ଦେବଗଡ: ଦେବଗଡ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଓ ଜିଲ୍ଲା ଅଦାଲତ ରାସ୍ତା କଡରେ ଥିବା ଟାଇପ୍ରାଇଟର, ଷ୍ଟାମ୍ପଭେଣ୍ଡର, ଜେରକ୍ସ ଦୋକାନ, ଚା, ଜଳଖିଆ, ପାନ ଦୋକାନ ଓ ନୋଟାରୀ କାର୍ଯ୍ୟାଳୟଗୁଡିକୁ ଜିଲ୍ଲା ପ୍ରଶାସନ ନିର୍ଦ୍ଦେଶରେ ପୌର ପରିଷଦ ପକ୍ଷରୁ ଉଚ୍ଛେଦ ପାଇଁ ନୋଟିସ ଜାରି କରାଯାଇଛି। ନୋଟିସ ଗ୍ରହଣ ପରେ ଅସ୍ଥାୟୀ ଅନୁଷ୍ଠାନଗୁଡିକୁ ସ୍ଥାନାନ୍ତର ପାଇଁ ଦୋକାନୀମାନେ ପ୍ରକ୍ରିୟା ଆରମ୍ଭ କରି ସାରିଲେଣି। ଥଇଥାନ ପାଇଁ ପ୍ରଶାସନ ପକ୍ଷରୁ ମଧ୍ୟ ଜିଲ୍ଲା କୋଷାଗାର କଡରେ ଥିବା ସରକାରୀ ଜମିରେ ଅସ୍ଥାୟୀ ଦୋକାନ ଖୋଲିବା ପାଇଁ ବ୍ୟବସ୍ଥା କରାଯାଇଛି। ମାତ୍ର ଉକ୍ତ ସ୍ଥାନର ଅଧିକାଂଶ ଅଂଶକୁ ବିସ୍ଥାପିତ ହେବାକୁ ଥିବା ଦୋକାନୀମାନଙ୍କ ପରିବର୍ତ୍ତେ ଅନ୍ୟାନ୍ୟ କିଛି ବ୍ୟକ୍ତି ଦଖଲକରି ନିଜ ଅକ୍ତିଆରକୁ ନେଇ ଯାଇଥିବାରୁ ଏନେଇ ଆଜି ବିସ୍ଥାପିତ ଦୋକାନୀ ମାନଙ୍କ ମଧ୍ୟରେ ତୀବ୍ର ଉତ୍ତେଜନା ପ୍ରକାଶ ପାଇଥିଲା।
ବିସ୍ଥାପିତ ହେବାକୁ ଥିବା ବହୁ ଦୋକାନୀ ନିଜ ନିଜ ପାଇଁ ସ୍ଥାନ ଖୋଜୁ ଥିବାବେଳେ ଅଣ ବିସ୍ଥାପିତଙ୍କ ଅକ୍ତିଆର ଯୋଗୁଁ ସେମାନଙ୍କ ନିମନ୍ତେ ସ୍ଥାନାଭାବ ଯୋଗୁଁ ଏଥିପାଇଁ ପୌରପରିଷଦ କର୍ତ୍ତୃପକ୍ଷଙ୍କୁ ଦାୟୀ କରିବାସହ ପ୍ରବଳ ପାଟିତୁଣ୍ଡ କରିଥିଲେ। ସୂଚନା ପାଇ ପୌର ପରିଷଦ ନିର୍ବାହୀ ଅଧିକାରୀ ଦାୟିତ୍ୱରେ ଡେପୁଟୀ କଲେକ୍ଟର ଦିବ୍ୟଶଙ୍କର ଜୟପୁରିଆ ସଦଳବଳେ ଘଟଣା ସ୍ଥଳରେ ପହଂଚି ଉତ୍ୟକ୍ତ ଦୋକାନୀମାନଙ୍କ ସହ ଆଲୋଚନା କରିବାସହ ଦୋକାନ ଘର ନିର୍ମାଣ ନିମନ୍ତେ ପ୍ରତ୍ୟେକ ବିସ୍ଥାପିତଙ୍କୁ ୧୦ ଫୁଟ ଲମ୍ବ ଓ ୧୦ ଫୁଟ ଓସାରର ଜମି ଯୋଗଇ ଦେବାକୁ ପ୍ରତିଶୃତି ଦେଇଥିଲେ। ଏଥିସହ ଅମିନଙ୍କ ଦ୍ୱାରା ଜମିର ମାପ କରାଯାଇଥିଲା। ତେବେ ଦୀର୍ଘ ସମୟ ପର୍ଯ୍ୟନ୍ତ ଏହି ପ୍ରକ୍ରୀୟା ଜାରୀ ରହିଥିଲେ ହେଁ ସମାଧାନର ରାସ୍ତା ବାହାରି ପାରିନଥିବା ଓ ଏବେ ମଧ୍ୟ ବହୁ ବିସ୍ଥାପିତଙ୍କୁ ସେମାନଙ୍କ ମନ ପସନ୍ଦର ଯାଗା ଯୋଗାଇ ଦିଅଯାଇନଥିବା ଜଣାପଡିଛି। ଏଣୁ ଦେବଗଡ ଜିଲାପାଳ ଏ ଘଟଣାରେ ହସ୍ତକ୍ଷେପ କରି ଆବଶ୍ୟକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଅସନ୍ତୁଷ୍ଟ ବିସ୍ଥାପିତ ମାନେ ଦାବୀ ଜଣାଇଛନ୍ତି।



