ନୂଆଦିଲ୍ଲୀ : ଦିଲ୍ଲୀ ବିଧାନସଭାର ଅଧିବେଶନ ଆସନ୍ତା ସୋମବାରରୁ ଆରମ୍ଭ ହେବ। ଉପରାଜ୍ୟପାଳ ଭି.କେ ସକ୍ସେନା ବିଜେପିର ଅରବିନ୍ଦର ସିଂହ ଲଭ୍ଲିଙ୍କୁ କାମଚଳା ବାଚସ୍ପତି ଭାବେ ନିଯୁକ୍ତ କରିଛନ୍ତି। ସୋମବାର ପୂର୍ବାହ୍ଣ ୧୧ଟାରେ ନିର୍ବାଚିତ ବିଧାୟକମାନଙ୍କ ଶପଥ ଗ୍ରହଣ କାର୍ଯ୍ୟକ୍ରମ ରହିଛି। ସେହିପରି ଅପରାହ୍ଣ ୨ଟାରେ ବିଧାନସଭା ବାଚସ୍ପତି ନିର୍ବାଚନ ଅନୁଷ୍ଠିତ ହେବ। ଉପରାଜ୍ୟପାଳ ଭି.କେ ସକ୍ସେନା ଫେବୃଆରୀ ୨୫ରେ ବିଧାନସଭାରେ ନିଜ ବକ୍ତବ୍ୟ ରଖିବେ। ଏହାପରେ ବିଧାନସଭାରେ ସିଏଜି ରିପୋର୍ଟ ଉପସ୍ଥାପିତ ହେବ। ସେହିଦିନ ଅପରାହ୍ଣରେ ଉପରାଜ୍ୟପାଳଙ୍କ ବକ୍ତବ୍ୟ ଉପରେ ଧନ୍ୟବାଦ ପ୍ରସ୍ତାବ ଆଗତ ହେବାର କାର୍ଯ୍ୟସୂଚୀ ରହିଛି। ଫେବୃଆରୀ ୨୬ରେ ଧନ୍ୟବାଦ ପ୍ରସ୍ତାବ ଉପରେ ଆଲୋଚନା ସହ ଉପ ବାଚସ୍ପତି ନିର୍ବାଚନ ଅନୁଷ୍ଠିତ ହେବ। ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଭାବେ ରେଖା ଗୁପ୍ତା ଶପଥ ନେବା ପରେ ଗୁରୁବାର ଏକ କ୍ୟାବିନେଟ୍ ବୈଠକରେ ଅଧ୍ୟକ୍ଷତା କରିଥିଲେ। ଦିଲ୍ଲୀରେ ଆୟୁଷ୍ମାନ ଭାରତ ଯୋଜନା ଲାଗୁ ସହ ସିଏଜି ରିପୋର୍ଟ ବିଧାନସଭାରେ ଉପସ୍ଥାପନ କରାଯିବାକୁ ବୈଠକରେ ନିଷ୍ପତ୍ତି ହୋଇଥିଲା। ବୈଠକ ଶେଷରେ ସାମ୍ବାଦିକଙ୍କୁ ସୂଚନା ଦେଇ ରେଖା କହିଥିଲେ କେନ୍ଦ୍ର ସରକାରଙ୍କ ବିଭିନ୍ନ ଯୋଜନା ଦିଲ୍ଲୀରେ ଲାଗୁ କରାଯିବ। ଏଥିସହ ବିଜେପି ତରଫରୁ ନିର୍ବାଚନ ସମୟରେ ଯେଉଁ ପ୍ରତିଶ୍ରୁତି ପ୍ରଦାନ କରାଯାଇଛି ସେଗୁଡ଼ିକ ପୂରଣ କରିବାକୁ ଅଗ୍ରାଧିକାର ଦିଆଯିବ।
Popular Categories



