ସମାଜ ପୋର୍ଟାଲ ଡେସ୍କ: କୋଭିଡ଼୍ -୧୯ ସଂକ୍ରମଣ ଓ ୨୧ ଦିନ ଧରି ଲକ ଡାଉନ ଘୋଷଣା ପରିପ୍ରେକ୍ଷୀରେ ରେଳ ମନ୍ତ୍ରଣାଳୟ ଏହି ୨୧ ଦିନକୁ ଆହ୍ୱାନ ରୂପେ ଗ୍ରହଣ କରି ସାରା ଦେଶରେ କୋଇଲା, ଖାଦ୍ୟସଶ୍ୟ, ସାର, ପେଟ୍ରୋଲିୟମ୍ ଉତ୍ପାଦ, ଫଳ ଓ ପନିପରିବା, ଦୁଗ୍ଧ, ଜାଳେଣୀ ତୈଳ, ଚିନି, ଲୁଣ ଏବଂ ଔଷଧ ଭଳି ଅତ୍ୟାବଶ୍ୟକୀୟ ସାମଗ୍ରୀ ପରିବହନ କରି ଚାଲିଛି।
ଅନ୍ୟପକ୍ଷରେ ପୂର୍ବତଟ ରେଳପଥ ନିଜର ପରିସୀମା ମଧ୍ୟରେ ଦୁଇଟି ସ୍ୱତନ୍ତ୍ର ପାର୍ସଲ୍ ଏକ୍ସପ୍ରେସ୍ ଟ୍ରେନ୍ ଚଳାଇବାକୁ ନିଷ୍ପତ୍ତି ଗ୍ରହଣ କରିଛି। ଗୋଟିଏ ପାର୍ସଲ୍ ଏକ୍ସପ୍ରେସ୍ ଟ୍ରେନ୍ ବିଶାଖାପାଟଣା-ସମ୍ବଲପୁର-ବିଶାଖାପାଟଣା ଓ ଅନ୍ୟଟି ବିଶାଖାପାଟଣା-କଟକ-ବିଶାଖାପାଟଣାକୁ ବିଭିନ୍ନ ଅତ୍ୟାବଶ୍ୟକୀୟ ସାମଗ୍ରୀ ନେଇ ଚଳାଚଳ କରିବ। ବିଶାଖାପାଟଣା-ସମ୍ବଲପୁର-ବିଶାଖାପାଟଣା ପାର୍ସଲ୍ ଏକ୍ସପ୍ରେସ୍ ଟ୍ରେନ୍ ବିଶାଖାପାଟଣା ଠାରୁ ଏପ୍ରିଲ ୯, ୧୧ ଓ ୧୩ ତାରିଖ ସକାଳ ୯ରେ ଛାଡ଼ି ସମ୍ବଲପୁରଠାରେ ସେହିଦିନ ସଂଧ୍ୟା ୫.୩୦ ମିନିଟରେ ପହଞ୍ଚିବ। ଫେରିବା ରାସ୍ତାରେ ଏହି ଟ୍ରେନ୍ ସମ୍ବଲପୁର ଠାରୁ ଏପ୍ରିଲ୍ ୧୦, ୧୨ ଓ ୧୪ ତାରିଖ ସକାଳ ୯ରେ ଛାଡ଼ି ବିଶାଖାପାଟଣାରେ ସେହିଦିନ ସଂଧ୍ୟା ୫.୩୦ ମିନିଟରେ ପହଞ୍ଚିବ।
ସେହିପରି ବିଶାଖାପାଟଣା-କଟକ-ବିଶାଖାପାଟଣା ପାର୍ସଲ୍ ଏକ୍ସପ୍ରେସ୍ ଟ୍ରେନ୍ ବିଶଶଖାପାଟଣା ଠାରୁ ଏପ୍ରିଲ୍ ୯ ରୁ ୧୪ ତାରିଖ ସକାଳ ୧୦ରେ ଛାଡ଼ି ସେହିଦିନ କଟକରେ ସଂଧ୍ୟା ୬.୩୦ ମିନିଟରେ ପହଞ୍ଚିବ। ଫେରିବା ରାସ୍ତାରେ କଟକ ଠାରୁ ଏପ୍ରିଲ୍ ୧୦ରୁ ୧୫ ତାରିଖ ସକାଳ ୯ ଘଟିକାରେ ଛାଡ଼ି ବିଶାଖାପାଟଣାରେ ସେହିଦିନ ସଂଧ୍ୟା ୫.୩୦ ମିନିଟରେ ପହଞ୍ଚିବ।
ପୂର୍ବତଟ ରେଳପଥ ଦ୍ୱାରା ଚଳାଚଳ କରୁଥିବା ଏହି ପାର୍ସଲ୍ ଟ୍ରେନ୍ ବ୍ୟତୀତ ଆନ୍ତଃ ଜୋନାଲ୍ ରେଳପଥ ପାର୍ସେଲ୍ ଟ୍ରେନ୍ ପୂର୍ବତଟ ରେଳପଥର ପରିସୀମା ମଧ୍ୟ ଦେଇ ଚଳାଚଳ କରିବ।
ସିକନ୍ଦରାବାଦ-ହାୱଡ଼ା ପାର୍ସଲ୍ ଏକ୍ସପ୍ରେସ୍ ସିକନ୍ଦରାବାଦ ଠାରୁ ଏପ୍ରିଲ୍ ୯ ତାରିଖ ରାତ୍ର ୧୦ ଘଟିକାରେ ଛାଡ଼ି ହାୱଡ଼ାରେ ତା’ପରଦିନ ସକାଳ ୪ଟାରେ ପହଞ୍ଚିବ। ୦୦୭୬୦-ହାୱଡ଼ା-ସିକନ୍ଦରାବାଦ ସ୍ୱତନ୍ତ୍ର ପାର୍ସଲ୍ ଟ୍ରେନ୍ ହାୱଡ଼ା ଠାରୁ ଏପ୍ରିଲ୍ ୧୧ ତାରିଖ ଅପରାହ୍ନ ୦୪.୦୫ ମିନିଟରେ ଛାଡ଼ି ସିକନ୍ଦରାବାଦରେ ତା’ପରଦିନ ସଂଧ୍ୟା ୬ଟାରେ ପହଞ୍ଚିବ। ଏହି ଟ୍ରେନ୍ ଖୋର୍ଦ୍ଧା ଓ ଭୁବନେଶ୍ୱର ଠାରେ ରହଣୀ କରିବ।
୦୦୬୦୩-ଯଶବନ୍ତପୁର-ହାୱଡ଼ା ପାର୍ସଲ୍ ଏକ୍ସପ୍ରେସ୍ ଯଶବନ୍ତପୁରଠାରୁ ଏପ୍ରିଲ୍ ୮ ଓ ୧୧ ତାରିଖ ମଧ୍ୟାହ୍ନ ୧ ଘଟିକାରେ ଛାଡ଼ି ହାୱଡ଼ାରେ ରାତ୍ର ୨ଟାରେ ଖୋର୍ଦ୍ଧା ଓ ଭୁବନେଶ୍ୱରରେ ରହଣୀ କରି ପହଞ୍ଚିବ। ସେହିପରି ୦୦୬୦୪-ହାୱଡ଼ା-ଯଶବନ୍ତପୁର ସ୍ୱତନ୍ତ୍ର ପାର୍ସଲ୍ ଟ୍ରେନ୍ ହାୱଡ଼ା ଠାରୁ ଏପ୍ରିଲ୍ ୧୦ ଓ ୧୩ ତାରିଖ ଦିନ ୧୧ ଘଟିକାରେ ଛାଡ଼ି ଯଶବନ୍ତପୁରରେ ରାତ୍ର ୯.୩୦ ମିନିଟରେ ପହଞ୍ଚିବ।
୦୦୬୦୯-ଯଶବନ୍ତପୁର-ଗୌହାଟି ପାର୍ସେଲ୍ ଏକ୍ସପ୍ରେସ୍ ଯଶବନ୍ତପୁର ଠାରୁ ଏପ୍ରିଲ ୭ରେ ମଧ୍ୟାହ୍ନ ୧ ଘଟିକାରେ ଛାଡ଼ି ଗୌହାଟିରେ ରାତ୍ର ୯.୧୫ ମିନିଟରେ ପହଞ୍ଚିବ ଏବଂ ଖୋର୍ଦ୍ଧା ଓ ଭୁବନେଶ୍ୱରରେ ରହଣୀ କରିବ। ସେହିପରି ୦୦୬୧୦-ଗୌହାଟି-ଯଶବନ୍ତପୁର ସ୍ୱତନ୍ତ୍ର ପାର୍ସଲ୍ ଟ୍ରେନ୍ ଗୌହାଟିଠାରୁ ଏପ୍ରିଲ ୧୦ରେ ସକାଳ ୯ ଘଟିକାରେ ଛାଡ଼ି ଯଶବନ୍ତପୁରରେ ସଂଧ୍ୟା ୫.୪୫ ମିନିଟରେ ପହଞ୍ଚିବ।
ଏହି ଲକ୍ଡାଉନ୍ ସମୟରେ ସମସ୍ତ ସରକାରୀ ସଂସ୍ଥା, ଏନ୍.ଜି.ଓ., ବ୍ୟବସାୟୀ ସଂସ୍ଥାଗୁଡିକ ଅତ୍ୟାବଶ୍ୟକୀୟ ସାମଗ୍ରୀ ବିଭିନ୍ନ ସ୍ଥାନକୁ ପଠାଇ ପାରିବେ। ସେମାନେ ଏଥି ପାଇଁ ସମ୍ବଲପୁର ବରିଷ୍ଠ ମଣ୍ଡଳ ବାଣିଜ୍ୟ ପ୍ରବନ୍ଧକ ସମ୍ବିତ ନାୟକ (୮୪୫୫୮୮୬୯୫୦), ଖୋର୍ଦ୍ଧାରୋଡ଼ର ପି. କେ. ସାମଲ (୮୪୫୫୮୮୭୯୫୦), ୱାଲଟିୟରର ସୁନୀଲ କୁମାର (୮୯୭୮୦୮୦୯୫୦) ଓ ଭୁବନେଶ୍ୱରରେ ଉପମୁଖ୍ୟ ବାଣିଜ୍ୟ ପ୍ରବନ୍ଧକ ଏଚ୍.ଏଲ୍.ଲୁହାଙ୍ଗଙ୍କୁ (୮୪୫୫୮୮୫୯୫୫) ଯୋଗାଯୋଗ କରିପାରିବେ।



