ପୁଲିସ ମୁଖ୍ୟ ନିଯୁକ୍ତି ପ୍ରସଙ୍ଗ

0

ଦେଶରେ ପୁଲିସ ସଂସ୍କାର କାର୍ଯ୍ୟକ୍ରମର ସବୁଠୁ ବଡ଼ ଗୁରୁତ୍ବପୂର୍ଣ୍ଣ ଦିଗଟି ହେଲା ପୁଲିସ ବାହିନୀକୁ ରାଜନୈତିକ ପ୍ରଭାବରୁ ମୁକ୍ତ କରି ଏହାକୁ ନିରପେକ୍ଷଭାବେ କାମ କରିବାର ସୁ​‌େ​ଯାଗ ସୃଷ୍ଟି କରିବା। ଏହା ସ​‌େ​‌ତ୍ତ୍ବ ଏଯାଏ ଏହି ଲକ୍ଷ୍ୟ ସାଧିତ ହୋଇନାହିଁ। ପୁଲିସବାହିନୀ ଏବେ ମଧ୍ୟ ସରକାର ବା ଶାସକଦଳର ସଂପୂର୍ଣ୍ଣ ବୋଲକରା ଭାବେ କାର୍ଯ୍ୟକରିବାକୁ ବାଧ୍ୟ ହେଉଛି। ପୁଲିସ ମହାନିର୍ଦେଶକ ନିଯୁକ୍ତି ସଂକ୍ରାନ୍ତ ସୁପ୍ରିମକୋର୍ଟଙ୍କ ସଦ୍ୟତମ ରାୟ ଏହି ପରିପ୍ରେକ୍ଷୀରେ କିିଛି ମହତ୍ତ୍ବ ରଖୁଛି। ୟୁପିଏସସି ମାଧ୍ୟମରେ ରାଜ୍ୟର ପୁଲିସ ମୁଖ୍ୟଙ୍କୁ ନିଯୁକ୍ତି ଦେବାକୁ ସର୍ବୋଚ୍ଚ ଅଦାଲତ ଯେଉଁ ନିର୍ଦେଶ ଦେଇଛନ୍ତି ତାହା ପୁଲିସବାହିନୀକୁ ରାଜନୈତିକ ପ୍ରଭାବରୁ ମୁକ୍ତ କରିବା ଦିଗରେ ଏକ ସ୍ବାଗତଯୋଗ୍ୟ ପ୍ରାରମ୍ଭିକ ପଦକ୍ଷେପ ବୋଲି କୁହାଯାଇପାରେ। ତେବେ ସର୍ବୋଚ୍ଚ ଅଦାଲତଙ୍କ ଏହି ନିର୍ଦେଶ ଫଳରେ ଶାସକଦଳର ପ୍ରଭାବରୁ ପୁଲିସବାହିନୀ ରାତାରାତି ମୁକ୍ତ ହୋଇ ନିରପେକ୍ଷ ଭାବେ କାର୍ଯ୍ୟ କରିବା ସମ୍ଭାବନାଟି କ୍ଷୀଣ ମନେ ହେଉଛି।
ବର୍ତ୍ତମାନ ବ୍ୟବସ୍ଥାରେ ବିଭିନ୍ନ ରାଜ୍ୟରେ ଏକାଧିକ ପୁଲିସ ମହାନିର୍ଦେଶକ ପଦ ରହିଛି ଏବଂ ସରକାର ନିଜର ମନଲାଖି ଅଧିକାରୀଙ୍କୁ ପୁଲିସ ମହାନିର୍ଦେଶକ ଭାବେ ଅବସ୍ଥାପିତ କରି ଅନ୍ୟ ବରିଷ୍ଠ ଅଧିକାରୀଙ୍କୁ ସମତୁଲ ପଦରେ ଅନ୍ୟତ୍ର ଅବସ୍ଥାପିତ କରୁଛନ୍ତି। ଡିଜି ନିଯୁକ୍ତି ରାଜ୍ୟ ସରକାରଙ୍କ ଇଚ୍ଛାଧୀନ ବ୍ୟାପାର ହୋଇଥିବାରୁ ଏଥିରେ ଅଧିକାଂଶ ସ୍ଥଳେ ବରିଷ୍ଠ, ନୀତିନିଷ୍ଠ ଓ ନିରପେକ୍ଷ ଅଧିକାରୀ ଡିଜିପି ପଦ ନ’ପାଇ ଅନ୍ୟ ବିଭାଗରେ ଅବସ୍ଥାପିତ ହୋଇ ନିଜର ପଦ ଓ ବେତନ ସିନା ପାଉଛନ୍ତି, ସେମାନଙ୍କର ସମଗ୍ର ପୁଲିସବାହିନୀ ଉପରେ କର୍ତ୍ତୃତ୍ବ ରହୁନାହଁି। ବେଳେବେଳେ ବହୁ ଦକ୍ଷ ଓ ବରିଷ୍ଠ ଅଧିକାରୀ ରାଜନୈତିକ କାରଣରୁ ଉପେକ୍ଷିତ ହେବାସହ ନିଜର କନିଷ୍ଠ ଅଧିକାରୀଙ୍କ ଅଧୀନରେ କାର୍ଯ୍ୟ କରିବାକୁ ବାଧ୍ୟ ହେଉଛନ୍ତି। କାମଚଳା ଡିଜି ନିଯୁକ୍ତି ପ୍ରକ୍ରିୟାଟି ଏ କ୍ଷେତ୍ରରେ ସରକାରଙ୍କୁ ସୁହାଉଛି ଏବଂ ବରିଷ୍ଠ ଅଧିକାରୀମାନେ ଏହା ଫଳରେ ଆଇନଗତ ସୁରକ୍ଷା ପାଇବାରୁ ମଧ୍ୟ ବଞ୍ଚିତ ହେଉଛନ୍ତି।
ଏହି ବ୍ୟବସ୍ଥାର ଅବସାନ ଅନ୍ତତଃ ସୁପ୍ରିମକୋର୍ଟଙ୍କ ଆଦେଶ ବଳରେ କିଞ୍ଚିତ ହୋଇପାରେ। କିଛି ବରିଷ୍ଠ ଅଧିକାରୀଙ୍କ ନାମ ଡିଜି ପଦ ପାଇଁ ରାଜ୍ୟ ସରକାର ୟୁପିଏସ୍‌ସିକୁ ଦେଲେ ସେଠାରୁ ଯେଉଁ ତିନିଜଣଙ୍କ ନାମ ସୁପାରିସ ହେବ ସେଥିରୁ ଜଣକୁ ଡିଜି କରାଯିବ। ଏ କ୍ଷେତ୍ରରେ ରାଜ୍ୟ ସରକାରଙ୍କର ନିଜର ଈପ୍‌ସିତ ଅଧିକାରୀଙ୍କୁ ବାଛିବାର ସୁଯୋଗ ରହିବ। ତାଙ୍କୁ ବଦଳାଇବାକୁ ଚାହିଁଲେ ସରକାର ସେହି ଅଧିକାରୀଙ୍କୁ ନିଲମ୍ବିତ କରି ଅନ୍ୟ ଦୁଇଜଣଙ୍କ ମଧ୍ୟରୁ କାହାକୁ ଅବସ୍ଥାପିତ କରିପାରିବାର ସୁଯୋଗ ପାଇବେ। ତେଣୁ ମୋଟାମୋଟି ଦେଖିଲେ ପୂର୍ବରୁ ଯାହା ଚାଲିଥିଲା ତାହା ପ୍ରାୟ ସେମିତି ଚାଲିବ। କେବଳ ମନଇଚ୍ଛା ଓ ଅସ୍ଥାୟୀଭାବେ ଡିଜିପି ନିଯୁକ୍ତି ବ୍ୟବସ୍ଥାଟି ବନ୍ଦ ହୋଇପାରେ। ଡିଜିପିଙ୍କ କାର୍ଯ୍ୟକାଳ ସର୍ବନିମ୍ନ ଦୁଇବର୍ଷ କରିବାର ବ୍ୟବସ୍ଥା ସତ୍ତ୍ବେ ତାଙ୍କୁ ଯଦି ରାଜ୍ୟ ସରକାର ନିଲମ୍ବିତ କରନ୍ତି ସେଥିରେ ସଂସ୍କାରର ଉଦ୍ଦେଶ୍ୟ ସାଧିତ ହୋଇପାରିବ ନାହିଁ। ପଦ୍ଧତିଗତ ବ୍ୟବସ୍ଥାରେ ଥିବା ଛିଦ୍ର ଓ ଗଳାବାଟ ସବୁକୁ ସଂପୂର୍ଣ୍ଣ ବନ୍ଦ ନ’କଲେ ପୁଲିସବାହିନୀ ନିରପେକ୍ଷଭାବେ କାର୍ଯ୍ୟ କରିପାରିବ ନାହିଁ।
ତେବେ ସେ ଯା’ହେଉ ଏ କ୍ଷେତ୍ରରେ କୌଣସି ଗଠନମୂଳକ ପଦକ୍ଷେପ ନିଶ୍ଚିତ ସ୍ବାଗତଯୋଗ୍ୟ। କିଛି କରିବାକୁ ହେଲେ କେଉଁଠୁ ନା କେଉଁଠୁ ତାହାକୁ ଆରମ୍ଭ କରିବାକୁ ପଡ଼ିବ। ସର୍ବୋଚ୍ଚ ଅଦାଲତଙ୍କ ନିର୍ଦେଶ ଦ୍ବାରା କିଛି ଫରକ ପଡ଼ିବନି ନ’ କହି ଏହାକୁ ଏକ ସକାରାତ୍ମକ ପଦକ୍ଷେପ ଭାବେ ଗ୍ରହଣ କରି ଏ କ୍ଷେତ୍ରରେ ଆହୁରି ଅନେକ କିଛି କରିବାକୁ ହେବ।

Leave A Reply