ନବରଙ୍ଗପୁର : ମୁଖ୍ୟ ଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ର ଓ ସ୍ୱାସ୍ଥ୍ୟ ବିଭାଗ ଅତିରିକ୍ତ ମୁଖ୍ୟ ଶାସନ ସଚିବ ପ୍ରଦୀପ ମହାପାତ୍ର ଆଜି ନବରଙ୍ଗପୁର ଓ କୋରାପୁଟ ଜିଲ୍ଲା ଗସ୍ତ କରି ଜିଲ୍ଲାରେ କରୋନା ସ୍ଥିତି ସମ୍ପର୍କରେ ସମୀକ୍ଷା କରିଛନ୍ତି। ନବରଙ୍ଗପୁର ଜିଲ୍ଲାରେ କୋଭିଡ୍ ସଂକ୍ରମଣ ୧୩ ପ୍ରତିଶତକୁ ହ୍ରାସ ପାଇ ପରିସ୍ଥିତି ନିୟନ୍ତ୍ରଣାଧିନ ଥିବାବେଳେ ଜିଲ୍ଲାରେ ଉତ୍ତମ ସ୍ୱାସ୍ଥ୍ୟସେବା ଯୋଗାଇଦେବା ପାଇଁ ବିଭିନ୍ନ ପଦକ୍ଷେପ ଗ୍ରହଣ କରାଯାଉଥିବା ମୁଖ୍ୟ ଶାସନ ସଚିବ କହିଛନ୍ତି। ଜିଲ୍ଲାରେ ଖୁବ୍ ଶୀଘ୍ର ଏକ ଆରଟି-ପିସିଆର ଲ୍ୟାବ୍ ଓ ଅକ୍ସିଜେନ୍ ପ୍ଲାଣ୍ଟ ସ୍ଥାପନ ହେବ ବୋଲି ମୁଖ୍ୟ ଶାସନ ସଚିବ କହିଛନ୍ତି।

ଜିଲ୍ଲାରେ ୧୮ ରୁ ୪୪ ବର୍ଷ ବୟସର ଟିକାକରଣ ପାଇଁ ପୂର୍ବରୁ ୨୦ ହଜାର ଟିକା ପ୍ରଦାନ କରାଯାଉଥିବାବେଳେ ଆହୁରି ୧୦ ହଜାର ଅଧିକ ଟିକା ପ୍ରଦାନ କରାଯିବ ବୋଲି ଶ୍ରୀ ମହାପାତ୍ର କହିଛନ୍ତି। ସେହିପରି, କୋରାପୁଟ ଜିଲ୍ଲାର
ସ୍ୱାସ୍ଥ୍ୟ ଭିତ୍ତିଭୂମି ଯାଞ୍ଚ କରି ଜିଲ୍ଲାରେ ଖୁବ୍ ଶୀଘ୍ର ଆଉ ଏକ କୋଭିଡ୍ ହସ୍ପିଟାଲ କାର୍ଯ୍ୟକ୍ଷମ ହେବ ବୋଲି ସୂଚନା ଦେଇଛନ୍ତି। ବିଧାୟକ ପାଣ୍ଠିରୁ ଜିଲ୍ଲାକୁ ୨ଟି ଲାଇଫ୍ ସପୋର୍ଟ ଆମ୍ବୁଲାନ୍ସ ମଧ୍ୟ ଯୋଗାଇ ଦିଆଯାଇଛି।



