ରାସ ଉତ୍ସବ, ଶ୍ରୀଜଗନ୍ନାଥ ଓ ଦୋଳପୂର୍ଣ୍ଣିମା
ବ୍ରହ୍ମବୈବର୍ତ୍ତ ପୁରାଣ ମତରେ ବିଷ୍ଣୁ ବୈକୁଣ୍ଠର ଅଧିପତି; କିନ୍ତୁ ଶ୍ରୀକୃଷ୍ଣ ଗୋଲୋକର ଅଧିପତି ଓ ସେ ଗୋଲୋକର ରାସମଣ୍ଡଳରେ ଅବସ୍ଥାନ କରନ୍ତି। ଗୋଲୋକ ଧାମରେ ଗୋ, ଗୋପ ଓ ଗୋପୀମାନେ ବାସ କରନ୍ତି। ରାଧା ହିଁ ଗୋଲୋକ ଧାମର ଅଧିଷ୍ଠାତ୍ରୀ ଦେବୀ।
ପଦ୍ମପୁରାଣ, ମତ୍ସ୍ୟ ପୁରାଣ, ବରାହ ପୁରାଣ, ଦେବୀ ଭାଗବତ, ରାଧାତାପିନୀ ଉପନିଷଦ, ଭାସଙ୍କ ବାଳଚରିତ ନାଟକ, ଭଟ୍ଟନାରାୟଣଙ୍କ ବେଣୀସଂହାର ନାଟକ, କ୍ଷେମେନ୍ଦ୍ରଙ୍କ ଦଶାବତାର ଚରିତମ୍, ଗୋବର୍ଦ୍ଧନାଚାର୍ଯ୍ୟଙ୍କର ଆର୍ଯ୍ୟାସପ୍ତଶତୀ ପ୍ରଭୃତି ଗ୍ରନ୍ଥରେ ରାଧାକୃଷ୍ଣଙ୍କ ପ୍ରୀତିପୂର୍ଣ୍ଣ ଦିବ୍ୟଲୀଳା ବିଷୟରେ ସୂଚନା ଦିଆଯାଇଛି। ଗୋଲୋକର ରାସକୁ ପ୍ରକୃତି ଓ ପୁରୁଷଙ୍କର ଚିରନ୍ତନ ମିଳନର ଦାର୍ଶନିକ ରହସ୍ୟ ରୂପେ ବର୍ଣ୍ଣନା କରାଯାଇଛି। ଗୋଲୋକର ଏହି ରାଧାକୃଷ୍ଣ ଦ୍ବାପର ଯୁଗରେ ପୁନର୍ବାର ଆବିର୍ଭୂତ ହୋଇଥିଲେ। ଭଗବାନ କୃଷ୍ଣ ଧରାପୃଷ୍ଠରେ ଅବତାର ଗ୍ରହଣ କଲାବେଳେ, ରାଧା ବୃଷଭାନୁଙ୍କ କନ୍ୟା ରୂପରେ ଏକ ଗୋପୀଭାବରେ ଜନ୍ମଗ୍ରହଣ କରିଥିଲେ। ରାଧା ପିତୃସଦନରେ ଛାୟାରୂପ ପରିତ୍ୟାଗ କରି ଅନ୍ତର୍ହିତ ହେବାପରେ ବ୍ରହ୍ମା ପ୍ରକୃତ ରାଧାଙ୍କ ସହିତ ଗୋଲୋକର କୃଷ୍ଣଙ୍କର ବିବାହ କରାଇଥିଲେ। ବୃଷଭାନୁ ଛାୟାରୂପରେ ଥିବା ରାଧାଙ୍କୁ ରାୟାଣବୈଶ୍ୟ ସହିତ ବିବାହ ଦେଇଥିଲେ। ଏଣୁ ମୂଳ ପ୍ରକୃତି ରାଧା କୃଷ୍ଣଙ୍କୁ ବିବାହକରି କୃଷ୍ଣଙ୍କ ହୃଦୟରେ ଅବସ୍ଥାନ କରିଥିଲେ।
ଦେବୀ ଭାଗବତରେ ରାଧାଙ୍କୁ କୃଷ୍ଣଙ୍କ ପ୍ରାଣାଧିକା ଶକ୍ତି ରୂପେ ବର୍ଣ୍ଣନା କରାଯାଇଛି। ଏଥିରେ ତାଙ୍କୁ ସଚ୍ଚିଦାନନ୍ଦରୂପିଣୀ ଓ ବେଦମାତା ଗାୟତ୍ରୀଙ୍କ ଦ୍ବାରା ଉପାସିତା ଶକ୍ତି କୁହାଯାଇଛି। ସୃଷ୍ଟିର ଆରମ୍ଭରେ ମୂଳ ପ୍ରକୃତି ରୂପେ ରାଧା ଓ ଦୁର୍ଗା ନାମରେ ଦୁଇଦେବୀଙ୍କ ଆବିର୍ଭାବ ହୋଇଥିଲା ବୋଲି ଏଥିରେ ଉଲ୍ଲେଖ ଅଛି। ଏଥିରେ ରାଧାଙ୍କୁ ପ୍ରାଣର ଅଧିଷ୍ଠାତ୍ରୀ ରୂପେ ଓ ଦୁର୍ଗାଙ୍କୁ ବୁଦ୍ଧିର ଅଧିଷ୍ଠାତ୍ରୀ ରୂପେ କୁହାଯାଇଛି। ଆରାଧନା ଦ୍ବାରା ସର୍ବ ସଂପଦ ପ୍ରଦାନ କରୁଥିବାରୁ ଦେବୀଙ୍କୁ ରାଧା କୁହାଯାଏ।
ଶ୍ରୀମଦ୍ ଭାଗବତରେ ରାଧା ନାମର ଉଲ୍ଲେଖ ନାହିଁ। ଏଥିରେ ଗୋପୀମାନଙ୍କ ବିଷୟରେ ବର୍ଣ୍ଣନା କରାଯାଇଛି। ଗବେଷକମାନଙ୍କ ମତରେ ରାଧା ହିଁ ଭାଗବତରେ ବର୍ଣ୍ଣିତ ଗୋପୀମାନଙ୍କ ମଧ୍ୟରେ ଶ୍ରେଷ୍ଠା ଗୋପୀ ଥିଲେ। ଏହି ଭାଗବତରେ ଭଗବାନ ଶ୍ରୀକୃଷ୍ଣଙ୍କର ମାଧୁର୍ଯ୍ୟରସ ଓ ଅପ୍ରାକୃତ ଦିବ୍ୟ ପ୍ରେମର ଯେଉଁ ରହସ୍ୟ ପ୍ରଦାନ କରାଯାଇଛି ସେଥିରେ ରାସ ଉତ୍ସବକୁ ବଳିଷ୍ଠ ମାଧ୍ୟମରୂପେ ସ୍ବୀକାର କରାଯାଇଛି। ଶରତ୍ ପୂର୍ଣ୍ଣିମାର ଜ୍ୟୋତ୍ସ୍ନାଧୌତ ନମନୀୟ ପ୍ରକୃତିରେ ବୃନ୍ଦାବନର କୁଞ୍ଜବନରେ ଭଗବାନ ଶ୍ରୀକୃଷ୍ଣ ଯେଉଁ ଅପ୍ରାକୃତ ଦିବ୍ୟପ୍ରେମର ଲୀଳା ସଂପାଦନା କରିଥିଲେ, ତାହାର ପୃଷ୍ଠଭୂମିରେ ମୁଖ୍ୟତଃ ଶରତ୍ ରାସ ଓ ବସନ୍ତ ରାସ ପାଳିତ ହୁଏ। ବୃନ୍ଦାବନରେ ଦିବ୍ୟନାରୀ ଗୋପୀମାନଙ୍କ ହୃଦୟରେ ରସିକ ଶେଖର ଗୋପୀନାଥଙ୍କ ପାଇଁ ଯେଉଁ ଅପ୍ରାକୃତ ମିଳନର ଅଭୀପ୍ସା ଜାଗ୍ରତ ହୋଇଥିଲା ତାହାର ପଟ୍ଟଭୂମିରେ ବୈଷ୍ଣବ ଦର୍ଶନରେ ବସନ୍ତକାଳୀନ ରାସ ଉତ୍ସବ ପାଳନର ବ୍ୟବସ୍ଥା କରାଯାଇଥିଲା।
ପୂର୍ବେ ଏହି ବସନ୍ତ ରାସକୁ ମଦନ ମହୋତ୍ସବ କୁହାଯାଉଥିଲା। କାଳିଦାସଙ୍କ ଅଭିଜ୍ଞାନ ଶାକୁନ୍ତଳମ୍, ଋତୁସଂହାରମ୍ ପ୍ରଭୃତି ଗ୍ରନ୍ଥରେ ଏହି ମଦନମହୋତ୍ସବ ସମ୍ପର୍କରେ ବର୍ଣ୍ଣନା କରାଯାଇଛି। ଏତଦ୍ ବ୍ୟତୀତ ପଦ୍ମପୁରାଣ, ହରିବଂଶ ଓ ଭବିଷ୍ୟୋତ୍ତର ପୁରାଣରେ ମଧ୍ୟ ଏ ସମ୍ପର୍କରେ ସୂଚନା ଦିଆଯାଇଛି।
ବସନ୍ତ ଉତ୍ସବ ଓ ରାଧାକୃଷ୍ଣ ଉପାସନାକୁ ଭିତ୍ତିକରି ପ୍ରାୟ ୧୨ଶ ଶତାବ୍ଦୀ ବେଳକୁ ଦୋଳ ଉତ୍ସବ ପାଳନ ହୋଇଥିଲା ବୋଲି କୁହାଯାଏ। ବିଶିଷ୍ଟ ଲେଖକ ପଦ୍ମଚରଣ ପଟ୍ଟନାୟକ ସ୍ବଲିଖିତ ‘ହିନ୍ଦୁ ଆଚାରର ବିଚାର’ରେ ରାଧାକୃଷ୍ଣ ଲୀଳାକୁ ବିଶ୍ବସାହିତ୍ୟର ସର୍ବଶ୍ରେଷ୍ଠ (ଆଲେଜୋରି) ରୂପକ ରୂପେ ବର୍ଣ୍ଣନା କରିଛନ୍ତି। ତାଙ୍କ ମତରେ ଭାଷାର ସରଳତା, ଭାବର ମଧୁରତା, ଉପମାର ବାସ୍ତବତା, ହୃଦୟର ବ୍ୟାକୁଳତା ଓ ଭକ୍ତିର ବିପୁଳତା ଏଥିରେ ପ୍ରତିଫଳିତ ହୋଇଥାଏ। ଏହାକୁ ଭାବ ଦେହରେ ଅପ୍ରାକୃତ ରମଣ ବୋଲି କୁହାଯାଏ।
ସ୍କନ୍ଦପୁରାଣ ଅନୁଯାୟୀ ଜୈମିନୀ ଋଷି ଅନ୍ୟ ଋଷିମାନଙ୍କୁ କହିଥିଲେ ଯେ ଫାଲ୍ଗୁନ ମାସରେ ଭଗବାନ ଗୋବିନ୍ଦଙ୍କର ଦୋଳ ଆରୋହଣ କରାଯାଏ। ଶ୍ରୀମନ୍ଦିରରେ ଫଗୁଦଶମୀ ଦିନ ଶ୍ରୀଜଗନ୍ନାଥଙ୍କ ଚଳନ୍ତି ପ୍ରତିମା ମଦନମୋହନ, ଲକ୍ଷ୍ମୀ (ଶ୍ରୀଦେବୀ) ଓ ସରସ୍ବତୀ (ଭୂଦେବୀ)ଙ୍କ ସହ ବିମାନରେ ବସି ଜଗନ୍ନାଥବଲ୍ଲଭ ମଠରେ ବିରାଜମାନ କରନ୍ତି। ସେଠାରେ ଜଉ ନିର୍ମିତ ଫଗୁ ଫୋଟକାରେ ଖେଳ ହୁଏ। ଏହା ପରେ ନୈବେଦ୍ୟ ସମର୍ପଣ ହୁଏ। ତ୍ରୟୋଦଶୀ ପର୍ଯ୍ୟନ୍ତ ଏହିପରି ନୀତି ପାଳିତ ହୁଏ। ଚତୁର୍ଦ୍ଦଶୀ ଦିନ ଶ୍ରୀଜଗନ୍ନାଥଙ୍କର ଚାଚେରୀ ବେଶ ହୁଏ ଓ ଭୋଗ ସମର୍ପଣ ହୁଏ। ବିଗ୍ରହମାନଙ୍କୁ ଫଗୁ ଅବିର ଅର୍ପଣ କରାଯାଏ। ଏହାପରେ ଠାକୁରମାନେ ବିମାନରେ ଦୋଳବେଦୀଙ୍କୁ ଯାଅାନ୍ତି ଓ ସେଠାରେ ପୂଜା ଉପଚାର ପରେ ମେଷ ମୁଖାକୃତି ହୋଲିକା ରାକ୍ଷସୀ ଦହନ କରାଯାଏ।
ଦୋଳପୂର୍ଣ୍ଣିମା ଦିନ ଠାକୁରମାନଙ୍କୁ ନୂତନ ବସ୍ତ୍ର ଲାଗି କରାଯାଏ। ଠାକୁରମାନେ ଦୋଳବେଦୀରେ ଦୋଳିରେ ବିରାଜମାନ କରନ୍ତି। ସେଠାରେ ତିନିଧୂପ ବାଳଭୋଗ ହୁଏ। ଫଗୁ ଓ ଆମ୍ବକଷି ଲାଗି ହୁଏ। ଫେରିବାବେଳେ ପୁନର୍ବାର ଦୋଳବେଦୀକୁ ସାତଥର ପରିକ୍ରମା କରି ଶ୍ରୀମନ୍ଦିରରେ ବିରାଜିତ ହୋଇଥାନ୍ତି। ଏହି ଅବସରରେ ଶ୍ରୀମନ୍ଦିରରେ ଶ୍ରୀ ଜଗନ୍ନାଥଙ୍କର ରାଜବେଶ ହୁଏ, ଜଗନ୍ନାଥଙ୍କ ଦେହରେ ଫଗୁ ଲାଗିହୁଏ ଓ ସ୍ବର୍ଣ୍ଣ ନିର୍ମିତ ହସ୍ତ, ପଦ, ଶଙ୍ଖ, ଚକ୍ର, ଗଦା, ହଳ ପ୍ରଭୃତି ଧାରଣ କରି ଠାକୁରମାନେ ଶ୍ରୀକୃଷ୍ଣ ବଳରାମ ରୂପେ ଉଦ୍ଭାସିତ ହୋଇଥାନ୍ତି। ଦୋଳମଣ୍ଡପରେ ଯେଉଁମାନେ ଭଗବାନଙ୍କୁ ଦର୍ଶନ କରନ୍ତି, ସେମାନେ ବ୍ରହ୍ମହତ୍ୟାଦି ପଞ୍ଚ ମହାପାତଃଦୋଷରୁ ମୁକ୍ତିଲାଭ କରିଥାନ୍ତି। ଏଣୁ ଯଥାର୍ଥରେ କୁହାଯାଇଛି-
ଦୋଳାୟମାନ ଗୋବିନ୍ଦଂ ମଞ୍ଚସ୍ଥଂ ମଧୁସୂଦନଂ
ରଥସ୍ଥଂ ବାମନଂ ଦୃଷ୍ଟ୍ବା ପୁନର୍ଜନ୍ମ ନ ବିଦ୍ୟତେ ।
ବାସ୍ତବରେ ହୃଦୟରୂପକ ଦୋଳାରେ ରାଧାକୃଷ୍ଣଙ୍କୁ ଅଧିଷ୍ଠିତ କରି ନାମପ୍ରେମର ରଙ୍ଗରେ ସଜାଇ ଅହରହ ବାସୁଦେବ କୃଷ୍ଣଙ୍କର ମନ୍ତ୍ର ‘କ୍ଳୀଂ କୃଷ୍ଣାୟ’କୁ ମନବୀଣାରେ ଝଙ୍କୃତ କରିବା ହିଁ ଦୋଳଉତ୍ସବର ଦାର୍ଶନିକ ରହସ୍ୟ ରୂପେ ଉପଲବ୍ଧି କରାଯାଏ।
ପୂର୍ଣ୍ଣେନ୍ଦୁ କୁମାର ନନ୍ଦ
ପ୍ରାକ୍ତନ ସ୍ବତନ୍ତ୍ର ଶାସନ ସଚିବ,
ଭୁବନେଶ୍ବର,ଦୂରଭାଷ: ୬୩୭୧୦୧୫୫୫୦
Comments are closed.