ବାତ୍ୟା ୟସ ଅତିକ୍ରମ କରିବା ସମୟରେ ଉଦ୍ଧାର କାର୍ଯ୍ୟ ଓ ଅତିକ୍ରମ କରିବା ପରେ ପୁନରୁଦ୍ଧାର କାର୍ଯ୍ୟ ନିମନ୍ତେ ଏନଡ଼ିଆରଏଫ, ଓଡ୍ରାଫ, ଅଗ୍ନିଶମ, ପୂର୍ତ୍ତ, ଜଳସେଚନ ଓ ବିଦ୍ୟୁତ ବିଭାଗର ପ୍ରସ୍ତୁତି ଅପାତତଃ ଶେଷ ହୋଇଥିବା ସ୍ୱତନ୍ତ୍ର ରିଲିଫ କମିଶନର ପ୍ରଦୀପ ଜେନା କହିଛନ୍ତି। ଇତି ମଧ୍ୟରେ ବିଭିନ୍ନ ପ୍ରଭାବିତ ହେବାକୁ ଥିବା ଜିଲ୍ଲାରେ ଏନଡିଆରଏଫର ୫୨ଟି ଟିମ, ଓଡ୍ରାଫର ୬୦ଟି ଟିମ, ଅଗ୍ନିସମାର ୨୦୬ଟି ଟିମ ଏବଂ ବନ ଉନ୍ନୟନ ବିଭାଗର ୮୬ଟି ସ୍ୱତନ୍ତ୍ର ଗଛ କଟାଳି ଟିମ ଅର୍ଥାତ ୪୦୪ଟି ସ୍ୱତନ୍ତ୍ର ଅଭିଜ୍ଞ ଟିମକୁ ପଠାଯାଇ ସାରିଛି। ଏହାଛଡା ପୂର୍ତ୍ତ, ଜଳସେଚନ ଓ ଗ୍ରାମ୍ୟ ଉନ୍ନୟନ ବିଭାଗର ୬ ଶହରୁ ଅଧିକ ଦଳ ପ୍ରସ୍ତୁତ ଥିବା ଶ୍ରୀ ଜେନା ସୂଚନା ଦେଇଛନ୍ତି।
ବିଦ୍ୟୁତ ବିଭାଗର ୧୨ ହଜାର କୁଶଳୀ, ଅଣକୁଶଳୀ ଶ୍ରମିକ ଓ ଅଧିକାରୀ ଆବଶ୍ୟକ ସାଜ ସରଞ୍ଜାମ ସହ ପ୍ରସ୍ତୁତ ରହିଥିବା ବେଳେ ପ୍ରଭାବିତ ହେବାକୁ ଥିବା ଜିଲ୍ଲାରେ ଅତିରିକ୍ତ ଭାବେ ୫ ଆଇଏଏସ ଓ ୫ ଆଇପିଏସ ପହଂଚି ସାରିଛନ୍ତି। ସେମାନେ ସ୍ତିତି ପରଖିବା ସହ ପ୍ରଶାସନକୁ ବାତ୍ୟା ମୁକାବିଲା ଦିଗରେ ସହାୟତା କରୁଛନ୍ତି। ଶ୍ରୀ ଜେନା କହିଛନ୍ତି ଯେ ବାତ୍ୟାର ଅଧିକ ପ୍ରଭାବିତ ହେବାକୁ ଥିବା ଜିଲ୍ଲା ବ୍ୟତୀତ କଟକ, ପୁରୀ, ଜଗତସିଂହପୁର, ଖୋର୍ଦ୍ଧା ଓ ଯାଜପୁର ଜିଲ୍ଲାର କିଛି ଅଂଶରେ ଘଂଟାପ୍ରତି ୬୦ରୁ ୧୦୦ କିଲୋମିଟର ବେଗରେ ପବନ ବହିବାର ସହ ବର୍ଷା ହେବାର ସମ୍ଭାବନା ରହିଛି ତେଣୁ ବିଦ୍ୟୁତ କାଟ ହେବ ଓ କିଛି ସ୍ଥାନରେ ବିଦ୍ୟୁତ ଭିତ୍ତିଭୂମି ମଧ୍ୟ ସମ୍ପୂର୍ଣ୍ଣ କ୍ଷତିଗ୍ରସ୍ତ ହେବାର ସମ୍ଭାବନା ଥିବାରୁ ଅନ୍ତତଃ ୪ଦିନ ପାଇଁ ପିଇବା ପାଣି ରଖିଦିଅନ୍ତୁ। ପବନ ସମ୍ପୂର୍ଣ୍ଣ କମିବା ଯାଏଁ ସମସ୍ତେ କୋଠା ଘରେ କିମ୍ବା ଆଶ୍ରୟସ୍ଥଳୀରେ ରହିବା ସହ କେହି ଘରୁ ବାହାରକୁ ନ ବାହାରିବା ପାଇଁ ସ୍ୱତନ୍ତ୍ର ରିଲିଫ କମିଶନର ଅନୁରୋଧ କରିଛନ୍ତି।



