ଭୁବନେଶ୍ୱର : ହାଇଦରାବାଦ, ପୁନେ ଓ ହିମାଚଳ ପ୍ରଦେଶ ସହରରେ ବୈଦ୍ୟୁତିକ (ଇଲେକ୍ଟ୍ରିକ) ଯାନ (ବସ୍) ଗଡିଲାଣି। ବାୟୁ ପ୍ରଦୂଷଣକୁ ରୋକିବା ପାଇଁ ସେଠାକାର ସରକାର ବୈଦ୍ୟୁତିକ ବସ୍ ଚଳାଚଳ କରିଛନ୍ତି। ଅଥଚ ୩ବର୍ଷ ତଳେ ଭୁବନେଶ୍ବରରେ ବୈଦ୍ୟୁତିକ ବସ୍ ଚଳାଚଳ ପାଇଁ ରାଜ୍ୟ ସରକାର ନିଷ୍ପତ୍ତି ନେଇଥିଲେ ମଧ୍ୟ ଏ ପର୍ଯ୍ୟନ୍ତ ଖଣ୍ଡେ ହେଲେ ବସ୍ ଆସି ପାରିଲା ନାହିଁ। ବସ୍ ତିଆରି ହୋଇ ସାରିଥିଲେ ମଧ୍ୟ ଅଣାଯାଉ ନାହିଁ।
ରାଜଧାନୀ ସହରାଞ୍ଚଳ ପରିବହନ(କ୍ରୁଟ୍) ସଂସ୍ଥା ଭୁବନେଶ୍ବରରେ ବୈଦ୍ୟୁତିକ ବସ୍ ଚଳାଚଳ ପାଇଁ ରାଜ୍ୟ ସରକାରଙ୍କୁ ପରାମର୍ଶ ଦେଇଥିଲା। ବସ୍ ଯୋଗାଣ ପାଇଁ ଠିକା ପ୍ରସ୍ତାବ (ଟେଣ୍ଡର) ପାଇଥିବା ପିଏମ୍ଆଇ ଫୋର୍ଟନ ସଂସ୍ଥା ବସ୍ ତିଆରି କରି ସାରିଲାଣି। କ୍ରୁଟ ବସ୍ ଆଣି ଚଳାଇବା କଥା, ହେଲେ ଆଣୁନାହିଁ। କେତେବେଳେ କହୁଛି ମାର୍ଚ୍ଚରେ ଚାଲିବ ତ ଆଉ କେତେବେଳେ କହୁଛି ଏପ୍ରିଲରେ ଗଡିବ। କରୋନା କାଳରେ ପ୍ରାୟ ସମୟ ‘ମୋ ବସ୍’ ବନ୍ଦ ଥିଲା। ବୈଦ୍ୟୁତିକ ବସ୍ ଆଣି ଠିଆ କଲେ କ୍ଷତି ସହିବାକୁ ପଡିବ। ସମୟ ସୁବିଧା ଦେଖି ବସ୍ ଅଣାଯିବ। ଅନ୍ୟପଟେ ବୈଦ୍ୟୁତିକ ଯାନ ନୀତିକୁ ରାଜ୍ୟ ସରକାର କ୍ୟାବିନେଟରେ ମୋହର ମାରି ସାରିଲେଣି। ରାଜ୍ୟରେ ପେଟ୍ରୋଲ ଓ ଡିଜେଲ ଚାଳିତ ଯାନବାହନ ଚଳାଚଳ କ୍ଷେତ୍ରରେ ପ୍ରଦୂଷଣ ହାର ହ୍ରାସ କରିବା ନିମନ୍ତେ ଆଗାମୀ ଦିନରେ ବୈଦ୍ୟୁତିକ ଯାନ କ୍ରୟ କରିବାକୁ ଥିବା ଗ୍ରାହକଙ୍କୁ ଆର୍ଥିକ ପ୍ରୋତ୍ସାହନ ଦିଆଯିବ। ସାରା ରାଜ୍ୟରେ ପ୍ରଦୂଷଣ କମିବ; କିନ୍ତୁ ରାଜଧାନୀକୁ ପ୍ରଦୂଷଣ ମୁକ୍ତ କରିବାକୁ ଲକ୍ଷ୍ୟ ରଖି ବୈଦ୍ୟୁତିକ ବସ୍ ଚଳାଚଳ କରିବାକୁ ପଦକ୍ଷେପ ନିଆଯାଇ ଥିଲେ ମଧ୍ୟ କ୍ରୁଟ୍ ପକ୍ଷରୁ ଗୁରୁତ୍ବ ଦିଆଯାଉ ନାହିଁ। ବୈଦ୍ୟୁତିକ ବସ୍ ରାଜଧାନୀ ରାସ୍ତାରେ ଗଡି ପାରିବ କି ନାହିଁ ଜାଣିବା ପାଇଁ କ୍ରୁଟ୍ ୧୯ ନଭେମ୍ବର, ୨୦୧୯ରେ ୨ଟି ବୈଦ୍ୟୁତିକ ବସ୍ ହାଇଦରାବାଦରୁ ଆଣି ପରୀକ୍ଷାମୂଳକ ଭାବେ ଚଳାଚଳ କରିଥିଲା। ବିନା ଯାତ୍ରୀରେ ଦୁଇ ବସ୍ ରାଜଧାନୀର ବିଭିନ୍ନ ମାର୍ଗରେ ୧୦ଦିନ ଗଡିଲା। ବସ୍ ଚଳାଚଳରୁ ପ୍ରାଥମିକ ଭାବେ ଜଣାପଡିଲା ଯେ, ଭୁବନେଶ୍ବରର ବିଭିନ୍ନ ମାର୍ଗରେ ବୈଦ୍ୟୁତିକ ବସ୍ ଚଳାଚଳ କରିପାରିବ। ତେଣୁ ୨୦୨୦ ମାର୍ଚ୍ଚ ଶେଷ ସୁଦ୍ଧା ୨୫ ବସ୍ ଆଣି ଚଳାଇବାକୁ କ୍ରୁଟ୍ ଯୋଜନା ପ୍ରସ୍ତୁତ କରିଥିଲା। ମାର୍ଚ୍ଚ ଶେଷ ସୁଦ୍ଧା ବସ ନିର୍ମାଣକାରୀ ସଂସ୍ଥା ପାଖରୁ ୨୫ ବସ୍ ଆଣି ଚଳାଇବାକୁ ଲକ୍ଷ୍ୟ ରଖିଥିଲା। ହେଲେ ନିର୍ଦ୍ଧାରିତ ସମୟରେ କ୍ରୁଟ ବସ ଆଣି ପାରିଲା ନାହିଁ। କରୋନା ଯୋଗୁଁ ବିଦେଶରୁ ବସ ତିଆରି ପାଇଁ ଆବଶ୍ୟକ ଉପକରଣ ଆସି ପାରୁ ନଥିବାରୁ ସଂସ୍ଥା ବସ ତିଆରି କରିପାରିନାହିଁ। ଭାରତରେ ଉପକରଣ ମିଳୁନାହିଁ। ଚାଇନାରୁ ଉପକରଣ ଆଣି ସଂସ୍ଥା ବସ ତିଆରି କରୁଛି। ବିମାନ ଉଡ଼ାଣ ବନ୍ଦ ଯୋଗୁଁ ଚାଇନାରୁ ଉପକରଣ ଭାରତକୁ ଆସିପାରୁ ନଥିବାରୁ ବସ ତିଆରି ହୋଇନାହିଁ ବୋଲି କ୍ରୁଟ ପକ୍ଷରୁ କୁହାଗଲା।
ପ୍ରଥମ ଲହର ସ୍ବାଭାବିକ ସ୍ଥିତିକୁ ଆସିବା ପରେ ଚଳିତ ବର୍ଷ ମାର୍ଚ୍ଚ ଶେଷ ସୁଦ୍ଧା ୨୫ ବୈଦ୍ୟୁତିକ ବସ୍ ଆଣି ଚଳାଇବାକୁ ସ୍ଥିର କରିଥିଲା କ୍ରୁଟ। ଏଥିପାଇଁ ବସ୍ ଚାର୍ଜ ଓ ଦୁଇଟି ଅତ୍ୟାଧୁନିକ ବସ୍ ରହଣିସ୍ଥଳ ନିର୍ମାଣ ହୋଇଛି। ତିଆରି ହୋଇଥିବା ବସ୍ରେ ଯାତ୍ରୀଙ୍କ ପାଇଁ ୩୨ ସ୍ଥାନ(ସିଟ୍) ଥିଲାେବଳେ ମୋବାଇଲ ଚାର୍ଜ ନିମନ୍ତେ ପ୍ରତି ସିଟ ପାଖରେ ଚାର୍ଜ ବ୍ୟବସ୍ଥା ରହିଛି। ଯାତ୍ରୀ କୌଣସି ସମସ୍ୟାରେ ପଡିଲେ ପାଖରେ ଥିବା ଜରୁରୀକାଳୀନ ବଟମ ଦାବି ବସ୍ ରଖିବା ପାଇଁ ଚାଳକଙ୍କୁ ସଙ୍କେତ ଦେଇ ପାରିବେ। ବିନା ପେଟ୍ରୋଲ ଓ ଡିଜେଲରେ ବସ ଚାଲୁଥିବାରୁ ବାୟୁ ପ୍ରଦୂଷଣକୁ ରୋକାଯାଇ ପାରିବ। ବ୍ୟାଟେରିକୁ ୩ ଘଣ୍ଟା ଚାର୍ଜ କଲେ ୨୦୦ କି.ମି ବାଟ ଗଡିବ। ବ୍ୟାଟେରିରୁ ଚାର୍ଜ ଯେତେ ସରିଥିବ ଚାଳକ ଜାଣିବା ପାଇଁ ସିଟ ପାଖରେ ସଙ୍କେତ ପାଇବା ବ୍ୟବସ୍ଥା ରହିଛି। ବସ୍ରେ ତିନିଟି ସିସିଟିଭି କ୍ୟାମେରା ଲଗାଯାଇଛି। ସୂଚନାଯୋଗ୍ୟ, ସ୍ମାର୍ଟସିଟି ପ୍ରକଳ୍ପରେ ଭୁବନେଶ୍ବର ସହରରେ ୫୦ ବୈଦ୍ୟୁତିକ ବସ୍ ଚାଲିବ। ସ୍ମାର୍ଟସିଟି ମାନ୍ୟତାକୁ ୫ବର୍ଷ ବିତିବାକୁ ବସିଥିବା ବେଳେ ଏ ପର୍ଯ୍ୟନ୍ତ ବୈଦ୍ୟୁତିକ ବସ୍ ଚଳାଚଳ ଦିଗରେ କେହି ଧ୍ୟାନ ଦେଉନାହାନ୍ତି। ଏ ସଂକ୍ରାନ୍ତରେ କ୍ରୁଟ ପରିଚାଳନା ନିର୍ଦେଶକ ସଞ୍ଜୟ ସିଂହଙ୍କୁ ଯୋଗାଯୋଗ କରାଯାଇ ଥିଲେ ମଧ୍ୟ ସେ ପ୍ରତିକ୍ରିୟା ରଖି ନଥିଲେ।
କାଗଜପତ୍ରରେ ଗଡ଼ୁଛି ବୈଦ୍ୟୁତିକ ବସ୍ ; ଘୋଷଣାରେ ସୀମିତ ଯୋଜନା
Popular Categories



