‘ସମାଜ’ ପାଠକଙ୍କ ବିଶ୍ବାସକୁ ପାଥେୟ କରି ଆଗକୁ ଚାଲିଛି, ନେତୃତ୍ବ ନେବା ଭଳି ପ୍ରତିଭା ଗଣମାଧ୍ୟମକୁ ଦରକାର

‘ସମାଜ’ ପକ୍ଷରୁ ସାମ୍ବାଦିକତା ଛାତ୍ରଛାତ୍ରୀଙ୍କ ପ୍ରତିଯୋଗିତା

  • ସାମ୍ବାଦିକ ସରକାରଙ୍କ ଜାଗ୍ରତ ପ୍ରହରୀ: ଉମାକାନ୍ତ ମିଶ୍ର 
  • ନେତୃତ୍ବ ନେବା ଭଳି ପ୍ରତିଭା ଆବଶ୍ୟକ: ନୀଳାମ୍ବର ରଥ
  • ବିଶ୍ବସନୀୟତା ‘ସମାଜ’ର ମୂଳଭିତ୍ତି: ସନ୍ଦୀପ ମିଶ୍ର
  • ଏବେ ଗଣତନ୍ତ୍ର ଗଣମାଧ୍ୟମକୁ ଆସିଛି: ମନୋରଞ୍ଜନ ମିଶ୍ର
  • ୧୦ ଶିକ୍ଷାନୁଷ୍ଠାନର ୪୮ ଛାତ୍ରଛାତ୍ରୀ ସାମିଲ୍‌

ଭୁବନେଶ୍ବର: ସାମ୍ବାଦିକମାନେ ହେଉଛନ୍ତି ସମାଜର ଜାଗ୍ରତ ପ୍ରହରୀ। ସାମ୍ବାଦିକତା କ୍ଷେତ୍ରକୁ ଭଲ ମଣିଷ ଆସିବା ଦରକାର। ଆଜିର ଡିଜିଟାଲ ଯୁଗରେ ଛାପା ଗଣମାଧ୍ୟମକୁ ବହୁ ଆହ୍ବାନର ସମ୍ମୁଖୀନ ହେବାକୁ ପଡ଼ୁଛି। ସମସ୍ତ ପ୍ରତିକୂଳ ପରିସ୍ଥିତି ସତ୍ତ୍ବେ ଏହି ମାଧ୍ୟମ ତା’ର ସ୍ଥିତି ବଜାୟ ରଖିଛି। ‘ସମାଜ’ ପାଠକଙ୍କ ବିଶ୍ବାସକୁ ପାଥେୟ କରି ଆଗକୁ ଚାଲିଛି। ଗଣମାଧ୍ୟମ କ୍ଷେତ୍ରରେ ଏବେ ଦକ୍ଷ ପ୍ରତିଭାର ଅଭାବ ଦେଖିବାକୁ ମିଳୁଛି। ନେତୃତ୍ବ ନେବା ଭଳି ପ୍ରତିଭା ଗଣମାଧ୍ୟମକୁ ଦରକାର ବୋଲି ଅତିଥିମାନେ ମତପୋଷଣ କରିଛନ୍ତି।
‘ସମାଜ’ର ୧୦୫ତମ ପ୍ରତିଷ୍ଠା ଦିବସ ଉପଲକ୍ଷେ ସାମ୍ବାଦିକତା ଛାତ୍ରଛାତ୍ରୀଙ୍କ ପାଇଁ ଏକ ପ୍ରତିଯୋଗିତା (‘ସମାଜ’ ଗଣମାଧ୍ୟମ ପୁରସ୍କାର) ୟୁନିଟ୍‌-୮ସ୍ଥିତ ଡିଏଭି ସ୍କୁଲ୍‌ ଅଫ୍‌ ବିଜିନେସ୍‌ ମ୍ୟାନେଜମେଣ୍ଟ (ଡିଏସ୍‌ବିଏମ୍‌) ଠାରେ ରବିବାର ଅନୁଷ୍ଠିତ ହୋଇଯାଇଛି।

‘ସମାଜ’ର ମୁଦ୍ରାକର ଓ ପ୍ରକାଶକ ଡ. ପ୍ରଭାସ ଆଚାର୍ଯ୍ୟଙ୍କ ସଭାପତିତ୍ବରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥିଭାବେ ପିଆଇବି ଓ ଡିଏଭିପିର ପୂର୍ବତନ ପ୍ରମୁଖ ମହାନିର୍ଦେଶକ ଡ. ଉମାକାନ୍ତ ମିଶ୍ର କହିଲେ ଯେ, ଜୀବନ ପାଇଁ ମାଧ୍ୟମ ଆବଶ୍ୟକ। ନାଗରିକ ସମାଜ, ସରକାର ଓ ବଜାର ଗଣମାଧ୍ୟମ ବିନା ଆଗକୁ ଯାଇପାରିବ ନାହିଁ। ସାମ୍ବାଦିକ ନିଜ ବୃତ୍ତି ଯୋଗୁଁ ସରକାରଙ୍କ ବିରୋଧୀ କିନ୍ତୁ ରାଷ୍ଟ୍ର ଓ ସମାଜର ବିରୋଧୀ ନୁହେଁ। ସାମ୍ବାଦିକ ହେଉଛନ୍ତି ସରକାରଙ୍କ ଜାଗ୍ରତ ପ୍ରହରୀ।

ଅନ୍ୟତମ ଅତିଥିଭାବେ ‘ଓଡ଼ିଶା ଲାଇଭ୍‌’ର ସମ୍ପାଦକ ତଥା ମୁଖ୍ୟ କାର୍ଯ୍ୟନିର୍ବାହୀ ନୀଳାମ୍ବର ରଥ କହିଲେ ଯେ, ସାମ୍ବାଦିକତାର ପରିଭାଷା ବ୍ୟାପକ। ଏହାକୁ ଯୋଗାଯୋଗର ମାଧ୍ୟମ କହିବା ଠିକ୍‌ ହେବ। ନ୍ୟୁଜ୍‌ ରୁମ୍‌ରୁ ନେଇ ଗଣମାଧ୍ୟମ କ୍ଷେତ୍ରରେ ନେତୃତ୍ବ ନେବା ଭଳି ପ୍ରତିଭାର ଆବଶ୍ୟକତା ରହିଛି। ବର୍ତ୍ତମାନ ଚାକିରି ଏବଂ ସୁଯୋଗର ଅଭାବ ନାହିଁ କେବଳ ପ୍ରତିଭା‌ ପ୍ରଦର୍ଶନ କରିପାରିଲେ ସବୁ ସମ୍ଭବ ହୋଇପାରିବ। ଏବେକାର ଛାତ୍ରଛାତ୍ରୀ ନିଜକୁ ସେଭଳି ପ୍ରସ୍ତୁତ କରିବା ଦରକାର। ଆମକୁ  ଦକ୍ଷ ମାନବସମ୍ବଳ ଉପରେ ଗୁରୁତ୍ବ ଦେବାକୁ ହେବ।

ଉପସ୍ଥାପିକା ଆନନ୍ଦିନୀ ଶତପଥୀ ପ୍ରତିଯୋଗିତାରେ ଭାଗ ନେଇଥିବା ଛାତ୍ରଛାତ୍ରୀଙ୍କୁ ଶୁଭେଚ୍ଛା ଜଣାଇ କହିଥିଲେ ଯେ, ସମାଜର ଦର୍ପଣ ଗଣମାଧ୍ୟମ। ସବୁ କ୍ଷେତ୍ରରେ ଗଣମାଧ୍ୟମ ପହଞ୍ଚିପାରୁଛି। ପ୍ରତିଟି ଖବର ନିର୍ଭୁଲ୍‌ ଓ ନିରପେକ୍ଷ ହେବା ଦରକାର। ଡିଜିଟାଲ ଯୁଗରେ ଖବରକାଗଜର ସ୍ଥିତି ବିପଦପୂର୍ଣ୍ଣ। ଆଜିକାଲିର ପିଲା ଖବରକାଗଜ କ’ଣ ଜାଣୁନାହାନ୍ତି। ତେବେ ଆମର ଅସ୍ତିତ୍ବ ଓ ବ୍ୟକ୍ତିତ୍ବ ଖବରକାଗଜ ସହିତ ଜଡ଼ିତ। ଏହା ଆମର ମୂଳଦୂଆ।

ଡିଏସ୍‌ବିଏମ୍‌ର  ଅଧ୍ୟକ୍ଷ ଡ. ଦ୍ବାରିକାନାଥ ମିଶ୍ର କହିଲେ ଯେ, ସାମ୍ବାଦିକତା ଛାତ୍ରଛାତ୍ରୀଙ୍କ ପାଇଁ ଆଗକୁ ଅନେକ ଆହ୍ବାନ ରହିଛି। ସମ‌େ‌ସ୍ତ ଏହି ଆହ୍ବାନକୁ ସୁଯୋଗରେ ପରିଣତ କରିବାକୁ ସେ ପରାମର୍ଶ ଦେଇଥିଲେ।

ବରିଷ୍ଠ ସାମ୍ବାଦିକ ମନୋରଞ୍ଜନ ମିଶ୍ର କହିଥିଲେ ଯେ, ଗଣତନ୍ତ୍ର ଗଣମାଧ୍ୟମକୁ ଫେରିଛି। ଆଜିର ଦିନରେ ଆମେ ସମସ୍ତେ ଜଣେ ଜଣେ ସାମ୍ବାଦିକ। ଇଣ୍ଟରନେଟ୍‌ ଦ୍ବାରା ଏହା ସମ୍ଭବ ହୋଇପାରିଛି। ଜଣେ ନିଜର ପରିଚୟ ତିଆରି କରିପାରୁଛି। ଖବରକାଗଜ, ଟେଲିଭିଜନ ପରେ ଏବେ ସାମାଜିକ ଗଣମାଧ୍ୟମର ସମୟ ଚାଲିଛି। ତେବେ ଉପଯୁକ୍ତ ବିଷୟବସ୍ତୁ ଓ ଖବର ପରିବେଷଣର ଶୈଳୀ ଗୁରୁତ୍ବ ବହନ କରୁଛି।

ଅନ୍ୟତମ ଅତିଥି ବରିଷ୍ଠ ସାମ୍ବାଦିକ  ସନ୍ଦୀପ ମିଶ୍ର କହିଲେ ଯେ, ନବେ ଦଶକ ଓ ୨୦୨୪ ମଧ୍ୟରେ ଗଣମାଧ୍ୟମ କ୍ଷେତ୍ରରେ ବଡ଼ ପରିବର୍ତ୍ତନ ଆସିଛି। ପ୍ରଯୁକ୍ତବିଦ୍ୟା ଯୋଗୁଁ ଗଣମାଧ୍ୟମ ଆଗକୁ ଯାଇଛି। ସାମାଜିକ ଗଣମାଧ୍ୟମ ବିଷୟବସ୍ତୁ ତଥ୍ୟ ଉପରେ ପର୍ଯ୍ୟବସିତ ହେଉନାହିଁ। ସାମ୍ବାଦିକତାରେ ବିଶ୍ବସନୀୟତା ସବୁଠୁ ଗୁରୁତ୍ବପୂର୍ଣ୍ଣ। ‘ସମାଜ’ର ମୂଳଭିତ୍ତି ବିଶ୍ବସନୀୟତା, ଯେଉଁଥିପାଇଁ ୧୦୫ ବର୍ଷ ଧରି ଏହି ଖବରକାଗଜ ଉପରେ ଲୋକଙ୍କ ଅତୁଟ ବିଶ୍ବାସ ରହିଛି। ‘ସମାଜ’ରେ ପ୍ରକାଶିତ ଖବରକୁ ଲୋକେ ସଠିକ୍‌ ଖବରଭାବେ ଗ୍ରହଣ କରୁଛନ୍ତି।  ପ୍ରତିଯୋଗିତା ଭିତ୍ତିରେ ଆଗକୁ ଯିବାକୁ ହେଲେ ସବୁପ୍ରକାର ଦକ୍ଷତା ରହିବା ଦରକାର।

ଆକାଶବାଣୀର ସମାଚାର ବିଭାଗ ମୁଖ୍ୟ ପ୍ରକାଶ ଦାସ  ନିଜ ସାମ୍ବାଦିକ ଜୀବନର ଅନୁଭୂତି ଓ ଅଭିଜ୍ଞତା  ସମ୍ପର୍କରେ କହିଥିଲେ। ଦ୍ରୁତ ପ୍ରତିଯୋଗିତାମୂଳକ ଯୁଗରେ ରେଡିଓର ଭୂମିକା ଉପରେ ସେ ଆଲୋକପାତ କରିଥିଲେ।

ଉପସ୍ଥାପିକା ଇତିଶ୍ରୀ ନାୟକ  କହି‌େ‌ଲ ଯେ, ସାମ୍ବାଦିକତା ଏମିତି ଏକ ନିଶା ଓ ପେସା, ଥରେ ଭଲ ପାଇ ବସିଲେ ସମ୍ପର୍କ ଛିନ୍ନ କରି ହେବନାହିଁ। ସକାଳୁ ଖବରକାଗଜ ନପଢ଼ିଲେ କିଛି ଗୋଟେ ଛାଡ଼ିଗଲା ଭଳି ମନେହୁଏ।

‘ସମାଜ’ର ସମ୍ପାଦକ ତପନ ମିଶ୍ର ପ୍ରତିଯୋଗିତା ସମ୍ପର୍କରେ ଉଲ୍ଲେଖ କରିଥିଲେ। ଏଭଳି ପ୍ରତିଯୋଗିତା ସାମ୍ବାଦିକତା ଛାତ୍ରଛାତ୍ରୀଙ୍କୁ ଆଗକୁ ଯିବାରେ ସହାୟକ ହେବ। ସମର୍ପିତ ହୋଇ କାର୍ଯ୍ୟ କଲେ ସେମାନେ ନିଶ୍ଚିତ ସଫଳତାର ଶୀର୍ଷରେ ପହଞ୍ଚି ପାରିବେ ବୋଲି ସେ କହିଥିଲେ। ସଭାପତିତ୍ବ ଅଭିଭାଷଣ ରଖି ଡ. ଆଚାର୍ଯ୍ୟ କହିଲେ ଯେ, ଉତ୍କଳମଣି ପଣ୍ଡିତ ଗୋପବନ୍ଧୁ ଦାସଙ୍କ ଦ୍ବାରା ପ୍ରତିଷ୍ଠିତ ‘ସମାଜ’ ୧୦୫ ବର୍ଷରେ ପାଦ ଦେବାକୁ ଯାଉଛି। ଏହା ଆମ ସମସ୍ତଙ୍କ ପାଇଁ ବଡ଼ ଉପଲବ୍ଧି। ଆସ୍ଥା ଓ ବିଶ୍ବସନୀୟତା ନଥିଲେ କୌଣସି ସଂସ୍ଥା ଏତେ ଦିନ ତିଷ୍ଠି ପାରିବ ନାହିଁ। ବିଶ୍ବରେ ଏହା ବୋଧହୁଏ ଏକମାତ୍ର ଖବରକାଗଜ, ଯାହାର ଲାଭାଂଶ ସାଧାରଣ ଗରିବ ଲୋକଙ୍କ ପାଇଁ ଖର୍ଚ୍ଚ ହୁଏ। ସମାଜ ପାଇଁ  ‘ସମାଜ’ ସମର୍ପିତ।


ପ୍ରତିଯୋଗିତାରେ ୧୦ ସାମ୍ବାଦିକତା ଓ ଗଣଯୋଗାଯୋଗ ଶିକ୍ଷାନୁଷ୍ଠାନର ୪୮ ଛାତ୍ରଛାତ୍ରୀ ଯୋଗଦେଇଥିଲେ। ଛାତ୍ରଛାତ୍ରୀଙ୍କ ମଧ୍ୟରେ ଖବର ଲିଖନ, ଖବର ସମ୍ପାଦନା, ଅନୁବାଦ, ଶିରୋନାମା ଲିଖନ, ଫଟୋ ସମ୍ପାଦନା, ଭିଡିଓ ସମ୍ପାଦନା, ପିଟିସି ଆଦି ପ୍ରତିଯୋଗିତା ହୋଇଥିଲା। ଶେଷରେ ସମସ୍ତ ପ୍ରତିଯୋଗୀଙ୍କୁ ପ୍ରମାଣପତ୍ର ପ୍ରଦାନ କରାଯାଇଥିଲା।   ଡିଜିଟାଲ ‘ସମାଜ’ର  ସମ୍ପାଦକ ଗୋପାଳ ମହାପାତ୍ର ଅତିଥି ପରିଚୟ ପ୍ରଦାନ ସହିତ ଧନ୍ୟବାଦ ଅର୍ପଣ କରିଥିଲେ। କାର୍ଯ୍ୟକ୍ରମ ସଂଯୋଜନା କରିଥିଲେ ଅଧ୍ୟାପକ ଅଂଶୁମାନ ମହାନ୍ତି ଏବଂ ପରିଚାଳନା କରିଥିଲେ ଅଧ୍ୟାପକ ଦେବକାନ୍ତ ସାହୁ।  ‘ସମାଜ’ ଓ ଡିଏସ୍‌ବିଏମ୍‌ ପରିବାରର ସମସ୍ତ  ସଦସ୍ୟ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ।

ପ୍ରତିଯୋଗିତାରେ ଅଂଶଗ୍ରହଣ କରିଥିବା ଶିକ୍ଷାନୁଷ୍ଠାନ

– ଓଡ଼ିଶା ରାଜ୍ୟ ମୁକ୍ତ ବିଶ୍ବବିଦ୍ୟାଳୟ
– ଫକିରମୋହନ ବିଶ୍ବବିଦ୍ୟାଳୟ
– ରେଭେନ୍ସା ବିଶ୍ବବିଦ୍ୟାଳୟ
– ଭାରତୀୟ ଜନସଞ୍ଚାର ସଂସ୍ଥାନ, ଢେଙ୍କାନାଳ
– କେନ୍ଦ୍ରୀୟ ବିଶ୍ବବିଦ୍ୟାଳୟ, କୋରାପୁଟ
– ରମାଦେବୀ ମହିଳା ବିଶ୍ବବିଦ୍ୟାଳୟ
– ଉତ୍କଳ ବିଶ୍ବବିଦ୍ୟାଳୟ
– କିଟ୍ ବିଶ୍ବବିଦ୍ୟାଳୟ
– ବ୍ରହ୍ମପୁର ବିଶ୍ବବିଦ୍ୟାଳୟ
– ଅମିତ କଲେଜ

ଅଂଶଗ୍ରହଣକାରୀ ଛାତ୍ରଛାତ୍ରୀ

୧. ଏଲିନା ମିଶ୍ର
୨. ସଚ୍ଚିଦାନନ୍ଦ ମହାପାତ୍ର
୩. ରାହୁଲ ରାଉତ
୪. ସିଦ୍ଧାର୍ଥ ଦାଶ
୫. ସନ୍ଧ୍ୟାରାଣୀ ଜେନା
୬. ପ୍ରତୀକ୍ଷା ମହାପାତ୍ର
୭. ଅନନ୍ୟା ଦାଶ
୮. ମନୀଷା ନାୟକ
୯. ରୌନକ ପଟ୍ଟନାୟକ
୧୦. ରାଜଲକ୍ଷ୍ମୀ ସାହୁ
୧୧. ଭୁବନେଶ୍ବରୀ ତ୍ରିପାଠୀ
୧୨. ଦୀବାଲିନ୍ ବେହେରା
୧୩. ଜ୍ୟୋତିରଞ୍ଜନ ମିଶ୍ର
୧୪. ସ୍ବଂୟଜିତ ଦାସ
୧୫. ଶିବପ୍ରସାଦ ମହାନ୍ତି
୧୬. ଲିଜା ସେନାପତି
୧୭. ଗାୟତ୍ରୀ ଗୀତାଞ୍ଜଳି ଦାସ
୧୮. ଦେବସ୍ମିତା ପାତ୍ର
୧୯. ବୈଶାଳୀ ସେଠୀ
୨୦. ବିଶେଶ୍ବରୀ ଜେନା
୨୧. ଜଗଦୀଶ ବେହେରା
୨୨. ରଶ୍ମିରଞ୍ଜନ ମହାପାତ୍ର
୨୩. ଶୁଭମଜ୍ୟୋତି ଜେନା
୨୪. ଚନ୍ଦନ ପଣ୍ଡା
୨୫. କୁମାରସାନୁ ପତି
୨୬. ଲକ୍ଷ୍ମୀପ୍ରିୟା ଦାସ
୨୭. ନିବେଦିତା ସେଠୀ
୨୮. ଶୁଭେଚ୍ଛା ସିଂହ
୨୯. ମେହଫୁଜ୍‌ ଖାନ୍‌
୩୦. ରାଜେଶ ରାୟ
୩୧. ରାମଚନ୍ଦ୍ର କାମିଲା
୩୨. ମାନସ କୁମାର ଜେନା
୩୩. ସ୍ମୃତିରେଖା ଦଳେଇ
୩୪. ଚନ୍ଦନ କୁମାର ଗିରି
୩୫. ସୁଦେଷ୍ଣୁ କୁମାର ବଳ
୩୬. ସୁଶ୍ରୀ କଲ୍ୟାଣୀ ଜେନା
୩୭. ଲୋପିତା ଜେନା
୩୮. ବିବେକାନନ୍ଦ ଗଡ଼ନାୟକ
୩୯. ପ୍ରବୀଣ କୁମାର ବିହାରୀ
୪୦. ଭୂତାଲ ବାସ୍କି
୪୧. ବ୍ରଜେଶ ଆର. ପଟ୍ଟନାୟକ
୪୨. ଓମ୍ ଶୁଭମ୍ ମଲ୍ଲିକ
୪୩. ଆଶୁତୋଷ ମହାପାତ୍ର
୪୪. ଆଶୁତୋଷ ପାଢ଼ୀ
୪୫. ଦେବାଶିଷ ସାହୁ
୪୬. ଶୁଭଲକ୍ଷ୍ମୀ ଜୟସିଂହ
୪୭. ମଧୁସ୍ମିତା ମହାପାତ୍ର
୪୮. ସ୍ମୃତିସଙ୍ଗୀତା ପଣ୍ଡା

Comments are closed.