ମୁମ୍ବାଇ : କରୋନା କାଳରେ ସରକାରଙ୍କୁ ଆର୍ଥିକ ସ୍ଥିତିରେ ବୃଦ୍ଧି ପାଇଁ ଧନୀ ଲୋକଙ୍କଠାରୁ ଟିକସ ଆଦାୟ କରିବାକୁ ଭାରତୀୟ ରାଜସ୍ବ ସେବା(ଆଇଆରଏସ) ଅଧିକାରୀଙ୍କ ପକ୍ଷରୁ ଦିଆଯାଇଥିବା ପ୍ରସ୍ତାବକୁ ସରକାର ଅସ୍ବୀକାର କରିଛନ୍ତି। ଏହା କୌଣସି ଅଧିକୃତ ମତ ହୋଇନଥିବା ସରକାର ଦର୍ଶାଇଛନ୍ତି । ତା’ଛଡା ଏହି ଖବର ସର୍ବସାଧାରଣଙ୍କ ପାଖକୁ କିଭଳି ଗଲା, ତାହା ଉପରେ ତଦନ୍ତ କରିବାକୁ କୁହାଯାଇଛି।
କରୋନା ସଂକଟ ଯୋଗୁ ଦେଶରେ ଆର୍ଥିକ ଦୁର୍ଗତି ଦେଖାଯିବାର ସମ୍ଭାବନା ରହିଛି। ଏଭଳି ସ୍ଥିତିରେ ଅଧିକ ଧନୀ ଓ ବିଦେଶୀ କମ୍ପାନୀଠାରୁ ଟିକସ ଆଦାୟ କରିବାକୁ ୫୦ ଆଇଆରଏସ୍ ଅଧିକାରୀ ସରକାରଙ୍କୁ ପ୍ରସ୍ତାବ ଦେଇଛନ୍ତି । ୧୦ ନିୟୁତ ଟଙ୍କାରୁ ଉର୍ଦ୍ଧ୍ବ ଆୟର ବ୍ୟକ୍ତିଙ୍କ ଠାରୁ ୪୦ ପ୍ରତିଶତ ଟିକସ ଆଦାୟ କରିବାକୁ ପ୍ରସ୍ତାବରେ ପରାମର୍ଶ ଦିଆଯାଇଛି। ଏଭଳି ୫୦ ନିୟୁତରୁ ଉର୍ଦ୍ଧ୍ବ ବ୍ୟକ୍ତି ରହିଥିବା ବେଳେ ସେମାନଙ୍କଠାରୁ ଟିକସ ଆଦାୟ କରିବାକୁ ସେଣ୍ଟ୍ରାଲ ବୋର୍ଡ ଅଫ ଡାଇରେକ୍ଟ ଟ୍ୟାକ୍ସ(ସିବିଡିଟି)କୁ ପ୍ରସ୍ତାବ ଦିଆଯାଇଥିଲା । ଯାହାକୁ ଆୟକର ବିଭାଗ ଅଧିକୃତ ମତ ନୁହେଁ ବୋଲି ଦର୍ଶାଇଛି । ଏହା ସିବିଡିଟି ଓ ଅର୍ଥ ବିଭାଗର ମତ ନୁହେଁ ଏବଂ ଏ ନେଇ ତଦନ୍ତ ଚାଲିଛି । ଆଇଆରଏସ ଅଧିକାରୀମାନେ ତାଙ୍କ ପ୍ରସ୍ତାବରେ ଦର୍ଶାଇଥିଲେ ଯେ ଅଧିକ ଧନୀ ଶ୍ରେଣୀର ଲୋକ ଏବଂ ଭାରତରେ ପ୍ରତିଷ୍ଠିତ ବିଦେଶୀ କମ୍ପାନୀଙ୍କ ଏଭଳି ଆପାତକାଳୀନ ସ୍ଥିତିରେ ଗୁରୁ ଦାୟିତ୍ବ ରହିଛି। ସୂଚନା ଯୋଗ୍ୟ ଯେ ପ୍ରଧାନମନ୍ତ୍ରୀଙ୍କ ୪୦ ଦିନିଆ ଲକଡାଉନ ଯୋଗୁ ଟିକସ ଆଦାୟ ଘୋର ପ୍ରଭାବିତ ହୋଇଛି। ତା’ ଛଡା ସରକାର ଆୟକର ଟିକସଧାରୀଙ୍କୁ ୪ ପ୍ରତିଶତ ଛାଡ କରିଛନ୍ତି।



