ନୂଆଦିଲ୍ଲୀ : ଲୋକସଭା ନିର୍ବାଚନ ପାଇଁ ଜାତୀୟ ରାଜଧାନୀ ଦିଲ୍ଲୀର ରାଜନୈତିକ ବାତାବରଣ ସରଗରମ ହୋଇଉଡିଛି। ବିଭିନ୍ନ ପ୍ରମୁଖ ରାଜନୈତିକ ଦଳର ପ୍ରାର୍ଥୀମାନେ ସେମାନଙ୍କ ସପକ୍ଷରେ ପ୍ରଚାର ପାଇଁ ଜନସାଧାରଣଙ୍କ ନିକଟତର ହେବାର ପ୍ରୟାସ ଜାରି ରଖିଛନ୍ତି। ବିଜେପି, ଆପ୍ ଏବଂ କଂଗ୍ରେସ ଆଦି ତିନି ପ୍ରମୁଖ ରାଜନୈତିକ ଦଳଗୁଡ଼ିକର ପ୍ରାର୍ଥୀମାନେ ସେମାନଙ୍କର ନିର୍ବାଚନ ମଣ୍ଡଳୀଗୁଡ଼ିକରେ ବିଭିନ୍ନ ସାଧାରଣ ସଭା, ରୋଡ୍ ଶୋ’ ଏବଂ ଘରକୁ ଘର ବୁଲି ନିର୍ବାଚନ ପ୍ରଚାର ଚଳାଇଛନ୍ତି।
ଚାନ୍ଦିନୀଚୌକ୍ ଆସନରୁ ପ୍ରତିଦ୍ୱନ୍ଦ୍ୱିତା କରୁଥିବା ବିଜେପି ପ୍ରାର୍ଥୀ କେନ୍ଦ୍ରମନ୍ତ୍ରୀ ଡକ୍ଟର ହର୍ଷବର୍ଦ୍ଧନ ଣବିବାର ଏକ ପଦଯାତ୍ରା ମାଧ୍ୟମରେ ଲୋକଙ୍କୁ ଭେଟିଥିବା ବେଳେ ମନୋଜ ତିୱାରୀ ଓ ଗୌତମ ଗମ୍ଭୀର ଉତ୍ତର ଦିଲ୍ଲୀ ଅଞ୍ଚଳରେ ରୋଡ୍ ଶୋ’ରେ ଯୋଗ ଦେଇଥିଲେ। ଗାୟକରୁ ରାଜନୀତିକୁ ଆସିଥିବା ହଂସରାଜ ହଂସ୍ ସମୟେପୁର ବଦଲି ଓ ସୋରୁପ ନଗରରେ ନିର୍ବାଚନୀ ସଭାରେ ଉଦ୍ବୋଧନ ଦେଇଛନ୍ତି। ଦଳର ପ୍ରାର୍ଥୀ ମିନାକ୍ଷୀ ଲେଖି, ପ୍ରବେଶ ବର୍ମା ଓ ରମେଶ ବିଧୁରୀ ସେମାନଙ୍କର ନିଜ ନିଜ ନିର୍ବାଚନ ମଣ୍ଡଳୀର ଲୋକମାନଙ୍କୁ ଭେଟୁଛନ୍ତି। ଅନ୍ୟ ପକ୍ଷରେ ଚାନ୍ଦିନୀଚୌକ୍ ଆସନରୁ ଆମ୍ ଆଦମୀ ପାର୍ଟିର ପ୍ରାର୍ଥୀ ପଙ୍କଜ ଗୁପ୍ତା ସାଲିମାରବାଗ୍ ଓ ହାଇଦରପୁରଠାରେ ପଦଯାତ୍ରା ଆୟୋଜନ କରିଥିବା ବେଳେ ସେହି ଦଳର ଉତ୍ତର ପଶ୍ଚିମ ଦିଲ୍ଲୀ ଆସନର ପ୍ରାର୍ଥୀ ଗୁଗନ ସିଂହ ମୁଣ୍ଡକା ଓ ରୋହିଣୀ ଅଞ୍ଚଳରେ ଭୋଟରମାନଙ୍କୁ ଭେଟିଛନ୍ତି।
ଆପ୍ର ପ୍ରାର୍ଥୀ ଅତିଶି, ରାଗଭ ଚଢ଼ା ଓ ଦିଲ୍ଲୀପ ପାଣ୍ଡେ ମଧ୍ୟ ଆଜି ପ୍ରଚାର ଅଭିଯାନ ଚଲାଇଛନ୍ତି। କଂଗ୍ରେସରୁ ପୂର୍ବତନ କେନ୍ଦ୍ରମନ୍ତ୍ରୀ ତଥା ନୂଆଦିଲ୍ଲୀ ଆସନର ପ୍ରାର୍ଥୀ ଅଜୟ ମାକେନ ଆଜି ଏନ୍ଡିଏମ୍ସି ଅଞ୍ଚଳରେ ଲୋକମାନଙ୍କୁ ଭେଟିଥିବା ବେଳେ ମୁଷ୍ଟିଯୋଦ୍ଧାରୁ ରାଜନୀତିକୁ ଆସିଥିବା ଦକ୍ଷିଣ ଦିଲ୍ଲୀ ଆସନ ପ୍ରାର୍ଥୀ ବିଜେନ୍ଦର ସିଂହ ଆଜି ବିଜୁୱାସନ୍ ଓ ପାଲାମ୍ ଅଞ୍ଚଳରେ ନିର୍ବାଚନୀ ସଭାରେ ଉଦ୍ବୋଧନ ଦେଇଛନ୍ତି। ଶିଲା ଦୀକ୍ଷିତ୍, ଜେ.ପି. ଅଗ୍ରୱାଲ୍ ଓ ମହାବଲ୍ ମିଶ୍ର ମଧ୍ୟ ଆଜି ନିର୍ବାଚନ ପ୍ରଚାର କରିଛନ୍ତି।



