ସାମୁଦ୍ରିକ ବାତ୍ୟା ଗୁଲାବ: ସନ୍ଧ୍ୟାରେ ସ୍ଥଳଭାଗ ଛୁଇଁବା ପ୍ରକ୍ରିୟା ଆରମ୍ଭ, ପ୍ରଶାସନ ପ୍ରସ୍ତୁତ

ସାମୁଦ୍ରିକ ବାତ୍ୟା ଗୁଲାବ ଯଦିଓ ପ୍ରତ୍ୟେକ୍ଷ ଭାବେ ପ୍ରଭାବ ପକାଇବ ନାହିଁ ତେବେ ଏହାର ପ୍ରଭାବରେ ପ୍ରବଳ ବର୍ଷା ସମ୍ଭାବନା ଥିବାରୁ, ପ୍ରଶାସନକୁ ସଜାଗ ରଖାଯାଇଥିବା ସ୍ୱତନ୍ତ୍ର ରିଲିଫ କମିଶନର ପ୍ରଦୀପ ଜେନା କହିଛନ୍ତି। ସେ ଗଣମାଧ୍ୟମକୁ କହିଛନ୍ତି ଯେ ସାମୁଦ୍ରିକ ବାତ୍ୟା ଗୁଲାବ ଦକ୍ଷିଣ- ଦକ୍ଷିଣ ପୂର୍ବ ଦିଗରେ ଗତି କରୁଛି ଓ ଗୋପାଳପୁର ଠାରୁ ୧୮୦ କିମି ଦୂରରେ ରହିଛି। ଆଜି ସନ୍ଧ୍ୟାରୁ ବିଳମ୍ବିତ ରାତି ମଧ୍ୟରେ ଏହା ଆନ୍ଧ୍ରପ୍ରଦେଶର କଳିଙ୍ଗପଟ୍ଟନମ ଓ ଗୋପାଳପୁର ମଧ୍ୟରେ ସ୍ଥଳଭାଗ ସ୍ପର୍ଶ କରିବାର ସମ୍ଭାବନା ରହିଛି।

ଏହି ବାତ୍ୟା ଶ୍ରୀକାକୁଲମ ଜିଲ୍ଲାରେ ସ୍ଥଳଭାଗ ଛୁଇଁବାର ଅଧିକ ସମ୍ଭାବନା ରହିଛି ଓ ସ୍ଥଳଭାଗ ସ୍ପର୍ଶ କଲାପରେ ଏହା ଗଜପତି, ରାୟଗଡା, କୋରାପୁଟ ଏବଂ ମାଲକାନଗିରି ଦେଇ ଛତିଶଗଡ଼ ଆଡକୁ ମୁହାଁଇବ। ଏସଆରସି କହିଛନ୍ତି, ବାତ୍ୟା ଗୁଲାବ ସ୍ଥଳଭାଗ ସ୍ପର୍ଶ କରିବା ସମୟରେ ପବନର ବେଗ ଘଂଟାପ୍ରତି ୭୫ରୁ ୮୦ କିମି ମଧ୍ୟରେ ରହିବ ଏବଂ ଏହା ସ୍ଥଳ ବିଶେଷରେ ୯୫ କିମିକୁ ବୃଦ୍ଧି ପାଇବାର ସମ୍ଭାବନା ରହିଛି। ଏହାର ପ୍ରଭାବରେ ଗଜପତି ଏବଂ ଗଂଜାମ ଜିଲ୍ଲାରେ ୬୦ରୁ ୭୦ କିମି ବେଗରେ ପବନ ବହିବ ଓ ଆସନ୍ତାକାଲି ମଧ୍ୟ ଏହାର ପ୍ରଭାବରେ ଗଜପତି, କୋରାପୁଟ, ରାୟଗଡା ଓ ମାଲକାନଗିରି ଜିଲ୍ଲାରେ ପବନ ବହିବ। କିଛି ସ୍ଥାନରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବ ବୋଲି ଶ୍ରୀ ଜେନା କହିଛନ୍ତି।

ବାତ୍ୟା ଗୁଲାବ ଯୋଗୁ ୩ ପ୍ରକାରର ଅସୁବିଧା ସୃଷ୍ଟି ହୋଇପାରେ ବୋଲି ସେ କହିଛନ୍ତି ଓ ଏହାର ମୁକାବିଲା ପାଇଁ ପ୍ରଶାସନ ପ୍ରସ୍ତୁତ ରହିଛି। ପବନ ଜନିତ ଅସୁବିଧା ଯେଭଳିକି ଗଜପତି, ରାୟଗଡା ଓ କୋରାପୁଟରେ ସାଧାରଣତଃ ବାତ୍ୟା ହେଉନଥିବାରୁ ଏହାର ପ୍ରଭାବରେ ପୁରୁଣା ଗଛ ଓ ଏଲଟି ଲାଇନ ଖୁଣ୍ଟି ଉପୁଡି ପଡ଼ିବାର ସମ୍ଭାବନା ରହିଛି। ଏହା ଛଡା ଭୂସ୍ଖଳନ ହେବାର ସମ୍ଭାବନା ରହିଥିବା ଶ୍ରୀ ଜେନା କହିଛନ୍ତି ତେଣୁ ଗଜପତି, କୋରାପୁଟ, ମାଲକାନଗିରି ଏବଂ ରାୟଗଡା ଓ କନ୍ଧମାଳର କିଛି ଅଂଚଳରେ ଅଧିକ ସତର୍କତା ଅବଲମ୍ବନ କରିବାକୁ ଜିଲ୍ଲାପାଳମାନଙ୍କୁ ନିର୍ଦ୍ଦେଶ ଦିଆଯାଇଛି।

prayash

ଅନ୍ୟପକ୍ଷରେ ପ୍ରବଳ ବର୍ଷା ଯୋଗୁ ରୁଷିକୂଲ୍ୟା, ନାଗାବଳି ଏବଂ ବଂଶଧାରା ନଦୀରେ ବନ୍ୟା ଜଳ ଆସିବାର ସମ୍ଭାବନା ଥିବାରୁ ଗୋଟା ବ୍ୟାରେଜକୁ ଖୋଲା ରଖାଯାଇଥିବା ଶ୍ରୀ ଜେନା କହିଛନ୍ତି ଯାହା ଫଳରେ ବନ୍ୟା ଜଳ ସହଜରେ ଯାଇପାରିବ। ଏହା ବ୍ୟତୀତ କେତେକ ତଳି ଅଂଚଳରେ ହଠାତ ବନ୍ୟା ଭଳି ପରିସ୍ଥିତି ସୃଷ୍ଟି ହେବାର ଆଶଙ୍କା ଥିବାରୁ ଲୋକମାନଙ୍କୁ ସତର୍କ କରାଇ ଦିଆଯାଇଛି ଏବଂ ଭୂସ୍ଖଳନ ସମ୍ଭାବିତ ଅଞ୍ଚଳଗୁଡିକରୁ ଲୋକମାନଙ୍କୁ ଅନ୍ୟତ୍ର ସ୍ଥାନାନ୍ତର ପ୍ରକ୍ରିୟା ଆରମ୍ଭ ହୋଇଥିବା ଏସଆରସି ଶ୍ରୀ ଜେନା କହିଛନ୍ତି।

ପ୍ରବଳ ବର୍ଷା ଓ ତଦଜନିତ ବନ୍ୟା ଜଳ ପ୍ରବାହକୁ ଦୃଷ୍ଟିରେ ରଖି ବାଲିମେଳା, କୋଲାବ ଓ ଇନ୍ଦ୍ରାବତୀ ଜଳଭଣ୍ଡାରରେ ଅଧିକ ସ୍ଥାନ ଥିବାରୁ କୌଣସି ଅସୁବିଧା ହେବନି ବୋଲି ସେ କହିଛନ୍ତି। ସେ କହିଛନ୍ତି ଯେ ଇତିମଧ୍ୟରେ ଓଡ୍ରାଫ ଓ ଏନଡିଆରଏଫ ଦଳଗୁଡିକ ବିଭିନ୍ନ ସ୍ଥାନରେ ପହଂଚି ସାରିଛନ୍ତି। ସମୁଦ୍ର ଭିତରେ ଥିବା ରାଜ୍ୟର ସମସ୍ତ ବୋଟ କୂଳକୁ ଫେରି ଆସିଛି ଏବଂ ପାରାଦୀପ ବନ୍ଦର ନିକଟରେ ମୋଟର ଖରାପ ଯୋଗୁ ଫସି ରହିଥିବା ଏକ ବୋଟରୁ ଲୋକମାନଙ୍କୁ ତଟରକ୍ଷୀ ବାହିନୀ ସଫଳତାର ସହ ଉଦ୍ଧାର କରିଛନ୍ତି ବୋଲି ଶ୍ରୀ ଜେନା ସୂଚନା ଦେଇଛନ୍ତି। ଏପର୍ଯ୍ୟନ୍ତ ୫ ହଜାର ଲୋକଙ୍କୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର କରାଯାଇ ସାରିଛି ଓ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶ ଅନୁଯାୟୀ ଆଜି ସନ୍ଧ୍ୟା ପୂର୍ବରୁ ସ୍ଥାନାନ୍ତରଣ କାର୍ଯ୍ୟ ଶେଷ କରାଯିବ ବୋଲି ସେ କହିଛନ୍ତି। ତେବେ ପ୍ରଭାବିତ ହେବାକୁ ଥିବା ୧୧ଟି ଜିଲ୍ଲାରେ ଆସନ୍ତାକାଲି ସମସ୍ତ ଶିକ୍ଷାନୁଷ୍ଠାନ ବନ୍ଦ ରଖିବାକୁ ମୁଖ୍ୟମନ୍ତ୍ରୀ ଜିଲ୍ଲାପାଳମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି।

kalyan agarbati

Comments are closed.