ରାଜ୍ୟ ତଥା କେନ୍ଦ୍ରଶାସିତ ଅଞ୍ଚଳକୁ କୋଭିଡ ଟିକା ଆବଣ୍ଟନ ସମ୍ପୂର୍ଣ୍ଣ ସ୍ୱଚ୍ଛ ଢଙ୍ଗରେ କରାଯାଉଛି ବୋଲି କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ଗୁରୁବାର କହିଛି। ରାଜ୍ୟ ଓ କେନ୍ଦ୍ରଶାସିତ ଅଂଚଳଗୁଡିକୁ ଟିକା ଆବଣ୍ଟନରେ ସ୍ୱଚ୍ଛତା ରହୁନଥିବା ଅଭିଯୋଗ କରୁଥିବା ସମ୍ବାଦ ନେଇ ସ୍ୱାସ୍ଥ୍ୟ ମନ୍ତ୍ରାଳୟ ଏଭଳି ସ୍ପଷ୍ଟୀକରଣ ଦେଇଛି। କେନ୍ଦ୍ର ସରକାର କହିଛନ୍ତି ଯେ ଏହି ଅଭିଯୋଗ ସମ୍ପୂର୍ଣ୍ଣ ଭିତ୍ତିହୀନ। ସରକାର ସମ୍ପୂର୍ଣ୍ଣ ସ୍ୱଚ୍ଛ ଢଙ୍ଗରେ ଟିକା ବଣ୍ଟନ ଜାରି ରଖିଛନ୍ତି। ଭାରତ ସରକାରଙ୍କ ଦ୍ୱାରା ଟିକା ଯୋଗାଣ, ରାଜ୍ୟ ଓ କେନ୍ଦ୍ରଶାସିତ ଅଂଚଳ ଦ୍ୱାରା ବ୍ୟବହାର, ବଳକା ଏବଂ ଅବ୍ୟବହୃତ ଟିକା ଡୋଜ ବିଷୟରେ ସୂଚନା ପ୍ରେସ ସୂଚନା ବ୍ୟୁରୋ ଦ୍ୱାରା ପ୍ରସ୍ତୁତ ପ୍ରେସ ବିଜ୍ଞପ୍ତି ତଥା ଅନ୍ୟାନ୍ୟ ଫୋରମ ମାଧ୍ୟମରେ ନିୟମିତ ଭାବରେ ସାର୍ବଜନୀନ କରାଯାଇଥାଏ ବୋଲି କୁହାଯାଇଛି।
କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ କହିଛି, କୋଭିଡ ଟିକା ବଣ୍ଟନ ଏକ ରାଜ୍ୟର ଜନସଂଖ୍ୟା, ସଂକ୍ରମିତ ସଂଖ୍ୟା ଏବଂ ରାଜ୍ୟର ବ୍ୟବହାର ଦକ୍ଷତାକୁ ବିଚାରକୁ ନେଇ ସ୍ଥିର କରାଯାଇଥାଏ। କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ଏହା ମଧ୍ୟ ସ୍ପଷ୍ଟ କରିଛି ଯେ ଟିକା ଅପଚୟ ଦ୍ୱାରା ଆବଣ୍ଟନ ଉପରେ ମଧ୍ୟ ନକାରାତ୍ମକ ପ୍ରଭାବ ପଡିଛି। ଏବେ ସୁଦ୍ଧା ରାଜ୍ୟ ତଥା କେନ୍ଦ୍ରଶାସିତ ଅଞ୍ଚଳକୁ ମାଗଣା ୩୦ କୋଟି ୩୩ ଲକ୍ଷ ୨୭ ହଜାର ୪୪୦ ଡୋଜ ଟିକା ପ୍ରଦାନ କରାଯାଇଛି। ଏଥିମଧ୍ୟରୁ ଅପଚୟ ସମେତ ମୋଟ ବ୍ୟବହାର ହେଉଛି ୨୮ କୋଟି ୪୩ ଲକ୍ଷ ୪୦ ହଜାର ୯୩୬ ଡୋଜ।
ଏବେ ୧ କୋଟି ୮୯ ଲକ୍ଷ ୮୬ ହଜାର ୫୦୪ଟି ଡୋଜ ଟୀକା ରାଜ୍ୟ ଓ କେନ୍ଦ୍ରଶାସିତ ଅଚଳଗୁଡିକ ପାଖରେ ରହିଛି ଏବଂ ଆସନ୍ତା ୩ଦିନ ମଧ୍ୟରେ ୨୧ ଲକ୍ଷ ୫ ହଜାର ୧୦ରୁ ଅଧିକ ଡୋଜ ଟିକା ଯୋଗାଇ ଦିଆଯିବ ବୋଲି ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ କହିଛି।



