ବିଶ୍ବରେ ଭୋକିଲା ଲୋକଙ୍କର ଅବସ୍ଥାରେ ପରିବର୍ତ୍ତନ ହେଉନାହିଁ। ୨୦୧୬ ତୁଳନାରେ ୨୦୨୫ରେ ସାମାନ୍ୟ ଉନ୍ନତି ହୋଇଥିଲେ ମଧ୍ୟ କେତେକ ଦେଶରେ ଭୋକିଲା ଲୋକଙ୍କ ଅବସ୍ଥା ଏବେ ମଧ୍ୟ ଚିନ୍ତାଜନକ ରହିଛି। ଜାତିସଙ୍ଘ ପକ୍ଷରୁ ‘ବିଶ୍ବ କ୍ଷୁଧା ରିପୋର୍ଟ-୨୦୨୫’ କହୁଛି ଯେ ବିଶ୍ବର ପ୍ରାୟ ୬୭.୩ କୋଟି ବା ବିଶ୍ବ ଜନସଂଖ୍ୟାର ପ୍ରାୟ ୮.୩ ପ୍ରତିଶତ ଲୋକ ଭୋକ ସମସ୍ୟାରେ ରହିଛନ୍ତି। ଏହି ଲୋକମାନଙ୍କୁ ଉପାସରେ ରାତି କାଟିବାକୁ ହେଉଛି। ଭୋକ ବା ଅନାହାର କେବଳ ଏକ ସମସ୍ୟା ନୁହେଁ। ଏହା ଫଳରେ ଲୋକଙ୍କର ସ୍ବାସ୍ଥ୍ୟ ସଂକଟ ଦେଖାଦେବା ସହିତ ସେହି ମଣିଷର ସ୍ବପ୍ନ ଏବଂ ଜୀବନର ଗୌରବ ଗରିମା ସବୁ ନଷ୍ଟ କରି ଦେଇଥାଏ। ଭୋକିଲା ଲୋକ ଆପଣାର ବିବେକ ବୁଦ୍ଧି ହରାଇ ଅସାମାଜିକ ହୋଇଯିବା ମଧ୍ୟ ଅସମ୍ଭବ ନୁହେଁ। ବିଶ୍ବର ୧୨୩ଟି ଦେଶକୁ ନେଇ ପ୍ରକାଶ ପାଇଥିବା ‘ଗ୍ଲୋବାଲ ହଙ୍ଗର ଇଣ୍ଡେକ୍ସ’ରେ ଭାରତର ସ୍ଥାନ ୧୦୨ରେ ରହିଛି। ଏହି ରିପୋର୍ଟ ଅନୁସାରେ ବିଶ୍ବରେ ୧୩ଟି ଏପରି ସ୍ଥାନ ବିଶେଷକରି ଆଫ୍ରିକୀୟ ଦେଶ ଅଛନ୍ତି ଯେଉଁଠାରେ ୧୨ ଜଣରେ ଜଣେ ବ୍ୟକ୍ତି ଓପାସରେ ଜୀବନ କାଟୁଛନ୍ତି। ୨୦୩୦ ସୁଦ୍ଧା ବିଶ୍ବକୁ ଅନାହାର ମୁକ୍ତ କରିବା ପାଇଁ ଲକ୍ଷ୍ୟଧାର୍ଯ୍ୟ କରାଯାଇଥିବାବେଳେ ଏଥିରେ ସେପରି କିଛି ଅଗ୍ରଗତି ହୋଇପାରୁନାହିଁ।
ଅନାହାର, ଦାରିଦ୍ର୍ୟ ଓ କୁପୋଷଣକୁ ବଢ଼ାଇବାରେ ଯୁଦ୍ଧର ପ୍ରମୁଖ ଭୂମିକା ରହିଛି। ଏହା ସହିତ ଜଳବାୟୁ ପରିବର୍ତ୍ତନ ସମସ୍ୟା ମଧ୍ୟ ଏକ କାରଣ ହୋଇଯାଇଛି। ବିଶ୍ବରେ ଏବେ ସୁଦାନ, ଗାଜା ଓ ୟୁକ୍ରେନରେ ଭୟଙ୍କର ଯୁଦ୍ଧ ଅନେକ ଲୋକଙ୍କ ପାଇଁ ଜୀବନମରଣ ସମସ୍ୟା ସୃଷ୍ଟି କରିଥିବାବେଳେ ସେହି ସେହି ଦେଶ ବା ଅଞ୍ଚଳରେ ଖାଦ୍ୟ ଉତ୍ପାଦନ ହ୍ରାସ ପାଇବା ଅବଧାରିତ। ଯୁଦ୍ଧର ଆତଙ୍କ ମଧ୍ୟରେ ଜୀବନ ଜିଇବା ଅନେକଙ୍କ ପାଇଁ ସମ୍ଭବ ହୋଇପାରୁନାହିଁ। ଏଣୁ ଭୟଙ୍କର ଭାବେ ଦେଶାନ୍ତର ସମସ୍ୟା ଦେଖାଦେଇଛି ଯାହା ଅନାହାରକୁ ବଢ଼ାଉଛି। ସେହିପରି ଜଳବାୟୁ ପରିବର୍ତ୍ତନ, ବିଶ୍ବ ଉତ୍ତପ୍ତିକରଣ କାରଣରୁ ଖାଦ୍ୟ ସାମଗ୍ରୀର ଉତ୍ପାଦନ ବ୍ୟାପକ ଭାବେ ହ୍ରାସ ପାଉଛି। ଜନସଂଖ୍ୟା ବୃଦ୍ଧି ସହିତ ଖାଦ୍ୟ ସାମଗ୍ରୀ ଉତ୍ପାଦନ ହ୍ରାସ ପାଇବା ଏବଂ ପ୍ରାକୃତିକ ବିପର୍ଯ୍ୟୟ କାରଣରୁ କୃଷି ଉତ୍ପାଦନ ପ୍ରଭାବିତ ହେବା ସାଧାରଣ ଲୋକଙ୍କ ଜୀବନଜୀବିକାରେ କ୍ଷତି ପହଞ୍ଚାଉଛି। ସେହି କାରଣରୁ ଭୋକର ଭୂଗୋଳ ଭୟଙ୍କର ରୂପ ନେଉଥିଲାବେଳେ ଏହାର କ୍ଷେତ୍ରଫଳ ବା ଆକାର ଦିନକୁ ଦିନ ବଢ଼ିବାରେ ଲାଗିଛି। ଜଳବାୟୁ ପରିବର୍ତ୍ତନକୁ ସହ୍ୟ କରିପାରୁଥିବା କୃଷି ଉପରେ ଅଧିକ ଧ୍ୟାନ ଦେବାକୁ ହେବ। ଯେଉଁ ଫସଲ ପ୍ରାକୃତିକ ବିପର୍ଯ୍ୟୟ ସହ୍ୟ କରିପାରୁଥିବ ସେଭଳି କୃଷି ଉପରେ ଅଧିକ ଧ୍ୟାନ ଦେବାକୁ ହେବ। ଏଥି ସହିତ ଯୁଦ୍ଧକୁ ମଧ୍ୟ ଶେଷ କରିବାକୁ ପଡ଼ିବ। ଯୁଦ୍ଧ କାରଣରୁ ସଂପୃକ୍ତ ଦେଶର ଅର୍ଥନୀତି ଓ କୃଷି ପ୍ରଭାବିତ ହୋଇ କ୍ଷୁଧା ସମସ୍ୟା ଭୟଙ୍କର ହୋଇଥାଏ।
୨୦୩୦ ମଧ୍ୟରେ ବିଶ୍ବରୁ ଅନାହାର ଦୂର କରିବାକୁ ହେଲେ, ବିଶ୍ବର ସବୁଠି ଶାନ୍ତିର ସହାବସ୍ଥାନ ହେବା ଜରୁରୀ। ପରିବେଶ ଅନୁକୂଳ କୃଷି ଉତ୍ପାଦନ ବୃଦ୍ଧି ହେବା ଆବଶ୍ୟକ ଏବଂ ଖାଦ୍ୟ ସାମଗ୍ରୀ ବିଶ୍ବର ସମସ୍ତ ଅଞ୍ଚଳରେ ଚାହିଦା ମୁତାବକ ସମବଣ୍ଟନ ହେବାର ଆବଶ୍ୟକତା ରହିଛି। ଏ ଦିଗରେ ସମୃଦ୍ଧ ଦେଶ ଓ ସରକାରମାନେ ଉଦ୍ୟମ କରିବା ଆବଶ୍ୟକ।



