ଦେବଗଡ: କୋରୋନା ସଂକ୍ରମଣ ଭୟରେ ଲୋକେ ସଂକ୍ରମିତଙ୍କ ପାଖ ମାଡୁନାହାନ୍ତି। ଏପରିକି କୋରୋନା ସଂକ୍ରମଣ ଜନିତ ମୃତଦେହ ନିକଟକୁ ନିଜର ଜ୍ଞାତି କୁଟୁମ୍ବ ମାନେ ଯିବାକୁ ଉଚିତ ମଣୁନାହାନ୍ତି। ଗୁରୁତ୍ୱପୂର୍ଣ୍ଣ ବିଷୟ ଏହା ଯେ, ଏଭଳି ଅସମୟରେ କରୋନା ଭୟରେ ଲୋକେ ଅଣ ସଂକ୍ରମିତ ରୋଗୀ (ଅନ୍ୟ କୌଣସି ରୋଗରେ ପିଡୀତ ହୋଇ ମୃତ୍ୟୁବରଣ କରିଥିବା)ଙ୍କୁ କାନ୍ଧ ଦେବାକୁ ମଧ୍ୟ ପଛଘୁଂଚା ଦେଉଛନ୍ତି। ଏଭଳି ପରିସ୍ଥିତିରେ ଦେବଗଡ ପୌରାଂଚଳ ଓ ଗ୍ରାମାଂଚଳର କେତେକ ସ୍ୱେଚ୍ଛାସେବୀ ଓ ଯୁବଗୋଷ୍ଠି ଅସହାୟ ଲୋକଙ୍କୁ ସହାୟତା ଦେବା ପାଇଁ ଆଗେଇ ଆସିଥିବା ଦେଖିବାକୁ ମିଳୁଛି। ଫଳରେ ଦେବଗଡ ଜିଲାର କରୋନା ସଂକ୍ରମିତ ପରିବାର ଗୁଡିକ ମଧ୍ୟରେ ସାମାନ୍ୟ ଆଶ୍ୱସ୍ତି ପ୍ରକାଶ ପାଇଛି।
ଏହି କ୍ରମରେ ଇତିମଧ୍ୟରେ ଏକାଧିକ କରୋନା ସଂକ୍ରମଣ ଜନିତ ମୃତ୍ୟୁ ଘଟିଥିବା ଲୋକଙ୍କର ଶବ ସଂସ୍କାର କରିଥିବା ସ୍ୱାଚ୍ଚୋସେବୀ ସୁଧିର କୁମାର ବ୍ରହ୍ମା, ଶକ୍ତିବ୍ରତ ନାୟକ, ଦୟାଶଙ୍କର ଦ୍ୱିବେଦୀ, କିରଣ ନାୟକ, ଦେବବ୍ରତ ନାୟକ, ବିକାଶ ନାୟକ, ଶିବା ମୂଖି, ରଞ୍ଜିତ ମୁଖି, ଅବିନାଶ ପ୍ରଧାନ, ରୋମାଂଚ ରଞ୍ଜନ ବିଶ୍ୱାଳ, ରାକେଶ ବେହେରା, ହୀରାଲାଲ ସାହୁ ଓ ଅରୁଣ କୁମାର ସାହୁଙ୍କ ସମେତ ବହୁ ଯୁବକ କରୋନା ସଂକ୍ରମିତ ଓ ସେମାନଙ୍କର ପରିବାର ଲୋକଙ୍କୁ ସହାୟତା କରିବା ନିମନ୍ତେ ଆଗେଇ ଆସିଛନ୍ତି। ତେବେ ସେମାନେ କେବଳ ଯେ, କରୋନା ସଂକ୍ରମଣ ଜନିତ ମୃତ ବ୍ୟକ୍ତିମାନଙ୍କର ଶବ ସଂସ୍କାର କରୁଛନ୍ତି ତାହା ନୁହେଁ, ବରଂ କରୋନା ସଂକ୍ରମିତ ଲୋକଙ୍କୁ ନିଜ ଉଦ୍ୟମରେ କୋଭିଡ ହସପିଟାଲ ଆଣିବା, ସନ୍ଦିଗ୍ଧ ସଂକ୍ରମିତଙ୍କର ସ୍ୱାବ ପରୀକ୍ଷା ନିମନ୍ତେ ନିଜ ଉଦ୍ୟମରେ ପରୀକ୍ଷା କେନ୍ଦ୍ରକୁ ଅଣିବା ଓ କରୋନା ସଂକ୍ରମିତମାନଙ୍କ ଘରେ ମାଗଣାରେ ରନ୍ଧାଖାଦ୍ୟ ଓ ଖାଦ୍ୟ ସାମଗ୍ରୀ ପହଂଚାଇବା ଆଦି କାର୍ଯ୍ୟରେ ମଧ୍ୟ ସେମାନେ ନିଜ ନିଜକୁ ନିୟୋଜିତ କରିଛନ୍ତି।
ଗୁରୁତ୍ୱପୂର୍ଣ୍ଣ ବିଷୟ ଏହା ଯେ, ନିଜର ନାମ ପ୍ରଚାର ପ୍ରସାର ନକରିବାକୁ ଅନୁରୋଧ କରିଥିବା ବହୁ ସ୍ୱେଚ୍ଛାସେବୀ ଓ ପରିବେଶ ପ୍ରେମୀ ନିଜ ପକେଟରୁ ଟଙ୍କା ଖର୍ଚ୍ଚକରି ରାସ୍ତାରେ ବୁଲୁଥିବା ଗୋରୁ ଗାଇ,ବୁଲା କୁକୁର ଓ ମାଙ୍କଡ ମାନଙ୍କୁ ପ୍ରତ୍ୟହ ଖାଦ୍ୟ ଯୋଗାଉଥିବା ଦେଖିବାକୁ ମିଳୁଛି। ବ୍ୟକ୍ତି ବିଶେଷଙ୍କୁ ଛାଡିଦେଲେ ଓଡିଶା ଲିଗାଲ ରାଇଟ୍ସ କାଉନଶିଲ, ଜିଲା କୃଷକ ସଂଘର୍ଷ ସଂଘ ଭଳି ବିଭିନ୍ନ ସଂଗଠନ ଓ ରାଜନୈତିକ ଦଳ ଗୁଡିକ ମଧ୍ୟ ସହେଯାଗ ପାଇଁ ଆଗେଇ ଆସିଛନ୍ତି। ସ୍ୱେଚ୍ଛାସେବୀ ମାନଙ୍କର ଏଭଳି ଉଦ୍ୟମକୁ ମଧ୍ୟ ଜିଲାର ବିଭିନ୍ନ ମହଲରେ ପ୍ରଶଂସା କରାଯାଇଛି। ସେହିପରି କରୋନା କାଳରେ ଏମାନେ ଯଦି ସହାୟତା ନିମନ୍ତେ ଆଗେଇ ଆସୁନଥାନ୍ତେ ତେବେ ପରିସ୍ଥିତି ଗମ୍ଭୀର ହୋଇପଡନ୍ତା ବୋଲି ସାଧାରଣରେ ମତ ପ୍ରକାଶ ପାଇଛି।



