ଡେସ୍କ: ଆସନ୍ତାକାଲିଠାରୁ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ତିନି ଦିନିଆ ମାଳଦ୍ଵୀପ ଗସ୍ତରେ ଯିବେ। ଏହି ଗସ୍ତ ସମୟରେ ରାଜନାଥ ସିଂ ତାଙ୍କ ମାଳଦ୍ଵୀପ ପ୍ରତିପକ୍ଷ ମାରିଆ ଅହମ୍ମଦ ଦିଦି ଏବଂ ବୈଦେଶିକ ମନ୍ତ୍ରୀ ଅବଦୁଲ୍ଲା ସାହିଦଙ୍କ ସହ ଦ୍ୱିପାକ୍ଷିକ ଆଲୋଚନା କରିବେ।
ଏକ ବିବୃତ୍ତିରେ ପ୍ରତିରକ୍ଷା ମନ୍ତ୍ରଣାଳୟ କହିଛି ଯେ ଆଲୋଚନା କାଳରେ ଦୁଇ ଦେଶ ମଧ୍ୟରେ ପ୍ରତିରକ୍ଷା ସମ୍ପର୍କର ସମୀକ୍ଷା କରାଯିବ। ଶ୍ରୀ ସିଂହ ମଧ୍ୟ ମାଳଦ୍ଵୀପ ରାଷ୍ଟ୍ରପତି ଇବ୍ରାହିମ ମହମ୍ମଦ ସୋଲିଙ୍କୁ ସାକ୍ଷାତ କରିବାର କାର୍ଯ୍ୟକ୍ରମ ରହିଛି। ଏହି ଅବସରରେ ଶ୍ରୀ ସିଂହ ମାଳଦ୍ଵୀପକୁ ଏକ ଫାଷ୍ଟ ପାଟ୍ରୋଲିଂ ଜାହାଜ ଏବଂ ମାଳଦ୍ଵୀପ ଜାତୀୟ ପ୍ରତିରକ୍ଷା ବାହିନୀକୁ ଏକ ଲ୍ୟାଣ୍ଡିଂ କ୍ରାଫ୍ଟ ପ୍ରଦାନ କରିବେ। ଏହି ଗସ୍ତ ସମୟରେ ପ୍ରତିରକ୍ଷା ମନ୍ତ୍ରୀ ଶ୍ରୀ ସିଂହ ସେଠାରେ ଚାଲିଥିବା ପ୍ରକଳ୍ପ ଅଂଚଳ ପରିଦର୍ଶନ କରିବା ସହ ଭାରତୀୟ ବଂଶୋଦ୍ଭବଙ୍କ ସହ କଥାବାର୍ତ୍ତା କରିବେ।
ଉଭୟ ଭାରତ ଏବଂ ମାଳଦ୍ଵୀପ ସାମୁଦ୍ରିକ ସୁରକ୍ଷା, ଆତଙ୍କବାଦ, ଉଗ୍ରବାଦ, ଡକାୟତି, କାରବାର, ସଂଗଠିତ ଅପରାଧ ଏବଂ ପ୍ରାକୃତିକ ବିପର୍ଯ୍ୟୟ ସମେତ ସହଭାଗୀ ଆହ୍ୱାନର ମୁକାବିଲା ପାଇଁ ଘନିଷ୍ଠ ଭାବରେ କାର୍ଯ୍ୟ କରୁଛନ୍ତି।



