www.samajalive.in
Tuesday, December 9, 2025
26.1 C
Bhubaneswar

ଅଧିକାର ବନାମ କର୍ତ୍ତବ୍ୟ

କମଳାପ୍ରସାଦ ମହାପାତ୍ର

ଆମେ ସମସ୍ତେ ଊଣାଅଧିକେ ଜାଣୁ ଯେ ଆମ ଦେଶ ସ୍ୱାଧୀନ ହେବା ପରେ ଆମର ସମ୍ବିଧାନ ପ୍ରଣୟନ ହୋଇଛି। ସେହି ସମ୍ବିଧାନର ଧାରା ୧୪ରେ ଜଣେ ନାଗରିକର କ’ଣ କ’ଣ ମୌଳିକ ଅଧିକାର ରହିଛି ସେ ସବୁ ବିଶଦଭାବେ ବର୍ଣ୍ଣିତ ହୋଇଛି। ଆମ ଦେଶ ବା ରାଜ୍ୟର ପ୍ରାୟ ସମସ୍ତ ସଚେତନ ନାଗରିକ ନିଜନିଜର ମୌଳିକ ଅଧିକାର ଅଧିକାରଗୁଡିକୁ ସାବ୍ୟସ୍ତ କରିବାକୁ ସର୍ବଦା ପ୍ରଚେଷ୍ଟା କରନ୍ତି। ନ କରିବେ ବା କାହିଁକି। କରିବା ସର୍ବାଦୌ ବିଧେୟ। ଏହା ଏକ ଶିକ୍ଷିତ, ସଚେତନ, ଦାୟିତ୍ୱସଂପନ୍ନ ନାଗରିକର କର୍ତ୍ତବ୍ୟ ଅଟେ; ମାତ୍ର ବିଡମ୍ବନାର ବିଷୟ ଯେ ଆମ ଭିତରେ ଅଧିକାର ସାବ୍ୟସ୍ତ କରିବା ପାଇଁ ଯେତିକି ଉତ୍ସାହ ବା ମାନସିକତା ଅଛି ନିଜ କର୍ତ୍ତବ୍ୟ ସମ୍ପାଦନ କ୍ଷେତ୍ରରେ ସେତିକି ଉତ୍ସାହ ପରିଲକ୍ଷିତ ହୁଏନାହିଁ, ବରଂ ଆମେ ଖାଲି ସୁଯୋଗ ଉଣ୍ଡିବାରେ ବ୍ୟସ୍ତ, ଆଉ କେମିତି ଆଶାନୁରୂପ କର୍ତ୍ତବ୍ୟ ସମ୍ପାଦନ ନ କରି ପ୍ରଶଂସାଭାଜନ ହୋଇପାରିବୁ। ଧରାଯାଉ ସରକାରୀ ଅଫିସରେ କାର୍ଯ୍ୟ ସମ୍ପାଦନ ନ କରି ଯଦି ​‌େ​‌କୗଣସି ମତେ ଉପରିସ୍ଥ ଅଧିକାରୀଙ୍କର ପ୍ରିୟଭାଜନ ହୋଇପାରିଲେ ତେବେ କର୍ତ୍ତବ୍ୟ ନ କରି ମଧ୍ୟ ବେତନଗଣ୍ଡାକ ଠିକ୍ ସମୟରେ ମିଳିପାରିବ। ଖାଲି ସେତିକି ନୁହେଁ, ନିଜ ଦପ୍ତରରେ ମଧ୍ୟ ସହକର୍ମୀଙ୍କ ନିକଟରେ ପ୍ରଭାବଶାଳୀ ହୋଇ ମହାଦେବଙ୍କ ବାସୁଆ ବଳଦର ଭୂମିକା ନିଭେଇ ପାରିବେ। ନିଜ ଦପ୍ତରକୁ କାର୍ଯ୍ୟ ସାଧନ ଉଦ୍ଦେଶ୍ୟରେ ଆସୁଥିବା ଜନସାଧାରଣ ମଧ୍ୟ ଜାଣିବେ ବା ଶୁଣିବାକୁ ପାଇବେ ଅମୁକ ବାବୁଙ୍କୁ ଧରାଧରି କଲେ କାମଟା ଶୀଘ୍ର ହୋଇଯିବ। ବାବୁଙ୍କର କଥା ପୂରା ପକ୍କା। କିଛି ଅର୍ଥ ପଛକେ ଶ୍ରାଦ୍ଧ ହେଉ ବାରମ୍ବାର ଖର୍ଚ୍ଚାନ୍ତ ହୋଇ ଭୁବନେଶ୍ୱର ଆସିବାକୁ ପଡିବ ନାହିଁ। ଆଜିକାଲି କିଛି ଖର୍ଚ୍ଚ ନ କଲେ କୋଉ କଥା ହେଲାଣି ? ଦେଖୁନାହାନ୍ତି ଆମେ କ’ଣ ଖାଲି ହାତରେ ମନ୍ଦିର ଯାଉଛେ। ଠାକୁରଙ୍କୁ ଭୋଗ ଚଢଉଛେ ତେବେ ଯାଇ ଦେବତା ଆଶୀର୍ବାଦ କରୁଛନ୍ତି। ସୁଧୀଜନେ ! ଲୋକମାନଙ୍କର ମାନସିକତା ଲକ୍ଷ୍ୟ କରନ୍ତୁ, ବିନାଦ୍ୱିଧାରେ ସେମାନେ ଲାଞ୍ଚ ଦେବା ପାଇଁ ପ୍ରସ୍ତୁତ। ଲାଞ୍ଚ ନେବା ବ୍ୟକ୍ତି ମଧ୍ୟ ଅନୁରୂପଭାବେ ଲାଞ୍ଚ ଗ୍ରହଣ କରିବାରେ କିଛି ଅସୁବିଧା ନାହିଁ। ଲାଞ୍ଚଗ୍ରହୀତାଙ୍କ ଯୁକ୍ତି ହେଲା ମୁଁ କଣ କାହା ପାଖକୁ ଯାଉଛି ? ସୁତରାଂ ସେ ଅମଲା ବାବୁ ଯୁକ୍ତି ବାଢୁଛନ୍ତି, ଲାଞ୍ଚ ନେବାଟା ଯେପରି ତାଙ୍କ ଅଧିକାର। ଯଦି ଜଣେ ବାବୁ କେବଳ ଲାଞ୍ଚମନସ୍କ ହେବେ ତେବେ ତାଙ୍କ ବୃତ୍ତିଗତ କର୍ତ୍ତବ୍ୟ କେତେ ସମ୍ପାଦନ କରୁଥିବେ ଏଥିରୁ ଅନୁମେୟ।
ଅନୁରୂପଭାବେ ଯେ କୌଣସି ଶିଳ୍ପ ସଂସ୍ଥା ହେଉ, ବ୍ୟାବସାୟିକ ସଂସ୍ଥା ହେଉ ବା ସରକାରଙ୍କର ଯେ କୌଣସି ବିଭାଗର କର୍ମଚାରୀ ହୁଅନ୍ତୁ, ସେମାନଙ୍କ ମଧ୍ୟରୁ ଅଧିକାଂଶ ଦପ୍ତରରେ ନିଜନିଜ କାର୍ଯ୍ୟରେ ଅବହେଳା କରି କେବଳ ବେତନଭତ୍ତା ବୃଦ୍ଧି ହେଉ ବା ପଦୋନ୍ନତି ହେଉ, ଏହି ସବୁ ପ୍ରସଙ୍ଗରେ ଚର୍ଚ୍ଚାକରି ଉପରିସ୍ଥ ହାକିମମାନଙ୍କ ନିକଟରେ ଦାବିପତ୍ର ଦାଖଲ କରି ବିଫଳ ହେଲେ ଆନ୍ଦୋଳନ, କଲମ ଛାଡ, ଅନଶନ, କାର୍ଯ୍ୟବନ୍ଦ, କଳାବ୍ୟାଜ୍ ପରିଧାନ ଆଦି ଚରମ ପନ୍ଥାକୁ ଆପଣେଇ ନେଇଥାଆନ୍ତି। ସେମାନେ କେବେହେଲେ ଭାବନ୍ତି ନାହିଁ ଯେ ଆମକୁ ଯେତିକି ବେତନ ମିଳୁଛି ତା ତୁଳନାରେ ଆମେ କେତେ କାମ କରୁଛୁ। ଦାୟିତ୍ୱ ବା କର୍ତ୍ତବ୍ୟ ଏପରି ଲୋକମାନଙ୍କ ନିକଟରେ ଗୌଣ ପ୍ରସଙ୍ଗ ହୋଇଯାଏ। କେବଳ ପଦୋନ୍ନତି, ଆର୍ଥିକ ଫାଇଦା ପାଇବା ନିମନ୍ତେ ସେମା​‌େ​‌ନ ନିଜର ଅଧିକାର ଜାହିର କରିବାରେ ବ୍ୟସ୍ତ।
ଏବେ ଆସନ୍ତୁ ପରିବାର ସ୍ତରକୁ ଆସିବା। ଗୋଟିଏ ସୁସ୍ଥ ସଂସ୍କୃତିସଂପନ୍ନ ପରିବାର ସମାଜ ଗଠନରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରେ। ଅତୀତରେ ଆମ ଦେଶ ଏବଂ ରାଜ୍ୟରେ ଯୌଥ ପରିବାର ପରଂପରା ପ୍ରଚଳିତ ଥିଲା ଏବଂ ପରିବାରରେ ଅତି ନିବିଡ ସ୍ନେହ ଶ୍ରଦ୍ଧା ବୁଝାମଣା ପରିଲକ୍ଷିତ ହେଉଥିଲା। ଧୀରେଧୀରେ ଯୌଥ ପରିବାର ପରମ୍ପରା ବିଲୁପ୍ତ ହୋଇ ଆଶୁ ପରିବାର ବା ଏକକ ପରିବାରର ପ୍ରଚଳନ ହେଲା। ବିଂଶ ଶତାବ୍ଦୀର ଶେଷ ଦଶନ୍ଧିରେ ଜଗତୀକରଣର ପ୍ରଭାବରେ ଉତ୍କଟ ଆର୍ଥିକ ଲୋଭରେ ଲୋକେ ଆଚ୍ଛନ୍ନ ହୋଇ ନିଜନିଜ ମାନବିକ ମୂଲ୍ୟବୋଧ ଓ ସାମାଜିକ ବା ପାରିବାରିକ ଦାୟିତ୍ୱକୁ ଗୌଣମନେ କରି କେବଳ ବୃତ୍ତିଗତ ସଫଳତା ଓ ଅର୍ଥପ୍ରାପ୍ତିକୁ ଜୀବନର ଧ୍ୟେୟ ମଣିଲେ। ଏପରିକି ବୃଦ୍ଧ ପିତାମାତାଙ୍କୁ ପରିଣତ ବୟସରେ ଏକୁଟିଆ ନିଜ ଗ୍ରାମ ବା ସହରରେ ଛାଡି ଦେଇ ପିଲାମାନେ ବିଦେଶରେ ବସବାସ କଲେ। ସେମାନେ ଅଧିକାର ଜାହିର କଲେ ସିନା, ନିଜର କର୍ତ୍ତବ୍ୟକୁ ଭୁଲିଗଲେ।
ଏ ତ ଗଲା ପିତାମାତାଙ୍କଠାରୁ ଦୂରରେ ରହୁଥିବା ଦାୟାଦମାନଙ୍କ କଥା। ଏବେ ଆସନ୍ତୁ ଦେଖିବା ଯେଉଁ ପିଲାମାନେ ଗୋଟିଏ ସହରରେ ନିଜ ବାପାମା’ଙ୍କ ପାଖରେ ରହୁଛନ୍ତି। ପିତାମାତା ମଧ୍ୟ ବହୁତ ଖୁସି ଯେ ଯାହା ହେଉ ପୁଅବୋହୂ ଆମ ପାଖରେ ଅଛନ୍ତି। ମାତ୍ର ଆଜିକାଲି ବହୁରାଷ୍ଟ୍ରୀୟ ଘରୋଇ କମ୍ପାନୀମାନଙ୍କର ଏତେ କାର୍ଯ୍ୟତାଡନା ଯେ ସେମାନେ କେବଳ ଗୋଟିଏ ଛୁଟିଦିନ ରବିବାର ଛାଡି ଦେଲେ ଅନ୍ୟ ସବୁଦିନ ବ୍ୟସ୍ତ। ଆଉ ଯଦି ସେମାନଙ୍କର ପିଲାଟିଏ ଅଛି, ତେବେ ପିତାମାତାଙ୍କ ପାଖରେ ପିଲାଟିକୁ ଛାଡି ସେମାନେ ନିଶ୍ଚିନ୍ତ। ବିଶେଷତଃ ଜେଜେମା’ ପିଲାର ସମସ୍ତ ଦାୟିତ୍ୱ ନିର୍ବାହ କରି ଅତ୍ୟନ୍ତ ଖୁସି ହୁଅନ୍ତି। କ୍ବଚିତ୍‌ କେବେ ଯଦି ନାତିର ଦାୟିତ୍ୱ ତୁଲାଇବାକୁ ଅକ୍ଷମତା ପ୍ରକାଶ କରନ୍ତି ତେବେ ପୁଅ ବୋହୂ ଅସନ୍ତୁଷ୍ଟ ହୁଅନ୍ତି। କାରଣ ତାଙ୍କ ମା’ଙ୍କଠାରୁ ସାହାଯ୍ୟ ପାଇବା ତାଙ୍କର ଅଧିକାର, ମାତ୍ର ମା’ଙ୍କ ପ୍ରତି ତାଙ୍କର କର୍ତ୍ତବ୍ୟକୁ ସମ୍ପୂର୍ଣ୍ଣ ଉପେକ୍ଷା କରିଦିଅନ୍ତି; ଫଳରେ ପରିବାରରେ ଅଶାନ୍ତିର ନିଆଁ କୁହୁଳିବାରେ ଲାଗେ।
ଉପସଂହାରକୁ ଆସିବା। କର୍ତ୍ତବ୍ୟ ଓ ଅଧିକାର ମଧ୍ୟରେ ସମନ୍ୱୟ ରକ୍ଷା କରିବା ପାଇଁ ପ୍ରତ୍ୟେକ ନାଗରିକ ଧ୍ୟାନ ଦେବା ଉଚିତ। ଏହି କଥା ଆମେ ସମସ୍ତେ ବୁଝିପାରିଲେ, ଖାସ୍ କରି ଯୁବପିଢି ହୃଦୟଙ୍ଗମ କଲେ ଆମ ମହାନ ସଂସ୍କୃତିର ସଂରକ୍ଷଣ ହୋଇପାରିବ। ସାମାଜିକ ମୂଲ୍ୟବୋଧର ଦ୍ରୁତ ସ୍ଖଳନକୁ ମଧ୍ୟ ରୋକାଯାଇପାରିବ।
ପ୍ରାକ୍ତନ ଆଞ୍ଚଳିକ ଶିକ୍ଷା ନିର୍ଦେଶକ
ଭୁବନେଶ୍ୱର

Hot this week

ଇଣ୍ଡୋନେସିଆରେ ବଡ଼ ଧରଣର ଅଗ୍ନିକାଣ୍ଡ, ୨୦ ମୃତ

ସମାଜଲାଇଭ ଡେସ୍କ: ଇଣ୍ଡୋନେସିଆର ଜାକାର୍ତ୍ତାରେ ମଙ୍ଗଳବାର ଏକ ବଡ଼ ଧରଣର ଅଗ୍ନିକାଣ୍ଡ...

ଯୁକ୍ତ ଦୁଇ ପରୀକ୍ଷା ସୂଚୀ ସାମାନ୍ୟ ପରିବର୍ତ୍ତନ

ଭୁବନେଶ୍ଵର : ଯୁକ୍ତ ଦୁଇ ପରୀକ୍ଷା ସୂଚୀରେ ସାମାନ୍ୟ ପରିବର୍ତ୍ତନ ହୋଇଛି।...

ଦେଢ଼ବର୍ଷରେ ମଲେଣି ୧୩୬ ହାତୀ

ସମାଜଲାଇଭ ଡେସ୍କ: ରାଜ୍ୟରେ ହାତୀ ଅସୁରକ୍ଷିତ। ହାତୀ ମୃତ୍ୟୁ ରୋକିବାରେ ସରକାର...

ପାନୀୟଜଳ ସମସ୍ୟା ଦୂର ପାଇଁ ନିର୍ମାଣ ହେଉଛି ୬,୬୪୬ ନୂତନ ନଳକୂପ

ସମାଜଲାଇଭ ଡେସ୍କ: ରାଜ୍ୟରେ ଆଗକୁ ଆସୁଥିବା ଖରାଦିନ ପୂର୍ବରୁ ପାନୀୟଜଳ ସମସ୍ୟା...

ଅଟୋକୁ ଧକ୍କା ଦେଇ ବାଇକ ଚାଳକ ମୃତ

କଲ୍ୟାଣସିଂହପୁର: ରାୟଗଡା ଜିଲ୍ଲା କଲ୍ୟାଣସିଂହପୁର ବ୍ଲକ ଲକ୍ଷ୍ମୀପୁର ଗାଁରେ ଅଟୋ କୁ...

Related Articles

Popular Categories