ଜନସ୍ବାର୍ଥ ଓ ନୂଆ ସବ୍ଡିଭିଜନ
ବ୍ରହ୍ମାନନ୍ଦ ଦାସ
ଓଡ଼ିଶାର ବିିଭିନ୍ନ ଜିଲାରେ ନୂଆ ସବ୍ଡିଭିଜନ (ରାଜସ୍ବ ଉପଖଣ୍ଡ) ପ୍ରତିଷ୍ଠା ଦାବିରେ ଲୋକେ ଆନ୍ଦୋଳନ ଆରମ୍ଭ କରିଛନ୍ତି। କେତେକ ମଧ୍ୟ ଏହି ପ୍ରସଙ୍ଗରେ ଉଚ୍ଚନ୍ୟାୟାଳୟରେ ମାମଲା ଦାଏର କଲେଣି। ଇତି ମଧ୍ୟରେ ରାଜସ୍ବମନ୍ତ୍ରୀ ମହେଶ୍ବର ମହାନ୍ତି ସ୍ପଷ୍ଟ କରିଦେଇଛନ୍ତି ଯେ ଏବେ ନୂଆ ସବ୍ଡିଭିଜନ ଖୋଲିବା ପ୍ରସ୍ତାବ ସରକାରଙ୍କର ନାହିଁ। ଉଚ୍ଚନ୍ୟାୟାଳୟ ଏହି ପ୍ରସଙ୍ଗରେ କ’ଣ ରାୟ ଦେବେ ତାହା ଏକ ଭିନ୍ନ କଥା। ଯେେହତୁ ମାମଲା ଏବେ ବିଚାରାଧୀନ ସେ ସମ୍ପର୍କରେ ଗଣମାଧ୍ୟମରେ ମତାମତ ଦେବା ଅନୁଚିତ। ତଥାପି ସମଗ୍ର ପ୍ରସଙ୍ଗର ସ୍ପର୍ଶକାତରତା ଓ ଜନସ୍ବାର୍ଥ ଦୃଷ୍ଟିରୁ ଏ ସମ୍ପର୍କରେ କିଛି ମତାମତ ଦେବାକୁ ଜଣେ ବରିଷ୍ଠ ନାଗରିକ ଭାବେ ଉଚିତ ମନେ କରୁଛି। ମୋର ବିଶ୍ବାସ ଏହି ମତାମତକୁ ମାନ୍ୟବର ହାଇକୋର୍ଟ ଅଦାଲତ ଅବମାନନା ବା ବିଚାରାଳୟକୁ ପ୍ରଭାବିତ କରିବାର ପ୍ରୟାସ ଭାବେ ବିଚାରକୁ ନେବେନାହିଁ।
ରାଜ୍ୟରେ ଜିଲା ସଂଖ୍ୟା ୧୩ ଥିବାବେଳେ ସବ୍ଡିଭିଜନ ସଂଖ୍ୟା ୫୮ ଥିଲା। ବିଜୁବାବୁ ଦ୍ବିତୀୟଥର ମୁଖ୍ୟମନ୍ତ୍ରୀ ଥିବାବେଳେ ଜିଲା ସଂଖ୍ୟା ଏକାଥରକେ ୧୭ ବଢ଼ାଇ ୩୦ କଲେ। ସେଥିରେ ଅବିଭକ୍ତ କେନ୍ଦୁଝର, ସୁନ୍ଦରଗଡ଼ ଓ ମୟୂରଭଞ୍ଜ ଜିଲାକୁ ଛାଡ଼ି ବାକି ୧୦ଟି ଜିଲାର ୧୭ଟି ସବ୍ଡିଭିଜନ ଜିଲାର ମର୍ଯ୍ୟାଦା ପାଇଲା। ବିଜୁବାବୁ ଦୂରଦ୍ରଷ୍ଟା ଥିଲେ। ବଡ଼ବଡ଼ ଜିଲାଗୁଡ଼ିକୁ ଭାଙ୍ଗି ଛୋଟ ଜିଲାରେ ପରିଣତ କରିବା ପ୍ରୟାସ ପଛରେ ତାଙ୍କର ପ୍ରଥମ ଲକ୍ଷ୍ୟ ଥିଲା ଲୋକଙ୍କୁ ପ୍ରାଶାସନିକ ନ୍ୟାୟ ଅଳ୍ପଦୂରରୁ ଯୋଗାଇ ଦେବାସହ ଶାସନ ଓ ସରକାରୀ ସେବାକୁ ଜନତାଙ୍କ ଅଧିକ ନିକଟତର କରିବା ଓ ସହଜରେ ଯୋଗାଇଦେବା। ଦ୍ବିତୀୟତଃ ଅଧିକ ଜିଲା ସୃଷ୍ଟି କରି ନୂଆ ପ୍ରାଶାସନିକ ଏକକ ବ୍ୟବସ୍ଥା କରି କେନ୍ଦ୍ରୀୟ ଯୋଜନାର ଲାଭ ଲୋକଙ୍କୁ ଅଧିକ ଦେବା ଓ ବିଭିନ୍ନ କେନ୍ଦ୍ରୀୟ ଯୋଜନାରେ ରାଜ୍ୟ ପାଇଁ ଅଧିକ ଅନୁଦାନ ଓ ଅର୍ଥ ଆଣିବା।
ଏହି କାର୍ଯ୍ୟଟି କେବଳ ଓଡ଼ିଶାରେ ପ୍ରଥମକରି ହୋଇନଥିଲା। ଦେଶର ବିଭିନ୍ନ ରାଜ୍ୟରେ ନୂଆ ଛୋଟଛୋଟ ଜିଲା ସୃଷ୍ଟି ପ୍ରକ୍ରିୟା ଓଡ଼ିଶାଠାରୁ ଯଥେଷ୍ଟ ଆଗରୁ ଆରମ୍ଭ ହୋଇଥିଲା। ଓଡ଼ିଶାର ଭୌଗୋଳିକ ସ୍ଥିତି, ଜିଲାମାନଙ୍କର ବିସ୍ତୀର୍ଣ୍ଣ କଳେବର, ପ୍ରାକୃତିକ ପ୍ରତିବନ୍ଧକ ଓ ବିଭିନ୍ନ ଉପେକ୍ଷିତ ଜନଗୋଷ୍ଠୀ ଓ ବର୍ଗଙ୍କ କଲ୍ୟାଣ ପାଇଁ ଏହା ଜରୁରୀ ଥିଲା। ନୂଆ ଜିଲା ଗଠନ ଫଳରେ ପ୍ରାଶାସନିକ ପୁଲିସ, ରାଜସ୍ବ, ଗୋଷ୍ଠୀ ଉନ୍ନୟନ, ଶିକ୍ଷା, ସଂସ୍କୃତି, କୃଷି, ସମବାୟ, ଆଇନ ଅଦାଲତ, ଜନପ୍ରତିନିଧି ବ୍ୟବସ୍ଥା, ପଞ୍ଚାୟତିରାଜ ଓ ଅନ୍ୟାନ୍ୟ ବିଭିନ୍ନ କ୍ଷେତ୍ରରେ ଗୋଟିଏଗୋଟିଏ ଅଞ୍ଚଳ ଯେଉଁଗୁଡ଼ିକ ମୂଳ ଜିଲା ମୁଖ୍ୟାଳୟଠାରୁ ବେଶ୍ ଦୂରରେ ରହୁଥିଲେ ସେମାନେ ନୂଅା ଏକୀକୃତ ଢାଞ୍ଚା ପାଇଲେ। ଏହା ଫଳରେ ସବ୍ଡିଭିଜନସ୍ତରୀୟ ଅଧିକାରୀଙ୍କ ଶାସନର ଅବସାନ ଘଟିଲା ଏବଂ ଜିଲାସ୍ତରୀୟ ପ୍ରତ୍ୟକ୍ଷ ଶାସନ ସୁବିଧା ଲୋକେ ପାଇଲେ। ଏହା ଶାସନ ଓ ସେବାକ୍ଷେତ୍ରରେ ଦୂରତ୍ବର ଅବସାନ ଘଟାଇବା ସହ ଲୋକଙ୍କୁ ନିକଟରୁ ଶାସନର ସୁଫଳ ଉତ୍ତମ ରୂପେ ପ୍ରଦାନ କରିବାରେ ସଫଳ ହେଲା।
ନୂଆ ଜିଲା ଗଠନସହ ସଂପୃକ୍ତ ଅଞ୍ଚଳର ଭିତ୍ତିଭୂମି ବିକାଶ ଘଟିଲା ଓ ସେହି ଅଞ୍ଚଳର ସହରାୟନ ପ୍ରକ୍ରିୟା ତ୍ବରାନ୍ବିତ ହେବାସହିତ ଯୋଗାଯୋଗ, ଶିକ୍ଷା, ବାଣିଜ୍ୟ ବ୍ୟବସାୟ ଓ ବିକାଶଧାରା ବଢ଼ିଲା। ଏହା ମଧ୍ୟ ଶାସନଗତ ଦୃଷ୍ଟିରୁ ବିଶେଷ ସହାୟକ ହେଲା। ତେବେ ଏହି ପ୍ରକ୍ରିୟାରେ ତଥାପି କିଛି ତ୍ରୁଟି ରହିଗଲା ଯାହାକୁ ସରକାର ଜାଣି ମଧ୍ୟ ବିଭିନ୍ନ କାରଣରୁ ତତ୍କାଳ ସମାଧାନ କରିପାରିଲେ ନାହିଁ। ସେଥିମଧ୍ୟରୁ ଗୋଟିଏ ହେଲା ନୂଆକରି ଜିଲା ମାନ୍ୟତା ପାଇଥିବା କେତେକ ସବ୍ଡିଭିଜନର ବିଶାଳତା ଓ ଭୌଗୋଳିକ ସ୍ଥିତି। ନଦୀ, ନାଳ ଓ ପାହାଡ଼ ଜଙ୍ଗଲ ପରିପୂର୍ଣ୍ଣ ଗୋଟିଏଗୋଟିଏ ନୂଆ ଜିଲାରେ ସଦର ମହକୁମାରେ ପହଞ୍ଚିବାକୁ ଏବେ ମଧ୍ୟ ଲୋକଙ୍କୁ ୫୦ରୁ ୧୦୦ କିଲୋମିଟର ରାସ୍ତା ଅତିକ୍ରମ କରିବାକୁ ପଡ଼ୁଛି। ପ୍ରାକୃତିକ ବିପର୍ଯ୍ୟୟ ସମୟରେ ଏସବୁ ଜିଲାର ଅର୍ଦ୍ଧେକ ଅଞ୍ଚଳ ଜିଲା ପ୍ରଶାସନ ପାଇଁ ଅପହଞ୍ଚ ହେଉଛି। ଲୋକସଂଖ୍ୟା ଦୃଷ୍ଟିରୁ ମଧ୍ୟ ଅନେକ ନୂଆ ଜିଲା ଅପେକ୍ଷାକୃତ ବଡ଼ଥିବାରୁ ସେଠାକାର ଉପାନ୍ତ ଇଲାକାରେ ଥିବା ଲୋକ ଅସମୟରେ ନାନାଦି ଅସୁବିଧାର ସମ୍ମୁଖୀନ ହେଉଛନ୍ତି।
ଗୋଟିଏ ଉଦାହରଣରୁ ଏହା ଭଲଭାବେ ବୁଝିହେବ। ଦେବଗଡ଼, ନୂଆପଡ଼ା, ବୌଦ, ସୁବର୍ଣ୍ଣପୁର, ଝାରସୁଗୁଡ଼ା ଭଳି ଜିଲାର ଲୋକସଂଖ୍ୟା, କେନ୍ଦ୍ରାପଡ଼ା, ଭଦ୍ରକ, ନୟାଗଡ଼, ଯାଜପୁର ଭଳି ଜିଲାର ଲୋକସଂଖ୍ୟାଠାରୁ ଯଥେଷ୍ଟ କମ୍। ଉଲ୍ଲିଖିତ ଏହି ଜନବହୁଳ ଜିଲାଗୁଡ଼ିକରେ ନଦୀ ନାଳ ପ୍ରଧାନ ସମସ୍ୟା। ପ୍ରାକୃତିକ ବିପର୍ଯ୍ୟୟ ସମୟରେ ଏସବୁ ଜିଲାର ବହୁ ଅଞ୍ଚଳ ଜିଲାସଦର ମହକୁମାଠାରୁ ସଂପୂର୍ଣ୍ଣ ବିଚ୍ଛିନ୍ନ ହୋଇପଡ଼େ। କେନ୍ଦ୍ରାପଡ଼ା ଜିଲାର ଆଳି, ରାଜକନିକା, ଯାଜପୁର ଜିଲାର ବରୀ, ବାଲେଶ୍ବର ଜିଲାର ବାଲିଆପାଳ, ଜଳେଶ୍ବର ଓ ଭୋଗରାଇ, ଭଳି କେତେକ ଅଞ୍ଚଳ ସଂପୂର୍ଣ୍ଣ ଭାବେ ଅପହଞ୍ଚ ହୋଇଯାଏ। ତେଣୁ ଜିଲା ଛୋଟହେଲେ ମଧ୍ୟ ଏହି ଅଞ୍ଚଳବାସୀଙ୍କୁ ଜରୁରୀ ସମୟରେ ଉପଯୁକ୍ତ ସରକାରୀ ସେବା ଓ ସୁବିଧା ମିଳେନାହିଁ। ତେଣୁ ସେସବୁ ଅଞ୍ଚଳର ଜନତାଙ୍କ ସ୍ବାର୍ଥକୁ ଦୃଷ୍ଟିରେ ରଖି ନୂଆ ସବ୍ଡିଭିଜନ ପ୍ରତିଷ୍ଠା କରାଗଲେ ଲୋକେ ବିଭିନ୍ନ ଦୃଷ୍ଟିରୁ ଉପକୃତ ହୋଇପାରିବେ।
ଅତୀତରେ କଟକ ଜିଲାର ବନ୍ୟା ପ୍ରପୀଡ଼ିତ ଓ ଅବହେଳିତ ବାଙ୍କୀ ଅଞ୍ଚଳର ଲୋକଙ୍କୁ ପ୍ରାଶାସନିକ ଓ ସରକାରୀ ନ୍ୟାୟ ଯୋଗାଇ ଦେବାକୁ ସରକାର ତାହାକୁ ଏକ ସବ୍ଡିଭିଜନର ମାନ୍ୟତା ଦେଇଥିଲେ। ତାହାକୁ ଏକ ସ୍ବତନ୍ତ୍ର ନିର୍ବାଚନ ମଣ୍ଡଳୀରେ ପରିଣତ କରାଯିବା ସହିତ ଦୁଇଟି ବ୍ଲକ ଓ ଗୋଟିଏ ନଗରପାଳିକା ସେଠାରେ ପ୍ରତିଷ୍ଠା କରାଯାଇଥିଲା। ଏହାପରେ ସେ ଅଞ୍ଚଳ ରାଜ୍ୟର ମୁଖ୍ୟଧାରାରେ ସାମିଲ ହେବାର ସୁଯୋଗ ପାଇଲା। ଏହି ନୀତି ରାଜ୍ୟର ଅନ୍ୟାନ୍ୟ ଭୌଗୋଳିକ ଓ ଐତିହାସିକ ଦୃଷ୍ଟିରୁ ଅନଗ୍ରସର ଅଞ୍ଚଳ ପାଇଁ ଲାଗୁ ହେବାର ଆବଶ୍ୟକତା ରହିଛି। ଏଥିରେ ରାଜନୀତି କମ୍ ଓ ଜନସ୍ବାର୍ଥ ଅଧିକ । ସରକାର ଏହାକୁ ଅଗ୍ରାଧିକାର ଭିତ୍ତିରେ ବିଚାର କରିବାର ଆବଶ୍ୟକତା ରହିଛି। ଉଦାହରଣ ସ୍ବରୂପ ବାଣପୁର ଅଞ୍ଚଳରେ ଜନତା ଉପଖଣ୍ଡସ୍ତରୀୟ ସୁବିଧା ପାଇବାକୁ ଦୀର୍ଘ ୫୦ ମାଇଲ ଅତିକ୍ରମ କରି ଖୋରଧା କାହିଁକି ଆସିବେ? ଅତଏବ ଏହି ଲେଖକର ପ୍ରସ୍ତାବନା ହେଲା ଯେଉଁ ଜିଲାରେ ଭୌଗୋଳିକ ଅସୁବିଧାମାନ ରହିଛି ଓ ଅଧିକ ଜନସଂଖ୍ୟା ଜନିତ ସମସ୍ୟା ଅଛି ସେସବୁ ଜିଲାରେ ନୂଆ ସବ୍ଡିଭିଜନମାନ ସ୍ଥାନୀୟ ଆବଶ୍ୟକତା ଓ ବାସ୍ତବତାକୁ ବିଚାରକୁ ନେଇ ଖୋଲାଯାଉ। ରାଜ୍ୟର ସବ୍ଡିଭିଜନ ସଂଖ୍ୟା ୫୮ରୁ ୭୨କୁ ବଢ଼ିଗଲେ ସେପରି କିଛି ବିଶେଷ ଅସୁବିଧା ହେବନାହିଁ। ଅତିବେଶୀରେ ସରକାରଙ୍କୁ ନୂଆ ପ୍ରାଶାସନିକ ଏକ ୟୁନିଟ୍ ଖୋଲିବାକୁ ଭିତ୍ତିଭୂମି ବାବଦରେ କିଛି ଅର୍ଥ ଖର୍ଚ୍ଚ କରିବାକୁ ପଡ଼ିବ। ଆହୁରି ମଧ୍ୟ ଯେଉଁସବୁ ନୂଆ ଜିଲାରେ ପୁରୁଣା ସବ୍ଡିଭିଜନଗୁଡ଼ିକ ସାମିଲ ହୋଇ ରହିଛି, ଯଥା- କେନ୍ଦ୍ରାପଡ଼ା, ଯାଜପୁର, ଭଦ୍ରକ, ଦେବଗଡ଼, ପୁରୀ, ଜଗତସିଂହପୁର ଆଦି, ତାହା ମୁଖ୍ୟତଃ ଜିଲାପାଳଙ୍କ ପ୍ରତ୍ୟକ୍ଷ ଶାସନରେ ରହଛି। କିଛି ନ’ହୋଇପାରିଲେ ସେଗୁଡ଼ିକରୁ ସଦର କାର୍ଯ୍ୟାଳୟକୁ ସ୍ଥାନାନ୍ତର କରି ଅବହେଳିତ ଓ ଦୂରଦୂରାନ୍ତ ଅଞ୍ଚଳରେ କାର୍ଯ୍ୟକ୍ଷମ କରାଇଲେ ଲୋକେ ବିଶେଷ ଉପକୃତ ହୁଅନ୍ତେ। ଜିଲାର ଅନ୍ୟ ଆଗୁଆ ଅଞ୍ଚଳର ପ୍ରାଶାସନିକ ଦାୟିତ୍ବ ଜିଲା ସଦରମହକୁମାରେ ନିଯୁକ୍ତ ସମକକ୍ଷ ଅଧିକାରୀଙ୍କୁ ନ୍ୟସ୍ତ କରାଯାଇପାରିବ।
ଜଣେ ଏସଡିଓଙ୍କର ରାଜସ୍ବ, ବିଚାରବିଭାଗୀୟ ଓ ବିପର୍ଯ୍ୟୟ ପରିଚାଳନାଗତ କ୍ଷମତା ରହିଛି ଯାହାର ପରିସର ଅତି ବ୍ୟାପକ। ରାଜସ୍ବ ମାମଲାର ପରିଚାଳନା, ଜମିଜମା ରେକର୍ଡ ପତ୍ରର ରକ୍ଷଣାବେକ୍ଷଣ, ବନ୍ଦୋବସ୍ତ, ଡିମାର୍କେସନ, ମ୍ୟୁଟେସନ କାର୍ଯ୍ୟ, ସରକାରୀ ଜମିର ସୁରକ୍ଷା, ରାଜସ୍ବ ସଂଗ୍ରହ ଓ ସେ ସଂକ୍ରାନ୍ତ ବିବାଦର ସମାଧାନ, ବିଭିନ୍ନ ପ୍ରକାର ସାର୍ଟିଫିକେଟ ଲୋକଙ୍କୁ ସେମାନଙ୍କ ଆବଶ୍ୟକତା ଅନୁସାରେ ପ୍ରଦାନ ଏସଡିଓଙ୍କ ରାଜସ୍ବ କ୍ଷମତାର ପ୍ରମୁଖ ଅଙ୍ଗ। ଏଥିପାଇଁ ଲୋକେ ଦୂରନ୍ତ ଜିଲା ସଦରମହକୁମାକୁ ନ’ଯାଇ ଅଳ୍ପ ଦୂରତ୍ବରେ ସେବା ପାଇବାକୁ ବେଶୀ ଆଗ୍ରହ ପ୍ରକାଶ କରିଥାନ୍ତି। ଶାସନର ବିକେନ୍ଦ୍ରୀକରଣ ସହ ଏହାକୁ ଲୋକଙ୍କୁ ସୁବିଧାରେ ଓ ଘର ପାଖରେ ଯୋଗାଇ ଦେବାକୁ ସରକାର ଅଗ୍ରାଧିକାର ଦେଉଥିବାବେଳେ ନୂଆ ସବ୍ଡିଭିଜନ ସ୍ଥାପନରେ ଉଦାସୀନତା ସ୍ପୃହଣୀୟ ନୁହେଁ।
ରାଜ୍ୟର ସବ୍ଡିଭିଜନ ସଂଖ୍ୟା ୫୮ରୁ ୭୨କୁ ବଢ଼ାଇବା ପାଇଁ ଷ୍ଟାଣ୍ଡିଂ କମିଟି ସୁପାରିସ କରିସାରିଛି। ଏହାକୁ ସରକାର କାଳବିଳମ୍ବ ନକରି ଗ୍ରହଣ କଲେ ପ୍ରାଶାସନିକ ଓ ସରକାରୀ ସୁବିଧାରୁ ବଞ୍ଚିତ ଲୋକେ ବିଶେଷ ଉପକୃତ ହେବେ। ଆଶା କରିବା ସରକାର ଏସମ୍ପର୍କରେ ଶୀଘ୍ର ଏକ ଉଚିତ ନିଷ୍ପତ୍ତି ନେବେ। ମୁଁ ଅବିଭକ୍ତ କଟକ ଜିଲାର ବନ୍ୟାପ୍ରପୀଡ଼ିତ ଏକ ଅବହେଳିତ ଅଞ୍ଚଳରୁ ଆସିଛି। ଲୋକଙ୍କର ଦୁର୍ଦଶା ଓ ଅସୁବିଧା ଦେଖିଛି ଓ ନିଜେ ମଧ୍ୟ ଭୋଗିଛି। ସେଥିପାଇଁ ମନର କଥା ଲେଖିବାକୁ ବାଧ୍ୟ ହେଲି।