ପବିତ୍ର ଦୋଳ ପୂର୍ଣ୍ଣିମା : ଗାଁରୁ ସହର ଉତ୍ସବ ମୁଖର, ଶ୍ରୀଜୀଉମାନଙ୍କର ସୁନାବେଶ
ପବିତ୍ର ଦୋଳ ପୂର୍ଣ୍ଣିମା ଅବସରରେ ଆଜି ଗାଁରୁ ସହର ଉତ୍ସବ ମୁଖର ହୋଇ ଉଠିଛ । ଚାରିଆଡେ ଉତ୍ସବ ଓ ଆଧ୍ୟାତ୍ମିକତାର ପରିବେଶ। ଏହି ଅବସରରେ ରାଜ୍ୟର ବିଭିନ୍ନ ସ୍ଥାନରେ ଫଗୁଖେଳ ଓ ଦୋଳ ମେଳଣ ଅନୁଷ୍ଠିତ ହେଉଛି । ଶ୍ରୀ ରାଧାକୃଷ୍ଣ ସୁସଜ୍ଜିତ ବିମାନରେ ବିରାଜମାନ ହୋଇ ଘରଘର ବୁଲି ଭୋଗ ଖାଇବା
ସହ ମେଳଣ ପଡ଼ିଆକୁ ବିଜେ କରୁଛନ୍ତି । ବିଭିନ୍ନ ସ୍ଥାନରୁ ଆସିଥିବା ଦୋଳ ବିମାନକୁ ନେଇ ମେଳଣ ଅନୁଷ୍ଠିତ ହେଉଛି।
ଶ୍ରୀମନ୍ଦିର ପୁରୀରେ ଆଜି ଶ୍ରୀଜୀଉମାନଙ୍କର କେତେକ ବିଶେଷ ନୀତି ଅନୁଷ୍ଠିତ ହେଉଛି । ସେବାୟତମାନେ ଶ୍ରୀଜୀଉମାନଙ୍କୁ ଆଜି ପାରମ୍ପରିକ ରୀତିମତେ ସୁନାବେଶ ବା ରାଜରାଜେଶ୍ୱର ବେଶରେ ସଜ୍ଜିତ କରାଇବେ। ଶ୍ରଦ୍ଧାଳୁମାନେ ଜଗମୋହନର ବାହାର କାଠ ପାଖରେ ଠିଆ ହୋଇ ଏହି ଦୁର୍ଲ୍ଲଭ ବେଶ ଦର୍ଶନ କରିବେ। ରାତି ପ୍ରାୟ ସାଢେ ୧୦ଟା ବେଳକୁ ବେଶ ଓଲାଗି ହେବାପରେ ଅନ୍ୟାନ୍ୟ ନୀତି ହେବ ବୋଲି ସୂଚନା ମିଳିଛି ।
ଏହାଛଡା ସେବାୟତମାନେ ଆଜି ଶ୍ରୀଜଗନ୍ନାଥଙ୍କ ଚଳନ୍ତି ପ୍ରତିମା ଦୋଳଗୋବିନ୍ଦ, ଭୂଦେବୀ ଓ ଶ୍ରୀଦେବୀଙ୍କୁ ବିମାନରେ ନେଇ ଦୋଳବେଦୀରେ ବିଜେ କରାଇବେ। ସେଠାରେ ଶ୍ରୀଜୀଉଙ୍କ ଫଗୁ ଖେଳ ଅନୁଷ୍ଠିତ ହେବ । ଏହି ଅବସରରେ ପାରମ୍ପରୀକ ରୀତିମତେ ଶ୍ରୀଜୀଉମାନଙ୍କ ସମ୍ମୁଖରେ ଦୋଳବେଦୀ ଉପରେ ନୂତନ ପଞ୍ଜିକା ପାଠ କରାଯିବ।
Comments are closed.