ଆଜାଦୀ କା ଅମୃତ ମହୋତ୍ସବ ପାଳନ ଅବସରରେ ଆଜି ଡ଼ାକ ଟିକଟ ସଂଗ୍ରହ ଦିବସରେ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଓ ରେଳମନ୍ତ୍ରୀ ଅଶ୍ୱନୀ ବୈଷ୍ଣବ ରାଜ୍ୟର ୬ ଜଣ ସ୍ୱାଧୀନତା ସଂଗ୍ରାମୀଙ୍କ ନାମରେ ସ୍ୱତନ୍ତ୍ର ଡ଼ାକ ଲଫାପା ଉନ୍ମୋଚନ କରିଛନ୍ତି। ଏହି ଅବସରରେ ମନ୍ତ୍ରୀ ଶ୍ରୀ ପ୍ରଧାନ ସେହି ସ୍ୱାଧୀନତା ସଂଗ୍ରାମୀଙ୍କ ଦାୟାଦ ଓ ପରିବାର ସଦସ୍ୟଙ୍କ ସହ କଥା ହୋଇଛନ୍ତି। ଓଡ଼ିଶା ମାଟିର ମହାନ ସ୍ୱାଧୀନତା ସଂଗ୍ରାମୀ ଶହୀଦ ଜୟୀ ରାଜଗୁରୁ, ବକ୍ସି ଜଗବନ୍ଧୁ, ଚକରା ବିଷୋୟୀ, ଚାଖି ଖୁଣ୍ଟିଆ, ଶହୀଦ ବାଜି ରାଉତ ଓ ପାର୍ବତି ଗିରିଙ୍କ ସ୍ମୃତିରେ ଉନ୍ମୋଚିତ ହୋଇଥିବା ଲଫାପାକୁ କିଣି ବ୍ୟବହାର କରିବା ପାଇଁ ଉଭୟ ମନ୍ତ୍ରୀ ଜନସାଧାରଣଙ୍କୁ ଅନୁରୋଧ କରିଛନ୍ତି। ଶ୍ରୀ ପ୍ରଧାନ କହିଛନ୍ତି, ଭାରତର ସ୍ୱତନ୍ତ୍ରତା ସଂଗ୍ରାମରେ ଓଡ଼ିଶାର ଏହି ବୀର ଯୋଦ୍ଧାଗଣ ଯେଉଁ ତ୍ୟାଗ, ତପସ୍ୟା, ସାହସ ତଥା ବଳିଦାନ ଦେଖାଇଛନ୍ତି, ତାହା ଅବିସ୍ମରଣୀୟ। ଭାରତ ସରକାରଙ୍କ ପକ୍ଷରୁ ଏଭଳି ପ୍ରଚେଷ୍ଟା ପାଇଁ ସେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ତଥା ଡ଼ାକ ବିଭାଗ ସହ ଜଡ଼ିତ ସମସ୍ତଙ୍କୁ ଆନ୍ତରିକ କୃତଜ୍ଞତା ଜଣାଇଛନ୍ତି।
ବ୍ରିଟିଶ ବିରୋଧରେ ମହାନ ଯୋଦ୍ଧା ଜୟୀ ରାଜଗୁରୁଙ୍କ ସଂଗ୍ରାମ, ପାଇକ ବିଦ୍ରୋହରେ ବକ୍ସି ଜଗବନ୍ଧୁଙ୍କ ବଳିଷ୍ଠ ନେତୃତ୍ୱ, ଘୁମୁଷର ପାଇଁ ଆପ୍ରାଣ ଚେଷ୍ଟା କରିଥିବା ଜନଜାତି ଜନନାୟକ ଚକରା ବିଷୋୟୀ, ସିପାହୀ ବିଦ୍ରୋହରେ ଚାଖି ଖୁଣ୍ଟିଆଙ୍କ ଭୂମିକା,ଶହୀଦ ବାଜି ରାଉତଙ୍କ ସାହସ ଓ ପାର୍ବତି ଗିରିଙ୍କ ଦେଶସେବାର ଇଚ୍ଛାଶକ୍ତି ପ୍ରେରଣା ହୋଇ ରହିବ ବୋଲି କହିବା ସହ ଆଗାମୀ ଦିନରେ ଏଭଳି ମହାନାୟକଙ୍କ ତ୍ୟାଗ ତଥା ବଳିଦାନକୁ ଶତାବ୍ଦୀ ଶତାବ୍ଦୀ ଧରି ଉଜ୍ଜିବୀତ କରି ରଖିବା ପାଇଁ ଓଡ଼ିଶାର ପୁରାତନ ଇତିହାସ ଓ ସ୍ୱାଧୀନତା ସଂଗ୍ରାମୀଙ୍କ ଉପରେ ଗବେଷଣା କରିବା ପାଇଁ ଭାରତୀୟ ଇତିହାସ ଅନୁସନ୍ଧାନ ପରିଷଦ ମାଧ୍ୟମରେ ପ୍ରଚେଷ୍ଟା କରାଯିବ ବୋଲି ମନ୍ତ୍ରୀ ଶ୍ରୀ ପ୍ରଧାନ କହିଛନ୍ତି।



