ମଠ ଉଚ୍ଛେଦକୁ ବିରୋଧ କରି ହାଇକୋର୍ଟରେ ମାମଲା

କଟକ: ଶହ ଶହ ବର୍ଷ ଧରି ହିନ୍ଦୁ ସଂସ୍କୃତିର ମାନ ମର୍ଯ୍ୟାଦା ବୃଦ୍ଧି କରିଥିବା ପୁରୀର ମଠଗୁଡିକୁ ଉଚ୍ଛେଦ ବିରୋଧରେ ଓଡ଼ିଶା ସୁରକ୍ଷା ସେନା ପକ୍ଷରୁ ହାଇକୋର୍ଟରେ ଜନସ୍ବାର୍ଥ ମାମଲା ଦାୟର କରାଯାଇଛି। ଆବେଦନକାରୀ ଦର୍ଶାଇଛନ୍ତି ଯେ ପୁରୀ ଶ୍ରୀଜଗନ୍ନାଥ ମନ୍ଦିର ନିକଟରେ ଥିବା ମଠ ଓ ମନ୍ଦିର ଗୁଡିକୁ ଯେଉଁ ଭଳି ଭାବରେ ପ୍ରଶାସନ ଉଚ୍ଛେଦ କରୁଛି; ତାହା ଆଇନ ଅନୁସାରେ ଗ୍ରହଣୀୟ ନୁହେଁ। ବିକାଶର ଦ୍ବାହି ଦେଇ ସ୍ବେଚ୍ଛା‌ଚାରୀ ଢଙ୍ଗରେ ସମସ୍ତ ସୀମା ଉଲ୍ଲଘଂନ କରି ଶହ ଶହ ବର୍ଷର ଜଗନ୍ନାଥ ସଂସ୍କୃତି ଓ ପରମ୍ପରାର ଅଙ୍ଗ ତଥା ମୂକସାକ୍ଷୀ ପାଲଟି ଥିବା ମଠ ମନ୍ଦିର ଗୁଡିକ ଭାଙ୍ଗି ମାଟିରେ ମିଶାଇ ଦିଆଯାଉଛି। ଏହି ଐତିହାସିକ ଓ ଆଧ୍ୟାତ୍ମିକ ମହତ୍ବ ରଖୁଥିବା ମଠ ଓ ଧାର୍ମିକ ଅନୁଷ୍ଠାନ ଗୁଡିକ ଭଙ୍ଗା ଯିବା ଦ୍ବାରା ହିନ୍ଦୁଙ୍କ ଧାର୍ମିକ ଭାବନା ପ୍ରତି ଶକ୍ତ ଆଘାତ ଲାଗିଛି। ରାଜ୍ୟ ସରକାର ନିର୍ଦ୍ଦିଷ୍ଟ ଭାବେ ହିନ୍ଦୁ ମଠ ମନ୍ଦିର ଗୁଡିକ ଉପ‌େର ଦାଉ ସାଧୁଛନ୍ତି ବୋଲି ଆବେଦନପତ୍ରରେ ଦର୍ଶାଯାଇଛି।

ଶ୍ରୀଜଗନ୍ନାଥ ମନ୍ଦିରର ସୁରକ୍ଷା ଦୃଷ୍ଟି କୋଣରୁ ଚାରି ପାଖରେ ଥିବା ମଠ ଓ ମନ୍ଦିର ଗୁଡିକ ଗୁରୁତ୍ବପୂର୍ଣ୍ଣ ହୋଇଥିବା ବେଳେ ଏଗୁଡିକୁ ଉନ୍ନୟନ ନାଁରେ ଉଚ୍ଛେଦ କରାଯିବା ଉଚିତ ନୁହେଁ। ପୁରୀ ପୌରପାଳିକା ପକ୍ଷରୁ ଅଗଷ୍ଟ ୨୭ରେ ଏମାର ମଠର ମହନ୍ତଙ୍କୁ ଉଚ୍ଛେଦ ପ୍ରସଙ୍ଗରେ ନୋଟିସ୍ ଜାରି କରାଯାଇଥିବା ବେଳେ ପକ୍ଷ ରଖିବାକୁ ସମୟ ମଧ୍ୟ ସମୟ ପ୍ରଦାନ କରାଯାଇ ନଥିଲା। ଏପରି ଭାବେ ଅନ୍ୟ ମଠ ଗୁଡିକୁ ମଧ୍ୟ ନୋଟିସ୍ ଜାରି କରାଯାଇଛି। ପକ୍ଷ ରଖିବାକୁ ସୁଯୋଗ ନ ଦେଇ ପୌରପାଳିକା ଓ ଜିଲ୍ଲା ପ୍ରଶାସନ ଉଚ୍ଛେଦ କାର୍ଯ୍ୟ ଜାରି ରଖିଛି। ଏପରି ପ୍ରକ୍ରିୟା ବେଆଇନ ହୋଇଥିବା ବେଳେ ପ୍ରଶାସନ କିନ୍ତୁ ଏକ ତରଫା ଭାବେ ନିଷ୍ପତି ନେଇ ଉଚ୍ଛେଦ ଜାରି ରଖିଛି ବୋଲି ଆବେଦନରେ ଦର୍ଶାଯାଇଛି। ଏହି ମାମଲାରେ ରାଜସ୍ବ ସଚିବ, ପୁଲିସ ଡିଜି, ପୁରୀ ଜିଲ୍ଲାପାଳ, ଏସପି, ପୁରୀ ପୌରପାଳିକା ନିର୍ବାହୀ ଅଧିକାରୀ ଓ ପୁରୀ ସଦର ତହସିଲଦାରଙ୍କୁ ପକ୍ଷଭୁକ୍ତ କରାଯାଇଛି।

Comments are closed.