ସମାଜ ଡିଜିଟାଲ ଡେସ୍କ: ପାକିସ୍ତାନର ପଞ୍ଜାବ ପ୍ରଦେଶ ଅନ୍ତର୍ଗତ ଓକାରା ସେନା କ୍ୟାଣ୍ଟ ଉପରେ ଭାରତ ପକ୍ଷରୁ ଡ୍ରୋନ ଦ୍ଵାରା ଆକ୍ରମଣ କରାଯାଇଛି। ଶୁକ୍ରବାର ସକାଳୁ ଏହି ଆକ୍ରମଣ ହୋଇଥିବା ସୂଚନା ମିଳିଛି। ପାକିସ୍ତାନର ପ୍ରତିଆକ୍ରମଣ ପରେ ଗୁରୁବାର ରାତିରୁ ଭାରତର ଆକ୍ରମଣ ଜାରି ରହିଥିଲା। ରାତି ସାରା ଭାରତୀୟ ବାୟୁସେନା, ନୌସେନା ଏବଂ ସ୍ଥଳ ସେନା ପାକିସ୍ତାନକୁ ୩ ପଟୁ ଘେରି ରହି ଆକ୍ରମଣ କରିଥିଲେ।
ଭାରତର ଆକ୍ରମଣରେ ପାକିସ୍ତାନର ଏକାଧିକ ଗୁରୁତ୍ଵପୂର୍ଣ୍ଣ ସ୍ଥାନ ଧ୍ବସ୍ତବିଧ୍ବସ୍ତ ହୋଇଯାଇଛି। କରାଚୀ ବନ୍ଦରକୁ ଭାରତୀୟ ନୌସେନା ଟାର୍ଗେଟ କରିଥିଲା। ଆଇଏନଏସ ବିକ୍ରାନ୍ତ ଏବଂ ଏହାର ଯୁଦ୍ଧାସ୍ତ୍ର ବହନକାରୀ ଡ୍ରୋନ ଜରିଆରେ କରାଚୀ ବନ୍ଦର ଉପରେ ଘନ ଘନ ବୋମା ବର୍ଷଣ କରାଯାଇଥିଲା।
ସେହିପରି ସୀମାନ୍ତର ସାମ୍ବା ସେକ୍ଟରରେ ପାକ୍ ଆତଙ୍କବାଦୀମାନେ ରାତି ସାରା ଅନୁପ୍ରବେଶ ଉଦ୍ୟମ କରିଥିଲେ। ଯାହାକୁ ବିଏସଏଫ ପକ୍ଷରୁ ନିଷ୍ଫଳ କରାଯାଇଥିଲା। ଏହି ସମୟରେ ବିଏସଏଫ ଯବାନମାନେ ୭ ଆତଙ୍କୀଙ୍କୁ ନିପାତ କରିଥିଲେ।



