୭ଲକ୍ଷରୁ ଊର୍ଦ୍ଧ୍ବ ଟଙ୍କାର କଂକ୍ରିଟ ରାସ୍ତା ୭ ମାସ ନପୁରୁଣୁ ଫାଳଫାଳ, ଭିଜିଲାନ୍ସ ତଦନ୍ତ ଦାବୀ

ଦେବଗଡ଼଼: ନିର୍ମାଣ ହେବାର ୭ ମାସ ପୁରିନାହିଁ। କିନ୍ତୁ ଫାଟି ଆଁ କଲାଣି ୭ ଲକ୍ଷରୁ ଊର୍ଦ୍ଧ୍ବ ଟଙ୍କା ବ୍ୟୟରେ ନିର୍ମୀତ ନୂତନ କଂକ୍ରିଟ ରାସ୍ତା। ଏଭଳି ଏକ ଦୁର୍ନୀତି ଦେଖିବାକୁ ମିଳିଛି ବାରକୋଟ ବ୍ଲକ ଅନ୍ତର୍ଗତ କଣ୍ଢଳ ଗ୍ରାମ ପଂଚାୟତ ସଦର ମହକୁମାରେ। ଉକ୍ତ କଂକ୍ରିଟ ରାସ୍ତାଟି ଜନ ଗହଳିପୂର୍ଣ୍ଣ ୪୯ ନମ୍ବର ଜାତୀୟ ରାଜପଥକୁ ଲାଗି ରହିଥିବା ବେଳେ ରାସ୍ତାର ଏଭଳି ଶୋଚନୀୟ ଅବସ୍ଥା ସମ୍ପର୍କରେ ବିଭାଗୀୟ କର୍ତ୍ତୃପକ୍ଷ ଭଲଭାବେ ଅବଗତ ଅଛନ୍ତି। ଏପରିକି ଇତି ମଧ୍ୟରେ ଅଂଚଳବାସୀ ନିର୍ମାଣ କାର୍ଯ୍ୟ ଦାୟିତ୍ୱରେ ଥିବା କନିଷ୍ଠ ଯନ୍ତ୍ରୀଙ୍କ ଠାରୁ ଆରମ୍ଭ କରି ସହକାରୀ ନିର୍ବାହୀ ଯନ୍ତ୍ରୀ ଓ ବିଡିଓଙ୍କ ପର୍ଯ୍ୟନ୍ତ ସମସ୍ତଙ୍କ ନିକଟରେ ଅଭିଯୋଗ କରି ରାସ୍ତାର ପୁନଃନିର୍ମାଣ ପାଇଁ ଦାବୀ ଜଣାଇଛନ୍ତି। ଏଥିସହ ରାସ୍ତାଟିର ଏଭଳି ଅବସ୍ଥା ପାଇଁ ଦାୟୀ ଯନ୍ତ୍ରୀଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ନିମନ୍ତେ ଦାବୀ ଜଣାଇ ସାରିଛନ୍ତି। ମାତ୍ର ବିଡମ୍ବନାର ବିଷୟ ଏହା ଯେ, ରାସ୍ତାର ପୁନଃନିର୍ମାଣ କିମ୍ବା ଦୋଷୀ ଯନ୍ତ୍ରୀଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ ଦୂରର କଥା ଉକ୍ତ ରାସ୍ତାର ମରାମତି କରିବା ପାଇଁ ମଧ୍ୟ କର୍ତ୍ତୃପକ୍ଷ ଉଚିତ ମଣୁନାହାନ୍ତି। ଫଳରେ ଏ ନେଇ ଅଂଚଳବାସୀଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ପ୍ରକାଶ ପଇବାସହ ସେମାନେ ଭିଜିଲାନ୍ସ ତଦନ୍ତ ପାଇଁ ଦାବି ଜଣାଇଛନ୍ତି।

ମିଳିଥିବା ସୂଚନା ଅନୁଯାୟୀ କଣ୍ଢଳ ୪୯ ନମ୍ବର ଜାତୀୟ ରାଜପଥରୁ ଗ୍ୟାସ ଗୋଡାମ ପଯ୍ୟନ୍ତ ଯାଇଥିବା ପଂଚାୟତ ରାସ୍ତା (ମାଟି ରାସ୍ତା)ର ଅବସ୍ଥା ଶୋଚନୀୟ ହୋଇପଡ଼ିଥିବାରୁ ଜନସାଧାରଣ ଯାତାୟତରେ ବହୁ ସମସ୍ୟାର ସମ୍ମୁଖୀନ ହେଉଥିଲେ। ଫଳରେ ଏହି ମାଟି ରାସ୍ତାକୁ କଂକ୍ରିଟ ରାସ୍ତାରେ ରୂପାନ୍ତରିତ କରିବା ପାଇଁ ଅଂଚଳବାସୀ ଦାବୀ କରି ଆସୁଥିଲେ। ସେମାନଙ୍କର ଦାବୀକୁ ସମ୍ମାନ ଜଣାଇ ୨୦୨୦-୨୧ ଆର୍ଥୀକ ବର୍ଷରେ ସରକାର କଂକ୍ରିଟ ରାସ୍ତା(ସୁରକ୍ଷା ବାଡ ସମେତ)ନିର୍ମାଣ ନିମନ୍ତେ ୧୫ ସିଏଫ୍ସି ଓ ଅନ୍ୟାନ୍ୟ ପାଂଠିରୁ ତିନୋଟି ପର୍ଯ୍ୟାୟରେ ପ୍ରାୟ ୭ ଲକ୍ଷରୁ ଊର୍ଦ୍ଧ୍ବ ଟଙ୍କା ମଞ୍ଜୁର କରିଥିଲେ। ମାତ୍ର ନିର୍ମାଣ କାର୍ଯ୍ୟରେ ବ୍ୟୟ ଅଟକଳ ଅନୁଯାୟୀ ସିମେଣ୍ଟ ବ୍ୟବହାର କରାନଯାଇ କମ ପରିମାଣର ସିମେଣ୍ଟ ବ୍ୟବହାର କରାଯାଇଥିଲା। ନିମ୍ନ ମାନର ବାଲି ସାଙ୍ଗକୁ ବଡ ଆକାରର ଚିପ୍ସ ମଧ୍ୟ ବ୍ୟବହାର କରାଯାଇଥିଲା। ଏପରିକି ରାସ୍ତାର ମୋଟେଇ ମଧ୍ୟ କମ ରହିଥିବା ବେଳେ ଆବଶ୍ୟକ ପରିମାଣର ପାଣି ମଧ୍ୟ(କ୍ୟୁରିଂ) ସିଂଚନ କରାଯାଇନଥିଲା। ଫଳରେ ସମ୍ପୃକ୍ତ ରାସ୍ତାଟିର ସ୍ଥାୟୀତ୍ୱ ନେଇ ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି ହେବା ସହ ଅଂଚଳବାସୀ ଏନେଇ କନିଷ୍ଠ ଯନ୍ତ୍ରୀ ଇତିଶ୍ରୀ ମଲ୍ଲିକଙ୍କ ନିକଟରେ ଅଭିଯୋଗ କରିଥିଲେ। ମାତ୍ର ରସ୍ତାର ନିର୍ମାଣ କାର୍ଯ୍ୟରେ କୌଣସି ସୁଧାର ଆସିବା ପରିବର୍ତ୍ତେ ପୂର୍ବବତ ନିମ୍ନମାନର ନିର୍ମାଣ କାର୍ଯ୍ୟ ଜାରୀ ରହିଥିଲା। ଫଳରେ ନିର୍ମାଣ ୭ ମାସ ନପୁରୁଣୁ ରାସ୍ତାଟିର ବିଭିନ୍ନ ସ୍ଥାନରେ ବଡ ବଡ ଫାଟ ସୃଷ୍ଟି ହୋଇ ଆଁ କଲାଣି। ଏଣୁ ଉକ୍ତ ରାସ୍ତାଟିକୁ ସମ୍ପୂର୍ଣ୍ଣ ଭାବେ ଭାଙ୍ଗି ଆଉଥରେ ନିର୍ମାଣ କରାଯିବା ସହ ଭିଜିଲାନ୍ସ ବିଭାଗ ଦ୍ୱାରା ଏ ଘଟଣାର ତଦନ୍ତ କରିବାକୁ ଅଂଚଳବାସୀ ଦାବୀ ଜଣାଇଛନ୍ତି। ତେବେ ଏ ସମ୍ପର୍କରେ ନିର୍ମାଣ କାର୍ଯ୍ୟ ଦାୟିତ୍ୱରେ ରହିଥିବା ବାରକୋଟ ବ୍ଲକର କଇସ୍ଥ ଯନ୍ତ୍ରୀ ଈତିଶ୍ରୀ ମଲ୍ଲିକଙ୍କ ମତାମତ ଲୋଡିବାରୁ ସେ କୌଣସି ମତାମତ ଦେବାକୁ ଉଚିତ ମଣି ନାହାନ୍ତି।

Comments are closed.