ନୂଆଦିଲ୍ଲୀ: ହ୍ବାଇଟ କଲାର ଟେରର ମଡ୍ୟୁଲ ଓ ଦିଲ୍ଲୀ ଲାଲକିଲା ବିସ୍ଫୋରଣ ଷଡଯନ୍ତ୍ରର କେନ୍ଦ୍ରସ୍ଥଳ ଭାବେ ଚିହ୍ନଟ ହୋଇଥିବା ଅଲ୍ ଫଲାହ ବିଶ୍ବବିଦ୍ୟାଳୟର ପ୍ରତିଷ୍ଠାତା ଜାଭେଦ ଅହମ୍ମଦ ସିଦ୍ଦିକିଙ୍କୁ ଗିରଫ କରାଯାଇଛି। ମଙ୍ଗଳବାର ପ୍ରବର୍ତ୍ତନ ନିର୍ଦେଶାଳୟ (ଇଡି) ସିଦ୍ଦିକିଙ୍କୁ ଅର୍ଥ ହେରଫେର ନିରୋଧ ଆଇନ (ପିଏମ୍ଏଲଏ) ୨୦୦୨ର ଧାରା ୧୯ ଅନୁଯାୟୀ ଗିରଫ କରିଛି। ସିଦ୍ଦିକି ହେଉଛନ୍ତି ଅଲ୍ ଫଲାହ ବିଶ୍ବବିଦ୍ୟାଳୟର ପ୍ରତିଷ୍ଠାତା ଓ ଏହାର ମ୍ୟାନେଜିଂ ଟ୍ରଷ୍ଟି। ମ୍ୟାନେଜିଂ ଟ୍ରଷ୍ଟି ହିସାବରେ ସିଦ୍ଦିକ ବିଶ୍ବବିଦ୍ୟାଳୟର ସମସ୍ତ ଆର୍ଥିକ କାରବାରକୁ ପରିଚାଳନା କରୁଥିଲେ। ଅଲ୍ ଫଲାହ ଚାରିଟେବୁଲ ଟ୍ରଷ୍ଟ ନାମରେ ବିଶ୍ବବିଦ୍ୟାଳୟ ପରିିଚାଳିତ ହେଉଥିଲା।
ବିଶ୍ବବିଦ୍ୟାଳୟ ଅଧୀନରେ ଏକାଧିକ ଶିକ୍ଷାନୁଷ୍ଠାନ ପଞ୍ଜିକୃତ ହୋଇଥିଲା। ଗିରଫ ପୂର୍ବରୁ ସିଦ୍ଦିକିଙ୍କୁ ଇଡି ଜେରା କରିଥିଲା। ଏହା ସହିତ ବିଶ୍ବବିଦ୍ୟାଳୟ ପରିସରରେ ଚଢଉ କରି ବିଭିନ୍ନ ପ୍ରମାଣ ସଂଗ୍ରହ କରିଥିଲା। ଚଢଉ ବେଳେ ୪୮ଲକ୍ଷ ନଗଦ ଟଙ୍କା, ଡିଜିଟାଲ ଉପକରଣ ଓ ଅନ୍ୟାନ୍ୟ କାଗଜପତ୍ର ଜବତ କରାଯାଇଛି। ବିଭିନ୍ନ ବେନାମୀ କମ୍ପାନୀ ମଧ୍ୟ ବିଶ୍ବବିଦ୍ୟାଳୟ ପରିସରରେ ଚାଲିଥିବା ଜଣାପଡିଛି। ଚଢଉ ସମୟରେ ଅନେକ କର୍ମଚାରୀଙ୍କୁ ଜେରା କରାଯାଇଥିଲା। ଜେରା ବେଳେ ସେମାନେ ସ୍ବୀକାର କରିଥିଲେ ଯେ ଦେଶ ବିରୋଧୀ ଓ ଆତଙ୍କବାଦୀ କାର୍ଯ୍ୟ ଲାଗି କୋଟିକୋଟି ଟଙ୍କାର ପାଣ୍ଠି ଯୋଗାଯାଉଥିଲା। ବିଶ୍ବବିଦ୍ୟାଳୟର କ୍ୟାଟରିଂ ଓ ନିର୍ମାଣ କାମ ସବୁ ସିଦ୍ଦିକିଙ୍କ ପତ୍ନୀ ଓ ପିଲାମାନଙ୍କ ଦ୍ବାରା କମ୍ପାନୀକୁ ଟେଣ୍ଡର ଦିଆଯାଉଥିଲା।
ବିଶ୍ବବିଦ୍ୟାଳୟ ବିରୋଧରେ ଦିଲ୍ଲୀ ପୁଲିସର କ୍ରାଇମ ବ୍ରାଞ୍ଚ ରୁଜୁ କରିଥିବା ଦୁଇଟି ଏଫ୍ଆଇଆରକୁ ଆଧାର କରି ଇଡି ଏହାର ତଦନ୍ତ ଚଳାଇଛି। ବିଶ୍ବବିଦ୍ୟାଳୟ ‘ନାକ୍’ ଅନୁମୋଦନ ପାଇ ନଥିବାବେଳେ ଏହା ନିଜକୁ ନାକ୍ ଅନୁମୋଦିତ ବିଶ୍ବବିଦ୍ୟାଳୟ ପ୍ରଚାର କରିଥିଲା। ନାକ୍ ଅନୁମୋଦନର ମିଥ୍ୟା ଉପଯୋଗ କରିବା ନେଇ ବିଶ୍ବବିଦ୍ୟାଳୟ ବିରୋଧରେ ମାମଲା ରୁଜୁ ହୋଇଛି। ଏହା ସହିତ ନାକ୍ ପକ୍ଷରୁ ବିଶ୍ବବିଦ୍ୟାଳୟକୁ କାରଣ ଦର୍ଶାଅ ନୋଟିସ ଜାରି କରାଯାଇଛି। ଛାତ୍ରଛାତ୍ରୀଙ୍କୁ ଆକୃଷ୍ଟ କରିବା ଉଦ୍ଦେଶ୍ୟରେ ଏହା ମିଛରେ ନିଜକୁ ନାକ୍ ଓ ୟୁଜିସି ଅନୁମୋଦିତ ଦର୍ଶାଇଥିଲା। ଯାହା ଠକେଇର ଏକ ବଡ ପ୍ରମାଣ ସାବ୍ୟସ୍ତ ହୋଇଛି। ଏହି ଠକେଇକୁ ନେଇ ନ୍ୟାସନାଲ ମେଡିକାଲ କମିସନ ପକ୍ଷରୁ ଅଲ ଫଲାହର ପଞ୍ଜୀକରଣକୁ ରଦ୍ଦ କରାଯାଇଛି। ଏହି ବିଶ୍ବବିଦ୍ୟାଳୟ ଅନ୍ତର୍ଗତ ମେଡିକାଲ କଲେଜରେ ସହକାରୀ ପ୍ରଫେସର ଭାବେ କାର୍ଯ୍ୟ କରୁଥିବା ଡାକ୍ତର ମୁଜାମିଲ ସକିଲ ଓ ଡାକ୍ତରାଣୀ ସାହିନ ସହିଦଙ୍କୁ ଗିରଫ କରାଯାଇଛି। ଦିଲ୍ଲୀ ବିସ୍ଫୋରଣକାରୀ ଡାକ୍ତର ଉମର ନବି ମଧ୍ୟ ଏହି ମେଡିକାଲ କଲେଜର ସରକାରୀ ପ୍ରଫେସର ଥିଲା। ନଭେମ୍ବର ୧୦ରେ ହୋଇଥିବା ଦିଲ୍ଲୀ ବିସ୍ଫୋରଣରେ ୧୫ଜଣଙ୍କର ମୃତ୍ୟୁ ହୋଇଛି।



