ଡେସ୍କ: ପ୍ରତିରକ୍ଷାମନ୍ତ୍ରୀ ରାଜନାଥ ସିଂହ ଆଜି ରାଜନୈତିକ ଦଳ ନେତାମାନଙ୍କୁ କୌଣସି ବିବାଦରେ ସଂସଦ ଓ ରାଷ୍ଟ୍ରପତିଙ୍କୁ ଜଡିତ ନ କରାଇବା ଲାଗି ଅନୁରୋଧ କରିଛନ୍ତି। ଏକ ଟ୍ୱିଟ ଜରିଆରେ ଶ୍ରୀ ସିଂହ କହିଛନ୍ତି, ୧୪୦ କୋଟି ଭାରତୀୟଙ୍କ ପାଇଁ ନୂଆ ସଂସଦ ହେଉଛି ଗଣତାନ୍ତ୍ରିକ ମୂଲ୍ୟବୋଧ ଓ ଆକାଂକ୍ଷାର ଦୃଢ଼ ପରିଚୟ। ଏ ଶତାବ୍ଦୀର ଏହି ଘଟଣା ହେଉଛି ସବୁଠାରୁ ଗୁରୁତ୍ୱପୂର୍ଣ୍ଣ।
ସେ ସ୍ପଷ୍ଟ କରିଛନ୍ତି ଯେ ହେବାକୁ ଥିବା ସମାରୋହରେ କେବଳ ନୂଆ ସଂସଦ ଉଦଘାଟନ ହେବ। ସେହିଦିନ କୌଣସି ଅଧିବେଶନ ହେବ ନାହିଁ। ଯେଉଁ ରାଜନୈତିକ ଦଳଗୁଡିକ ଉଦଘାଟନୀ ସମାରୋହରେ ଯୋଗ ନ ଦେବାକୁ ନିଷ୍ପତ୍ତି ନେଇଛନ୍ତି, ସେମାନେ ନିଷ୍ପତ୍ତିର ପୁନର୍ବିଚାର କରି ସମାରୋହରେ ଯୋଗ ଦେବାକୁ ମନ୍ତ୍ରୀ ଶ୍ରୀ ସିଂହ ନିବେଦନ କରିଛନ୍ତି।



