ନୂଆଦିଲ୍ଲୀ: ରାଜଧାନୀ ଦିଲ୍ଲୀ ଉପରେ କ୍ଷମତାକୁ ନେଇ ଉପୁଜିଥିବା ବିବାଦ ସଂକ୍ରାନ୍ତ ମାମଲାରେ ସୁପ୍ରିମକୋର୍ଟ ଗୁରୁବାର ରାୟ ଦେଇଛନ୍ତି। ଦିଲ୍ଲୀ ଲ୍ୟୁଟନାଣ୍ଟ ଗଭର୍ନର ଏବଂ ଦିଲ୍ଲୀ ସରକାରଙ୍କ ମଧ୍ୟରେ ବିଭିନ୍ନ କ୍ଷମତା ପ୍ରସଙ୍ଗକୁ ନେଇ ଅନେକ ଦିନ ଧରି ବିବାଦ ସୃଷ୍ଟି ହୋଇଥିଲା। ଏଥିରେ ସୁପ୍ରିମକୋର୍ଟଙ୍କ ହସ୍ତକ୍ଷେପ ଲୋଡ଼ାଯାଇଥିଲା। ଏହି ମାମଲାରେ ସୁପ୍ରିମକୋର୍ଟ କେନ୍ଦ୍ର ସରକାର ଏବଂ ଦିଲ୍ଲୀ ସରକାରଙ୍କ ମଧ୍ୟରେ କେତେକ କ୍ଷମତା ବଣ୍ଟନ କରିଛନ୍ତି। ବିଦ୍ୟୁତ୍ ଏବଂ ରାଜସ୍ବ ବ୍ୟବସ୍ଥା ଦିଲ୍ଲୀ ସରକାରଙ୍କ ନିୟନ୍ତ୍ରଣରେ ରହିବ ବୋଲି ସର୍ବୋଚ୍ଚ ନ୍ୟାୟାଳୟ ନିର୍ଦ୍ଦଶ ଦେଇଛନ୍ତି। ସେହିପରି ଗେଡ-୩ ଓ ଗ୍ରେଡ-୪ ପାଇଁ ନିଯୁକ୍ତି ଏବଂ ବଦଳି ଦିଲ୍ଲୀ ସରକାରଙ୍କ ଅଧୀନରେ ରହିବ ବୋଲି କୋର୍ଟ କହିଛନ୍ତି। ଅନ୍ୟପଟେ ଆଣ୍ଟି କରପ୍ଶନ ବ୍ୟୁରୋ କେନ୍ଦ୍ର ସରକାରଙ୍କ ନିୟନ୍ତ୍ରଣରେ ରହିବ। ଗ୍ରେଡ-୧ ଏବଂ ୨ ପଦବୀ ପାଇଁ ନିଯୁକ୍ତି ଓ ବଦଳି କେନ୍ଦ୍ର ସରକାର କରିବେ। ତଦନ୍ତ କମିଶନ ମଧ୍ୟ କେନ୍ଦ୍ର ସରକାର ସ୍ଥିର କରିବେ ବୋଲି ସୁପ୍ରିମକୋର୍ଟ ରାୟ ଶୁଣାଇଛନ୍ତି। ତେବେ ସୁପ୍ରିମକୋର୍ଟଙ୍କ ରାୟ ଉପରେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ପ୍ରତିକ୍ରିୟା ପ୍ରକାଶ କରିଛନ୍ତି। ସେ କହିଛନ୍ତି, ଯଦି ସରକାର ନିଜ ଅଧିକାରୀମାନଙ୍କୁ ବଦଳି କରିପାରିବେ ନାହିଁ ତା’ହେଲେ ସରକାର କିପରି ଚାଲିବ। ଯେଉଁ ଦଳ ୬୭ ଆସନରେ ବିଜୟୀ ହୋଇଛି ତାହାର ଯେଉଁସବୁ ଅଧିକାର ନାହିଁ, ୩ଟି ଆସନ ଜିତିଥିବା ଦଳକୁ ସେସବୁ ଅଧିକାର ଦିଆଯାଇଛି। ଏହା କି ପ୍ରକାର ଗଣତନ୍ତ୍ର ବୋଲି ସେ ପ୍ରଶ୍ନ କରିଛନ୍ତି।
କେନ୍ଦ୍ର ଓ ଦିଲ୍ଲୀ ସରକାରଙ୍କ ମଧ୍ୟରେ କ୍ଷମତା ବାଣ୍ଟିଲେ ସୁପ୍ରିମକୋର୍ଟ
Popular Categories



