ସମାଜ ପୋର୍ଟାଲ ଡେସ୍କ: ଦିଲ୍ଲୀ ବିଧାନସଭା ନିର୍ବାଚନ ପାଇଁ ସମସ୍ତ ପ୍ରସ୍ତୁତି ଶେଷ ହୋଇଛି। ୭୦ ଆସନ ବିଶିଷ୍ଟ ଦିଲ୍ଲୀ ବିଧାନସଭା ନିମନ୍ତେ ଆସନ୍ତାକାଲି ଭୋଟ୍ ଗ୍ରହଣ କରାଯିବ। ୧୧ ତାରିଖ ମଙ୍ଗଳବାର ଦିନ ଭୋଟ୍ ଗଣତି ହେବ। ନିର୍ବାଚନକୁ ଶାନ୍ତିଶୃଙ୍ଖଳାର ସହ ସମାପନ କରିବା ନିମନ୍ତେ ବ୍ୟାପକ ପୁଲିସ୍ ବାହିନୀ ସହ କେନ୍ଦ୍ରୀୟ ସଶସ୍ତ୍ର ବାହିନୀକୁ ମଧ୍ୟ ନିୟୋଜିତ କରାଯାଇଛି। ବରିଷ୍ଠ ନାଗରିକମାନଙ୍କୁ ଆଣିବା ଓ ଛାଡ଼ିବା ସହ ସ୍ୱତନ୍ତ୍ର ପୋଷ୍ଟାଲ୍ ବାଲାଟ ଭଳି ସମସ୍ତ ପ୍ରକାର ବ୍ୟବସ୍ଥା କରାଯାଇଛି ବୋଲି ନିର୍ବାଚନ କମିଶନଙ୍କ ସୂତ୍ରରୁ ଜଣାପଡ଼ିଛି।
ନିର୍ବାଚନ ପାଇଁ ଗତକାଲି ସନ୍ଧ୍ୟାରେ ପ୍ରଚାର କାର୍ଯ୍ୟ ଶେଷ ହୋଇଛି। ଭୋଟରମାନଙ୍କୁ ଆକୃଷ୍ଟ କରିବା ନିମନ୍ତେ ବିଜେପି, କଂଗ୍ରେସ ଏବଂ ଆମ୍ ଆଦ୍ମୀ ଦଳ ପକ୍ଷରୁ ସମସ୍ତ ଉଦ୍ୟମ କରାଯାଇଛି। ନିର୍ବାଚନ ପ୍ରଚାର ବେଳେ ବିଶେଷକରି ନାଗରିକତ୍ୱ ସଂଶୋଧନ ଆଇନ, ତୁଷ୍ଟିକରଣ ରାଜନୀତି, ବେରୋଜଗାରୀ, ପ୍ରଦୂଷଣ ଏବଂ ବିଶୁଦ୍ଧ ପାନୀୟ ଜଳ ଭଳି ପ୍ରମୁଖ ପ୍ରସଙ୍ଗ ରହିଥିଲା। ଭୋଟ୍ଦାନ ପ୍ରକ୍ରିୟାରେ ଭାଗ ନେବାକୁ ଥିବା ସମସ୍ତ କର୍ମଚାରୀମାନେ ଠିକ୍ ସମୟରେ ଗନ୍ତବ୍ୟସ୍ଥଳରେ ପହଞ୍ଚିବା ନିମନ୍ତେ ଦିଲ୍ଲୀ ମେଟ୍ରୋସେବା ଆସନ୍ତାକାଲି ସକାଳ ୪ଟାରୁ ଆରମ୍ଭ ହେବ।



