗତ ନୁହଁ। ଶାସ୍ତ୍ର ତ କହିଲା, ‘‘ନିଷିଦ୍ଧମପ୍ୟାଚରଣୀୟାମାପଦି ସତୀକ୍ରିୟା ନାବତି ଯତ୍ର ସର୍ବଥା। ଘନାମ୍ବୁନା ରାଜପଥେ ହି ପିଚ୍ଛିଳେ କ୍ବଚିଦ୍ବୁଦ୍ଧୈରପ୍ୟପଥେନ ଗମ୍ୟତେ।’’ ଅର୍ଥାତ୍ ସାଧୁକାମ ଯେତେବେଳେ ହାସଲ ହୋଇପାରେନି, ସେତେବେଳେ ନିଷିଦ୍ଧ କାର୍ଯ୍ୟ ମଧ୍ୟ ଆଚରଣ କରାଯାଇଥାଏ। ଯେମିତି ରାଜପଥ ଜଳମଗ୍ନ ହୋଇ ପିଚ୍ଛିଳ ବା ଅଗମ୍ୟ ହୋଇପଡ଼ିଲେ, ସାଧୁ ବା ଜ୍ଞାନୀମାନେ ବାଟ ଭାଙ୍ଗି ଯାଇଥା’ନ୍ତି। ଆଉ ବି କଥା ଅଛି, ‘‘ଅକାଳେ ନିୟମ ନାସ୍ତି।’’ ମାତ୍ର ଅକାଳ ଅର୍ଥ ଅକଥା, ଅନ୍ୟାୟ ଆଚରଣ ପାଇଁ ନିୟମକୁ ନାହିଁ କରିଦେବା ନୁହେଁ। ଚୋରି କଲାବେଳେ ଧରାପଡ଼ିଲ ଓ ସେଥିରୁ ରକ୍ଷାପାଇଁ, ‘ନରହତ୍ୟା’ କରି ନିୟମ ଭାଙ୍ଗିବା ଯଥାର୍ଥ ନୁହେଁ।

ଏବେ କୋଭିଡର ଦ୍ବିତୀୟ ଲହର ଆସିଛି, ସରକାର କି ଜନତା ପ୍ରଥମ ଲହରରୁ କ’ଣ ଶିଖିଛନ୍ତି ସେମାନଙ୍କୁ ଜଣା। ଏଥର ‘ଅମ୍ଳଜାନ’ ଅଭାବୀ ଏ ରୋଗର ଚିକିତ୍ସା ଆଗରେ ଘୋର ସମସ୍ୟା ସୃଷ୍ଟି କରିଛି। ଅମ୍ଳଜାନ ସରକାର ବା ସମ୍ପୃକ୍ତ ସଂସ୍ଥା ଯୋଗାଇ ନ ପାରିବାରୁ ହଜାର ହଜାର ରୋଗୀ ମୃତ୍ୟୁମୁଖରେ ପଡ଼ିଛନ୍ତି। ଏ ବିଷୟରେ ଦିଲ୍ଲୀର ଗୋଟେ ସଂସ୍ଥା ଦିଲ୍ଲୀ ଉଚ୍ଚନ୍ୟାୟାଳୟକୁ ଗଲେ ନ୍ୟାୟ ପାଇବା ପାଇଁ, ସରକାର ଆବଶ୍ୟକ ଅମ୍ଳଜାନ ଯୋଗାଇ ଦେବାକୁ। ଏବେ ତ କଥାକଥାକେ ଲୋକ ବିଚାର ବିଭାଗକୁ ଯାଉଛନ୍ତି। ଗାଁ ରାସ୍ତାରେ ମାଟି ପଡ଼ିଲାନି ତ ଅଦାଲତକୁ ଧାଁ। ଆରେ ତମ ସରପଞ୍ଚ, ୱାର୍ଡ଼ ସଭ୍ୟ, ବିଧାୟକ ସବୁ ଗଲେ କୁଆଡ଼େ? ଗଣତାନ୍ତ୍ରିକ ବ୍ୟବସ୍ଥା କ’ଣ ଭୁଶୁଡ଼ି ପଡ଼ିଲା? ଏଠୁ କ’ଣ ଆସ୍ଥା ତୁଟିଗଲା? ହଁ ସତରେ ଗଣତନ୍ତ୍ର ଏବେ ଫୁରୁସି ଯାଉଛି। ଲୋକେ ବିଚାର ବିଭାଗ ମୁହଁା ହେଲେଣି। ମହାଭାଗମାନେ ବି ସବୁଠି ନାକ ପୂରେଇଲେଣି।

‘ଅମ୍ଳଜାନ’ ଅଭାବରୁ ରୋଗୀ ମରିବା କଥାରେ ମାନ୍ୟବର ଅଦାଲତ ତୀବ୍ର ଅସନ୍ତୋଷ ପ୍ରକାଶ କରିଛନ୍ତି। ଏ ବିଷୟରେ ଅଦାଲତରେ ତର୍ଜମା ହେବା ବେଳେ ମାନ୍ୟବର ବିଚାରପତି ବି ଭାବପ୍ରବଣ ହୋଇଉଠିଲେ। କହିଲେ, ‘‘ଚୋରି କର କି ମାଗିକରି ଆଣି ଅମ୍ଳଜାନ ଯୋଗାଅ।’’ ଏ କଥାରେ ଦେଶବାସୀ ବି ଦୋହଲିଗଲେ। ଏ ସମସ୍ୟାର ସମାଧାନ ଯେନତେନ ପ୍ରକାରେଣ କରିବାକୁ ସରକାରଙ୍କୁ ନିର୍ଦେଶ ଦେବାର ଭାବ, ପ୍ରବଣତା ଅଧିକ ହେତୁ ‘ଚୋରି କରି’ ଦେବାକୁ ମାନ୍ୟବର ଅଦାଲତ କହିପକାଇଲେ। ଯାହା ହେଲେ ବି ଏମିତି ଗୋଟାଏ ଟିପ୍ପଣୀ ଏ ଦେଶର ଅଦାଲତଙ୍କଠୁ ନିଗିଡ଼ି ପଡ଼ିବାରୁ ‘ତରାଜୁ’ ଯେ ଅସମାନ ହୋଇପଡ଼ିଛି, ପ୍ରବଣତାର ସ୍ରୋତରେ ହଲଚହଲ ହୋଇଯାଇଛି ଜଣାପଡ଼େ। ତେବେ ଯେନତେନ ପ୍ରକାରେଣ କାର୍ଯ୍ୟ ହାସଲ କରୁଥିବା ବା କରିବାକୁ କହୁଥିବାମାନେ ଯୁଧିଷ୍ଠିରଙ୍କ ‘‘ନରେ ବା ଗୁଞ୍ଜରେ’’ କିସମର ସିନା, କର୍ଣ୍ଣ କି ଭୀଷ୍ମ କି ‘‘ଶିର୍ ଦେଙ୍ଗେ ସାର୍ ନେହିଁ ଦେଙ୍ଗେ’’ କିସମର ନୁହେଁ।

ଏବେ ତ ସେଇ ଋତୁ ଆସିଛି। ‘‘ଘୋର କଳିଯୁଗ ପ୍ରାପ୍ତେ ନରାଃ ପୁଣ୍ୟବିବର୍ଜିତା ଦୁରାଚାରରତା ସର୍ବେ ସତ୍ୟବାର୍ତ୍ତା ପରାଂମୁଖାଃ’’। ତେବେ ଆମ ରାଜ୍ୟରୁ ‘ଅମ୍ଳଜାନ’ ବୋଝେଇ ଟ୍ରକମାନ ନବୀନ ସରକାର ଗୁଜରାଟ, ଦିଲ୍ଲୀ ଆଦି ରାଜ୍ୟକୁ ପଠେଇ ଢେର ସହୃଦୟତାର ପ୍ରମାଣ ଦେଇଛନ୍ତି ଓ ମାନ୍ୟବର ଅଦାଲତଙ୍କ ଆବେଗର ଏହା ଏକ ପ୍ରତିଧ୍ବନି ବନିଯାଇଛି। ଆଜିର କରୋନା, ଆଜିର ଦୁର୍ନୀତି, ଆଜିର ଡକେଇତି ଓ ଧର୍ଷଣ ଆଦିର ‘ଭୂତାଣୁ’ର କାରଣ କ’ଣ ତାକୁ ନ ବୁଝିବାଯାଏ, ନ ଭେଦିଲାଯାଏ, ଅନ୍ଧାର ଘରେ ବାଡ଼ି ବୁଲାଉ ଥା’।

Hot this week

ଘରର ଏହି ଦିଗରେ ରଖନ୍ତୁ ଏହି ଖାସ୍‌ ଜିନିଷ : ଜୀବନରେ ଆସିବ ଉନ୍ନତି , ହେବ ଧନ ବର୍ଷା

ନୂଆଦିଲ୍ଲୀ : ବାସ୍ତୁ ଶାସ୍ତ୍ର ଅନୁଯାୟୀ ଘରେ କିଛି ଖାସ୍ ବସ୍ତୁ...

ଅହୋରାତ୍ର ଧାରଣାରେ ପ୍ରାଥମିକ ଶିକ୍ଷକ ମହାସଂଘ

ଭୁବନେଶ୍ୱର,୬ା୧୨(ନି.ପ୍ର): ଗାନ୍ଧୀମାର୍ଗରେ ପ୍ରାଥମିକ ଶିକ୍ଷକ ମହାସଂଘର ଅହୋରାତ୍ର ଆନ୍ଦୋଳନ ଜାରି ରହିଛି।...

ବାଚସ୍ପତିଙ୍କ ରୁଲିଂ ଦାବି କଲେ ପ୍ରମିଳା

ଭୁବନେଶ୍ୱର : ରାଜ୍ୟରେ ମାନବ ଚାଲାଣ ଓ ଶିଶୁ ନିର୍ଯାତନା ଚିନ୍ତାଜନକ...

ଏଏନ୍‌ଏମ ପ୍ରଶ୍ନପତ୍ର ପ୍ରଘଟ ପ୍ରସଙ୍ଗରେ ବିଜେଡିର ସମାଲୋଚନା

ଭୁବନେଶ୍ବର : ଏଏନଏମ ପ୍ରଶ୍ନପତ୍ର ପ୍ରଘଟ ଓ ଶେଷ ମୁହୂର୍ତ୍ତରେ ଏହି...

୩୭ ଟ୍ରେନ୍‌ରେ ଲାଗିଲା ଅତିରକ୍ତ ୧୧୬ ବଗି

ନୂଆଦିଲ୍ଲୀ : ଇଣ୍ଡିଗୋ ସମସ୍ୟା ଯୋଗୁଁ ଦେଶବ୍ୟାପୀ ବିମାନସେବା ବର୍ତ୍ତମାନ ଜଟିଳ...

Related Articles

Popular Categories