ବାଳକଟି ଗରିବ ପରିବାରରେ ଜନ୍ମ ନେଇଥିଲା। ତା’ର ଘର ନିକଟରେ ରହୁଥିଲେ ଜଣେ ସଂଭ୍ରାନ୍ତ ବ୍ୟକ୍ତି। ଧନିକ ବ୍ୟକ୍ତିଙ୍କ ଚାଲିଚଳଣି, ଆଦବକାଇଦାକୁ ଖୁବ୍ ଗୁରୁତ୍ବରସହ ଲକ୍ଷ୍ୟ କରୁଥିଲା ବାଳକ। ନିଜ ପରିବାରର ଚଳଣିକୁ ଧନିକ ବ୍ୟକ୍ତିଙ୍କ ଚଳଣି ସହ ତୁଳନା କରି ପ୍ରାୟତଃ ବିଷଣ୍ଣ ରହୁଥିଲା। କ୍ରମଶଃ ଯୁବକ ଅବସ୍ଥା ପ୍ରାପ୍ତ ହେଲାପରେ ନିଶ୍ଚୟ କଲେ ଧନବାନ୍ ହେବା ନିମନ୍ତେ। ଘରଛାଡ଼ି ବାହାରକୁ ଯାଇ ଅର୍ଥ ରୋଜଗାର କରିବାରେ ମନୋନିବେଶ କଲେ, କିଛି ଅର୍ଥ ମଧ୍ୟ ରୋଜଗାର କଲେ। ଏଭଳି ସମୟରେ ହଠାତ୍ ଜଣେ ବିଦ୍ବାନଙ୍କ ସହ ସାକ୍ଷାତ ହେଲା। ବିଦ୍ବାନଙ୍କ ସହ ଆଲୋଚନା ଉତ୍ତାରେ ହୃଦବୋଧ ହେଲା ଯେ ବିଭିନ୍ନ ବିଷୟରେ ଜ୍ଞାନ ଆହରଣ କରି ଜ୍ଞାନୀ, ପଣ୍ଡିତ ହେବାରେ ନିଶ୍ଚୟ ବିଶେଷତ୍ବ ରହିଛି। ଜ୍ଞାନ ଆହରଣ ନକରି କେବଳ ଅର୍ଥ ରୋଜଗାର ନିଶାରେ ବୁଡ଼ି ରହିଲେ ବାହାର ଦୁନିଆ ବିଷୟରେ କିଛିବି ଜାଣିହେବନି। ଏହା କୂପମଣ୍ଡୁକ ସଦୃଶ ହେବ। ଏହା ଭାବି ବିଦ୍ୟାଅର୍ଜନରେ ମଗ୍ନ ରହିଲେ। ବେଶ୍ କିଛିଦିନ ଗମ୍ଭୀରତାର ସହ ଅଧ୍ୟୟନ କଲାପରେ ଦିନେ ଜଣେ ସଂଗୀତଜ୍ଞଙ୍କ ସୁମଧୁର ସଂଗୀତ ଶୁଣି ସଂଗୀତଜ୍ଞ ହେବାକୁ ମନ ବଳାଇଥିଲେ, ବିଦ୍ୟାଧ୍ୟୟନ ତ୍ୟାଗ କରି ସଂଗୀତ ଶିକ୍ଷାରେ ମନୋନିବେଶ କରିଥିଲେ।
ଏହିଭଳି ଗୋଟିକୁ ଛାଡ଼ି ଅନ୍ୟ ଏକ ବିଦ୍ୟାଶିକ୍ଷା କ୍ଷେତ୍ରରେ ସମୟ ଅତିବାହିତ ହେଉଥାଏ। ଏହାଭିତରେ ଅନେକ ବର୍ଷ ଅତିବାହିତ ହୋଇଗଲା। ଲକ୍ଷ୍ୟ ସ୍ଥିର ନଥିବାରୁ ନା ସେ ଧନବାନ ହୋଇପାରିଥିଲେ ନା ବିଦ୍ବାନ ହୋଇପାରିଲେ ନା ସଂଗୀତଜ୍ଞ ହେବାରେ ସକ୍ଷମ ହେଲେ? ବାରମ୍ବାର ଲକ୍ଷ୍ୟ ବଦଳାଇ ଅସ୍ଥିର ଚିତ୍ତରେ ଗତି କରୁଥିବାବେଳେ ଦିନେ ଅନୁଭବ କଲେ ଯେ ସେ ଜୀବନର ଅପରାହ୍ଣରେ ପହଞ୍ଚି ଯାଇଛନ୍ତି। କୌଣସି ଗୋଟିଏ ହେଲେ ବିଦ୍ୟାରେ ପାରଦର୍ଶୀ ହୋଇ ନ ପାରିବା କାରଣରୁ ମନରେ ବହୁତ ଦୁଃଖ, ଅବସାଦ, ଅବସୋସ ଓ କ୍ଷୋଭ ଜାତ ହେଲା, ଏହା ତାଙ୍କୁ ସଂପୂର୍ଣ୍ଣ ଭାବରେ ବିବଶ କରିଦେଇଥିଲା। ବିଷଣ୍ଣ ଭାବରେ ବୁଲୁଥିବାବେଳେ ଜଣେ ପ୍ରସନ୍ନବଦନ, ଗୈରିକବସନ ପରିହିତ ସନ୍ନ୍ୟାସୀଙ୍କୁ ଦେଖି ତାଙ୍କୁ ନିଜର ଚିତ୍ତବିକ୍ଷୋଭ (ମାନସିକ ଅସ୍ଥିରତା), ଦୁଃଖ ସମ୍ବନ୍ଧରେ କହିଥିଲେ। ସକଳ ପ୍ରସଙ୍ଗ ଶୁଣିବାପରେ ମହାତ୍ମା ବୁଝାଇ ଦେଇଥିଲେ- ‘ବତ୍ସ! ତୁମେ ରଙ୍ଗିନ ଦୁନିଆର ଆକର୍ଷଣରେ ବାନ୍ଧି ହୋଇଯାଇଛି। ଯେଉଁଠାକୁ ଯାଉଛ ସେହି ଆକର୍ଷଣ କୌଣସି ନା କୌଣସି ରୂପରେ ତୁମକୁ ବାନ୍ଧି ରଖୁଛି। ଏଭଳି ଲକ୍ଷ୍ୟହୀନ ଭାବରେ ଭ୍ରମରେ ପଡ଼ି ବୁଲିବା ଅପେକ୍ଷା ଲକ୍ଷ୍ୟସ୍ଥିର, ନିଶ୍ଚୟ କରି, ଏହା ହାସଲ କରିବା ଦିଗରେ ଏକନିଷ୍ଠ ଉଦ୍ୟମ ଜାରି ରଖିଲେ ତୁମର ଉନ୍ନତି ଅବଶ୍ୟ ହେବ। ବାରମ୍ବାର ରୁଚି ବଦଳାଇଲେ ଏହା ଦ୍ବାରା ତୁମର କୌଣସି ଉନ୍ନତି ହେବନାହିଁ, ଅବନତି େହବା ସାର ହେବ।’
ଚିନ୍ତାକଳ୍ପ : ଲକ୍ଷ୍ୟସିଦ୍ଧିର ମାର୍ଗ
Popular Categories



