www.samajalive.in
Wednesday, December 10, 2025
15.1 C
Bhubaneswar

ପନ୍ତ୍‌ଙ୍କ ବିସ୍ଫୋରକ ୭୮ ରନ୍‌ : ରାଜସ୍ଥାନକୁ ହରାଇ ଦିଲ୍ଲୀ ଶୀର୍ଷରେ

ଜୟପୁର : ରାଜସ୍ଥାନ ରୟାଲ୍‌ସ ପାଇଁ ଶତକ ଅଭିଶାପ ପାଲଟିଛି। ପୂର୍ବରୁ ସଞ୍ଜୁ ସାମ୍‌ସନ ଶତକ ମାରିଥିବା ବେଳେ ସନ୍‌ରାଇଜର୍ସଠାରୁ ରାଜସ୍ଥାନ ହାରିଥିବା ବେଳେ ସୋମବାର ଅଜିଙ୍କ୍ୟ ରାହାଣେ ଶତକ ମାରିବା ସତ୍ତ୍ବେ ଦିଲ୍ଲୀ କ୍ୟାପିଟାଲ୍‌ସଠାରୁ ରାଜସ୍ଥାନ ୫ ୱିକେଟରେ ପରାସ୍ତ ହୋଇଛି। ସୋମବାର ଅଜିଙ୍କ୍ୟ ରାହାଣେ ଅପରାଜିତ ଶତକ ମାରିବାରୁ ପ୍ରଥମେ ବ୍ୟାଟିଂକରି ରାଜସ୍ଥାନ ରୟାଲ୍‌ସ ୬ ୱିକେଟ ହରାଇ ୧୯୧ ରନ୍ କରିଥିଲା। ପରେ ଶିଖର ଧାୱନ ଓ ଋଷଭ ପନ୍ତ୍‌ଙ୍କ ବିସ୍ଫୋରକ ଅର୍ଦ୍ଧଶତକ ବଳରେ ୪ଟି ବଲ୍‌ ବାକିଥାଇ ୫ ୱିକେଟ ହରାଇ ଦିଲ୍ଲୀ ବିଜୟୀ ହୋଇଥିଲା। ୧୧ଶ ମ୍ୟାଚ୍‌ରେ ୭ମ ବିଜୟ ପରେ ଦିଲ୍ଲୀ ଶୀର୍ଷକୁ ଉନ୍ନୀତ ହୋଇଛି। ୧୦ମ ମ୍ୟାଚ୍‌ରେ ୭ମ ପରାଜୟ ପରେ ରାଜସ୍ଥାନ ୭ମ ସ୍ଥାନରେ ରହିଛି।
ଦିଲ୍ଲୀ କ୍ୟାପିଟାଲ୍‌ସ ଦୃଢ଼ତାର ସହ ୧୯୨ ରନ୍ ବିଜୟଲକ୍ଷ୍ୟର ପିଛା ଆରମ୍ଭ କରିଥିଲା। ୬ ଓଭର ପାୱରପ୍ଲେର ଫାଇଦା ଉଠାଇ ଦିଲ୍ଲୀ ବିନା ୱିକେଟରେ ୫୯ ରନ୍ କରି ପାରିଥିଲା। ଦିଲ୍ଲୀ କ୍ୟାପିଟାଲ୍‌ସର ଓପ୍‌ନିଂ ଯୋଡ଼ି ଶିଖର ଧାୱନ ଓ ପୃଥ୍ବୀ ସ’ ୮ମ ଓଭର ପର୍ଯ୍ୟନ୍ତ କ୍ରିଜ୍‌ରେ ରହି ୭୨ ରନ୍‌ର ଭାଗିଦାରୀ କରି ପାରିଥିଲେ। ବିସ୍ଫୋରକ ଅର୍ଦ୍ଧଶତକ ହାସଲ କରିଥିବା ଧାୱନ ୨୭ ବଲ୍‌ରୁ ୨ଟି ଛକା ଓ ୮ଟି ଚୌକା ସହ ୫୪ ରନ୍‌କରି ଆଉଟ ହୋଇ ଯାଇଥିଲେ। ପରେ ଅଧିନାୟକ ଶ୍ରେୟାସ ଆୟର ୪ ରନ୍‌କରି ବିଦାୟ ନେଇଥିଲେ। ୩ୟ ୱିକେଟ ପାଇଁ ଦୁଇ ଯୁବ ଖେଳାଳି ପୃଥ୍ବୀ ସ’ ଓ ଋଷଭ ପନ୍ତ୍ ଦ୍ରୁତଗତିରେ ୮ ଓଭରରେ ୮୪ ରନ୍ ଯୋଗ କରିବାରୁ ଦଳର ବିଜୟପଥ ସୁଗମ ହୋଇଥିଲା। ପୃଥ୍ବୀ ୩୯ ବଲ୍‌ରୁ ଗୋଟିଏ ଛକା ଓ ୪ଟି ଚୌକା ସହ ୪୨ ରନ୍‌କରି ବିଦାୟ ନେଇଥିଲେ। ପରେ ଋଷଭ ପନ୍ତ୍ ଏକା ଇନିଂସ ସମ୍ଭାଳିଥିଲେ ଏବଂ ବିଜୟସୂଚକ ଛକା ମାରି ଦଳକୁ ଶେଷ ଓଭରରେ ଜିତାଇଥିଲେ। ସେର୍ଫାନେ ରଦରଫୋର୍ଡ ୫ ବଲ୍‌ରୁ ଦ୍ରୁତ ୧୧ ରନ୍ କରି ବିଦାୟ ନେଇଥିଲେ। ଋଷଭ ପନ୍ତ୍ ୩୬ ବଲ୍‌ରୁ ୪ଟି ଛକା ଓ ୬ଟି ଚୌକା ସହ ୭୮ ରନ୍‌କରି ଅପରାଜିତ ରହିଥିଲେ। ଶ୍ରେୟାସ ଗୋପାଳ ୨ଟି ୱିକେଟ ନେଇଥିଲେ। ମ୍ୟାଚ୍‌ ବିଜୟୀ ଇନିଂସ ପାଇଁ ଋଷଭ ପନ୍ତ୍ ପ୍ଲେୟର ଅଫ୍ ଦି ମ୍ୟାଚ୍ ହୋଇଥିଲେ।
ଦିଲ୍ଲୀ କ୍ୟାପିଟାଲ୍‌ସ ଟସ୍ ଜିତି ଫିଲ୍‌ଡିଂ ନେବା ପରେ ଘରୋଇ ରାଜସ୍ଥାନ ରୟାଲ୍‌ସର ଓପ୍‌ନର ସଞ୍ଜୁ ସାମ୍‌ସନ ବଲ୍‌ର ସମ୍ମୁଖୀନ ହେବା ପୂର୍ବରୁ ରନ୍‌ଆଉଟ ହୋଇଥିଲେ। ପରେ ବିଦାୟୀ ଅଧିନାୟକ ଅଜିଙ୍କ୍ୟ ରାହାଣେ ଓ ନୂଆ ଅଧିନାୟକ ଷ୍ଟିଭେନ୍ ସ୍ମିଥ୍‌ ପରବର୍ତ୍ତୀ ୧୨ ଓଭର କ୍ରିଜ୍‌ରେ ରହିଥିଲେ ଏବଂ ଦ୍ରୁତ ୧୩୦ ରନ୍‌ର ଭାଗିଦାରୀ କରିଥିଲେ। ତେବେ ସ୍ମିଥ୍ ଆଉଟ ହେବା ସହ ରାଜସ୍ଥାନର ରନ୍‌ଗତି କମି ଯାଇଥିଲା। ୧୩ ଓଭରରେ ୧୩୫ ରନ୍ କରିଥିବା ରାଜସ୍ଥାନ ରୟାଲ୍‌ସ ନିୟମିତ ୱିକେଟ ହରାଇବା ଯୋଗୁଁ ଶେଷ ୭ ଓଭରରେ ମାତ୍ର ୫୬ ରନ୍ ଯୋଡ଼ି ପାରିଥିଲା। ସ୍ମିଥ୍ ୩୨ ବଲ୍‌ରୁ ୮ଟି ଚୌକା ସହ ୫୦ ରନ୍ କରିଥିଲେ। ପରେ ବାମହାତି ବେନ୍ ଷ୍ଟୋକ୍‌ସ ୮ ରନ୍‌କରି ବିଦାୟ ନେଇଥିବା ବେଳେ ଅଷ୍ଟ୍ରେଲୀୟ ଆଷ୍ଟନ୍ ଟର୍ନର ବିନା ସ୍କୋର୍‌ରେ ଆଉଟ ହୋଇଥିଲେ। ଶତକର ନିକଟବର୍ତ୍ତୀ ହେବା ସହ ରାହାଣେ ଧିମେଇ ଯାଇଥିଲେ। ତେବେ ଷ୍ଟୁଆର୍ଟ ବିନ୍ନି ୧୩ ବଲ୍‌ରୁ ୨ଟି ଚୌକା ସହ ୧୯ ରନ୍ କରିଥିଲେ। ରାହାଣେ ୬୩ ବଲ୍‌ରୁ ୩ଟି ଛକା ଓ ୧୧ଟି ଚୌକା ସହ ୧୦୫ ରନ୍‌କରି ଅପରାଜିତ ଥିଲେ। କାଗିସୋ ରାବାଡ଼ା ୨ଟି ୱିକେଟ ପାଇଥିଲେ।

Hot this week

ବାରବାଟୀରେ ଭାରତର ବିରାଟ ବିଜୟ

କଟକ -   ବାରବାଟୀରେ ଭାରତର ବିରାଟ ବିଜୟ । ଦକ୍ଷିଣ ଆଫ୍ରିକାକୁ...

ଛାତ୍ରଙ୍କୁ ରାଗିଂ: ଡ୍ରଗ୍ସ ନେବାକୁ ବାଧ୍ୟ କଲେ, ପାଇଖାନା ଚଟାଣ ଚଟାଇଲେ

ପିପିଲି: ରାଜ୍ୟର ଏକ ପ୍ରମୁଖ ଘରୋଇ ବିଶ୍ୱବିଦ୍ୟାଳୟ ଅଧୀନରେ ଥିବା ରାଜଧାନୀ...

ଦକ୍ଷିଣ ଆଫ୍ରିକାକୁ ୧୭୬ ରନର ଟାର୍ଗେଟ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭ୍ରମଣକାରୀ ଦକ୍ଷିଣ ଆଫ୍ରିକାକୁ ୧୭୬...

ଭାରତର ପଞ୍ଚମ ଓ୍ୱିକେଟ ପତନ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭାରତର ପଞ୍ଚମ ଓ୍ୱିକେଟ ପତନ...

ଭାରତର ତୃତୀୟ ଓ୍ୱିକେଟର ପତନ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭାରତକୁ ତୃତୀୟ ଓ୍ୱିକେଟ୍‌ର ପତନ...

Related Articles

Popular Categories