ନୂଆଦିଲ୍ଲୀ: ଉତ୍ତର ପ୍ରଦେଶର ବାରାଣସୀ ଲୋକସଭା ଆସନରେ ମୋଦୀ ବନାମ ପ୍ରିୟଙ୍କା ଚର୍ଚ୍ଚା ଉପରେ ଶେଷରେ ପୂର୍ଣ୍ଣଚ୍ଛେଦ ପଡ଼ିଛି। ବାରାଣସୀରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ବିଜେପିର ପ୍ରାର୍ଥୀ ହୋଇଛନ୍ତି। ମୋଦୀଙ୍କୁ ଟକ୍କର ଦେବା ଲାଗି କଂଗ୍ରେସରୁ ଦଳର ମହାସଚିବ ପ୍ରିୟଙ୍କା ଗାନ୍ଧୀ ଭଦ୍ରା ବାରାଣସୀରୁ ନିର୍ବାଚନ ମଇଦାନକୁ ଓହ୍ଲାଇବେ ବୋଲି କିଛିଦିନ ଧରି ଚର୍ଚ୍ଚା ଜୋର ଧରିଥିଲା। କିନ୍ତୁ କଂଗ୍ରେସ ଏହି ଆସନରେ ଅଜୟ ରାଏଙ୍କୁ ପ୍ରାର୍ଥୀ କରିବା ପରେ ଚର୍ଚ୍ଚାରେ ଅବସାନ ଘଟିଛି।
ସୂଚନାଯୋଗ୍ୟ, କଂଗ୍ରେସ ମହାସଚିବ ପ୍ରିୟଙ୍କା ଗାନ୍ଧୀଙ୍କୁ ଉତ୍ତର ପ୍ରଦେଶର ପ୍ରଭାରୀ ଭାବେ ନିଯୁକ୍ତ କରାଯାଇଛି। ରାଜ୍ୟରେ କଂଗ୍ରେସକୁ କ୍ଷମତାକୁ ଆଣିବାକୁ ପ୍ରିୟଙ୍କା ତୃଣମୂଳ ସ୍ତରରେ ଉଦ୍ୟମ ଜାରି ରଖିଛନ୍ତି। ଦଳର କାର୍ଯ୍ୟକର୍ତ୍ତାମାନେ ତାଙ୍କୁ ଚଳିତ ଲୋକସଭା ନିର୍ବାଚନରେ ପ୍ରତିଦ୍ବନ୍ଦ୍ବିତା କରିବାକୁ ପରାମର୍ଶ ଦେବା ପରେ ସେ ବାରାଣସୀରୁ ନିର୍ବାଚନ ଲଢ଼ିବାକୁ ଚାହୁଁଥିବା ଇସାରା ଦେଇଥିଲେ। ତେବେ ସେ ଏହି ନିଷ୍ପତ୍ତି ଭାଇ ତଥା ଦଳର ଅଧ୍ୟକ୍ଷ ରାହୁଲ ଗାନ୍ଧୀଙ୍କ ଉପରେ ଛାଡ଼ି ଦେଇଥିଲେ।



