ସମାଜ ଡିଜିଟାଲ ଡେସ୍କ: ବାଲେଶ୍ଵର ଏଫଏମ କଲେଜ ଛାତ୍ରୀ ଆତ୍ମାହୁତି ଘଟଣାରେ ରବିବାର ବାଲେଶ୍ଵରରେ ପହଞ୍ଚି ଘଟଣାସ୍ଥଳ ବୁଲି ଦେଖିଛନ୍ତି କ୍ରାଇମ୍ବ୍ରାଞ୍ଚ ଡିଜି ବିନୟତୋଷ ମିଶ୍ର। ଏଥିସହ ଗଣମାଧ୍ୟମ ସମ୍ମୁଖରେ ତଦନ୍ତର ଅଗ୍ରଗତି ନେଇ ସୂଚନା ଦେଇଛନ୍ତି। ଡିଜି କହିଛନ୍ତି, ପୀଡ଼ିତାଙ୍କୁ ନ୍ୟାୟ ମିଳିବା ଦିଗରେ ତଦନ୍ତ ଚାଲିଛି। ତଦନ୍ତ ସମୟରେ ଅନେକ ସାମଗ୍ରୀ ମିଳିଛି। ସେସବୁକୁ ରାଜ୍ୟ ଅପରାଧ ବିଧି ବିଜ୍ଞାନାଗାର(ଏସଏଫଏସଏଲ)କୁ ପଠାଯାଇଛି।
ସେ ଆହୁରି କହିଛନ୍ତି, ଏହି ଘଟଣାକୁ ନେଇ ଲୋକେ ପୁଲିସ ଆଗରେ, ସାମାଜିକ ଗଣମାଧ୍ୟମରେ ଭିନ୍ନ ଭିନ୍ନ ବୟାନ ଦେଇଛନ୍ତି। ଆମ ଟିମ୍ ଘଟଣାର ତଦନ୍ତ ଜାରି ରଖିଛି। ମାମଲାର ସଠିକ ତଦନ୍ତ ହେବ। ଝିଅକୁ ନ୍ୟାୟ ମିଳିବ। ଆମେ ଅନେକ ତଥ୍ୟ ସଂଗ୍ରହ କରିଛୁ। ବର୍ତ୍ତମାନ ତଦନ୍ତ ରିପୋର୍ଟ ଯାହା ଅଛି, ସେନେଇ କୁହାଯାଇପାରିବ ନାହିଁ। ମାତ୍ର ସମୟ ଆସିଲେ ସବୁ କୁହାଯିବ। ସାକ୍ଷୀମାନଙ୍କର ବୟାନ ଆସିଛି। ଡିଜିଟାଲ ମିଡିଆରେ ଯେଉଁ ବୟାନ ଆସୁଛି ଏବଂ ତଦନ୍ତ ସମୟରେ ଆସିଥିବା ବୟାନ ଓ ଏସ୍ଏଫ୍ଏସ୍ଏଲ୍ ରିପୋର୍ଟକୁ ନେଇ ତର୍ଜମା କରାଯିବ। କ୍ରାଇମବ୍ରାଞ୍ଚ ଆଇଜି ଏସ୍ ସାଇନିଙ୍କ ନେତୃତ୍ବରେ ଘଟଣାର ତଦନ୍ତ ଜାରି ରହିଛି। ଘଟଣା ପୂର୍ବ ଓ ପରର ସ୍ଥିତି ଉପରେ ମଧ୍ୟ ସମୀକ୍ଷା କରାଯାଉଥିବା କହିଛନ୍ତି କ୍ରାଇମ୍ବ୍ରାଞ୍ଚ ଡିଜି ବିନୟତୋଷ ମିଶ୍ର।
ଡିଜି ପ୍ରଥମେ ପୂର୍ବାଞ୍ଚଳ ଡିଆଇଜିଙ୍କ କାର୍ଯ୍ୟାଳୟରେ ପହଞ୍ଚି ଡିଆଇଜି ଡା. ସତ୍ୟଜିତ ନାୟକଙ୍କ ସହ ଆଲୋଚନା କରିଥିଲେ। ଏହାପରେ ମହାବିଦ୍ୟାଳୟରେ ପହଞ୍ଚି ଘଟଣାସ୍ଥଳ ବୁଲି ଦେଖିଥିଲେ। ଅଧ୍ୟକ୍ଷଙ୍କ କାର୍ଯ୍ୟାଳୟରେ ଭାରପ୍ରାପ୍ତ ଅଧ୍ୟକ୍ଷ ଫିରୋଜ ପାଢ଼ୀଙ୍କ ସହ କଥା ହୋଇ ଘଟଣାର ବିଭିନ୍ନ ଦିଗ ସମ୍ପର୍କରେ ପଚାରି ବୁଝିଥିଲେ। ଡିଜିଙ୍କ ସହ ଡିଆଇଜି ଡା. ସତ୍ୟଜିତ ନାୟକ, କ୍ରାଇମବ୍ରାଞ୍ଚର ସିଏଡବ୍ଲ୍ୟୁ ଆଣ୍ଡ ସିଡବ୍ଲ୍ୟୁ ଶାଖା ଆଇଜି ଏସ୍ ସାଇନି, ଡିିଏସପି ଇମାନ କଲ୍ୟାଣ ନାୟକ, ଇନ୍ସପେକ୍ଟର ପାଞ୍ଚାଳୀ ରାଉତ ପ୍ରମୁଖ ଉପସ୍ଥିତ ଥିଲେ।



