ଭୁବନେଶ୍ଵର: ରାଜ୍ୟ, ଖାସ କରି ଭୁବନେଶ୍ୱର ପୁଲିସର ପାରିବା ପଣିଆ ନେଇ ପ୍ରଶ୍ନ ଉଠିଛି। ଗୁଇନ୍ଦା ବିଭାଗର ବିଫଳତା କାରଣରୁ ବାରମ୍ବାର ସୁରକ୍ଷାଗତ ତ୍ରୁଟି ସବୁ ଘଟୁଛି। ନବ ନିଯୁକ୍ତ ବିଜେପି ସରକାର ଲୋକଙ୍କ ପାଇଁ ଯେତେ କାମ କଲେ ବି କେବଳ କମିଶନରେଟ୍ ପୁଲିସ ପାଇଁ ସବୁ ପାଣିଚିଆ ହୋଇଯାଉଛି। ପ୍ରବାସୀ ଭାରତୀୟ ଦିବସରୁ ଫେରିବା ବେଳେ ଯେଭଳି ଭାବରେ ବେଦାନ୍ତ ମୁଖ୍ୟ ଅନୀଲ୍ ଅଗ୍ରଓ୍ୱାଲଙ୍କୁ କଳା ପତକା ଦେଖାଗଲା, ସେଥିରୁ ଓଡ଼ିଶାକୁ ପୁଞ୍ଜି ଖଟାଇବାକୁ ଆସୁଥିବା କମ୍ପାନୀ ଗୁଡ଼ିକ ଉପରେ କି ପ୍ରଭାବ ପଡ଼ିବ ତାହା ସ୍ପଷ୍ଟ ଭାବରେ ଜଣା ପଡୁଛି। ସେହିପରି ମଞ୍ଚେଶ୍ୱର ଥାନାରୁ ମାତ୍ର କେଇ ହାତ ଦୂରରେ ଆରଏସଏସ ମୁଖ୍ୟ ମୋହନ ଭାଗବତଙ୍କୁ କଳା ପତକା ପ୍ରଦର୍ଶନ କରାଗଲା। ମୋହନ ଭାଗବତଙ୍କୁ ଜେଡ୍ ପ୍ଲସ ସିକ୍ୟୁରିଟି କ୍ୟାଟାଗୋରୀ ଭୁକ୍ତ କରାଯାଇଛି। ଏନେଇ ପୁଲିସ କିଛି ଛାତ୍ର ଓ ଯୁବ କଂଗ୍ରେସ କର୍ମୀଙ୍କୁ ଗିରଫ କରିଛି। ମାତ୍ର ଅସଲ କଥାଟି ହେଲା ଏଭଳି କଳା ପତକା ପ୍ରଦର୍ଶନର ପ୍ରାକ୍ ସୂଚନା କାହିଁକି ପୁଲିସ ପାଖରେ ନଥିଲା? କିଛି ବର୍ଷ ତଳେ ଗଲା ସରକାର ସମୟରେ ସାରା ରାଜ୍ୟରେ ଏକ ଅଣ୍ଡା ମାଡର ପର୍ବ ଆରମ୍ଭ ହୋଇଥିଲା। ସେତେବେଳର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମଧ୍ୟ ଏଥିରୁ ବାଦ୍ ପଡ଼ିନଥିଲେ। ମୁଖ୍ୟମନ୍ତ୍ରୀଙ୍କ ଠାରୁ ଆରମ୍ଭ କରି ଅନେକ ଭିଭିଆଇପିଙ୍କ ଗାଡ଼ି ଉପରକୁ ଅଣ୍ଡାମାଡ଼ କରାଯାଉଥିଲା। ସେତେବେଳେ କିନ୍ତୁ ପୁଲିସ ଏନେଇ କଡ଼ା କାର୍ଯ୍ୟନୁଷ୍ଠାନ ଗ୍ରହଣ କରୁଥିଲା। ଏପରିକି ଗୁଇନ୍ଦା ସୂଚନା ଆଧାରରେ କେଉଁ ସ୍ଥାନରେ କେଉଁ ମାନେ ଅଣ୍ଡାମାଡ଼ କରିବାକୁ ଯାଉଛନ୍ତି, ସେହି ଖବର ପୁଲିସକୁ ଆଗୁଆ ମିଳିଯାଉଥିଲା। କେବଳ ସେହି ଗୁଇନ୍ଦା ସୁଚନା କାରଣରୁ ସେତେବେଳେ ଏହାକୁ ଅନେକାଂଶରେ ରୋକାଯାଇ ପାରିଥିଲା। ମାତ୍ର ଚଳିତ ସରକାରଙ୍କ ସମୟରେ ପୁଲିସକୁ ଏଭଳି କିଛି ଘଟଣାକୁ ନେଇ ଆଗୁଆ ସୂଚନା ମିଳିପାରୁ ନାହିଁ। ଭିଭିଆଇପିଙ୍କୁ କେଉଁଠି ବିରୋଧ କରାଯିବ ସେହି ଖବର ସମ୍ପୃକ୍ତ ଥାନା ଗୁଡ଼ିକୁ ଆଗୁଆ ମିଳିପାରୁ ନାହିଁ। ସେହି କାରଣରୁ ଏଭଳି ଘଟଣା ସବୁ ଘଟୁଛି। ଏହା ବାଦ୍ ଚୋରି ଏବଂ ହତ୍ୟା ଘଟଣାରେ ଭୁବନେଶ୍ୱର ରେକର୍ଡ ହାସଲ କରିସାରିଲାଣି। ଦକ୍ଷତା ବଦଳରେ ପ୍ରିୟାପ୍ରୀତି ତୋଷଣ ଆଧାରରେ ଥାନା ଆଇଆଇସି ମାନଙ୍କୁ ନିଯୁକ୍ତ କରାଯାଉଥିବା କାରଣରୁ ଏଭଳି ଘଟଣାମାନ ଘଟୁଥିବା ଅଭିଯୋଗ ହୋଇଛି। ପ୍ରବାସୀ ଭାରତୀୟ ସମ୍ମିଳନୀର ପ୍ରଥମ ଦିନରେ ରସୁଲଗଡ଼ ଓଭରବ୍ରିଜ ଉପରେ ଯୁବକଙ୍କ ମୁଣ୍ଡଗଣ୍ଡି ଅଲଗା କରିଦେଲେ। ଥରେ ନୁହେଁ ଦୁଇ ଦୁଇ ଥର ବରିଷ୍ଠ କଂଗ୍ରେସ ନେତା ନିରଞ୍ଜନ ପଟ୍ଟନାୟକଙ୍କ ଘରେ ଚୋର ପଶିଲା। ଏଥିରୁ ଜଣା ପଡ଼ୁଛି ଯେ ପୁଲିସ ପ୍ରତି ଅପରାଧୀମାନଙ୍କ ଭୟ କେତେ ରହିଛି।
Popular Categories



