ଧାମରା: ସାଙ୍ଗ ସାଜିଲା ସଇତାନ। ପ୍ରେମ ସମ୍ପର୍କକୁ କେନ୍ଦ୍ର କରି ସାଙ୍ଗକୁ ଜୀବନରୁ ମାରି ରେଳ ଧାରଣାରେ ଶୁଆଇ ଆତ୍ମହତ୍ୟାର ରୂପ ଦେଲା ସାଙ୍ଗ। ଏଭଳି ଏକ ଜଘନ୍ୟ ହତ୍ୟାକାଣ୍ଡର ଅଭିଯୁକ୍ତକୁ ଗିରଫ କରିବା ପରେ ସିନ୍ ରିକ୍ରିଏସନ କରିଛି ଭଦ୍ରକ ଜିଲା ବାଂଶଡ଼ା ପୁଲିସ।
ସୂଚନା ମୁତାବକ, ଗତ ୭ ତାରିଖ ରାତିରେ ବାଂଶଡା ଥାନା ଘଣ୍ଟେଶ୍ୱର ଫାଣ୍ଡି ଅଧିନ ମାଣିପୁର ଗ୍ରାମରେ ଚଗଲା ଦାସଙ୍କ ପୁଅ ସିପୁନ ଘରେ ଶୋଇଥିବା ବେଳେ ସେହି ଗ୍ରାମର ପପନ ଦାସ ଏବଂ ଅନ୍ୟ ସହଯୋଗୀମାନେ ସିପୁନକୁ ଡାକିନେଇଥିଲେ। ପରେ ଯୋଜନାବଦ୍ଧ ଭାବେ ଆକ୍ରମଣ କରିବା ସହିତ ସିପୁନକୁ ହତ୍ୟା କରି ଏକ ଟ୍ରାକ୍ଟର ମଧ୍ୟରେ କିଛି ଘଣ୍ଟା ପାଇଁ ଲୁଚାଇଥିଲେ। ପରେ ବିଳମ୍ବିତ ରାତିରେ ମାଣିପୁର ରେଳ ଧାରଣାରେ ଚଳନ୍ତା ଟ୍ରେନ ଆଗରେ ଶୁଆଇ ଦେଇ ଚାଲି ଯାଇଥିଲେ। ଏ ନେଇ ମୃତ ସିପୁନଙ୍କ ପରିବାର ଲୋକେ ଘଣ୍ଟେଶ୍ୱର ଫାଣ୍ଡିରେ ଲିଖିତ ଅଭିଯୋଗ କରିଥିଲେ। ଉକ୍ତ ଘଟଣାରେ ବାଂଶଡା ଥାନା ଅଧିକାରୀ ମହମ୍ମଦ ହାପିଜ ତଦନ୍ତ କରି ମୁଖ୍ୟ ଅଭିଯୁକ୍ତକୁ ଅଟକ ରଖିବା ସହିତ ଘଟଣାର ସିନ ରିକ୍ରିଏସନ କରିବା ପାଇଁ ସୋମବାର ଘଟଣାସ୍ଥଳକୁ ନେଇଥିଲେ। ପ୍ରେମ ସମ୍ପର୍କକୁ କେନ୍ଦ୍ର କରି ସିପୁନକୁ ହତ୍ୟା କରାଯାଇଥିବା ସୂଚନା ମିଳିଛି। ତେବେ ଅନ୍ୟ ଅଭିଯୁକ୍ତମାନଙ୍କୁ ଗିରଫ କରି କଠୋର ଦଣ୍ଡ ଦେବାକୁ ଗ୍ରାମବାସୀ ଦାବି କରିଛନ୍ତି।



