ପଶ୍ଚାତ୍ଗାମୀ ଗଣତନ୍ତ୍ର ବ୍ୟବସ୍ଥା
ପାବକ କାନୁନ୍ଗୋ
୧୯୪୧ ମସିହା କଥା। ଦ୍ବିତୀୟ ବିଶ୍ବଯୁଦ୍ଧର ବିଭୀଷିକାରେ ସାରା ପୃଥିବୀ ତ୍ରସ୍ତ। ଫାସିବାଦ, ନାଜିବାଦ ଓ ଏକଚ୍ଛତ୍ରଶାସନର କରାଳ ଛାୟାରେ ବିଶ୍ବ ଅାଚ୍ଛାଦିତ; ନିଜକୁ ରକ୍ଷା କରିବା ପାଇଁ ଗଣତନ୍ତ୍ର ବ୍ୟବସ୍ଥା ଆର୍ତ୍ତ ଚିତ୍କାର କରୁଥାଏ। ସେତେବେଳକୁ ମାତ୍ର ୧୨ଟି ଦେଶରେ ଏହି ପଦ୍ଧତି ଚାଲିଥାଏ। ଏହାର ଅର୍ଦ୍ଧଶତାବ୍ଦୀ ପରେ କିନ୍ତୁ ପରିସ୍ଥିତି ଭିନ୍ନ ମୋଡ଼ ନେଲା। ବିଶ୍ବରେ ମାତ୍ର ୮ଟି ଦେଶରେ ନିର୍ବାଚନ ନହୋଇ ଶାସନ ଚାଲିଥାଏ। ବିଂଶ ଶତାବ୍ଦୀର ଶେଷ ଭାଗରେ କମ୍ୟୁନିଜିମ୍ କ୍ଷତବିକ୍ଷତ ହୋଇ ଶୀତଳ ଯୁଦ୍ଧର ଅବସାନ ହୋଇଛି। ବିଂଶ ଶତାବ୍ଦୀର ଆଦର୍ଶ-ଯୁଦ୍ଧ ନିର୍ଣ୍ଣାୟକ ମୋଡ଼ରେ ପହଞ୍ଚିଥାଏ। ସର୍ବାଧିକାରବାଦ ଧ୍ବଂସମୁଖୀ ହୋଇ ଗଣତନ୍ତ୍ରର ସୁବର୍ଣ୍ଣ ଯୁଗ ଆରମ୍ଭ ହେଉଥାଏ। ଇତିହାସର ଅନ୍ତଘଟି ଉଦାରବାଦୀ ଗଣତନ୍ତ୍ର ସର୍ବତ୍ର ନିଜର କାୟା ବିସ୍ତାର କରିବା ଘଟଣାରେ ଗଣତନ୍ତ୍ରପ୍ରେମୀମାନେ ଉଲ୍ଲସିତ ହେଉଥାନ୍ତି। ମାନବିକ ଅଧିକାର, ବ୍ୟକ୍ତି ସ୍ବାଧୀନତା, ମତପ୍ରକାଶ କରିବାର ଅଧିକାର ଓ ନିରପେକ୍ଷ ନ୍ୟାୟିକ ବ୍ୟବସ୍ଥା ଭଳି ଗଣତନ୍ତ୍ରର ଉପାଦାନ ନିଜନିଜର ଶକ୍ତିବୃଦ୍ଧି କରୁଥାନ୍ତି।
ଏହାର କୋଡ଼ିଏ ବର୍ଷପରେ ବିଶ୍ବରେ ଗଣତନ୍ତ୍ରର ସ୍ଥିତି ଓ ସ୍ବାସ୍ଥ୍ୟ ସମ୍ପର୍କରେ ଗବେଷଣା କରୁଥିବା ପଣ୍ଡିତମାନଙ୍କ ଭବିଷ୍ୟବାଣୀ ନୈରାଶ୍ୟର ଏକ ପରିବେଶ ସୃଷ୍ଟି କରୁଛି। ପୂର୍ବଭଳି ଗଣତନ୍ତ୍ର ଆଉ ଅନେକଙ୍କ ପାଇଁ ଆକର୍ଷଣର କେନ୍ଦ୍ରବିନ୍ଦୁ ହୋଇ ରହିନାହିଁ। ଗୋଟିଏ ଉଦାହରଣ କଥାଟିକୁ ସ୍ପଷ୍ଟ କରିଦେବ। ଗଣତନ୍ତ୍ରର ସବୁଠାରୁ ଶକ୍ତିଶାଳୀ ଦୁର୍ଗ ବୋଲି କୁହାଯାଉଥିବା ଯୁକ୍ତରାଷ୍ଟ୍ର ଆମେରିକା ୨୦୧୫ରେ ଉଦାରବାଦୀ ଗଣତନ୍ତ୍ର ତାଲିକାରେ ସପ୍ତମ ସ୍ଥାନରେ ଥିଲାବେଳେ ୨୦୧୭ବେଳକୁ ୩୧ ସ୍ଥାନକୁ ଖସି ଗଲାଣି। ନିର୍ବାଚନ ହୋଇଥିଲେ ମଧ୍ୟ ୨୦୧୭ରେ ୫୬ଟି ଦେଶରେ ସ୍ବେଚ୍ଛାଚାରୀ ଶାସନ ଚାଲିଛି। ୨୦୦୭ରେ ଏଥିରୁ ୭ଟି ଦେଶ ନିର୍ବାଚନ-ଗଣତନ୍ତ୍ର ଆସନରେ ବସିଥିଲେ। ତୁର୍କୀ, ଇଉକ୍ରେନ୍, ନିକାରାଗୁଆ, ସର୍ବିଆ, କାମୋରୋସ୍, ହାଣ୍ଡରାସ ଓ ଇରାକ ଗଣତନ୍ତ୍ର ଶିଡିରେ ତଳକୁ ତଳ ଚାଲିଛନ୍ତି। ବିଶ୍ବର ଜନସଂଖ୍ୟାର ପ୍ରାୟ ଏକ-ତୃତୀୟାଂଶ (୨୬୦କୋଟି) ବାସ କରୁଥିବା ଦେଶରେ ଗଣତନ୍ତ୍ରର ଆକର୍ଷଣ ଓ ଆଦର କ୍ରମାଗତ ଭାବରେ ହ୍ରାସ ପାଉଛି। ଭାରତ, ରୁଷ, ଆମେରିକା ଓ ବ୍ରାଜିଲ ଭଳି ଦେଶରେ ଏପରି ହେଉଛି। ଭାରତରେ ଗଣତନ୍ତ୍ରର ସ୍ଥିତି ସମ୍ପର୍କରେ ଆକଳନକୁ ନୈରାଶ୍ୟଜନକ ବୋଲି କହିଲେ କମ୍ କୁହାଗଲା ବୋଲି ବିଚାର କରିବାକୁ ହେବ। ସୁଇଡେନର ଡେମ୍ ବିଶ୍ବବିଦ୍ୟାଳୟ ପକ୍ଷରୁ ପ୍ରକାଶିତ ଆକଳନ ଅନୁସାରେ ବିଶ୍ବର ସର୍ବବୃହତ ଗଣତନ୍ତ୍ରରେ ଆଇନ ବାକ୍ସ୍ବାଧୀନତା, ସଂଗଠନ ଗଢ଼ିବାର ଅଧିକାର ଓ ନିରପେକ୍ଷ ବିଚାରର କଣ୍ଠରୋଧ ହେଉଛି। ଦେଶରେ ୧୨ ହଜାର ସମ୍ବାଦପତ୍ର ପ୍ରକାଶ ପାଉଥିଲେ ମଧ୍ୟ ଗଣମାଧ୍ୟମ କ୍ରମେ ଘୋର ଚାପର ସମୁଖୀନ ହେଉଛି। ଏପରିକି ସାମ୍ବାଦିକମାନଙ୍କୁ ହତ୍ୟା କରାଯାଉଛି। ବିଦେଶରୁ ଆସୁଥିବା ପାଣ୍ଠି (ମାନବିକ ଅଧିକାର ଓ ପରିବେଶର ସୁରକ୍ଷାପାଇଁ)ର ସ୍ରୋତକୁ ସଙ୍କୁଚିତ କରିଦିଆଯାଉଛି। ଏହା ମଧ୍ୟରେ ପ୍ରାୟ ୨୦ହଜାର ସ୍ବେଚ୍ଛାସେବୀ ଅନୁଷ୍ଠାନର ପଞ୍ଜୀକରଣକୁ ରଦ୍ଦ କରିଦିଆଯାଇଛି। ନିର୍ବାଚନ ପ୍ରକ୍ରିୟା ମୋଟାମୋଟି ସ୍ବଚ୍ଛ ଥିଲେ ମଧ୍ୟ ହିଂସାର ପ୍ରାଦୁର୍ଭାବ ଏହାକୁ କେତେମାତ୍ରାରେ କଳୁଷିତ କରିଦେଉଛି।
କ୍ଷମତା ଜାବୁଡ଼ି ଧରିବାକୁ ଏକଚ୍ଛତ୍ର ବା ନିରଙ୍କୁଶ ଶାସକମାନେ ନାନା କୌଶଳ ଅବଲମ୍ବନ କରନ୍ତି। ପ୍ରଥମେ ସ୍ବାଧୀନ, ନିରପେକ୍ଷ ଅନୁଷ୍ଠାନଗୁଡ଼ିକୁ ଦୁର୍ବଳ କରିଦିଆଯାଏ। ବିଚାରବିଭାଗର ଗୁରୁତ୍ବ ହ୍ରାସ ପାଇଁ ସୁଚତୁର ପନ୍ଥାର ଆଶ୍ରୟ ନିଆଯାଏ। ସରକାରଙ୍କଠାରୁ ଅନୁଗ୍ରହ ଭିକ୍ଷା କରିବାକୁ ଇଚ୍ଛୁକ ବିଚାରପତିମାନଙ୍କୁ ନାନା ଭାବରେ ସନ୍ତୁଷ୍ଟ କରାଯାଏ। ଗତ ଡିସେମ୍ବରରେ ପୋଲାଣ୍ଡର ଶାସକଦଳ ଉଚ୍ଚ ଅଦାଲତରେ ଦୁଇ ପଞ୍ଚମାଂଶ ବିଚାରପତିଙ୍କୁ ଅବସର ନେବାକୁ ବାଧ୍ୟ କରିଥିଲେ। ଫିଲିପାଇନ୍ସରେ ସାମରିକ ଶାସନକୁ ବିରୋଧ କରିବାରୁ ଦେଶର ପ୍ରଧାନ ବିଚାରପତିଙ୍କୁ ବହିଷ୍କୃତ କରାଗଲା। ଗଣମାଧ୍ୟମ ଓ ସମ୍ବାଦପତ୍ରକୁ ମଧ୍ୟ ନାନା ଭାବରେ ପ୍ରଭାବିତ କରାଯାଏ। ମାଲିକମାନଙ୍କୁ ଏପରି ହଇରାଣ କରାଯାଏ ଯେ ସେମାନେ ଶାସନ-ସମର୍ଥିତ ଲୋକଙ୍କୁ ନିଜ କାଗଜ ବା ଚାନେଲକୁ ବିକିଦେବେ। ରୁଷରେ ପୁତିନ ଏହି ପନ୍ଥା ଅବଲମ୍ବନ କରି ସଫଳ ହୋଇଛନ୍ତି। ନିରାପତ୍ତା ବାହିନୀକୁ ସରକାରଙ୍କ ସପକ୍ଷକୁ ଆଣିବାପାଇଁ ରୁଚିହୀନ ଉଦ୍ୟମ ହୁଏ। ଇଜିପ୍ଟର ରାଷ୍ଟ୍ରପତି ନିକଟରେ ପୁଲିସକୁ କ୍ଷମତା ଦେଇଛନ୍ତି, ସେମାନେ ସାଧାରଣ ଲୋକଙ୍କୁ ଲୁଟ୍ କରି ନିଜର ଦରମା ଭରଣା କରନ୍ତୁ। ବିଚାରବିଭାଗ, ସମ୍ବାଦପତ୍ର ଓ ସାମରିକବାହିନୀକୁ ଦୁର୍ବଳ କରିଦେବାପରେ ପାର୍ଲାମେଣ୍ଟ ଓ ନିର୍ବାଚନ ବ୍ୟବସ୍ଥା ଉପରେ ସେମାନଙ୍କର ଲୋଲୁପ ଦୃଷ୍ଟି ପଡ଼େ। ଧର୍ମ, ଜାତି ଓ ଅଞ୍ଚଳ ଭଳି ସଂକୀର୍ଣ୍ଣ ପ୍ରସଙ୍ଗକୁ ବ୍ୟବହାର କରି ଲୋକ ସମର୍ଥନ ଲାଭ କରନ୍ତି। ମିଥ୍ୟାପ୍ରଚାର ମାଧ୍ୟମରେ ଲୋକଙ୍କ ଭିତରେ ପ୍ରେରଣା ଓ ଉତ୍ସାହ ସୃଷ୍ଟି କରି ଲୋକଙ୍କୁ ପ୍ରତ୍ୟୟ ଦିଅନ୍ତି ଯେ ସେମାନଙ୍କୁ ରକ୍ଷା କରିବାପାଇଁ ସେ ନିଜ ଜୀବନକୁ ମଧ୍ୟ ସମର୍ପଣ କରିଦେବେ। ଲୋକଙ୍କ ମନ ଥରେ ଦୁର୍ବଳ ହୋଇଗଲାପରେ କାଳ୍ପନିକ ବିପଦ, ଆଶଙ୍କା ବା ଶତ୍ରୁଙ୍କ କଥା ଉଠାଇ ଭୟ ଓ ଆଶଙ୍କାର ଗୋଟିଏ ବାତାବରଣ ସୃଷ୍ଟି କରନ୍ତି। ଏହାର ସୁଯୋଗ ନେଇ ଦେଶର ଆଇନକୁ ଏପରି େମାଡ଼ି ଦିଅନ୍ତି ଯେ ତାଙ୍କୁ ଗାଦିଚ୍ୟୁତ କରିବାକୁ କେହି ଇଚ୍ଛା ବା ସାହସ କରନ୍ତି ନାହିଁ। ଶେଷରେ ଗଣତନ୍ତ୍ର ବ୍ୟବସ୍ଥାଟି ଅନ୍ତଃସାରଶୂନ୍ୟ ହୋଇଯାଇ ଛଟପଟ ହୁଏ।
ଏହିପରି ପ୍ରତିକୂଳ ପରିସ୍ଥିତିର ମୁକାବିଲା କରି ନ ପାରି ଅନେକ ଦେଶ ଗଣତନ୍ତ୍ରର ଗୁଳାକୁ ଛାଡ଼ି ଅଣ-ଉଦାରବାଦୀ ଗଣତନ୍ତ୍ର ବା ଏକଚ୍ଛତ୍ର ଶାସନର ଗୁଳାରେ ଚାଲିବାରେ ଲାଗିଛନ୍ତି। ୨୦୦୭ରୁ ୧୮ ଭିତରେ ୧୭୮ଟି ଦେଶର ହିସାବରୁ ଦେଖାଗଲା ଯେ ଅନ୍ତତଃ ୨୦ଟି ଦେଶ ଗଣତନ୍ତ୍ର ରାସ୍ତାରୁ ଓହରି ଯାଇଛନ୍ତି। ଏଥି ଭିତରେ ରହିଛନ୍ତି, ଉଦାରବାଦୀ ଗଣତନ୍ତ୍ର ବୋଲି ଦାବି କରୁଥିବା ୟୁରୋପୀୟ ସଂଘର ଚାରିଟି ରାଷ୍ଟ୍ର ହେଙ୍ଗରୀ, ପୋଲାଣ୍ଡ, ଲିଥୁଆନିଆ ଓ ସ୍ଲୋଭାକିଆ। ଇସ୍ରାଏଲ, ମରିସସ୍, ଦକ୍ଷିଣଆଫ୍ରିକା, କାମେରୋଜ, ହଣ୍ଡୁରାସ, ଇରାକ, ନିକାରାଗୁଆ, ତାଞ୍ଜାନିଆ, ତୁର୍କୀ, ୟୁକ୍ରେନ ଓ ଜାମ୍ବିଆ ଭଳି ରାଷ୍ଟ୍ର ଦିନେ ଗଣତନ୍ତ୍ରର ପୂଜାରୀ ବୋଲି ଦାବି କରୁଥିଲେ। ନିର୍ବାଚନ ହେଉଥିଲେ ମଧ୍ୟ ସେଗୁଡ଼ିକରେ ନିରଙ୍କୁଶ ରାଜତ୍ବ ଚାଲିଛି ଓ ଲୋକଙ୍କର ପୂର୍ଣ୍ଣ ଆଜ୍ଞାନୁବର୍ତ୍ତିତା ଶାସକମାନେ ଦାବି କରୁଛନ୍ତି। ଅନେକ ଦେଶରେ ଯୁକ୍ତି କରାଯାଉଛି ଯେ ଗଣତନ୍ତ୍ରର ଛାଞ୍ଚ ରହିଲେ ଯଥେଷ୍ଟ, ଉଦାରବାଦୀ ହେବାର ଆବଶ୍ୟକତା ନାହିଁ। ଆଉ ଗୋଟିଏ ନୈରାଶ୍ୟଜନକ ଦିଗ କଥା ସାମନାକୁ ଆସିଛି। ଶୀତଳ ଯୁଦ୍ଧ ପରେ ଜନ୍ମ ହୋଇଥିବା ଯୁବକମାନେ ଫାସିବାଦ ଓ କମ୍ୟୁନିଜିମ୍ର ନିର୍ମମ ଅତ୍ୟାଚାର ସମ୍ପର୍କରେ ଜାଣନ୍ତି ନାହିଁ। ତେଣୁ ସେମାନଙ୍କ ଭିତରେ ଗଣତନ୍ତ୍ର ପ୍ରତି ଏକପ୍ରକାର ଉଦାସୀନତାଭାବ ସୃଷ୍ଟିହୋଇ ଏହି ପଦ୍ଧତି ପ୍ରତି ଆଗ୍ରହ ବା ଉତ୍ସାହ ହ୍ରାସ ହେଉଛି। ରୁଷ ଓ ଚୀନର ଶାସକମାନେ ଏକଚ୍ଛତ୍ରବାଦୀ ହେଲେ ମଧ୍ୟ ଯୁବଗୋଷ୍ଠୀଙ୍କୁ ଝଲସାଇଦେବା ଭଳି କାର୍ଯ୍ୟ କରୁଛନ୍ତି। ନିଷ୍ଠୁର, ନିର୍ମମ ଏକଚ୍ଛତ୍ରଶାସକଙ୍କ ପ୍ରତି ରାଷ୍ଟ୍ରପତି ଟ୍ରମ୍ପଙ୍କ ଦୁର୍ବଳତା ଓ ସେମାନଙ୍କୁ ବନ୍ଧୁଭାବରେ ଗ୍ରହଣ କରିବାକୁ ତାଙ୍କର ବ୍ୟଗ୍ରତା ଏହି ପ୍ରକ୍ରିୟାକୁ ତ୍ବରାନ୍ବିତ କରିଦେଇଛି। ଅବଶ୍ୟ ଏକଥା ଭୁଲିଗଲେ ଚଳିବ ନାହିଁ ଯେ କେତେକ ଛୋଟ ଦେଶ ମଧ୍ୟ ଆଜି ଗଣତନ୍ତ୍ରକୁ ଶ୍ରଦ୍ଧାରେ ଆଲିଙ୍ଗନ କରୁଛନ୍ତି। ପଶ୍ଚିମ ଆଫ୍ରିକାର ବର୍କିନାଫାସୋ, ଗାମ୍ବିୟା ଓ ଭୁଟାନ ଭଳି ଦେଶଙ୍କ ଉଦାହରଣ ନିଆଯାଇପାରେ। ନିକଟରେ ଶ୍ରୀଲଙ୍କାରେ ସବୁ ବିରୋଧୀଦଳ ଏକାଠି ହୋଇ ଜଣେ ଜଘନ୍ୟ ଏକଚ୍ଛତ୍ରବାଦୀ ଶାସକକୁ ହଟାଇଦେଲେ। ଗଣବିକ୍ଷୋଭ ଓ ଗାନ୍ଧି-ପନ୍ଥା ଅବଲମ୍ବନ କରି ଆର୍ମେନିଆର ଶାସକଙ୍କୁ ବିଦା କରିଦିଆଗଲା। ମାଲେସିଆର ପ୍ରଧାନମନ୍ତ୍ରୀ ନାଜିଦ ମଧ୍ୟ ଜନତାଙ୍କ କ୍ରୋଧର ଶିକାର ହୋଇ ଗାଦି ଛାଡ଼ିଦେଲେ। ଗଣତନ୍ତ୍ର ବ୍ୟବସ୍ଥା ଓ ଗଣତାନ୍ତ୍ରିକ ଭାବନା ନିକଟରେ ଯେଉଁ ଅବକ୍ଷୟର ଶିକାର ହୋଇଛି, ସେଥିରୁ କେବେ ଉଦ୍ଧାର ମିଳିବ ତାହା ଭବିଷ୍ୟତହିଁ କହିବ।