ଧାମନଗର: ଶ୍ମାଶାନରେ ଭୂତଙ୍କ ପାଇଁ ନିର୍ମାଣ ଚାଲିଛି ଖେଳ ପଡିଆ । ଭଦ୍ରକ ଜିଲ୍ଲା ଧାମନଗର ବ୍ଲକ ରାଧାବଲ୍ଲଭପୁର ପଞ୍ଚାୟତ କର୍ଯ୍ୟାଳୟ ନିକଟରେ ୪୧୬ ନମ୍ବର ପ୍ଲଟ ସର୍ବସାଧାରଣ ଶ୍ମଶାନକୁ ଖେଳପଡିଆ ନିର୍ମାଣ ଲାଗି ଧାମନଗର ପୂର୍ବତନ ବ୍ଲକ ଅଧକ୍ଷ ଅଶୋକ ନାୟକ, ଜିଲ୍ଲା ପରିଷଦ ଉପାଧ୍ୟକ୍ଷା ଟୁନିବାଳା ବିଶ୍ୱାଳ ଫଳକ ଲଗାଇ ଉଦଘାଟନ କରିଛନ୍ତି । ମହାତ୍ମା ଗାନ୍ଧୀ ଜାତୀୟ ନିଶ୍ଚିତ କର୍ମ ନିଯୁକ୍ତି ଯୋଜନାରେ ଅନ୍ତର୍ଭୂକ୍ତ ଛତ୍ରପଦା ଖେଳପଡିଆର ଉନ୍ନତିକରଣ ଲାଗି ୯ ଲକ୍ଷ ଟଙ୍କା ବ୍ୟୟ ବରାଦ କରାଯାଇଛି ।
ଏହି ଅର୍ଥ ଖେଳପଡିଆ ଉନ୍ନତିକରଣ ସହିତ ସୌନ୍ଦର୍ଯ୍ୟକରଣ ହେବାକଥା । ଖେଳପଡିଆ ବଦଳରେ ସ୍ଥାନୀୟ ଶ୍ମଶାନରେ ଶହ ଶହ ସମାଧୀକୁ ଡୋଜର ଦ୍ୱାରା ଭାଙ୍ଗି ଟ୍ରାକ୍ଟର ଦ୍ୱାରା ମାଟି ପୋତାଯାଇ ଉନ୍ନତିକରଣ ହେଉଛି । ତେଣୁ ଶ୍ମଶାନରେ ଭୂତମାନଙ୍କ ପାଇଁ ଏହି ଖେଳ ପଡ଼ିଆଟି ନିର୍ମାଣ ହେଉଥିବା ଦେଖିବାକୁ ମିଳିଛି । ସବୁଠାରୁ ଆଶ୍ଚର୍ଯ୍ୟକର କଥା ହେଉଛି ସ୍ଥାନୀୟ କାଇଁସାହି ଗ୍ରାମର ଜଣେ ବୃଦ୍ଧା ବ୍ୟକ୍ତିର ମୃତ୍ୟୁ ହୋଇଥିଲା । ପରିବାର ଲୋକେ ଶବ ସଂସ୍କାର ଲାଗି ଉକ୍ତ ଶ୍ମଶାନକୁ ନେଇଥିଲେ ହେଁ କାମ କରୁଥିବା ରାଜନୈତିକ ଦଲାଲ ଶବକୁ ଫେରାଇ ଦେଇଥିଲେ । ପରିବାର ଲୋକେ ବାଧ୍ୟ ହୋଇ ନିଜ ଘର ପାଖ ବାଡ଼ିରେ ସଂସ୍କାର କରିଥିଲେ । ଏହି କଥା ସୋସିଆଲ ମିଡିଆରେ ପ୍ରଘଟ ହେବାରୁ ଉକ୍ତ ଦଲାଲମାନେ ସେହି ପରିବାର ପାଖରେ ସାଧା କାଗଜ ଧରି ପହଞ୍ଚି ଦସଖସ୍ତ କରିଦିଅ ବୋଲି କହିଥିଲେ। ଆଉ ତାହା ସହ ଆହୁରି କହିଥିଲେ ତୁମେ ତୁମ ଇଚ୍ଛାରେ ନିଜ ବାଡ଼ିରେ ଶବଦାହ କରିଛ। ଏହା ଶୁଣି ପରିବାର ଲୋକେ ତାଙ୍କୁ ବିରୋଧ କରିଥିଲେ। ତେବେ ନିକଟରେ ଏକ ଖେଳପଡିଆ କିସମ ପ୍ଲଟ ନମ୍ବର ୨୪୧ ଥିବା ସହ ଅନେକ ଅନାବାଦୀ ଓ ଅବ୍ୟବହୃତ ସରକାରୀ ଜମି ରହିଛି । ସେଠାରେ ଖେଳ ପଡିଆ ନିର୍ମାଣ ଲାଗ ଗାଁ ଲୋକେ ପରାମର୍ଶ ଦେଇଥିଲେ ।
କିନ୍ତୁ ଅଧିକ ଖର୍ଚ୍ଚ ହୋଇଯିବା ଆଶଙ୍କା କରି ସେଠାରେ ନିର୍ମାଣ କରାଯାଉନି। ସେପଟେ ଶ୍ମଶାନକୁ ଖେଳପଡିଆ ନିର୍ମାଣ କରିବାକୁ ଲାଗିପଡିଛନ୍ତି । ଶ୍ମଶାନ ଜମିରେ ଖେଳପଡିଆ ନିର୍ମାଣକୁ ବିରୋଧ କରି ସ୍ଥାନୀୟ ବ୍ୟକ୍ତି ଧାମନଗର ଗୋଷ୍ଠୀ ଉନ୍ନୟନ ଅଧିକାରୀ, ତହସିଲଦାର, ରାଧାବଲ୍ଲଭପୁର ରାଜସ୍ୱ ନିରୀକ୍ଷକ, ପଞ୍ଚାୟତିରାଜ ବିଭାଗ ସଚିବ, ଜିଲ୍ଲାପାଳ ଓ ରାଜସ୍ବ ସଚିବଙ୍କ ଜଣାଇଛନ୍ତି। ଏନେଇ ଧାମନଗର ଗୋଷ୍ଟୀ ଉନ୍ନୟନ ଅଧିକାରୀ ଦୁର୍ଗା ଚରଣ ମୁର୍ମୁ କୁହନ୍ତି ଯେ ଶ୍ମଶାନ ଜମିରେ ଯଦି ଖେଳପଡ଼ିଆ ନିର୍ମାଣ ହେଉଥିବ ତାହାଲେ ତାକୁ ଅନୁମତି ଦିଆଯିବ ନାହିଁ । ଏହି ପଞ୍ଚାୟତ ନୁହେଁ ଧାମନଗର ବ୍ଲକର ବିଭିନ୍ନ ପଞ୍ଚାୟତ ମନରେଗା କାମ ମେସିନ ଲଗାଯାଇ କରାଯାଉଥିବା ବେଳେ ବ୍ଲକ ପ୍ରଶାସନ ଆଖିବୁଜି ଦେବାକୁ ପସନ୍ଦ କରିଛି । କିଛି ମୁଷ୍ଟିମେୟ ଲୋକ ସ୍ମଶାନକୁ ଜୋର ଜବରଦସ୍ତ ଖେଳପଡିଆ କରିବାକୁ ଚେଷ୍ଟା କରୁଥିବାରୁ ତାହା ଜନ ଆନ୍ଦୋଳନର ଦାନ ବାନ୍ଧୁଥିବା ଜଣାଯାଇଛି।



