ସମାଜ ଡିଜିଟାଲ ଡେସ୍କ: ‘ଡାକ୍ତରଖାନାକୁ ଆସୁଥିବା କରୋନା ରୋଗୀଙ୍କୁ ମାରିଦିଅ’। ଦୁଇ ଜଣ ବରିଷ୍ଠ ଡାକ୍ତରଙ୍କ ମଧ୍ୟରେ ହୋଇଥିବା ଏପରି ବାର୍ତ୍ତାଳାପର ଅଡିଓ କ୍ଲିପ ଏବେ ସାମାଜିକ ଗଣମାଧ୍ୟମରେ ଭାଇରାଲ ହୋଇଛି। ଯାହା ସମସ୍ତଙ୍କୁ ଚକ୍କିତ କରିଛି। ଏହି ଦୁଇ ଡାକ୍ତରଙ୍କ ମଧ୍ୟରେ ପୁଲିସ ପକ୍ଷରୁ ମାମଲା ରୁଜୁ ହୋଇଛି। ତେବେ ଅଡିଓ କ୍ଲିପଟି ୨୦୨୧ ମସିହାର, ଯେତେବେଳେ ସାରା ବିଶ୍ଵ କରୋନା ଦ୍ଵାରା କବଳିତ ଥିଲା। ଏହି ଦୁଇ ଡାକ୍ତର ହେଉଛନ୍ତି ଉଦଗିରି ସରକାରୀ ଡାକ୍ତରଖାନାର ତତ୍କାଳୀନ ଅତିରିକ୍ତ ଜିଲା ଶଲ୍ୟ ଚିକିତ୍ସକ ଡା. ଶଶିକାନ୍ତ ଦେଶପାଣ୍ଡେ ଏବଂ ମହାରାଷ୍ଟ୍ରର ଲାତୁରରେ ନିର୍ମିତ କୋଭିଡ ଯତ୍ନ କେନ୍ଦ୍ରର ଡାକ୍ତର ଶଶିକାନ୍ତ ଡାଙ୍ଗେ।
ସାମାଜିକ ଗଣମାଧ୍ୟମରେ ପ୍ରଘଟ ଅଡିଓ କ୍ଲିପରେ ଜଣେ ଡାକ୍ତର ଅନ୍ୟ ଜଣେ ଡାକ୍ତରଙ୍କୁ କହୁଛନ୍ତି ଯେ, କାହାକୁ ଭିତରକୁ ଆସିବାକୁ ଦିଅନି ଏବଂ ଦାଇମାଙ୍କୁ ମାରିଦିଅ। ଦାଇମାଙ୍କ ପାଇଁ ଅଧିକ ଅମ୍ଳଜାନ ଦରକାର ପଡ଼ୁଛି। ଉଲ୍ଲେଖ ଯେ ଦାଇମା ହେଉଛନ୍ତି ଜଣେ କରୋନା ରୋଗୀ, ଯାହାଙ୍କ ଆଇସିୟୁରେ ରଖି ଚିକିତ୍ସା କରାଯାଉଥିଲା। ୨୦୨୧ ଏପ୍ରିଲ ୧୫ରେ କୋଭିଡରେ ଆକ୍ରାନ୍ତ ହେବା ପରେ ତାଙ୍କୁ ଉଦଗିରି ସରକାରୀ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ଏପ୍ରିଲ ୨୫ରେ ସେ ସୁସ୍ଥ ହୋଇ ଡାକ୍ତରଖାନାରୁ ଯାଇଥିଲେ।
ଚଳିତବର୍ଷ ମେ ୨ ତାରିଖରେ ଏହି ଅଡିଓ କ୍ଲିପଟି ଦାଇମାଙ୍କ ସ୍ଵାମୀ ସାମାଜିକ ଗଣମାଧ୍ୟମରୁ ପାଇଥିଲେ। ଦୁଇ ଡାକ୍ତର ବାର୍ତ୍ତାଳାପ କରିବା ସମୟରେ ରୋଗୀଙ୍କ ଜାତିକୁ ନେଇ ମଧ୍ୟ ଖରାପ କଥା କହିଥିଲେ। ତେଣୁ ସେ ଏ ନେଇ ଥାନାରେ ଏତଲା ଦେବା ପରେ ପୁଲିସ ମାମଲା ରୁଜୁ କରିଛି। ଅନ୍ୟପଟେ ଏହି ଅଡିଓ କ୍ଲିପ ପ୍ରଘଟ ହେବା ପରେ ଜନସାଧାରଣଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଛି।



